ରିଲରୁ ରିୟଲ : ଓଡିଶାର ୪ ସଫଳ ଅଭିନେତା-ନେତା

ରିଲରୁ ରିୟଲ : ଓଡିଶାର ୪ ସଫଳ ଅଭିନେତା-ନେତା

Friday March 25, 2016,

3 min Read

ସେମାନେ ହେଲେ ମ୍ୟାଟିନୀ ଆଇଡଲ। ସେମାନଙ୍କ ଅଭିନୟରେ ଦର୍ଶକ କାନ୍ଦେ, ହସେ, ତାଳି ମାରେ, ପୁଣି କେବେ ରାଗିବି ଯାଏ। ନିଜ ନିଜ ଫ୍ୟାନମାନଙ୍କ ପାଇଁ ସେମାନେ ଡେମି ଗଡ। ସେମାନଙ୍କ ଗୋଟିଏ ଝଲକ ପାଇଁ ଲୋକେ ଅପେକ୍ଷା କରି ବସନ୍ତି ଘଣ୍ଟା ଘଣ୍ଟା ତ ପୁଣି କେତେବେଳେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ସାରା ଦେଶ ଏକ ସାଙ୍ଗେ ପ୍ରାର୍ଥନା କରେ। ଭିଡ ଯୁଟେଇବା କଳାରେ ସେମାନେ ସବୁ ଠାରୁ ଅଧିକ ମାହିର। ଆଉ ବୋଧ ହୁଏ ସେମାନଙ୍କ ଏହି ବିଶେଷ ଗୁଣର ଫାଇଦା ଉଠେଇବା ପାଇଁ ରାଜନୈତିକ ଦଳ ମାନେ ଚେଷ୍ଟା କରନ୍ତି।

image


କେବେ ଏହି ରିଲ ଜୀବନର ଅଭିନେତାମାନେ ରାଜନୈତିକ ଦଳ ମାନଙ୍କ ପାଇଁ ପ୍ରଚାର କରନ୍ତି ତ କେବେ ନିଜେ ଉଭା ହୁଅନ୍ତି ରିୟଲ ଜୀବନର ନେତା ଭାବେ। ଏପରି ଉଦାହରଣ ଅନେକ ରହିଛି। ଆଉ ଏଥିରେ ସାମିଲ ଭାରତୀୟ ଚଳଚ୍ଚିତ୍ର ଜଗତର ଅନେକ ନାମୀ ଦାମୀ ନାଁ। ଅମିତାଭ ବଚ୍ଚନ, ରଜନୀକାନ୍ତ, ରାଜେଶ ଖାନ୍ନା, ଚିରଞ୍ଜିବୀ, ଏନଟିଆର, ଏମଜି ରାମଚନ୍ଦ୍ରନ, ଜୟଲଳିତା, ଜୟା ବଚ୍ଚନ, କରୁଣାନିଧି, ହେମା ମାଳିନୀ, ଧର୍ମେନ୍ଦ୍ର, ପରେଶ ରାୱଲଙ୍କ ଠାରୁ ଆରମ୍ଭ କରି ମନୋଜ ତିୱାରୀଙ୍କ ପର୍ଯ୍ୟନ୍ତ - ଏ ତାଲିକା ବହୁତ ଲମ୍ବା। ଛୋଟ ପରଦାର କଳାକାରମାନେ ମଧ୍ୟ ଏ ଦୌଡରେ ପଛରେ ପଡିନାହାନ୍ତି, ସେ ଦୀପିକା ଚିଖିଳିଆ, ଅରବିନ୍ଦ ତ୍ରିବେଦୀ, ନିତୀଶ ଭରଦ୍ଵାଜ ହୁଅନ୍ତୁ ବା ସ୍ମୃତି ଇରାନୀ, ଛୋଟ ପରଦାର ଅନେକ ନାୟକ ନାୟିକା ପାଦ ଦେଇଛନ୍ତି ରାଜନୀତିରେ।

୨୦୦୦ ମସିହା ପର୍ଯ୍ୟନ୍ତ ଓଡିଶା କିନ୍ତୁ ଥିଲା ଏ ଟ୍ରେଣ୍ଡ ର ବ୍ୟତିକ୍ରମ। ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କରଙ୍କ ଠାରୁ ଆରମ୍ଭ କରି ପ୍ରଶାନ୍ତ ନନ୍ଦଙ୍କ ପର୍ଯ୍ୟନ୍ତ ଓଲିଉଡର ଅନେକ ବଡ ନାଁ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ନିର୍ବାଚନ ରାଜନୀତିରେ। ହେଲେ ସଫଳତା ଥିଲା ଅଭିନେତାଙ୍କ ଅପହଞ୍ଚ ଦୂରତାରେ। ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆସିଲା। ନିର୍ବାଚନୀ ମଇଦାନରେ ସଫଳ ହେବାକୁ ଲାଗିଲେ ଜଣକ ପରେ ଜଣେ ଅଭିନେତା। ଏପରି ୪ ଜଣ ସଫଳ ନେତା-ଅଭିନେତାଙ୍କ ଉପରେ ଏ ଆଲେଖ୍ୟ।

image


ପ୍ରଶାନ୍ତ ନନ୍ଦ

କୁହାଯାଏ ସେ ହେଉଛନ୍ତି ଓଲିଉଡର ମୁଭି ମୋଗଲ। ଅଭିନୟ, ନିର୍ଦେଶନା, ଚିତ୍ରନାଟ୍ୟ, ସଂଳାପ ଓ ପ୍ରୋଯୋଜନା- ସିନେମାର ସବୁ ବିଭାଗରେ ସେ ପାଇଛନ୍ତି ଇର୍ଷଣୀୟ ସଫଳତା। ମାତ୍ର ନିଜ ଜୀବନର ପ୍ରଥମ ନିର୍ବାଚନରେ ସେ ହାରି ଯାଇଥିଲେ। ୨୦୦୪ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ସେ ପ୍ରଥମ ଥର ପାଇଁ ଆସିଲେ ଓଡିଶା ବିଧାନ ସଭା। ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ଥିଲା ବିବାଦୀୟ। ଏହାପରେ ୨୦୧୪ ମସିହାରେ ବିଜୁ ଜନତା ଦଳ ଟିକେଟରେ ପୁଣି ଥରେ ସେ ନିର୍ବାଚିତ ହେଲେ ବିଧାନ ସଭାକୁ। ଏବେ ପ୍ରଶାନ୍ତ ରାଜ୍ୟ ରାଜନୀତିରେ ସକ୍ରିୟ। TeachAIDS ପ୍ରୟାସ ମାଧ୍ୟମରେ ୨୦୧୩ ମସିହାରେ ଏଚଆଇଭି ନିରାକରଣ ଦିଗରେ ସେ କରିଥିବା ପ୍ରଚେଷ୍ଟା ପାଇଁ ବିଭିନ୍ନ ମହଲରୁ ସେ ପାଇଛନ୍ତି ଅନେକ ପ୍ରଶଂସା।

image


ସିଦ୍ଧାନ୍ତ ମହାପାତ୍ର

ଜଣେ ସଫଳ ଡାକ୍ତର ଦମ୍ପତିଙ୍କ ପୁଅ ଓ ଦେଶର ଏକ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ କଲେଜରୁ ଡିଗ୍ରୀ ପ୍ରାପ୍ତ ସିଦ୍ଧାନ୍ତଙ୍କ ପାଇଁ ଉଭୟ ଓଲିଉଡ ଓ ରାଜନୀତିରେ ପ୍ରବେଶ ଥିଲା ଆକସ୍ମିକ। ‘ଶ୍ରଦ୍ଧାଞ୍ଜଳି’ ଚଳଚିତ୍ରରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ସିଦ୍ଧାନ୍ତ ଏଯାବତ ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଓ ବିପୁଳ ଦର୍ଶକୀୟ ସଫଳତା ସାଉଣ୍ଟିଛନ୍ତି। ୨୦୦୯ ମସିହା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଯେତେବେଳେ ତାଙ୍କୁ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁଙ୍କ ବିରୋଧରେ ପ୍ରାର୍ଥୀ ଭାବେ ଘୋଷଣା କଲା, ରାଜନୈତିକ ମହଲରେ ସୃଷ୍ଟି ହେଇଥିଲା ମୃଦୁ ଆଲୋଡନ। ସମସ୍ତ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ସେ ନିର୍ବାଚିତ ହେଲେ। ୨୦୧୪ ନିର୍ବାଚନରେ ମଧ୍ୟ ସିଦ୍ଧାନ୍ତ ନିଜ ସଫଳତା ଦୋହରାଇ ଥିଲେ।

image


ଅନୁଭବ ମହାନ୍ତି

୧୯୮୧ ମସିହାରେ ଜନ୍ମିତ ଅନୁଭବ ଓଡିଆ ଆଲବମ ବାଟ ଦେଇ ପହଞ୍ଚନ୍ତି ଓଲିଉଡରେ। ପ୍ରଥମ ଚଳଚିତ୍ର ‘ଆଇ ଲଭ ୟୁ’ ହୁଏ ସୁପରହିଟ ଆଉ ଧୀରେ ଧୀରେ ଅନୁଭବ ପାଲଟି ଯାନ୍ତି ଓଲିଉଡର ନୂଆ ସୁପରଷ୍ଟାର। ୨୦୧୩ ମସିହାରେ ଅନୁଭବ ବିଜୁ ଜନତା ଦଳରେ ଯୋଗ ଦିଅନ୍ତି ଓ ଦଳ ପାଇଁ କ୍ରାଉଡପୂଲର ସାବ୍ୟସ୍ତ ହୁଅନ୍ତି। ୨୦୧୪ ମସିହାରେ ଅନୁଭବ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୁଅନ୍ତି। ବର୍ତ୍ତମାନ ସେ ରାଜ୍ୟସଭାର ସର୍ବ କନିଷ୍ଠ ସାଂସଦ ମାନଙ୍କ ମଧ୍ୟରେ ଅନ୍ୟତମ।

image


ଆକାଶ ଦାଶ ନାୟକ

ଆକାଶଙ୍କ ଜନ୍ମ ରାଜନୈତିକ ପରିବାରରେ। ମାତ୍ର ୨୦୧୪ ନିର୍ବାଚନ ପୂର୍ବରୁ ସେ ଓଡିଶାରେ ପରିଚିତ ଥିଲେ ଜଣେ ସଫଳ ଅଭିନେତା ଭାବେ। ୨୦୧୪ ନିର୍ବାଚନରେ ସେ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି।

୨୦୧୪ ନିର୍ବାଚନ ଓଲିଉଡ ଅଭିନେତାଙ୍କ ପାଇଁ ମିଶ୍ରିତ ଫଳ ଆଣି ଦେଇଥିଲା। ଏହି ନିର୍ବାଚନ ପୂର୍ବରୁ ଅନେକ ଅଭିନେତା, ଅଭିନେତ୍ରୀ ଓ ଓଲିଉଡସହ ସମ୍ପର୍କିତ ଅନେକ ତାରକା ବିଭିନ୍ନ ରାଜନୈତିକ ଦଳରେ ସାମିଲ ହୋଇଥଲେ। ରାଜନୀତି ମଇଦାନରେ ନବାଗତମାନଙ୍କ ମଧ୍ୟରେ କେବଳ ଆକାଶ ସଫଳତା ପାଇଥିଲା ବେଳେ ଅପରାଜିତା ମହାନ୍ତି, ବିଜୟ ମହାନ୍ତି ଓ ପପୁ ପମପମଙ୍କ ପରି ସଫଳ କଳାକାରଙ୍କୁ ବିଫଳତାର ମୁହଁ ଦେଖିବାକୁ ପଡିଥିଲା।