ଡାକ୍ତରଖାନାରେ ଭୋକିଲା ଲୋକଙ୍କୁ ଆହାର ଯୋଗାଉଥିବା ନିଆରା ମଣିଷର କାହାଣୀ

0

“ଭୋକ କାହାକୁ କୁହାଯାଏ, ସେକଥା ମୁଁ ବେଶ୍ ଭଲ ଭାବେ ଜାଣିଛି । ଅଙ୍ଗେ ନିଭେଇଛି । ସେଥିପାଇଁ ଭୋକିଲା ଲୋକଙ୍କୁ ଦେଖିଲେ ମୁଁ ସହି ପାରେ ନାହିଁ ।” ଏକଥା କୁହନ୍ତି ଗୁଜୁରାଟର ୫୮ ବର୍ଷୀୟ ହେମନ୍ତ ପଟେଲ୍ । ତାଙ୍କ ଝିଅ ଥରେ ଅସୁସ୍ଥ ହୋଇ ଅହମ୍ମଦାବାଦର ଭିଏସ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା । ଡାକ୍ତରଖାନାର ଖାଦ୍ୟ ସେ ଖାଇ ପାରୁ ନଥିବାରୁ ସେ ହେମନ୍ତଙ୍କୁ ବାହରୁ ତା’ ପାଇଁ କିଛି ଖାଦ୍ୟ ଆଣିବାକୁ କହିଥିଲା । ସେତେବେଳେ ହେମନ୍ତଙ୍କ ନିକଟରେ ୧୦ଟଙ୍କିଆ ନୋଟଟିଏ ମଧ୍ୟ ନଥିଲା । କିଛି ଦିନ ତଳେ ହେମନ୍ତ କାମ କରୁଥିବା ଟ୍ରାଭେଲ୍ କମ୍ପାନୀ ତାଙ୍କୁ ଚାକିରିରୁ କାଢ଼ି ଦେଇଥିଲା । ଏଣୁ ସେ ସମୟରେ ଖୁବ୍ କଷ୍ଟରେ ଦିନ କାଟୁଥିଲେ । ସେଦିନ ସେ ଝିଅର ଗୋଟେ ସାଧାରଣ ଇଚ୍ଛାକୁ ପୂରଣ କରି ପାରି ନଥିଲେ । ଲୁହ ଛଳଛଳ ଆଖିରେ ସେ ଆଖ ପାଖର ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଦେଖିଥିଲେ କିନ୍ତୁ ସେଠାରେ ସମସ୍ତଙ୍କ ଅବସ୍ଥା ପ୍ରାୟତଃ ସମାନ ଥିଲା । ସେଦିନ ହେମନ୍ତ ଅସହାୟ ହୋଇ ପଡିଥିଲେ । ଯାହା ହେଉ ପରେ କିନ୍ତୁ ସୌଭାଗ୍ୟକ୍ରମେ ତାଙ୍କ ଝିଅ ସୁସ୍ଥ ହୋଇ ଯାଇଥିଲେ ।

photo : The Better India
photo : The Better India

ଝିଅକୁ ଏକଦା ଖାଇବାକୁ ଦେଇ ପାରି ନଥିବା କଥା ହେମନ୍ତଙ୍କୁ ଖୁବ୍ ଧୀକ୍କାର କରିଥିଲା । ସେ ଏକ କ୍ୟାଟେରିଂ ସଂସ୍ଥା ଖୋଲି ଜୀବନରେ ଆଗକୁ ବଢ଼ିଲେ । କିନ୍ତୁ ୨୦୦୨ ମସିହାରେ ଗୁଜୁରାଟ ଦଙ୍ଗା ପୁଣି ଥରେ ତାଙ୍କ କ୍ଷତକୁ ତାଜା କରି ଦେଇଥିଲା । ଦଙ୍ଗା ସମୟରେ ସେ ଅହମ୍ମଦାବାଦର ରାସ୍ତା କଡରେ ଅନେକ ଅସହାୟ ଭୋକିଲା ଲୋକଙ୍କୁ ଦେଖିଥିଲେ । ଅନେକଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ହେମନ୍ତଙ୍କର ବନ୍ଧୁ ଥିଲେ । 

ହେମନ୍ତଙ୍କ କହିବା ଅନୁଯାୟୀ, “ଯେତେବେଳେ ମୁଁ ଡାକ୍ତରଖାନାରେ ପହଞ୍ଚିଲି, ଲୋକଙ୍କ ଅବସ୍ଥା ଦେଖି ହତବାକ୍ ହୋଇଗଲି । ଅନେକ ଲୋକ ଅର୍ଥ ଓ ଖାଦ୍ୟାଭାବ କାରଣରୁ ଅସହାୟ ହୋଇ ପଡିଥିଲେ । ସେକଥା ମୋତେ ମୋ ଝିଅ ସହ ହୋଇଥିବା ଘଟଣା କଥା ମନେ ପକାଇ ଦେଲା । ମୋ ହୃଦୟ କାନ୍ଦି ଉଠିଲା । ଏଣୁ ସେହି କ୍ଷଣି ମୁଁ ନିଷ୍ପତ୍ତି ନେଲି ଯେ ଡାକ୍ତରଖାନାରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ମୁଁ ଖାଦ୍ୟ ଯୋଗାଇବି ।”

ସେବେଠାରୁ ହେମନ୍ତ ପ୍ରତ୍ୟେକ ଦିନ ଭିସି ହସ୍ପିଟାଲ୍ ଯାଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି । ସେ ଯୋଗାଉଥିବା ଖାଦ୍ୟ ମଧ୍ୟରେ ଭାତ, ଡାଲି ଏବଂ ରୁଟି ରହିଥାଏ । ନିଜ ହାତରେ ରାନ୍ଧି ପ୍ରତ୍ୟେହ ପାଖାପାଖି ୨୫୦ରୁ ୩୦୦ ଲୋକଙ୍କୁ ସେ ଖାଇବାକୁ ଦେଇଥା’ନ୍ତି । ଆଉ ଯଦି କୌଣସି ପର୍ବପର୍ବାଣୀର ଦିନ ହୋଇଥାଏ, ତେବେ ଏହି ଖାଦ୍ୟ ସହ ଗୋଟିଏ ଲେଖାଏଁ ମିଠା ମଧ୍ୟ ପରସି ଦିଅନ୍ତି ।

ଡାକ୍ତରଖାନାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସବୁଦିନ ହେମନ୍ତଙ୍କ ଖାଦ୍ୟକୁ ଅପେକ୍ଷା କରି ରହିଥା’ନ୍ତି । ହେମନ୍ତ ଅପରାହ୍ନ ୪ଟା ବେଳୁ ରୋଷେଇ ଆରମ୍ଭ କରି ଦିଅନ୍ତି । ସନ୍ଧ୍ୟା ସୁଦ୍ଧା ସବୁ କିଛି ପ୍ରସ୍ତୁତ ହୋଇଯାଏ । ସାଢେ଼ ୬ଟା ୭ ବେଳକୁ ସେ ସେହି ଖାଦ୍ୟକୁ ଡାକ୍ତରଖାନା ନେଇ ରୋଗୀମାନଙ୍କୁ ଖାଇବାକୁ ଦିଅନ୍ତି । ହେମନ୍ତଙ୍କ ରନ୍ଧା ଖାଦ୍ୟର ମାନ ଏତେ ଭଲ ରହିଥାଏ ଯେ ତାହା ଲୋକଙ୍କୁ ମନଙ୍କୁ ବେଶ୍ ପାଏ । ଯଦି କୌଣସି ନୂଆ ରୋଗୀ ସେହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସନ୍ତି, ସେତେବେଳେ ନର୍ସମାନେ ସେମାନଙ୍କୁ ହେମନ୍ତଙ୍କ ଖାଦ୍ୟ କଥା କୁହନ୍ତି । ସମସ୍ତେ ବେଶ୍ ଖୁସି ହୁଅନ୍ତି ।

କିଛି ବର୍ଷ ପୂର୍ବେ ହେମନ୍ତ ଅହମ୍ମଦାବାଦରେ ଥିବା ବସ୍ତି ଗୁଡିକରେ ବୁଲି ବୁଲି ଖାଦ୍ୟ ବାଣ୍ଟିବା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଥର ବସ୍ତିକୁ ଗଲେ ସେ ପାଖାପାଖି ୧୫୦ ଜଣଙ୍କୁ ଖାଦ୍ୟ ଯୋଗାଇଥାଆନ୍ତି । ହେମନ୍ତ କୁହନ୍ତି, “ଏହି ଖାଦ୍ୟଗୁଡିକ ମନ ପସନ୍ଦର ବା ନାନା କିସମର ହୋଇ ନଥାଇ ପାରେ । କିନ୍ତୁ ଏହାର ମାନକୁ ଉଚ୍ଚ ରଖିବା ପାଇଁ ମୁଁ ସବୁବେଳେ ପ୍ରଯତ୍ନଶୀଳ ।”

ହେମନ୍ତ ନିଜ ଆୟରୁ ଯାହା କରି ପାରି ଥାଆନ୍ତେ, ସେ କରିଛନ୍ତି । ଆଜି ଯାଏଁ ତାଙ୍କୁ କେହି ଜଣେ ଏହି କାମରେ ସାହାଯ୍ୟ କରି ନାହାନ୍ତି । ଲୋକଙ୍କୁ ପ୍ରତ୍ୟେହ ଖାଦ୍ୟ ଯୋଗାଇବା ପାଇଁ ତାଙ୍କର ମାସିକ ପାଖାପାଖି ୬୦,୦୦୦ ଟଙ୍କା ଖର୍ଚ୍ଚ ହୁଏ । ଜଣେ ମଧ୍ୟବିତ୍ତ ଶ୍ରେଣୀୟ ଲୋକ ପାଇଁ ଏହା ବେଶ୍ କିଛି ଅର୍ଥ । କିନ୍ତୁ ତାଙ୍କୁ ଆର୍ଥିକ ସହାୟତ ଯୋଗାଇ ଦେବା ପାଇଁ କେହି ଜଣେ ବିତ୍ତଶାଳୀ ଲୋକ ଆଗଭର ହୋଇ ନାହାନ୍ତି । 

ଏବିଷୟରେ ହେମନ୍ତ କୁହନ୍ତି, “ମୁଁ ଦିନକୁ ଦିନ ବୁଢ଼ା ହେଉଛି । ଆଉ ଆଗ ଭଳି କାମ କରି ପାରୁ ନାହିଁ । ଭବାବାନ୍ ମୋତେ ଏତେ ବଡ କାମକୁ ପ୍ରତ୍ୟେକ ଦିନ କରି ପାରିବାର ଶକ୍ତି ଦେଇଥିଲେ । କିନ୍ତୁ ତାହା ଧୀରେ ଧୀରେ କମିବାକୁ ଲାଗୁଛି । ଏହା ପାଇଁ ଆର୍ଥିକ ସହଯୋଗ ବି ଦରକାର । ଏମିତି ବି କିଛି ସ୍ୱେଚ୍ଛାସେବୀ ଦରକାର, ଯେଉଁମାନେ ମୋତେ ରୋଷେଇରେ ସାହାଯ୍ୟ କରି ପାରିବେ ।”

ହେମନ୍ତଙ୍କର ଏହି କାମ ପାଇଁ ତାଙ୍କୁ ସରକାରୀ ପ୍ରୋତ୍ସାହନ ମଧ୍ୟ ନାହିଁ । ସରକାରଙ୍କ ଦୃଷ୍ଟି ହେମନ୍ତଙ୍କ କାର୍ଯ୍ୟ ଉପରେ ପଡିଲେ ହୁଏତ ତାଙ୍କୁ କିଛିଟା ସାହାଯ୍ୟ ମିଳି ପାରନ୍ତା । କିନ୍ତୁ ଯେପର୍ଯ୍ୟନ୍ତ ତାହା ମିଳିନି, ହେମନ୍ତ ମାନବିକତାର ଶକ୍ତି ସାହାଯ୍ୟରେ ଗରିବମାନଙ୍କୁ ଏମିତି ଖୁଆଇ ଚାଲୁଥିବ ।