ବାଲେଶ୍ଵର : ପ୍ରେରଣା ସାଜିଛନ୍ତି ପଙ୍କଜିନୀ

ଗାଁରେ କାହାର ଦେହ ଖରାପ ହେଲେ, ସମସ୍ତେ ପଙ୍କଜିନୀଙ୍କ ସହାୟତା ଲୋଡନ୍ତି । ସେ ମଧ୍ୟ କାହାରିକୁ ନିରାଶ କରନ୍ତି ନାହିଁ । ଗାଁ ଲୋକଙ୍କ କହିବା ଅନୁଯାୟୀ, ସେ ସେମାନଙ୍କ ପାଇଁ ଜଣେ ଦେବୀ ସଦୃଶ ।

0

ଗାଁରେ କାହାର ଦେହ ଖରାପ ହେଲେ, ସମସ୍ତେ ପଙ୍କଜିନୀଙ୍କ ସହାୟତା ଲୋଡନ୍ତି । ସେ ମଧ୍ୟ କାହାରିକୁ ନିରାଶ କରନ୍ତି ନାହିଁ । ଗାଁ ଲୋକଙ୍କ କହିବା ଅନୁଯାୟୀ, ସେ ସେମାନଙ୍କ ପାଇଁ ଜଣେ ଦେବୀ ସଦୃଶ ।

ଦେଖିବାକୁ ପତଳି ଓ ଡେଙ୍ଗୀ । ଆଚରଣରେ ଅତି ଶାନ୍ତ ୪୦ ବର୍ଷୀୟ ପଙ୍କଜିନୀ ବେହେରା । ବାଲେଶ୍ୱର ଜିଲ୍ଲାର ଭଞ୍ଜଚୁରା ଗାଁର ସେ ଆଶାକର୍ମୀ । କିନ୍ତୁ ସେ ସ୍ୱତନ୍ତ୍ର । ସେବାକୁ ବ୍ରତ କରିଥିବା ଏହି ଆଶାକର୍ମୀ ଜଣଙ୍କ, ଏହି ଗାଁମର ଅନେକ ଜୀବନ ବଞ୍ଚାଇବା ସହ ଅନେକ ଗର୍ଭବତୀଙ୍କୁ ମାତୃତ୍ୱର ସୁଖ ପାଇବାରେ ସାହାଯ୍ୟ କରି ପାରିଛନ୍ତି । ଗାଁରେ କାହାର ଦେହ ଖରାପ ହେଲେ, ସମସ୍ତେ ପଙ୍କଜିନୀଙ୍କ ସହାୟତା ଲୋଡନ୍ତି । ସେ ମଧ୍ୟ କାହାରିକୁ ନିରାଶ କରନ୍ତି ନାହିଁ । ଗାଁ ଲୋକଙ୍କ କହିବା ଅନୁଯାୟୀ, ସେ ସେମାନଙ୍କ ପାଇଁ ଜଣେ ଦେବୀ ସଦୃଶ ।

ଗାଁର ଜଣେ ମହିଳା ଟିକି ଡୋନଫଟ । ଗର୍ଭବତୀ ଥିବା ସମୟରେ ସେ ଅଚାନକ ଯନ୍ତ୍ରଣା ଅନୁଭବ କରିବା ସହିତ ତାଙ୍କର ମାତ୍ରାଧିକ ରକ୍ତସ୍ରାବ ହେଲା । ସମୟ ରାତି ଅଧ , ପଙ୍କଜିନୀଙ୍କୁ ଡକାଗଲା । ସେ ଖବର ପାଇ ଧାଇଁ ଆସିଲେ ଏବଂ ‘ଜନନୀ ବାହିନୀ’ ସହ ଯୋଗାଯୋଗ କଲେ । ଏହି ସରକାରୀ ଆମ୍ବୁଲାନ୍ସ ସଙ୍ଗେ ସଙ୍ଗେ ଟିକିଙ୍କୁ ୧୦ କିଲୋମିଟର ଦୂରରେ ଥିବା ଡାକ୍ତରଖାନାକୁ ନେଇଗଲା । ଠିକଣା ସମୟରେ ସେଠାରେ ପହଞ୍ଚିବାରୁ ଟିକି ଓ ତାଙ୍କ ଶିଶୁର ଜୀବନ ବଞ୍ଚିଲା । 

ସରକାରଙ୍କ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ପଙ୍କଜିନୀ ଜଣେ ଆଶାକର୍ମୀ । ସରକାରୀ ଭାବେ ତାଙ୍କର କାର୍ଯ୍ୟ ହେଉଛି, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ଯୋଗାଇବା, ଟୀକାକରଣ କରାଇବା, ଏଏନ୍ଏମ୍ କର୍ମୀଙ୍କ ସହ ମିଶି ଗାଁର ଗର୍ଭବତୀ ମହିଳାମାନଙ୍କର ସୁଚାରୁ ରୂପେ ପ୍ରସବ କରାଇବା । ଏବଂ ପରେ ମା’ ଓ ଛୁଆ କିଭଳି ସୁ୍ସ୍ଥ ରହିବେ ସେ ବିଷୟରେ ଧ୍ୟାନ ଦେବା । କିନ୍ତୁ ପଙ୍କଜିନୀଙ୍କ କାର୍ଯ୍ୟ ଏତିକିରେ ସିମୀତ ନାହିଁ । ଗାଁକୁ ପରିବାର ଭଳି ଭାବି ସେ ଲୋକମାନଙ୍କ ସେବାକୁ ବ୍ରତ କରି ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, “ଏହି ଗାଁ ଲୋକମାନେ ସ୍ୱାସ୍ଥ୍ୟ ଜନିକ କୌଣସି ସମସ୍ୟା ପାଇଁ ମୋତେ ଭରସା କରନ୍ତି । ସେ ମୁଣ୍ଡ ବିନ୍ଧା ହେଉ କି ସାଧାରଣ ଜ୍ୱର କିମ୍ବା ପେଟକାମୁଡା, ସବୁପାଇଁ ମୋତେ ଡକାଯାଏ । ଥରେ ଗାଁର ଜଣେ ବୃଦ୍ଧ ବ୍ୟକ୍ତି ମୋତେ ଫୋନ୍ କରି କହିଲେ, ତାଙ୍କର ସବୁବେଳେ ମୁଣ୍ଡବ୍ୟଥା ହେଉଛି । ଏହା ଅନେକ ଦିନ ଧରି ରହିଲାଣି । ମୁଁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଗଲି । ସେଠି ଜଣା ପଡିଲା, ସେ ବ୍ୟକ୍ତିଙ୍କ ମୁଣ୍ଡରେ ଟ୍ୟୁମର୍ ରହିଛି । ଭଗବାନଙ୍କ କୃପାରୁ ଠିକ୍ ସମୟରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି ।” ପଙ୍କଜିନୀ ସବୁବେଳେ ନିଜ କାମକୁ ଗମ୍ଭୀରତାର ସହିତ ନେଇଥାଆନ୍ତି । ପାଖରେ ସବୁବେଳେ ଆବଶ୍ୟକୀୟ ସାଧାରଣ ଔଷଧ, ଫାଷ୍ଟେଡ୍ ବକ୍ସ, କ୍ଲୋରୋକୁଇନ୍ ବଟିକା, ଡିସ୍ପୋଜେବଲ୍ ଡେଲିଭରି କିଟ୍, କଣ୍ଡୋମ୍ସ ଆଦି ରଖିଥାନ୍ତି । ସବୁବେଳେ ଗାଁରେ ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ରଖନ୍ତି ।

ପଙ୍କଜିନୀ କାମ କରୁଥିବା ଗାଁ ଉପକୂଳ ଓଡିଶାର ଏକ ମଫସଲ ଗାଁ । ସେଠାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏକ କଠିନ କାମ । ତେବେ ଏହି ଗାଁଟି ବନ୍ୟା ପâପୀଡିତ ଅଞ୍ଚଳ । ବନ୍ୟା ହେଲା ଗାଁର ଅବସ୍ଥା ସଙ୍କଟାପନ୍ନ ହୋଇଯାଏ । ୨୦୧୨ ଅକ୍ଟୋବର ମାସରେ ଏଭଳି ସ୍ଥିତି ହୋଇଥିଲା । କିନ୍ତୁ ପଙ୍କଜିନୀ ହାର୍ ମାନି ନଥିଲେ । ସେତେବେଳେ ଓଡିଶାରେ ଆସିଥିବା ଭୟଙ୍କର ବନ୍ୟାରେ ପ୍ରାୟ ୨୬୦୦ ଗାଁ ବୁଡି ରହିଥିଲା । ଲକ୍ଷ ଲକ୍ଷ ଲୋକ ପାଣି ଘେରରେ ରହିଥିଲା । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିଲା । ସେତେବେଳେ ଭଞ୍ଜଚୁରାର ଅବସ୍ଥା ମଧ୍ୟ ସାଙ୍ଘାତିକ ହୋଇଯାଇଥିଲା । ପଙ୍କଜୀନିଙ୍କ ଭାଷାରେ, “ସେତେବେଳେ ମୁଁ କାମରେ ବାହାରକୁ ଯାଇ ଫେରିଥାଏ । ବସରୁ ପାଦ କାଢ଼ିବା ପରେ ହିଁ ମୋତେ ଏକ ଫୋନ୍ କଲ୍ ଆସିଲା । କେହି ଜଣେ ଫୋନ୍ କରି କହିଲେ, ଦିଦି ଗାଁର ୧୩ ଜଣେ ଶିଶୁ ଅଚାନକ ବିମାର ପଡିଛନ୍ତି । କେହି କିଛି ଜାଣି ପାରୁ ନାହାନ୍ତି କ’ଣ କରିବାକୁ ହେବ । ମୁଁ ଦୌଡିଗଲି । ଦେଖିଲି, ଏହା ଏକ ମାହାମାରୀର ପୂର୍ବାଭାଷା । ପିଲାମାନଙ୍କୁ ଓଆରଏସ ପାଣି ଲଗାତାର ପିଆଇବାକୁ ପରାମର୍ଶ ଦେଇ ନିକଟସ୍ଥ ରେମୁଣା କମ୍ୟୁନିଟି ହେଲଥ ସେଣ୍ଟରକୁ ଫୋନ୍ କଲି । ସେମାନେ କହିଲେ ବେଡ୍ ନାହିଁ । ପରେ ଜିଲ୍ଲା ଚିକିତ୍ସାଳୟକୁ ଫୋନ୍ କରି ସେଠାକୁ ନେବା ପାଇଁ ସ୍ଥିର କଲି । କିନ୍ତୁ ସମସ୍ୟା ଏଇଠି ସରିଲା ନାହିଁ । ଅଚାନକ ଗାଁର ଅଧିକାଂଶ ଲୋକ ରୋଗଗ୍ରସ୍ତ ହେବାକୁ ଲାଗିଲେ । କ’ଣ କରିବି ବୁଦ୍ଧିବାଟ ଦିଶିଲା ନାହିଁ । ସାହାଯ୍ୟ ପାଇଁ ମଧ୍ୟ କେହି ନଥିଲେ । ଗାଁ ଲୋକେ ମୋତେ ଆଶ୍ରା କରି ବସିଥିଲେ । ମୋର ମନେ ଅଛି ଏକାସହ ୫୦ ଜଣ ଗାଁ ଲୋକଙ୍କ ଓ ତା’ଠୁ ଅଧିକ ଶିଶୁଙ୍କ ମୁଁ ଜିଲ୍ଲା ଡାକ୍ତରଖାନା ନେଇ ଯାଇଥିଲି । ତିନି ଦିନ ପର୍ଯ୍ୟନ୍ତ ଶୋଇ ପାରି ନଥିଲି ।”

ପଙ୍କଜିନୀଙ୍କୁ ତାଙ୍କର ସେବା ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ପଙ୍କଜିନୀଙ୍କ ମତରେ, “ସମ୍ମାନ ମିଳିବା ଆଶାରେ ମୁଁ କିଛି କାମ କେବେ ବି କରି ନାହିଁ । ସମ୍ମାନ ନମିଳିଲେ ମଧ୍ୟ ମୋର କର୍ତ୍ତବ୍ୟ ମୁଁ କରିବି । ସେ ସମୟରେ ମୋର ବ୍ୟକ୍ତିଗତ ୧୦୦୦ଟଙ୍କା ଖର୍ଚ୍ଚ ହୋଇଥିଲା । ମୋ ଭଳି ଜଣେ ମହିଳା ପାଇଁ ଏହାର ମୂଲ୍ୟ ଯଥେଷ୍ଟ ଅଧିକ । କିନ୍ତୁ ମୁଁ ସେ ବିଷୟରେ କେବେ କିଛି ଚିନ୍ତା କରି ନାହିଁ ।” ଆଶାକର୍ମୀଙ୍କ ପ୍ରଦର୍ଶନ ମୁତାବକ ସେମାନଙ୍କୁ କିଛି ଟଙ୍କା ପ୍ରଦାନ କରାଯାଇଥାଏ । ଯେପରି ଗାଁର ଜଣେ ମହିଳାଙ୍କ ସୁସ୍ଥ ପ୍ରସବ କରାଇଲେ ତାଙ୍କୁ ୩୫୦ ଟଙ୍କା ଲେଖାଏଁ ମିଳିଥାଏ । ତେଣୁ ଏହି ଟଙ୍କା କେବେ ହେଲେ ଜଣଙ୍କ ମନରେ ସେବାର ମନୋବୃତ୍ତି ଜାଗ୍ରତ କରି ପାରିବ ନାହିଁ । ସେଥିପାଇଁ ଆନ୍ତରିକତା, ସଦିଚ୍ଛା ଓ ଧୈର୍ଯ୍ୟ ରହିବା ଆବଶ୍ୟକ, ଯାହା ପଙ୍କଜିନୀ କରି ଦେଖାଇ ପାରିଛନ୍ତି । ନିଜ କର୍ତ୍ତବ୍ୟଠାରୁ ସେ ବହୁତ କିଛି ଅଧିକ କରି ପାରିଛନ୍ତି । ଭଞ୍ଜଚୁରା ଲୋକମାନଙ୍କ ପାଇଁ ଦେବୀ ସାଜିବା ସହ ଅନ୍ୟ ଆଶାକର୍ମୀଙ୍କ ପାଇଁ ପ୍ରେରଣାର ଉତ୍ସ । ତେବେ ତାଙ୍କ ହିସାବରେ ଦେଶରେ ସ୍ୱାସ୍ଥ୍ୟସେବା ବହୁଳ ଉନ୍ନତିର ଆବଶ୍ୟକତା ରହିଛି । ଉନ୍ନତ ଭିତ୍ତିଭୂମିର ମଧ୍ୟ ଆବଶ୍ୟକତା ଅଛି । ଖାସ୍ କରି ଓଡିଶା ଭଳି ରାଜ୍ୟରେ. ଯେଉଁଠି ମାତୃ ମୃତ୍ୟୁହାର ୨୫୮ ରହିଛି(ପ୍ରତି ୧୦୦୦ ଜଣରେ) ଯାହାକି ଜାତୀୟ ମାତୃହାର(୨୧୨)ଠୁ ଆଗରେ ।