ଯୁଗ୍ମ-ଅଯୁଗ୍ମ ସୂତ୍ରରେ ଭରସା ରଖିବା ପାଇଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ - ଆଶୁତୋଷ, AAP

ଯୁଗ୍ମ-ଅଯୁଗ୍ମ ସୂତ୍ରରେ ଭରସା ରଖିବା ପାଇଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ - ଆଶୁତୋଷ, AAP

Monday January 11, 2016,

4 min Read

ମୋର ଆଶା ଓ ବିଶ୍ଵାସ ଯେ ପ୍ରଚାରବାଦୀ ଓ ଅନ୍ଧ ସମାଲୋଚକମାନେ ସେମାନଙ୍କ ମୁହଁ ଆଗାମୀ କିଛି ଦିନ ପାଇଁ ବନ୍ଦ ରଖିବେ। ଏମାନେ ହିଁ କହୁଥିଲେ ଯେ ଆମ ଆଦମୀ ପାର୍ଟି କେବଳ ଧାରଣା ଦେବାରେ ପାରଙ୍ଗମ, ସରକାର ଚଳେଇବା ସେମାନଙ୍କୁ ଜଣା ନାହିଁ। ହେଲେ ଆପ ସରକାର ତରଫରୁ ଲୋକଙ୍କ ବୃହତ୍ତର ସ୍ଵାର୍ଥ ପାଇଁ ବିଗତ କିଛି ଦିନ ଭିତରେ କରଯାଇଥିବା ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଏମିତି ଗୋଟିଏ ଅଭିନବ ପ୍ରୟାସ ହେଲା ଯୁଗ୍ମ-ଅଯୁଗ୍ମ ବା ODD-EVEN formula। ଦିଲ୍ଲୀର ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ଏହି ପ୍ରୟାସ ଆରମ୍ଭ କଲା ବେଳେ ଆମେ ସ୍ଵପ୍ନରେ ବି ଭାବି ନଥିଲୁ ଯେ ଦିଲ୍ଲୀର ଜନତା ଏହାକୁ ପୂର୍ଣ ପ୍ରାଣରେ ସମର୍ଥନ ଦେବେ। ଗତ କିଛି ଦିନ ଭିତରେ ମୁଁ ଅନେକ ଥର ମେଟ୍ରୋ ଟ୍ରେନରେ ଯାତ୍ରା କରିଛି ଓ ଯାତ୍ରା ସମୟରେ ଲୋକମାନେ ଏହି ସାହସିକ ପଦକ୍ଷେପ ପାଇଁ ମତେ ଅଭିନନ୍ଦନ ଜଣାଇଛନ୍ତି। ହେଲେ ସକଳ ବିନମ୍ରତାର ସହ ମୁଁ ଏହା କହିବାକୁ ଚାହେଁ ଯେ ଲୋକମାନଙ୍କ ସମର୍ଥନ ଓ ସହଯୋଗ ବିନା ଏହା ସମ୍ଭବ ହୋଇ ପାରିନଥାନ୍ତା। ସେଥିପାଇଁ ମୁଁ ସମସ୍ତ ଦିଲ୍ଲୀବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି।

image


ଅତୀତରେ ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ଦିଲ୍ଲୀକୁ ଗୋଟିଏ ଗ୍ୟାସ ଚ୍ୟାମ୍ବର ବୋଲି କହିଥିଲେ। ଏହାକୁ ଦିଲ୍ଲୀ ସରକାର ଗୋଟିଏ ଚ୍ୟାଲେଞ୍ଜ ହିସାବରେ ଗ୍ରହଣ କରିଥିଲା ଓ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଚେଷ୍ଟା କରିବା ଆରମ୍ଭ କରିଥିଲା। ଏହି ଦିଗରେ ପ୍ରଥମ ପ୍ରୟାସ ଥିଲା ପ୍ରତି ମାସର ୨୨ ତାରିଖକୁ କାର ଫ୍ରି ଡ଼େ ଭାବେ ଘୋଷଣା କରିବା। ମାତ୍ର, ଏତିକି ଯଥେଷ୍ଟ ନଥିଲା ଓ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଭୟାବହତାର ସୀମା ଅତିକ୍ରମ କରିବାରେ ଲାଗିଥିଲା। ଆମର ବର୍ତ୍ତମାନ ଓ ଭବିଷ୍ୟତ ବଂଶଧରଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ କିଛି ସାହାସୀ ପଦକ୍ଷେପ ନେବାର ସମୟ ଆସି ସାରିଥିଲା। ସେଥିପାଇଁ ଏହି କଠିନ ନିଷ୍ପତି ନିଆଗଲା। ODD-EVEN formula ଆରମ୍ଭ କରିବା ସମୟରେ ମୋର କିଛି ଶୁଭେଚ୍ଛୁ ମତେ ଏକଥା ମଧ୍ୟ କହିଥିଲେ ଯେ ଏଥିରେ ବହୁତ ବିପଦ ରହିଛି ଓ ବିଫଳ ହେଲେ ଏହା ତୁମ ସରକାରର ସମସ୍ତ ଭଲ କାମକୁ ମଧ୍ୟ ବଦନାମ କରିଦେବ। ମାତ୍ର ଦଳ ଭିତରେ ଆମ ସମସ୍ତଙ୍କର ନିଜ ଦକ୍ଷତା ଉପରେ ବିଶ୍ଵାସ ଥିଲା ଓ ଲୋକଙ୍କର ସମର୍ଥନ ମିଳିଲେ ଏହା ନିଶ୍ଚିତ ସଫଳ ହେବ ବୋଲି ଆଶା ମଧ୍ୟ ଥିଲା।

ODD-EVEN formulaର ସଫଳତା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ଓ ସୁଶାସନ ଦିଗରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ସାହସୀ ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ଆବଶ୍ୟକ ବୌଦ୍ଧିକ ସାମର୍ଥ୍ୟ ଆମ ଆଦମୀ ପାର୍ଟି ପାଖରେ ଯେ ଅଛି ତାହା ପ୍ରମାଣିତ ହୋଇଛି। ଆମ ଆଦମୀ ପାର୍ଟି କେବଳ ଯୋଜନା ପରିକଳ୍ପନାରେ ବିଶ୍ଵାସ କରେନି, ଯୋଜନାର ସଫଳ ରୂପାୟନ କରିବାରେ ମଧ୍ୟ ସମର୍ଥ ବୋଲି ଏଥିରୁ ଜଣା ପଡିଛି। ସ୍ଵାଧୀନତା ପରେ ଅନେକ ଭଲ ଭଲ ଯୋଜନା ତିଆରି କରାଯାଇଛି ମାତ୍ର ସଫଳ ରୂପାୟନର ଅଭାବରେ ଏହି ଯୋଜନା ଗୁଡିକ ବିଫଳ ହୋଇଛନ୍ତି। ODD-EVEN formula ଏ ସମସ୍ତ ମିଥକର ଅବସାନ ଘଟାଇଛି।

ଆମେ ମୂଳରୁ ବୁଝି ସାରିଥିଲୁ ଯେ ଏତେ ବଡ ଯୋଜନା ଜନତାଙ୍କର ସମର୍ଥନ ବିନା କୌଣସି ଗଠନମୂଳକ ନିଷ୍କର୍ଷରେ ପହଞ୍ଚି ପାରିବ ନାହିଁ। ସବୁଠାରୁ ଗୁରୁତ୍ଵପୂର୍ଣ କଥା ଥିଲା ଏହି ଯୋଜନା ଯେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଭଲ ପାଇଁ ତାହା ଲୋକମାନଙ୍କୁ ବୁଝାଇବା। ପ୍ରଦୂଷଣ ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରୁଛି। ବୟସ ଓ ଳିଙ୍ଗ ନିର୍ବିଶେଷରେ ଏହା ସମସ୍ତଙ୍କ ସ୍ଵାସ୍ଥ୍ୟ ଖରାପ କରୁଛି। ଏଠାରେ ମୁଁ ଗଣମାଧ୍ୟମକୁ ମଧ୍ୟ ସାଧୁବାଦ ଦେବାକୁ ଚାହିନବୀ। ସେମାନେ ଏହି ସନ୍ଦେଶକୁ ସହରର କୋଣ ଅନୁକୋଣରେ ପହଞ୍ଚାଇ ଥିଲେ। ଏହା ODD-EVEN formula ବିଷୟରେ ଲୋକମାନଙ୍କ ଭିତରେ କଥାବାର୍ତାର ପ୍ରକ୍ରିୟା ଆରମ୍ଭ କରିଥିଲା। ଧୀରେ ଧୀରେ ଏହା ଜାତୀୟ ବିତର୍କ ପାଲଟିଗଲା।

ଏହି ଯୋଜନାକୁ ରୂପରେଖ ଦେଲା ବେଳେ କିଛି ମନ୍ତ୍ରୀ ଓ ସରକାରୀ ଅଧିକାରୀ ଏହାକୁ ଆହୁରି ସରଳ କରି ପରେ ଲାଗୁ କରିବା ପାଇଁ ମତାମତ ଦେଇଥିଲେ। ମାତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହା ସହ ଏକମତ ନଥିଲେ। ତାଙ୍କ ମତରେ “ବିତର୍କକୁ ତା ବାଟରେ ଯିବାକୁ ଛାଡି ଦିଆଯାଉ ଓ ଏହି ବ୍ୟବସ୍ଥା ଉପରେ ଲୋକଙ୍କ ପ୍ରତ୍ୟକ୍ଷ ଅନୁଭୂତି ଓ ମତାମତ ସରକାରଙ୍କ ପାଖକୁ ଆସୁ”। ପ୍ରଥମେ ପ୍ରଥମେ, ଏହି ବ୍ୟବସ୍ଥା ପ୍ରତି ଲୋକଙ୍କର ଥିବା ଅନାସ୍ଥା ଭାବ କୁ ବିତର୍କ ମାଧ୍ୟମରେ ଦୂର କରା ଯାଇ ପାରିଲା। ଏହା ପରେ ଲୋକେ ODD-EVEN formulaକୁ ସେମାନଙ୍କ ମଙ୍ଗଲ ପାଇଁ ଅଭିପ୍ରେତ ଯୋଜନା ଭାବେ ଗ୍ରହଣ କରିବାକୁ ଲାଗିଲେ। ଏହି ସଫଳତାରୁ ସମସ୍ତ ସରକାରଙ୍କର ଶିଖିବାର ଅଛି। ଯୋଜନାର ରୂପରେଖ ତିଆରି ବେଳେ ଲୋକମାନଙ୍କୁ ସାମିଲ କରାଗଲେ ଯୋଜନାର ସଫଳ ରୂପାୟନ ହୋଇ ପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ମୋ ମତରେ ଏହା ଗୋଟିଏ ଭଲ ଆରମ୍ଭ। ହେଲେ ଆଗକୁ ବହୁତ କିଛି କରିବାର ଅଛି। ଭବିଷ୍ୟତର ରାସ୍ତା ଲମ୍ବା ଓ କଠିନ ମଧ୍ୟ। ଆମ ସମସ୍ତଙ୍କୁ ଏକାଠି ହୋଇ ଦିଲ୍ଲୀକୁ ଗୋଟିଏ ପ୍ରଦୂଷଣ ମୁକ୍ତ ସହରରେ ପରିଣତ କରିବାକୁ ହେବ। ୧୫ ଜାନୁୟାରୀ ପରେ ଦିଲ୍ଲୀ ସରକାର ODD-EVEN formulaର ସମୀକ୍ଷା କରିବେ। ଆବଶ୍ୟକ ପଡିଲେ ଆମ ସ୍ଵାସ୍ଥ୍ୟ ଓ ଭଲ ପାଇଁ ଅଧିକ ଦୃଢ ପଦକ୍ଷେପ ମଧ୍ୟ ନିଆଯିବ। ଏମାନଙ୍କ ମଧ୍ୟରୁ କିଛି ଆମକୁ କଷ୍ଟକର ମନେ ହୋଇପାରେ, ମାତ୍ର ଯଦି ଗୋଟିଏ ସୁସ୍ଥ ସମାଜର ଆମେ ଆଶା ରଖିଛେ ତାହାଲେ ଏପରି ପଦକ୍ଷେପ ନେବାକୁ ପଡିବ। ବିଶୁଦ୍ଧ ବାୟୁ ସମସ୍ତଙ୍କର ଆବଶ୍ୟକତା। ଆମର ପିଲା ଓ ବରିଷ୍ଠ ନାଗରିକଙ୍କ ପାଇଁ ଏହାର ଆବଶ୍ୟକତା ସର୍ବାଧିକ। ODD-EVEN formula ଏକ ନୂତନ ଆଶାର ସଂଚାର କରିଛି। ମୁଁ ସୁନିଶ୍ଚିତ ଯେ ଏହି ନୂତନ ଆଶା ଦିଲ୍ଲୀକୁ

ଭାରତର ପ୍ରଥମ ପ୍ରଦୂଷଣ ମୁକ୍ତ ସହର ଭାବେ ଗଢି ତୋଳିବ। ଧନ୍ୟବାଦ ଦିଲ୍ଲୀ।

ଲେଖକ ଆଶୁତୋଷ AAPର ନେତା।

(Disclaimer: ମତାମତ ଲେଖକଙ୍କର ବ୍ୟକ୍ତିଗତ)

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ