ଗୃହିଣୀରୁ ଉଦ୍ୟୋଗୀ: ଭୁବନେଶ୍ୱରର କେକ କୁଇନ ଶ୍ରୁତି

ଗୃହିଣୀରୁ ଉଦ୍ୟୋଗୀ: ଭୁବନେଶ୍ୱରର କେକ କୁଇନ
 ଶ୍ରୁତି

Sunday May 08, 2016,

3 min Read

ଅନ୍ୟ ସବୁ ମହିଳାଙ୍କ ଭଳି ତାଙ୍କର ମଧ୍ୟ ସ୍ୱାମୀ ପିଲାଛୁଆଙ୍କୁ ନେଇ ପରିବାର । ପ୍ରତିଦିନ ସେମାନଙ୍କ କଥା ବୁଝିବା ସହ ସେ ସାଧାରଣ ଭାବେ ଜୀବନଯାପନ କରୁଥିଲେ । ତାଙ୍କ ପାଖରେ କିନ୍ତୁ ଏଭଳି ଏକ କଳା କୌଶଳ ଥିଲା ଯାହା ଦିନେ ଏକ ବଡ଼ ଧରଣର ବ୍ୟବସାୟକୁ ଜନ୍ମ ଦେଇ ପାରିବ ତାହା ଏହି ମହିଳା ଜଣକ ସ୍ୱପ୍ନରେ ବି କେବେ ଭାବି ନ ଥିଲେ । କେକ୍ ତିଆରି କରିବାର ତାଙ୍କର ଯେଉଁ ସଉକ ଥିଲା ତାହାକୁ ନେଇ ସେ ଏବେ ଜଣେ ପ୍ରତିଷ୍ଠିତ ମହିଳା ଉଦ୍ୟୋଗୀରେ ପରିଣତ ହୋଇପାରିଛନ୍ତି । ତାଙ୍କ ନାମ ହେଉଛି ଶ୍ରୁତି ନରୁଲା । ଭୁବନେଶ୍ୱରରେ ରହୁଛନ୍ତି ସେ । ଶ୍ରୁତିଙ୍କ କାହାଣୀ ନିଶ୍ଚିତପକ୍ଷେ ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଥିବା ମହିଳାଙ୍କ ପାଇଁ ଏକ ବଡ଼ ଧରଣର ପ୍ରେରଣା ବୋଲି କୁହାଯାଇପାରିବ ।

image


ଶ୍ରୁତିଙ୍କ ବୟସ ହେଉଛି ୨୯ ବର୍ଷ । ସେ ଲୋକମାନଙ୍କ ପାଇଁ କେକ୍ ଓ କପ କେକ ସ୍ୱତନ୍ତ୍ର ଭାବେ ମାନେ କଷ୍ଟମାଇଜଡ ଭାବେ ପ୍ରସ୍ତୁତ କରୁଛନ୍ତି । ଗୃହିଣୀରୁ ଉଦ୍ୟୋଗୀରେ ପରିଣତ ହୋଇଥିବା ଶ୍ରୁତି ପ୍ରଥମେ ଘରେ କେକ୍ ଡିଜାଇନ୍ କରୁଥିଲେ । ତାହାକୁ ଦେଖିବା ପରେ ପରିବାର ଲୋକ ପ୍ରଭାବିତ ହେବା ସହ ବନ୍ଧୁ ପରିଜନ ମଧ୍ୟ ପ୍ରଭାବିତ ହୋଇଥିଲେ । ବନ୍ଧୁମାନେ ତାଙ୍କୁ କେକ୍ ତିଆରି କରିବା ପାଇଁ କହୁଥିଲେ । ଏବେ ସେ ନିଜର ଏକ ବେକରି ଘରୁ ଚଳାଉଛନ୍ତି । ପ୍ରତି ମାସରେ ୧୦୦ରୁ ଅଧିକ କେକ୍ ଡିଜାଇନ୍ କରି ପଠାଇବା ପାଇଁ ତାଙ୍କ ପାଖକୁ ବରାଦ ଆସୁଛି ।

ଗୃହିଣୀରୁ ଉଦ୍ୟୋଗୀ ହେବା ପର୍ଯ୍ୟନ୍ତର ଯାତ୍ରା ବିଷୟରେ ଶ୍ରୁତି କହିଛନ୍ତି ଯେ, 

ମୋ ଭଉଣୀ ସବୁ ବେଳେ ମୋତେ କେକ୍ ଡିଜାଇନ୍ ସଉକକୁ ନେଇ ବ୍ୟବସାୟ ଆରମ୍ଭ କରିବାକୁ କହୁଥିଲା । ମୋତେ ଆଗକୁ ବଢ଼ିବାରେ ତାହାର ସବୁଠୁ ବଡ଼ ହାତ ରହିଛି । ମୋର କୌଶଳର ପ୍ରଚାର କରିବା ପାଇଁ ପ୍ରଥମେ ଆମେ ସୋସିଆଲ୍ ମିଡିଆରେ ପ୍ରଚାର ଆରମ୍ଭ କଲୁ । ଏହା ପରେ ଧୀରେ ଧୀରେ ଆୟ ବଢ଼ି ଚାଲିଲା । ମୁଁ ଯାହା କରିବାକୁ ଭଲ ପାଏ ତାହା କରୁଛି । ତାହା ମୋର ବ୍ୟବସାୟର ମୂଳଦୁଆ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି ।

ଗତବର୍ଷ ଅଗଷ୍ଟରେ ଶ୍ରୁତି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏଥିରେ ତାଙ୍କୁ ନିଜର ସ୍ଵାମୀ ବହୁତ ସହାୟତା ପ୍ରଦାନ କରିଛନ୍ତି । ଶ୍ରୁତି Cupcakes-n-More ନାମକ ବେକେରି ପ୍ରତିଷ୍ଠା କରିଛନ୍ତି ।

image


ଶ୍ରୁତି ପ୍ରସ୍ତୁତ କରୁଥିବା କେକ୍ ର ବିଶେଷତ୍ୱ ହେଉଛି, ସେଥିରେ ସେ କେବେ ବି ପ୍ରିଜର୍ଭେଟିଭ୍ ଓ ଷ୍ଟାବିଲାଇଜର୍ ବ୍ୟବହାର କରିନାହାନ୍ତି । ଗ୍ରାହକଙ୍କ ମନକୁ ଛୁଇଁଯିବା ଭଳି କେକ୍ କୁ ସେ ଡିଜାଇନ୍ କରିଥାନ୍ତି । ତାଙ୍କ କେକ୍ ଗୁଡ଼ିକୁ ଦେଖିବାକୁ ବହୁତ ସୁନ୍ଦର ଲାଗେ । ସେ ଏକ ସ୍ୱତନ୍ତ୍ର ଥିମ୍ କୁ ବ୍ୟବହାର କରି କେକ୍ ଡିଜାଇନ୍ କରୁଛନ୍ତି । ପିଲାଙ୍କଠାରୁ ଆରମ୍ଭ କରି କିଶୋର, ବୟସ୍କ ଓ ବୃଦ୍ଧଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋଙ୍କ ପାଇଁ ଶ୍ରୁତି ଡିଜାଇନର୍ କେକ୍ ପ୍ରସ୍ତୁତ କରୁଛନ୍ତି । ସବୁ ବୟସ ବର୍ଗର ଲୋକଙ୍କ ପାଇଁ କେକ୍ ର ସ୍ଵାଦ ମଧ୍ୟ ଭିନ୍ନ ପ୍ରକାରରର ରହୁଛି ।

ଶ୍ରୁତି କହନ୍ତି ଯେ ମୁଁ ବିଭିନ୍ନ ପ୍ରକାର ବିଷୟବସ୍ତୁକୁ ନେଇ କେକ୍ ପ୍ରସ୍ତୁତ କରିଥାଏ । କାର୍ଟୁନ ଚରିତ୍ରଠାରୁ ଆରମ୍ଭ କରି ପ୍ରସିଦ୍ଧ ଫୁଟବଲ ଟିମ୍ ଆଦିକୁ ନେଇ ସେ କେକ୍ ଡିଜାଇନ୍ କରିଥାନ୍ତି । 

ମୋ ପାଖକୁ ଆସୁଥିବା କେକ୍ ବରାଦଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ ଧରଣର । ସମସ୍ତ ଗ୍ରାହକଙ୍କର ଆବଶ୍ୟକତା ସମ୍ପୂର୍ଣ୍ଣ ଅଲଗା ପ୍ରକାରର । ଜଣେ ଝିଅ ଥରେ ମୋତେ ଇଂରାଜି ଟିଭି ଧାରାବାହିକ ଫ୍ରେଣ୍ଡ୍ସ୍ ଉପରେ ଆଧାର କରି କେକ୍ ତିଆରି କରିବାକୁ ବରାଦ ଦେଇଥିଲେ । କାରଣ ସେ ସେହି ଧାରାବାହିକ ଦେଖିବାକୁ ବହୁତ ଭଲ ପାଆନ୍ତି । ସେହିପରି ଅନ୍ୟ ଜଣେ ଗ୍ରାହକ ନିଜ ବାପା ପାଇଁ ଏକ କେକ୍ ପ୍ରସ୍ତୁତ କରିବାକୁ ମୋତେ କହିଥିଲେ । ତାଙ୍କ ବାପା ସେନା ବାହିନୀରେ କାମ କରୁଛନ୍ତି ।

ଶ୍ରୁତି ପ୍ରସ୍ତୁତ କରୁ୍ଥିବା କେକ୍ ଗୁଡ଼ିକର ମୂଲ୍ୟ ୪୦୦ ଟଙ୍କାରୁ ୧୦୦୦ ଟଙ୍କା ମଧ୍ୟରେ ରହିଛି । ସେହିପରି କପ୍ କେକ୍ ଗୁଡ଼ିକର ମୂଲ୍ୟ ୬୦ ଟଙ୍କାରୁ ଆରମ୍ଭ ହୋଇଛି । ପ୍ରତି କେକ୍ ଉପରେ ତାଙ୍କର ୧୫% ଭଳି ଲାଭ ହୋଇଥାଏ । ଶ୍ରୁତି କହନ୍ତି ଯେ, ଯେହେତୁ କେକ୍ ପ୍ରସ୍ତୁୂତ କରିବା ମୋର ପସନ୍ଦ ତେଣୁ ମୁଁ କେବେ ଏହାକୁ ନେଇ ଅଧିକ ଲାଭ କରିବାକୁ ଚାହିଁ ନାହିଁ । କେବଳ ବ୍ୟବସାୟ ବଂଚାଇ ରଖିବାକୁ ଯେତିକି ଲାଭ ଦରକାର ତାହା ମୁଁ ନେଇଥାଏ । ନିଜର ଆର୍ଥିକ ସ୍ୱାଧୀନତା ପାଇଁ ସେ ଯେତିକି ଲାଭ କରୁଛନ୍ତି ତାହା ଯଥେଷ୍ଟ ବୋଲି ସେ କହିଛନ୍ତି ।