ଭାଷା ପାଇଁ ଦୁଇଘଣ୍ଟା

ଓଡ଼ିଶା ବାହାରେ ଓଡ଼ିଆ ଶିକ୍ଷା ପାଇଁ The Intellectsର ପ୍ରୟାସ

ଭାଷା ପାଇଁ ଦୁଇଘଣ୍ଟା

Thursday December 03, 2015,

3 min Read

image


‘ମା ଆଉ ମାତୃଭାଷାକୁ ଜଣେ ଶିଶୁ ପ୍ରଥମେ ଭଲ ପାଇଥାଏ । ଏଇଠୁ ହିଁ ସେ କଥା କହିବାର ଶକ୍ତି ପାଏ । ଶିଶୁର ବ୍ୟକ୍ତିଗତ, ସାମାଜିକ ଓ ସାଂସ୍କୃତିକ ପରିଚିତିର ଏକ ଅଙ୍ଗ ପାଲଟେ ମାତୃଭାଷା । ମାତୃଭାଷାରେ ସବୁଠୁ ସହଜରେ ଭାବ ବ୍ୟକ୍ତ କରାଯାଇପାରେ । ଭାଷା ହିଁ ଗୋଟେ ସମାଜ ଭିତରେ ଏକତା ବଢ଼ାଏ, ସାଂସ୍କୃତିକ ସଂହତି ପ୍ରତିଷ୍ଠା କରେ। ଓଡ଼ିଆ ଏକ କ୍ଲାସିକ୍‍ ଭାଷା । ଏଣୁ ଓଡ଼ିଶାରୁ ଦୂରରେ ରହୁଥିବା ଓ ଓଡ଼ିଶା ବାହାରେ ଜନ୍ମିଥିବା ଶିଶୁମାନଙ୍କୁ ପୁଣି ଭାଷା ଆଉ ଭୂଇଁ ସହ ଯୋଡ଼ିବା ପାଇଁ The Intellects ପ୍ରୟାସ ଆରମ୍ଭ କରିଛି ।’

ୟୋର ଷ୍ଟୋରୀକୁ ଏକଥା କହନ୍ତି ଦିଲ୍ଲୀରେ ରହୁଥିବା The Intellectsର ସଭାପତି ଦେବେନ୍ଦ୍ରନାଥ ରାଉତ । ଦିଲ୍ଲୀରେ ରହୁଥିବା ଓଡ଼ିଆ ସମାଜକୁ ଏକତ୍ରିତ କରି ସାଂସ୍କୃତିକ ଓ ସାମାଜିକ ଏକତା ବୃଦ୍ଧି ଲକ୍ଷ୍ୟରେ କାର୍ଯ୍ୟ କରୁଛି The Intellects । ଦି ଇଣ୍ଟେଲେକ୍ଟସ୍‍ର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଶିଶୁମାନଙ୍କୁ ଓଡ଼ିଆ ଶିକ୍ଷା ଦେବା ଏବେ ଏକ ଅଭିଯାନର ରୂପ ନେଇଛି ।

image


ଦି ଇଣ୍ଟେଲେକ୍ଟସ୍‍ (The Intellects)

ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କୁ ଏକଯୁଟ୍‍ କରି ସେମାନଙ୍କ ମଧ୍ୟରେ ଐକ୍ୟ ରକ୍ଷା ଓ ଭାବବିନିମୟର ଏକ ମଞ୍ଚ ପ୍ରସ୍ତୁତି ଉଦ୍ଦେଶ୍ୟରେ ୨୦୦୯ ମସିହାରେ ପ୍ରତିଷ୍ଠା ହୋଇଥିଲା ଦି ଇଣ୍ଟେଲେକ୍ଟସ୍‍ । ଦିଲ୍ଲୀରେ ରହୁଥିବା ଉଦ୍ୟମୀ ବୁଦ୍ଧିଜୀବୀ ଓଡ଼ିଆଙ୍କ ମିଳିତ ପ୍ରୟାସ ଯୋଗୁଁ କ୍ରମେ ଅନୁଷ୍ଠାନର କାର୍ଯ୍ୟକ୍ରମ ବ୍ୟାପକ ହେବାରେ ଲାଗିଲା । ଏହାକୁ ଏକ ଦୀର୍ଘସ୍ଥାୟୀ ଆନ୍ଦୋଳନରେ ପରିଣତ କରିବା ଲକ୍ଷରେ ୨୦୧୨ ମସିହାରେ ବିଧିବଦ୍ଧ ପଞ୍ଜୀକରଣ କରାଗଲା। ଦେବେନ୍ଦ୍ରଙ୍କ ଭିନ୍ନ ପ୍ରାୟ ୩୦ ଜଣ ଏହାର କର୍ମଠ ସଦସ୍ୟ ଅଛନ୍ତି । ତେବେ ପ୍ରତିଟି ଓଡ଼ିଆ ଏ ଅନୁଷ୍ଠାନର ଜଣେ ଜଣେ ସଦସ୍ୟ ବୋଲି ମନେକରନ୍ତି ଦେବେନ୍ଦ୍ର ।

image


ଆସ ଶିଖିବା ଆମରି ଭାଷା

ଦିଲ୍ଲୀରେ ରହୁଥିବା ଓଡ଼ିଆଙ୍କ ମଧ୍ୟରେ ଭାଷା, ସାଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ମୁଖ୍ୟତଃ ତିନୋଟି ନିୟମିତ କାର୍ଯ୍ୟକ୍ରମ ହାତକୁ ନେଇଛି ଦି ଇଣ୍ଟେଲେକ୍ଟସ୍‍ । ‘ମହକ ମୋ ମାଟିର’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପରମ୍ପରା ଓ ପର୍ବପର୍ବାଣୀ ସହ ପ୍ରବାସୀ ଓଡ଼ିଆଙ୍କୁ ପରିଚିତ କରିବାକୁ ଚେଷ୍ଟା କରୁଛି ଏହି ଅନୁଷ୍ଠାନ । ବିଭିନ୍ନ ଓଡ଼ିଆ ପର୍ବପର୍ବାଣୀ ସମେତ ଜୁନ୍‍ ମାସରେ ‘ରଜ ପର୍ବ’କୁ ଦିଲ୍ଲୀରେ ବେଶ୍‍ ଧୂମ୍‍ଧାମରେ ପାଳନ କରାଯାଇଥାଏ । ‘ମୋ ସ୍ଵପ୍ନର ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ନିୟମିତ ବ୍ୟବଧାନରେ ଓଡ଼ିଆ ବୁଦ୍ଧିଜୀବୀଙ୍କୁ ନେଇ ସଂପାନ ଓ ଆଲୋଚନା ଚକ୍ର ମାନ ଆୟୋଜିତ ହୋଇଥାଏ । ଦିଲ୍ଲୀରେ ପ୍ରତିବର୍ଷ ଅନ୍ତର୍ଜାତୀୟ ଓଡ଼ିଆ ଭାଷା ସମ୍ମୀଳନୀ ଆୟୋଜିତ କରିବା ସହ ଦୁଇଜଣ ଓଡ଼ିଆ ବିଦ୍ଵାନଙ୍କୁ ‘ଆମ ଗୌରବ’ରେ ସମ୍ମାନୀତ କରୁଛି ଦି ଇଣ୍ଟେଲେକ୍ଟସ୍‍ । ‘ଆସ ଶିଖିବା ଆମରି ଭାଷା’ କାର୍ଯ୍ୟକ୍ରମ ମାଧ୍ୟମରେ ଦିଲ୍ଲୀରେ ରହୁଥିବା ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ଭାଷା ଲିଖନ ଓ କଥନ ଶିକ୍ଷା ଦିଆଯାଉଛି ।

୨୦୧୩ ମସିହା ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ଆରମ୍ଭ ହୋଇଥିବା ‘ଆସ ଶିଖିବା ଆମରି ଭାଷା’ କାର୍ଯ୍ୟକ୍ରମରେ ପ୍ରତି ରବିବାର ପିଲାଙ୍କୁ ଦୁଇଘଣ୍ଟା ଲେଖାଏଁ ଓଡ଼ିଆ ଶିକ୍ଷା ଦିଆଯାଉଛି । ଦିଲ୍ଲୀରେ ରହୁଥିବା କିଛି ଯୁବ ଓଡ଼ିଆ ସ୍ଵେଚ୍ଛାକୃତ ଭାବେ ଶିକ୍ଷାଦାନ କରିବାକୁ ଆଗେଇ ଆସିଛନ୍ତି । ଅନ୍ୟପଟେ ଦିନକୁ ଦିନ ପିଲାମାନଙ୍କୁ ମାତୃଭାଷା ଶିଖାଇବା ପାଇଁ ଓଡ଼ିଆ ଅଭିଭାବକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି ବୋଲି କହନ୍ତି ଦେବେନ୍ଦ୍ର ।

image


ବର୍ତ୍ତମାନ ଦିଲ୍ଲୀର ରାଜପୁର ଖୁର୍ଦ, ହରଗୋବିନ୍ଦ ଏନ୍‍କ୍ଲେଭ୍‍, ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର ଓ ମେହରୁଲି ଆଦି ୫ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ରତି ରବିବାର ପିଲାମାନଙ୍କୁ ନିଶୁଳ୍କ ଓଡ଼ିଆ ଭାଷା ଶିକ୍ଷା ଦେଉଛି ଦି ଇଣ୍ଟେଲେକ୍ଟସ୍‍। ଆଗକୁ ଶିକ୍ଷାଦାନ କ୍ଷେତ୍ର ସଂଖ୍ୟା ବଢ଼ିବ ବୋଲି ଦେବେନ୍ଦ୍ର ଆଶା ରଖିଛନ୍ତି । ସେ ପୁଣି କହିଛନ୍ତି, ଏଠାରେ କେବଳ ଭାଷା ଶିକ୍ଷା ଦିଆଯାଉନାହିଁ, ବରଂ ପିଲାମାନଙ୍କୁ ନିଜ ମାତୃଭୂମିର ଗୌରବ ଗାଥା, ସଂସ୍କୃତି ଓ ପରମ୍ପରା ସହ ପରିଚିତ ମଧ୍ୟ କରାଯାଉଛି । ବିଭିନ୍ନ ସମୟରେ ପିଲାମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଆୟୋଜନ କରାଯାଉଛି ।

image


ତେବେ ଏଇ ସବୁ କାର୍ଯ୍ୟକ୍ରମ ଆରମ୍ଭ ମାତ୍ର ବୋଲି କହନ୍ତି ଦେବେନ୍ଦ୍ର ରାଉତ । ଆଗକୁ ଦିଲ୍ଲୀ ଭଳି ଦେଶର ଅନ୍ୟ ସହରମାନଙ୍କରେ ମଧ୍ୟ ‘ଆସ ଶିଖିବା ଆମରି ଭାଷା’ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲୁ କରିବାକୁ ଦି ଇଣ୍ଟେଲେକ୍ଟସ୍‍ର ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି ।

ଦି ଇଣ୍ଟେଲେକ୍ଟସ୍‍ ବିଷୟରେ ଅଧିକ ଜାଣିବା ପାଇଁ ଆପଣ www.theintellects.inରେ ଲଗ୍‍ଇନ୍‍ କରିପାରିବେ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।