କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତା କଲ୍ଲୋଳ-୨୦୧୬ ଆରମ୍ଭ

କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତା କଲ୍ଲୋଳ-୨୦୧୬ ଆରମ୍ଭ

Thursday March 10, 2016,

2 min Read

ଶୀର୍ଷକ: କନ୍ୟାସନ୍ତାନଙ୍କ ପ୍ରତି ପକ୍ଷପାତିତା

image


ଓଡ଼ିଶା ଶାଖା ୟୁନିସେଫ ଓ ଓଡ଼ିଶାଭିତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନାର ମିଳିତ ସହଯୋଗରେ ଶିଶୁ ଅଧିକାର ସଂକ୍ରାନ୍ତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ‘କଲ୍ଲୋଳ’ର ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୧୦ ତାରିଖରୁ ଶୁଭାରମ୍ଭ ହୋଇଛି । ରାଜ୍ୟରେ ଏହା ଏକ ଅଭିନବ ପ୍ରୟାସ ଓ ଏଥିପାଇଁ ୩୦, ୬୦ ଓ ୯୦ ମିନିଟ ଅବଧିର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମନୋନୟନ ଆହ୍ୱନ କରାଯାଇଛି । ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଶିଶୁକନ୍ୟା ପ୍ରତି ପକ୍ଷପାତିତା’ । ଏବର୍ଷର ପ୍ରତିଯୋଗୀତା ପାଇଁ ସହାୟକା କରୁଛନ୍ତି ଓଡ଼ିଶା ଶାଖା ସିଆଇଆଇ(CII) ଓ ଟିଭି ସହଭାଗୀତା ପ୍ରଦାନ କରୁଛନ୍ତି ଓଡ଼ିଶା ଟେଲିଭିଜନ ଲିମିଟେଡ଼ । ପ୍ରତିଯୋଗିତାରେ ଭାଗ ନେଉଥିବା ସର୍ବୋତ୍ତକୃଷ୍ଟ ୫ଟି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ । ପ୍ରଥମ, ଦ୍ୱିତୀୟ, ତୃତୀୟ, ବିଚାରକମଣ୍ଡଳୀ ଓ ଶିଶୁ ମନୋନୀତ ଶ୍ରେଣୀରେ ଏହି ପୁରସ୍କାର ପ୍ରଦାନ କରାଯିବ ।

‘କଲ୍ଲୋଳ’ର ଦ୍ୱିତୀୟ ସଂସ୍କରଣ ଶୁଭାରମ୍ଭ କରି ୟୁନିସେଫ ଓଡ଼ିଶା ଶାଖା ମୁଖ୍ୟ ୟୁମି ବେ କହିଛନ୍ତି ଯେ

ଆମେ ଜାଣୁ ଯେ, ଲକ୍ଷାଧିକ ଶିଶୁ ମୁଖ୍ୟତଃ କନ୍ୟାସନ୍ତାନ ସମାଜରେ ପକ୍ଷପାତିତାର ଶିକାର ହେବା ସହ ନିଜ ଅଧିକାରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ ନିୟନ୍ତ୍ରଣ ବହାରେ ଥିବା କେତେକ କାରଣ ଦାୟୀ । ଏହି ଅବସମାନତା ପିଢ଼ି ପରେ ପିଢ଼ି ଯଦି ଗଡ଼ିଚାଲେ ପରିଶେଷରେ ଏକ ଅସମାନ ଓ ଅସଙ୍ଗତ ବିଶ୍ୱ ସୃଷ୍ଟି ହେବ । ଏଥିପାଇଁ ପ୍ରଥମେ ଜନସାଧାରଣଙ୍କ ଚିନ୍ତାଧାରରେ ପରିବର୍ତ୍ତନ ଆବଶ୍ୟକ । କଲ୍ଲୋଳ ମାଧ୍ୟମରେ ଯୁବ ଚିତ୍ରନିର୍ମାତା ନିଜର ସୃଜନଶୀଳ ମେଧା ଉପଯୋଗରେ ହୃଦୟସ୍ପର୍ଶୀ ଚଳଚ୍ଚିତ୍ର ନିର୍ମାଣ କରି ଜନସାଧାରରଙ୍କୁ ଏ ଦିଗରେ ସଚେତନ କରିପାରିବେ। 

ଏହି ଅବସରରେ ଆଇନାର ସଂପାଦକ ସ୍ନେହ ମିଶ୍ର କହିଥିଲେ ଯେ, ଗତବର୍ଷ ଏହି କାର୍ଯ୍ୟକ୍ରମ ପ୍ରତି ସୌଖିନ, ପେଶାଦାର ଓ ଛାତ୍ରମାନଙ୍କର ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । କଲ୍ଲୋଳ-୨୦୧୬ ପାଇଁ ଅନୁରୂପ ଆଗ୍ରହ ପରିପ୍ରକାଶ ପାଇବ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ୨ଟି ନୂତନ ବିଷୟ ସଂଯୋଗ କରାଯାଇଛି । ଗୋଟିଏ ହେଲା ଅଣପ୍ରତିଦ୍ୱନ୍ଦ୍ୱିତା ବିଭାଗ । ଏଥିରେ ପିଲାମାନଙ୍କ ଦ୍ୱାରା ଓ ପିଲାମାନଙ୍କ ପାଇଁ ପ୍ରସ୍ତୁତ ଚଳଚ୍ଚିତ୍ର ରହିବ । ଦ୍ୱିତୀୟତଃ ଚଳଚ୍ଚିତ୍ରଗୁଡ଼ିକୁ ରାଜ୍ୟରେ ଆଞ୍ଚଳିକ ଚଳଚ୍ଚିତ୍ର ଉତ୍ସବ ଜରିଆରେ ପ୍ରଦର୍ଶନ କରାଯିବ ଯାହା ଅଧିକ ଦର୍ଶକ ଦେଖିପାରିବେ ବୋଲି ଶ୍ରୀମତୀ ମିଶ୍ର କହିଥିଲେ ।

ଓଡ଼ିଶା ଶାଖା ସିଆଇଆଇ ସଭାପତି ଜେ.ବି ପାଣି କହିଥିଲେ ଯେ, ପ୍ରତ୍ୟେକ ଶିଶୁ ହେଉଛି ସ୍ୱତନ୍ତ୍ର ଓ ଅନନ୍ୟ । ସେମାନେ ସମାଜରେ ଯେପରି ସମ୍ମାନ, ସ୍ୱାଭିମାନ ଓ ସମାନତା ଲାଭ କରିପାରିବେ ସେଥିପାଇଁ ଦାୟିତ୍ୱବାନ ନାଗରିକ ହିସାବରେ ଆମେ କାର୍ଯ୍ୟ କରିବା ଆବଶ୍ୟକ । ସିଆଇଆଇ ରାଜ୍ୟରେ ଜାତୀୟସ୍ତରର ଏକ ଅଗ୍ରଣୀ ଶିଳ୍ପ ସଂଘ ହୋଇଥିବାରୁ ଶିଳ୍ପାନୁଷ୍ଠାନ ଓ ସମାଜ ମଧ୍ୟରେ ଏକ ନିରନ୍ତର ସଂପର୍କ ପ୍ରତିଷ୍ଠା ଦିଗରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କଲ୍ଲୋଳ ମାଧ୍ୟମରେ ଆମେ ସମାଜର ଅବହେଳିତ ବର୍ଗ ନିକଟରେ ପହଞ୍ଚିବା ସହ ଏକ ବୃହତ୍ତର ଗୋଷ୍ଠୀ ନିକଟରେ ପହଞ୍ଚିପାରିବୁ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଥିଲେ ।

ଏହି ପ୍ରତିଯୋଗିତା ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ । ପ୍ରତିଯୋଗିତା ସଂପର୍କରେ ଅଧିକ ବିବରଣୀ ପାଇଁ www.aaina.org.in/kallola ସାଇଟକୁ ଯାଇ ଦେଖିପାରିବେ । ମନୋନୟନ ଗ୍ରହଣର ଶେଷ ତାରିଖ ମେ ୩୦ ତାରିଖ ରଖାଯାଇଛି ।