ମାର୍ଚ୍ଚ ୬ରେ Women's Car Rally

ମାର୍ଚ୍ଚ ୬ରେ Women's Car Rally

Friday February 19, 2016,

2 min Read

image


ପାରମ୍ପରିକ ସଂଜ୍ଞା ଅନୁଯାୟୀ ନାରୀର ଅନ୍ୟ ନାମ ସେବା। ସେ ସେ କାଳ କାଳ ଧରି ଦୟା, ପ୍ରେମ, ଶାନ୍ତି, ମମତା ଓ ଲଜ୍ଜାର ସଂଜ୍ଞା ମଧ୍ୟରେ ଆବଦ୍ଧ ରହିଛି। ହେଲେ ଆଜିର ନାରୀ ସଂସ୍କାର, ନାରୀଧର୍ମ ଓ ଲୋକଲଜ୍ଜାର ଶିକୁଳି ଭିତରେ ବାନ୍ଧି ହେଇରହିବାକୁ ଚାହେଁନାହିଁ। ସମ୍ପ୍ରତି ଲିଙ୍ଗଗତ ସମାନତା ଉପରେ ଯଥେଷ୍ଟ ଜୋର ଦିଆଯାଉଛି। ନାରୀ ଆଉ ଅବଳା ନୁହେଁ, ବରଂ ଶକ୍ତିର ଅନ୍ୟ ନାମ। ସେ କେବଳ ତ୍ୟାଗର ମୂର୍ତ୍ତି ହୋଇରହିବାକୁ ଚାହେଁ ନାହିଁ, ବରଂ ନିଜର ଛୋଟ ଛୋଟ ଖୁସି ଓ ଆନନ୍ଦକୁ ସମାନ ଭାବେ ଉପଭୋଗ କରିବାକୁ ଚାହେଁ। ଲିଙ୍ଗଗତ ସମାନତାଠାରୁ ଆଉ ଏକ ପାହାଚ ଉପରକୁ ଉଠି ଏବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଆଗେଇଆସିଛନ୍ତି Carnival, ଭୁବନେଶ୍ଵରର ଏକ ଅଗ୍ରଣୀ କ୍ରିୟେଟିଭ ଏଜେନ୍ସି ଓ ସେବା ପ୍ରୟାସ ସଂସ୍ଥାନ। ମହିଳା ଦିବସରେ ଏମାନେ ଆୟୋଜନ କରୁଛନ୍ତି ଏକ ସ୍ଵତନ୍ତ୍ର କାର ରାଲି କେବଳ ଓ କେବଳ ମହିଳାମାନଙ୍କ ପାଇଁ। 

ଏହି ରାଲିର ଥିମ ହେବ 'the pledge for Parity'/'ଲିଙ୍ଗଗତ ସମାନତା ପାଇଁ ସଂକଳ୍ପ'। ପାଖାପାଖି ୨୫୦ କାର ସହ ଏହି ରାଲି KIIT କ୍ୟାମ୍ପସଠାରୁ ଆରମ୍ଭ ହୋଇ 7th ବାଟାଲିଅନ ଗ୍ରାଉଣ୍ଡଠାରେ ସମାପ୍ତ ହେବ। ଆୟୋଜକ ମାନେ ଏକ ପ୍ରେସ କନଫରେନ୍ସରେ ଏହା ଘୋଷଣା କରିଛନ୍ତି। 

image


ରାଲିର ନିୟମ ଅନୁସାରେ ସମସ୍ତ ସହଭାଗୀ ମହିଳା ୧୮ବର୍ଷ ବୟସରୁ ଊର୍ଦ୍ଧ୍ଵ ହେଇଥିବା ଉଚିତ ଏବଂ ଗୋଟିଏ କାରରେ ସର୍ବାଧିକ ୪ଜଣ ସଦସ୍ୟା ରହିପାରିବେ। ପ୍ରତ୍ୟେକ କାରର ସଦସ୍ୟା ମାନେ ଏକ ଥିମ ଅନୁଯାୟୀ ଫ୍ୟାନ୍ସି ପୋଷାକ ପିନ୍ଧିବାପାଇଁ ଅନୁରୋଧ ଯଦ୍ୱାରା ଅନ୍ୟ କାରର ସଦସ୍ୟାଙ୍କ ଠାରୁ ଭିନ୍ନ ଦେଖାଯିବା ସହ ଏହି କାର୍ଯ୍ୟକ୍ରମକୁ ରଙ୍ଗୀନ ମଧ୍ୟ କରିବ। ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଇଚ୍ଛୁକ ମହିଳାମାନେ www.carrally.in ରେ ଅନଲାଇନ ପଞ୍ଜୀକରଣ କରିପାରିବେ। ଏହା ଛଡା ସଂସ୍ଥାର କର୍ମୀମାନେ ସହରର ବିଭିନ୍ନ ମଲ ଏବଂ ଶିକ୍ଷାନୁଷ୍ଠାନରେ ମଧ୍ୟ ଅଫଲାଇନ ପଞ୍ଜୀକରଣ ପାଇଁ ସାହାଯ୍ୟ କରିବେ। ଏହା ବ୍ୟତୀତ ଇଚ୍ଛୁକ ମହିଳାମାନେ ଅଧିକ ସୂଚନା ପାଇବା ପାଇଁ ଆୟୋଜକଙ୍କୁ ତାଙ୍କର ଫେସବୁକ ପେଜ - women’s car rally ମାଧ୍ୟମରେ ଯୋଗାଯୋଗ କରିପାରିବେ। 

ସ୍ଵନାମଧନ୍ୟ ସାମାଜିକ କର୍ମୀ ଓ ସେବା ପ୍ରୟାସ ସଂସ୍ଥାନର ମୁଖ୍ୟ ପରାମର୍ଶଦାତା ନମ୍ରତା ଚଢା ଏହି ଅବସରରେ କହିଛନ୍ତି, "ନାରୀ ହେଉଛି ଇଶ୍ଵରଙ୍କର ସର୍ବୋଚ୍ଚ କୃତି। ନାରୀର ଅନେକ ଅବଦାନ ଥାଏ ସମାଜର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ସଫଳତାରେ। ଏହା ସତ୍ତ୍ୱେ ନାରୀର ସ୍ଥାନ ଅନେକ କ୍ଷେତ୍ରରେ ପୁରୁଷଙ୍କ ସହ ସମାନ ହୋଇନାହିଁ। ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସରେ ଚାଲନ୍ତୁ ଲିଙ୍ଗଗତ ସମାନତା ଆଣିବାର ଗତିକୁ ତ୍ଵରାନିତ କରିବାର ସଂକଳ୍ପ ନେବା।"


ଏହି ଅବସରରେ ସାମାଜିକ କାର୍ଯ୍ୟକର୍ତ୍ତା ଲିଙ୍କନ ସୁବୁଦ୍ଧି କହନ୍ତି, "ପରିବାର ଏବଂ ସମାଜରେ ନାରୀମାନଙ୍କର ଏକ ଗୁରୁଗମ୍ଭୀର ଭୂମିକା ରହିଛି। ପରିବାରର ପ୍ରତ୍ୟେକ ପୁରୁଷଙ୍କର ଏହା କର୍ତ୍ତବ୍ୟ ଏହା ସୁନିଶ୍ଚିତ କରିବା ଯେ ତାଙ୍କ ପରିବାରର ନାରୀମାନେ କେବଳ କର୍ତ୍ତବ୍ୟରେ ବାନ୍ଧି ନରହି ନିଜ ଜୀବନକୁ ଉପଭୋଗ କରିବାକୁ ମଧ୍ୟ ସୁବିଧା ଓ ସୁଯୋଗ ପାଆନ୍ତୁ।" ଏହି କାର୍ଯ୍ୟକ୍ରମଟି ନିଶ୍ଚିତ ଭାବେ ନାରୀମାନଙ୍କୁ ତାଙ୍କ ନାରୀତ୍ଵକୁ ଏକ ନିଆରା ଢଙ୍ଗରେ ପାଳିବାକୁ ଏକ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଏଠାରେ ବିଶିଷ୍ଠ ଖେଳାଳୀ ଅନୁରାଧା ବିଶ୍ଵାଳ, ନାସନାଲ କରାଟେ ଚମ୍ପିୟାନ ଭାଲେନା ଭାଲେଣ୍ଟିନା ଓ ଟେଲିଭିଜନ ବ୍ୟକ୍ତିତ୍ଵ ସୁଲଗ୍ନା ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ। 

Facebook Page