ପରିବର୍ତ୍ତନ ହିଁ ମତେ ଆଗକୁ ନିଏ : ଅନୁ ବୈଦ୍ୟନାଥନ

0

ପ୍ରଥମ ଭାରତୀୟ ଭାବେ ଅନୁ ବୈଦ୍ୟନାଥନ୍ ହାଫ୍ ଆଇରନ ମ୍ୟାନ ବିଶ୍ଵ ଚାମ୍ପିଅନସିପକୁ ପ୍ରତିନିଧିତ୍ତ୍ଵ କରିଥିଲେ। ତାଙ୍କର ସଫଳତାର କାହାଣୀ ଜମାରୁ ଏତିକି ନୁହେଁ । ପ୍ରଥମ ଏସୀୟ ଭାବେ ସେ ହାସଲ କରିଥିଲେ ଏହି କୃତିତ୍ତ୍ଵ ଓ ଅଲଟ୍ରାମ୍ୟାନ୍ ପ୍ରତିଯୋଗୀତାରେ ହୋଇଥିଲେ ଉତ୍ତୀର୍ଣ୍ଣ । ଯାହା ଭିତରେ ତିନି ଦିନିଆ ଟ୍ରାଇଆଥଲନ୍ ଷ୍ଟେଜ୍ ରେସ୍ ଯେମିତିକି ୧୦ କିଲୋମିଟର ପହଁରିବା, ୪୨୦ କିଲୋମିଟର ବାଇକ୍ ଚଳାଇବା ଏବଂ ୮୪.୪ କିଲୋମିଟର ଚାଲିବା । ଜଣେ ମହିଳା କ୍ରୀଡ଼ାବିତ୍ ଭାବେ ସେ ଯେତିକି ପ୍ରସିଦ୍ଧ, ତାଙ୍କ ବ୍ୟକ୍ତିଗତ ଜୀବନ ବି ସେମିତି ଘଟଣାବହୁଳ । ଜଣେ ଉଦ୍ୟୋଗୀ ଭାବେ ତାଙ୍କ ପ୍ୟାଟ୍ ଏନ୍ ମାର୍କ ନାମକ ସଂସ୍ଥା ବି ରହିଛି।

ହର୍ ଷ୍ଟୋରୀ ପକ୍ଷରୁ ଏଇଠି ଆମେ ତାଙ୍କ କାହାଣୀ କହୁଛୁ...

ପିଲାବେଳର ଶିକ୍ଷା

ମୋ ଛୋଟ ବେଳର ସମୟ ଥିଲା ବେଶ ଶାନ୍ତ ଓ ଆନନ୍ଦମୟ । ସେଇ ସମୟର ବାଙ୍ଗାଲୋର ବୋଧହୁଏ ଥିଲା ସବୁଠାରୁ ଭଲ ଓ ନିରାପଦ ମଧ୍ୟ । ଚାରିଆଡେ଼ ଘେରି ରହିଥିଲା ପ୍ରକୃତି, ଗଛଲତା । ବଡ଼ ବଡ଼, ଡେଙ୍ଗା ମଲ୍ ନଥିଲା ବୋଲି କହିଲେ ଚଳିବ । ରାସ୍ତା ଗୁଡ଼ିକ ଥିଲା ନିରାପଦ । ରାସ୍ତାରେ ବାଇକ୍ ଚଳାଇବା ବେଳେ ନଥିଲା ଭୟ । ମତେ ପଚାରିଲେ ମୁଁ କହିବି- ବର୍ଷେରୁ ଦଶ ବର୍ଷ ପର୍ଯ୍ୟନ୍ତ ସମୟକୁ ମୁଁ ସବୁଠାରୁ ଅଧିକ ମାର୍କ ଦେବି ।

ତା’ଠାରୁ ଆଗରୁ ଖୁବ ଛୋଟ ସମୟ କଟିଥିଲା ତାମିଲନାଡ଼ୁର ଗାଁରେ । ମୋ ମାଁ ନିଜେ ଜଣେ ପ୍ରତିଭାଶାଳୀ ମହିଳା ଥିଲେ । ଜଣେ ବୟସ୍କା ମହିଳା ମୋ ଦେଖାଶୁଣା କରୁଥିଲେ । ତେଣୁ ପ୍ରକୃତି ସହ ମୋର ସଂପର୍କ ସବୁଦିନେ ନିବିଡ଼ ଆଉ ଅନ୍ତରଂଗ । ଗଲାକାଲି ସୃଷ୍ଟି ହୋଇଥିବା ସଂପର୍କ ପରି ଏହା ନୁହେଁ ।

ପିଲାବେଳର ଗୁଣ ଯାହା ଆଜି ପର୍ଯ୍ୟନ୍ତ ମତେ ଜାବୁଡ଼ି ଧରିଛି, ସେଇଟି ହେଲା- ବୁଲିବା ଏବଂ ସେଥିରୁ ମଜା ଉଠାଇବା ଓ ଅନେକ କିଛି ଶିଖିବା । ମତେ ପାଂଚ ବର୍ଷ ହେଲା ବେଳକୁ ଆମେ ଚାରି, ପାଂଚଟି ସହରରେ ରହି ସାରିଥିବୁ । ସେଇ ସମୟରେ ମୁଁ ଦେଖିଛି ଛୋଟ ଏକ ବ୍ୟବସାୟକୁ ନେଇ ମୋ ମା’, ଆଗକୁ ବଢିବା ପାଇଁ ତାଙ୍କର ଅଦମ୍ୟ ଉଦମ୍ୟ । ଏମିତି ବି ମୁଁ କହିପାରେ, ସେ ପୀଢି ଆମକୁ ନମନୀୟ ହେବାକୁ ଶିକ୍ଷା ଦେଇଥିଲା । ସେ ପୀଢି ଆମ ପରି ଜମରୁ ନ ଥିଲା। ଆଜିକାଲି ଆମ ପାଖରେ ଅନେକ ସୁଯୋଗ ଓ ବାଛିବାର ଅଧିକାର ଅଛି।ଆମେ ହୁଏତ ଘରେ ନ ରାନ୍ଧିବା ପାଇଁ ଠିକ କରିପାରୁ, ଆମ ସ୍ୱାମୀ ଆମେ ଆମକୁ ବେଶ ଭାବେ ବୁଝୁଛନ୍ତି ଏବଂ ଶାଶୁ ଘରର ସମସ୍ତେ ବେଶ ସହନଶୀଳ ମଧ୍ୟ । ଅବଶ୍ୟ ଏହା ସମସ୍ତ କ୍ଷେତ୍ରରେ ପ୍ରଯୁଜ୍ୟ ନ ହୋଇପାରେ।

ବୁଲିବା ଏବଂ ଲୋକଙ୍କୁ ଭେଟିବା ମଧ୍ୟରେ ମୁଁ ଶିଖିଛି ଅନେକ କିଛି । ଭଲ ଗୁଣକୁ ଆଦରି ନେଇଛି । ଲୋକଙ୍କ କାହାଣୀ ଶୁଣିଛି । ସେଇ ଅନୁସାରେ ନିଜକୁ ସଜାଡ଼ିଛି ମଧ୍ୟ ।

ଖେଳ ଏବଂ ଉଦ୍ୟମଶୀଳ ମାନସିକତା

ମୁଁ ମୋ କଂପାନୀକୁ ସବୁଠାରୁ ଭଲ ଢଙ୍ଗରେ ଚଳାଇବାକୁ ପସନ୍ଦ କରେ ଏବଂ ଗ୍ରାହକମାନଙ୍କ ପାଇଁ ସୃଷ୍ଟି କରେ ସବୁଠାରୁ ଭଲ ସୁଯୋଗ । ଆମେ ଗୋଟେ ନିହାତି ଛୋଟ ଟିମ୍ । କୋଟଇ କୋଟି ଟଙ୍କାର ବେପାର କରିବା କେବେ ଆମର ଲକ୍ଷ୍ୟ ନଥିଲା କି ନାହିଁ ମଧ୍ୟ । ଦ୍ୱିତୀୟ ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଦିଗଟି ମୋ ଜୀବନର ହେଲା କ୍ରୀଡ଼ା । ଯାହା ମତେ ଆଣି ଦେଇଛି ପରିଚୟ । ଯେତେବେଳେ ତିନି ବର୍ଷ ତଳେ ମୁଁ ଶିକ୍ଷା ଦେବା ଆରମ୍ଭ କରିଥିଲି, ତାହା ଥିଲା ମୋ ପାଇଁ ବେଶ ନୂଆ ଅଭିଜ୍ଞତା । ଛୋଟ ପିଲାମାନେ କଣ ଚାହାଁନ୍ତି, ତାହା ବୁଝିବାକୁ ସମୟ ଲାଗିଥିଲା । ତେବେ କ୍ରୀଡ଼ା ହେଉ, ବା ଶିକ୍ଷାଦାନ ହେଉ କିମ୍ବା ଉଦ୍ୟୋଗ, ସବୁକିଛି ସମୟ ସାଙ୍ଗରେ ବଦଳେ । ତାଆରି ସାଙ୍ଗରେ ନିଜକୁ ବଦଳାଇ ନଇ ଭଲ କଥା ଗହଣ କଲେ ସଫଳତା ନିଶ୍ଚିତ ।

ସ୍କୁଲରେ ମୁଁ ପଢିଲା ବେଳେ ଜଣେ ପିଇଟି ଥିଲେ । ଆମକୁ ନିୟମିତ ଭାବେ ମାର୍ଚପାଷ୍ଟ କରାଉ ଥିଲେ । ହେଲେ ମୁଁ ଥିଲି ବାଇକିଂର ସଉକିଆ । ଜଣେ ମହିଳା ଭାବେ କ୍ରୀଡ଼ାବିତ୍ ହେବାନିହାତି କଷ୍ଟକର । ତେବେ ଏ କଥା ମୁଁ ଜମାରୁ କହିବାକୁ ଚାହୁଁନି - ମହିଳାମାନେ ବେଶ ସଶକ୍ତ ହୋଇଛନ୍ତି । ନିତିଦିନିଆ ଜୀବନରେ ହଜାରେ ସମସ୍ୟା ରହିଛି । ଗୋଟେ କର୍ମଠ ଦେଶ ଭାବେ ବି ଆମେ ପରିଚିତି ପାଇଛୁ । ହେଲେ ଯଦି ଜୀବନ ଓ ସ୍ୱାସ୍ଥ୍ୟର ଯତ୍ନ କଥା କହିବା, ତେବେ ଆମେ ଏତେଟା ଆଗୁଆ ନୁହେଁ ।

କ୍ରୀଡ଼ା ମତେ ଜୀଇଁବା ଶିଖାଇଛି । ଶିଖାଇଛି ନୂଆ ନୂଆ ଅନେକ ଅନୁଭୂତି । ପ୍ରତିଦିନ ସେଥିରେ ହଜାରେ ପ୍ରକାର ଅନୁଭୂତି ଯୋଡ଼ି ହୋଇ ଯାଇଛି । ଯେପର୍ଯ୍ୟନ୍ତ ମୁଁ ପାରୁଥିବି, ଏଥିରୁ ଓହରିବାର ପ୍ରଶ୍ନ ଉଠୁନି ।

ଜୀବନର ଶୀର୍ଷ ସଫଳତା

ଜୀବନର ପାର୍ଟନରଙ୍କୁ ଭେଟିବା ସବୁଠାରୁ ସ୍ମରଣୀୟ ଘଟଣା । ଆଗକୁ ଯିବା ପାଇଁ ପ୍ରୋତ୍ସାହନ ଦେଉଥିବା ସମସ୍ତ ଗୁଣ ତାଙ୍କ ଭିତରେ ରହିଛି । ସ୍ୱାମୀମାନେ ହିଁ ସେମିତି ହେବା ଦରକାର । ନିଜ ଜୀବନର ମଣିଷ ରାସ୍ତାରେ ନ ଆସି, ତା’ ପାଇଁ ବାଟ କାଢିବା ଦରକାର । ଆଉ ଏକ ସଫଳତା ହେଉଛି, ଯେତେବେଳେ ମୋ ପାଖକୁ ଆସୁଥିବା କୌଣସି ଉପଭୋକ୍ତା ଚେନାଏ ହସ ନେଇ ଫେରନ୍ତି ।

ଏହାଛଡ଼ା ମୋ ବାପା, ମା’ଙ୍କୁ ଅବସର ସମୟରେ ନିଜ ପସନ୍ଦିଆ ଜିନିଷ କରିବାର ଦେଖିବାରେ ବି ରହିଛି ଆନନ୍ଦ। ଯେମିତି- ମୋ ମା’ଙ୍କ ସହ ମୁଁ ବଗିଚା କାମ କରେ । ପ୍ରକୃତି ସହ ଯୋଡ଼ି ହୁଏ । ବାପାଙ୍କ ସାଙ୍ଗରେ ଲମ୍ବା ରାସ୍ତା ଚାଲିବା ପାଇଁ ଯାଏ । ଏଇ ଛୋଟ ଛୋଟ ଜିନିଷର ସମଷ୍ଟି ହିଁ ବଡ଼ ସଫଳତା ।

ସମୟ ପରିଚାଳନା

ଏକାଥରେ କେବେ ସବୁକିଛି ହାତକୁ ଆସେନି । କିମ୍ବା ସବୁକିଛି ସମ୍ଭବ ବି ନୁହେଁ । ଯେତେବେଳେ କୌଣସି ପ୍ରତିଯୋଗୀତା ପାଇଁ ମୁଁ ପ୍ରସ୍ତୁତି କରେ, ଛଅ ମାସ ଆଗରୁ ମୋ ଲକ୍ଷ୍ୟ ସଂପର୍କରେ ସଚେତନ ରହେ । ସେଇ ସମୟରେ କାହାକୁ ଭେଟେନି । ବାକି ଛଅ ମାସ ମୋର କ୍ଲାଏଂଟଙ୍କ ସହ ଦୃଢ ସଂପର୍କ ରଖେ । ସେମାନଙ୍କ କଥା ବୁଝେ । ଜୀବନରେ ଉଠାପକା ଅଛି । କିଛି ବି ନିର୍ଦ୍ଧିଷ୍ଟ ନୁହେଁ । ଏମିତି କିଛି ଯାଦୁଗରୀ ବି ନାହିଁ, ଯାହା ଆପଣଙ୍କ ଜୀବନକୁ ଅଚାନକ ବଦଳାଇ ଦେଇପାରେ । ଗୋଟେ ଚାକିରୀକୁ ସାଙ୍ଗରେ ଧରି ଖୁବ ଉପରକୁ ଉଠିବା, କମ ଲୋକଙ୍କ ଭାଗ୍ୟରେ ଜୁଟେ । ଜଣେ ମହିଳା ଭାବେ ଯାଆ ଆଗ ଦରକାର, ତାହାକୁ ମୁଁ ପ୍ରାଧାନ୍ୟ ଦିଏ । ଶୃଙ୍ଖଳା ହିଁ ମତେ ଉପରକୁ ନେଇଛି । କେବଳ କ୍ରୀଡ଼ା କିମ୍ବା ଉଦ୍ୟୋଗ ନୁହେଁ । ଉଭୟଙ୍କ ମଧ୍ୟରେ ବାଲାନ୍ସ ରହିବା ନିହାତି ଦରକାର ।

ଶୃଙ୍ଖଳାରେ ଜୀଇଁବା

ଶୃଙ୍ଖଳା ଏକ ଲମ୍ବା ଅଭ୍ୟାସ । ଏହା ଏକା ଦିନେ ସମ୍ଭବ ନୁହେଁ । ଯଦି ଆପଣ ବଗିଚା କାମ କରୁଛନ୍ତି, ନିୟମିତ ଭାବେ ଗଛକୁ ପାଣି ଦେବାକୁ ପଡ଼ିବ । ନ ହେଲେ ଗଛଟି ମରିଯିବ । ତାହା ହିଁ ଶୃଙ୍ଖଳା ।

ଜୀବନରେ ଶୃଙ୍ଖଳା ଖୁବ କମ ବୟସରୁ ଆସିଯିବା ଉଚିତ୍ । ଜଣକୁ ସମ୍ମାନ ଜଣାଇବା ପରି ଏହା ସହଜ । ମୋ ବାପା, ମା ବେଶ ଶୃଙ୍ଖଳିତ । ସେମାନଙ୍କ ସହିତ ରହିବା ମତେ ଅନେକ କିଛି ଶିଖାଇଛି । ସେମାନେ କୌଣସି ଜିନିଷ ଲଦି ଦିଅନ୍ତି ନାହିଁ । ବରଂ- ଏଇ କାମଟି କରିବା ଦରକାର ଆଉ ତୁ କରି ଦେଲେ ଆମକୁ ଭଲ ଲାଗିବ ବୋଲି କୁହନ୍ତି । କୌଣସି ଚାପ ନ ଥାଏ, ସେମାନଙ୍କ ତରଫରୁ ।

ଉପଦେଶ

ମୁଁ କହିବି ଜୀବନରେ ବାସ୍ତବବାଦୀ ହୁଅ । ୧୦୦ କୋଟି ଟଙ୍କାର ବ୍ଲକବଷ୍ଟର ବିଜିନେସ୍ ମୋ ଲକ୍ଷ୍ୟ ନୁହେଁ । ବହୁ ଲୋକ ଛୋଟ ଛୋଟ ବିଜିନେସ୍ କରୁଛନ୍ତି । ୨୦ ବର୍ଷ ହେଲା ସେଥିରେ ସେମାନେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ସେମାନଙ୍କ ପାଖକୁ ଗଲେ, ସେମାନେ ଆପଣଙ୍କୁ ଆଗ ଗ୍ଲାସେ ପାଣି ଦେବେ । ତାହା ହିଁ ମାନବିକତା । ଜୀବନ ସୋସିଆଲ୍ ମିଡ଼ିଆରେ ବି ଚାଲେନି । ଜୀବନ ଆଦର୍ଶ ଓ ଶୃଙ୍ଖଳାକୁ ନେଇ ତିଆରି ହେବା ଦରକାର ।