ନାରୀବାଦର ଅନ୍ୟ ନାମ ସମାନତା: ମଲାଲା ୟୁସୁଫଜଇ

0

ଇନ୍ଟୁ ଫିଲ୍ମ ଉତ୍ସବରେ ହଲିଉଡର ପ୍ରସିଦ୍ଧ ଯୁବ ଅଭିନେତ୍ରୀ ଏମ୍ମା ୱାଟସନ (ହ୍ୟାରି ପଟର ଫିଲ୍ମରେ ହର୍ମାଇନିର ଭୂମିକା ନିଭେଇଥିବା ଅଭିନେତ୍ରୀ) ଯିଏକି ବର୍ତମାନ ମିଳିତ ଜାତିସଂଘର ମହିଳା ଗୁଡୱିଲ ଆମ୍ବାସଡର ଭଳି ସମ୍ମାନଜନକ କାର୍ଯ୍ୟ କରୁଛନ୍ତି, ସୁଯୋଗ ପାଇଥିଲେ ମଲାଲା ୟୁସୁଫଜଇଙ୍କ ସହ ଏକ ଅନ୍ତରଙ୍ଗ ଆଳାପ କରିବାର। ହଁ, ଇଏ ହେଉଛନ୍ତି ସେଇ ବିଶ୍ଵପ୍ରସିଦ୍ଧ ମଲାଲା ଯିଏ ଶିକ୍ଷା ପାଇଁ ସ୍ଵର ଉତ୍ତୋଳନ କରିଥିବାରୁ ତାଲିବାନ ଆତଙ୍କବାଦୀଙ୍କ ଦ୍ଵାରା ବୁଲେଟ ଆଘାତରେ ଗମ୍ଭୀର ଭାବେ ଆହତ ହେଇଥିଲେ। ଗୁଳି ବାଜିଥିଲେ ତାଙ୍କ କପାଳରେ। କିନ୍ତୁ ସେ ମୃତ୍ୟୁ ସହ ସଂଘର୍ଷ କରି ଫେରି ଆସିଥିଲେ।

ଏହି ବାର୍ତ୍ତାଳାପ ମଲାଲାଙ୍କ ଉପରେ ଆଧାରିତ ଡକୁମେନ୍ଟାରି "ହି ନେମଡ୍ ମି ମାଲାଲା' ପ୍ରସଙ୍ଗରେ ହେଇଥିଲା। YS ଏଠାରେ ଉପରୋକ୍ତ ବାର୍ତ୍ତାଳାପ ମଧ୍ୟରୁ ଫେମିନୀଜ୍ମ ବା ନାରୀବାଦକୁ ନେଇ ମଲାଲା ଦେଇଥିବା ଏକ ବକ୍ତବ୍ୟକୁ ଉଲ୍ଲେଖ କରିବାକୁ ଚାହୁଁଛି।

"ମୁ ପ୍ରଥମେ ଏହି ପ୍ରଶ୍ନ - ମୁ ଫେମିନିଷ୍ଟ ନୁହେଁ କି ନା ର ଉତ୍ତର ଦେବାକୁ କୁଣ୍ଠାବୋଧ କରୁଥିଲି।କିନ୍ତୁ ମିଳିତ ଜାତିସଂଘରେ ତୁମେ (ଏମ୍ମା) ଦେଇଥିବା ଭାଷଣ ଶୁଣିଲି। ତୁମେ କହିଲ - ଯଦି ଏବେ ନୁହେଁ, କେବେ? ଯଦି ମୁଁ ନୁହେଁ, କିଏ? ମୁ ଶୁଣିସାରି ଚିନ୍ତା କଲିଯେ ନା, ନିଜକୁ ଫେମିନିଷ୍ଟ କହିବାରେ କିଛି ଭୁଲ ନାହିଁ। ହଁ, ମୁଁ ଜଣେ ଫେମିନିଷ୍ଟ, ଏକ ପ୍ରକୃତ ଫେମିନିଷ୍ଟ, କାରଣ ଫେମିନୀଜ୍ମ ସମାନତାର ଏକ ଅନ୍ୟ ନାମ। ମୁ ଭାବୁଛି ଖାଲି ନାରୀ ନୁହେଁ ଅନେକ ପୁରୁଷଙ୍କୁ ମଧ୍ୟ ଫେମିନିଷ୍ଟ ହେବା ନିହାତି ଦରକାର," କୁହନ୍ତି ମଲାଲା।

ଏକାଡେମୀ ପୁରସ୍କାର ବିଜେତା ଡେବିସ୍ ଗୁଗେନହିମଙ୍କ ଦ୍ୱାରା ପ୍ରସ୍ତୁତ ବୃତ୍ତଚିତ୍ର ‘ହି ନେମଡ୍ ମି ମାଲାଲା’କୁ ପ୍ରସାରଣ କରିବାକୁ ଯୋଜନା ରଖିଛି ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ। ନୋବେଲ ବିଜେତା ପାକିସ୍ତାନୀ ଝିଅ ମଲାଲା ୟୁସୁଫଜଇଙ୍କ ଜୀବନୀ ଉପରେ ପ୍ରସ୍ତୁତ ଏହି ବୃତ୍ତଚିତ୍ରକୁ ଆସନ୍ତା ବର୍ଷ ୧୭୧ଟି ଦେଶ ଓ ୪୫ଟି ଭାଷାରେ ପ୍ରସାରଣ କରିବ ଏହି ଚ୍ୟାନେଲ୍। ତେବେ ତା’ ପୂର୍ବରୁ ସାରା ବିଶ୍ୱରେ ଥିଏଟର ଗୁଡିକରେ ଏହି ବୃତ୍ତଚିତ୍ରକୁ ପ୍ରଦର୍ଶିତ କରିବା ପାଇଁ ଯୋଜନା ରଖିଛି ନ୍ୟାସନାଲ ଜିଓଗ୍ରାଫିକାଲ୍ ଚ୍ୟାନେଲ୍। ଏଥିପାଇଁ ଫୋର୍ସ ସର୍ଚ୍ଚଲାଇଟ୍ ପିକଚର୍ ସହିତ ହାତ ମିଳାଇଛି ଏହି ଚ୍ୟାନେଲ୍। ଚଳିତବର୍ଷ ଅକ୍ଟୋବର ମାସରେ ଏହି ବୃତ୍ତଚିତ୍ରକୁ ବିଭିନ୍ନ ଦେଶର ଥିଏଟର ଗୁଡିକରେ ପ୍ରଦର୍ଶିତ କରିବା ପାଇଁ ଚ୍ୟାନେଲ୍ ଅଭିଯାନ ଆରମ୍ଭ କରିଛି। ଚ୍ୟାନେଲ ପକ୍ଷରୁ କୁହାଯାଇଛି ଏହା ଏପରି ଏକ ବୃତ୍ତଚିତ୍ର ଯାହା ସବୁ ବର୍ଗର ଲୋକଙ୍କୁ ପ୍ରେରଣା ଯୋଗାଇବ ଓ ଉତ୍ସାହିତ କରିବ। ସମାଜରେ ଗଠନ ମୂଳକ ପରିବର୍ତ୍ତନ ଦିଗରେ ମଧ୍ୟ ଏହା ବାର୍ତ୍ତା ଦେଇଛି।

ପାକିସ୍ତାନ୍ ଝିଅ ମଲାଲା ୟୁସୁଫଜଇ ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ପାଇଁ ୨୦୧୨ରେ ତାଲିବାନୀ ଆତଙ୍କବାଦୀମାନେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜି ଥିଲା। ଇଂଲଣ୍ଡରେ ତାଙ୍କ ଚିକିତ୍ସା କରାଯାଇଥିଲା ଓ ସେ ବଞ୍ଚି ଯାଇଥିଲେ। ସାରା ବିଶ୍ୱ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଥିଲା। ଆଉ ଏହି ଘଟଣା ପରେ ସେ ହେଇ ଯାଇଥିଲେ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ। ସେ ଏବେ ନିଜ ପରିବାର ସହ ଲଣ୍ଡନରେ ରହୁଛନ୍ତି। ୨୦୧୪ରେ ତାଙ୍କୁ ଶାନ୍ତି ପାଇଁ ଭାରତୀୟ ସମାଜସେବୀ କୈଳାସ ସତ୍ୟାର୍ଥୀଙ୍କ ସହିତ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।