ଆବେଗ ସହ ଲାଭ ପାଇଁ ଜଣେ ଯୁବ ଉଦ୍ୟୋଗୀଙ୍କ ସୃଜନଶୀଳ ବ୍ୟବସାୟ Happiness Boxed

ଆବେଗ ସହ ଲାଭ ପାଇଁ ଜଣେ ଯୁବ ଉଦ୍ୟୋଗୀଙ୍କ ସୃଜନଶୀଳ ବ୍ୟବସାୟ Happiness Boxed

Saturday November 21, 2015,

4 min Read

ଆମୋଦ ପ୍ରମୋଦରେ ବୁଡ଼ି ରହୁଥିବା ବିଧି ପନସାରୀ 21ବର୍ଷ ବୟସରେ ଜଣେ ଉଦ୍ୟୋଗୀ ହେବା ପାଇଁ ପୂର୍ବରୁ କେବେ ପାଦ ଦେଇନଥିବା ରାସ୍ତାକୁ ଆପଣେଇଲେ। ଆଗୁଆ ଉପହାର ଅର୍ଡର କରିବା ଏବଂ ସ୍ଵାଦିଷ୍ଟ ଖାଦ୍ୟକୁ ଅନଲାଇନ ମାଧ୍ୟମରେ ପାଇବା ପାଇଁ ଚାରିମାସ ତଳେ ସେ Happiness Boxed ପ୍ରତିଷ୍ଠା କରିଛନ୍ତି।

Vidhi Pansari, Founder of Happiness Boxed

Vidhi Pansari, Founder of Happiness Boxed


ନିଜକୁ ଜଣେ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହୁଁଥିବାରୁ ଏଥିପାଇଁ ନିଷ୍ପତ୍ତି ନେବାରେ କୌଣସି ଅସୁବିଧା ଆସିନଥିଲା। ନିଜର ଅନେକ ସାଙ୍ଗମାନଙ୍କ ପରି ସେ Mscରେ ନାମ ଲେଖାଇ କିମ୍ବା କୌଣସି ଚାକିରୀ କରିବାକୁ ଚାହିଁନଥିଲେ। “ମୁଁ ଖୁବ ପରିଶ୍ରମ କରିବାକୁ ଆଗ୍ରହୀ ଥିଲି ଓ ଉଦ୍ୟୋଗ ଜୀବନରେ ଥିବା ରିସ୍କଗୁଡିକୁ ଶୀଘ୍ର ସାମ୍ନା କରିବାକୁ ଚାହିଁଲି," ବୋଲି ବିଧି କୁହନ୍ତି। ଏଥିପାଇଁ ତାଙ୍କର କିଛି ଅନୁଶୋଚନା ମଧ୍ୟ ନାହିଁ।

ମୁମ୍ବାଇରେ ଜନ୍ମିତ ଏବଂ ଲାଳିତପାଳିତ ବିଧି ଏମିତି ଏକ ପରିବେଶରେ ବଡ଼ ହୋଇଥିଲେ ଯେଉଁଠି ସେ ଗତାନୁଗତିକ ଧାରାରୁ ବାହାରି ଚିନ୍ତା କରିବାକୁ ଉତ୍ସାହିତ ହୋଇଥିଲେ। ଜଣେ ଘରୋଇ ଛାତ୍ର ଭାବରେ ୟୁନିଭରସିଟି ଅଫ ଲଣ୍ଡନର ରସେଲ ସ୍କୋୟାର ଇଣ୍ଟରନ୍ୟାସନାଲ କଲେଜରୁ ବିଏସସି ସ୍ନାତକରେ ଇକୋନୋମିକ୍ସ ଆଣ୍ଡ ମ୍ୟାନେଜମେଣ୍ଟ ପାସ କରିବା ପରେ ବିଭିନ୍ନ ଜାଗାରେ ଇଣ୍ଟର୍ଣ୍ଣ ଭାବେ ଆରମ୍ଭ କରି (ଯେପରିକି- ଏକ ଘରୋଇ ବ୍ୟାଙ୍କ , ଏକ ଅନଲାଇନ ମାଗାଜିନ ଏବଂ ନିଜର ପାରିବାରିକ ବ୍ୟବସାୟରେ) ଅଭିଜ୍ଞତା ସାଉଁଟିଲେ।

“ବ୍ୟବସାୟ ପରିଚାଳନାରେ ମୋ ବାପାଙ୍କୁ ମୁଁ ଦେଖିଛି, ତେଣୁ ଏଥିପାଇଁ ନିଷ୍ପତ୍ତି ନେବା ମୋ ପାଇଁ କଠିନ ନଥିଲା। କିଛି ନୂଆ କରିବାର ଚିନ୍ତା ମୋ ନିଜସ୍ଵ ଏବଂ ଏହା ବହୁ ପୂର୍ବରୁ ମୋ ମୁଣ୍ଡରେ ପଶିରହିଥିଲା। ତେବେ ଏହା ଏତେ ଶୀଘ୍ର ତା'ର ଆକାର ନେବ ବୋଲି ମୁଁ କେବେ ଆଶା କରିନଥିଲି” ବୋଲି ବିଧି କୁହନ୍ତି।

Vidhi during one of her recent London trip

Vidhi during one of her recent London trip


ଉଦ୍ୟୋଗ ତାଙ୍କ ପାଇଁ ଚକୋଲେଟ ପରି ପ୍ରିୟ

ନିଜ ସହରରେ ବୁଲିବୁଲି ପାଉଁରୁଟି ବିକ୍ରୀ କରୁଥିବା ବ୍ୟକ୍ତି ଏବଂ ଦୋକାନୀମାନଙ୍କୁ ଦେଖି ଉପହାର ସାମଗ୍ରୀ ଏବଂ ସ୍ଵାଦିଷ୍ଟ ଖାଦ୍ୟକୁ ଅନଲାଇନ ମାଧ୍ୟମରେ ବିକ୍ରୀ କରିବାର ଯୋଜନା ଜୁଟିଥିଲା। ଖାଦ୍ୟ ଏବଂ ଉପହାର ସାମଗ୍ରୀ ଉପରେ ଅଧିକ ଗବେଷଣା କରିବାକୁ ସେ ଉତ୍ସାହିତ ହୋଇଥିଲେ। ଏବଂ ଏହାକୁ ସେ ଭଲ ଭାବରେ ବୁଝିବା ପୂର୍ବରୁ, ସେ ଚଳିତବର୍ଷ ଫେବୃଆରୀରେ Happiness Boxed ପ୍ରତିଷ୍ଠା କଲେ।

ଚକୋଲେଟ ପ୍ରତି ଅତ୍ୟଧିକ ଦୁର୍ବଳତା ତାଙ୍କୁ ସଫଳ ଉଦ୍ୟୋଗୀ କରିବାର ରାସ୍ତାକୁ ଆହୁରି ସରଳ କରିଦେଇଥିଲା। ସେ ସ୍ପଷ୍ଟ ଭାବରେ ସ୍ଵୀକାର କରନ୍ତି ଯେ ସେ କୌଣସି ପରିମାଣର ଭାରତୀୟ ମିଠା ବା ବିଦେଶୀ ମିଠାକୁ ସେ ଖାଇ ଦେଇପାରିବେ। “ମୋ ମୁଖ୍ୟ ଖାଦ୍ୟ ସବୁବେଳେ ମିଠା ଜାତୀୟ ଖାଦ୍ୟ ହିଁ ହୋଇଥାଏ। ସଂକ୍ଷେପରେ କହିବାକୁ କହିଲେ, ମୁଁ କେବଳ ଚକୋଲେଟରେ ବଞ୍ଚିଥାଏ।”

ନିଜର ପ୍ରିୟଜନଙ୍କୁ ଉପହାର ଏବଂ ସ୍ଵାଦିଷ୍ଟ ମିଠାଖାଦ୍ୟ ପଠାଇବା ପାଇଁ Happiness Boxed ଏକ ସାଧାରଣ ଏବଂ ସରଳ ବାଟ ବୋଲି ଏଥିରେ ଆଶ୍ଟର୍ଯ୍ୟ ହେବାର ନାହିଁ। “ଜନ୍ମଦିନ, ବାର୍ଷିକୀ ବା ଅନ୍ୟ କୌଣସି ଉତ୍ସବ ପୂର୍ବରୁ ଆଉ ଆପଣଙ୍କୁ ସହର ସାରା ଦୌଡ଼ିବାକୁ ପଡ଼ିବନି, ଆମେ ଏକ ବାକ୍ସଭର୍ତ୍ତି ଆନନ୍ଦ ଆଣିଦେବୁ ଆପଣଙ୍କ ପାଖକୁ” - ଏହା ତାଙ୍କର ଟ୍ୟାଗ ଲାଇନ ରହିଛି।

ବର୍ତ୍ତମାନ ସେମାନେ କେବଳ ମୁମ୍ବାଇ ସାରା ଏହି ସେବା ଜାରି ରଖିଛନ୍ତି ଏବଂ ସେମାନେ ଖୁବ ଶୀଘ୍ର ଅର୍ଥ ବଦଳରେ ଯୋଗାଣ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ମହିଳାଶକ୍ତିରେ ବିଶ୍ଵାସ

ନିଜର ବ୍ୟବସାୟ ଉପରେ ସେ କେବଳ ପୁରା ୱେବସାଇଟକୁ ନିର୍ମାଣ କବିବା ବ୍ୟତୀତ, ନିଜ ସଂସ୍ଥାର ବ୍ୟବସାୟ ଏବଂ ବିଜ୍ଞାପନ ବିଧି ସୋସିଆଲ ମିଡିଆରେ ମଧ୍ୟ କରିଥାନ୍ତି। ସେ ମହିଳାଶକ୍ତିରେ ଅପାର ବିଶ୍ଵାସ କରନ୍ତି ଏବଂ ଡିଜିଟାଲ ମିଡିଆରେ ପ୍ରଥମ ଅଭିଜ୍ଞତା ପାଇବା ପାଇଁ ସେ ମହିଳା ଇଣ୍ଟର୍ଣ୍ଣ ମାନଙ୍କୁ ସୁଯୋଗ ଦେବାର ଯୋଜନା ରଖିଛନ୍ତି। ସେ ଜଡ଼ିତ ଥିବା ବିଭିନ୍ନ ବେକିଙ୍ଗ ଉତ୍ପାଦ ଏବଂ ଉପହାର ସାମଗ୍ରୀ ମହିଳାମାନଙ୍କ ଦ୍ଵାରା ପ୍ରସ୍ତୁତ।

ବିଧି ଜଣେ ଉଚ୍ଚଭିଳାଷୀ ଉଦ୍ୟୋଗୀ ଏବଂ ସବୁବେଳେ ଜଣେ ବ୍ୟବସ୍ଥିତ ମଣିଷ। ତାଙ୍କ ବାପା ତାଙ୍କର ଆଦର୍ଶ ଯିଏ ପ୍ରାତଃକାଳରୁ ଉଠି ସକାଳ 6ଟାରୁ କାମକୁ ଚାଲିଯାନ୍ତି। “କୋଡ଼ିଏ ବର୍ଷ ପରେ ବି ଆଜି ସେ ଜଣେ ସଫଳ ବ୍ୟବସାୟୀ ହେବା ସତ୍ତ୍ୱେ ଆଜି ବି ତାଙ୍କର ସମାନ ଅଭ୍ୟାସ ରହିଛି। ଜୀବନରେ କେବେବି ଆତ୍ମସନ୍ତୋଷ ପୁର୍ଣ୍ଣ ନହେବାର ସଚ୍ଚୋଟତା ମୁଁ ତାଙ୍କ ଠାରୁ ଶିଖିପାରିଛି” ବୋଲି ସେ କୁହନ୍ତି।

ବିବାହ ପରେ ମହିଳାମାନେ କୌଣସି ମଧ୍ୟ କାମ କରି ସନ୍ତୁଷ୍ଟ ହେଇଯାଆନ୍ତି ବୋଲି ଧାରଣା ରଖିବାର ବହୁ ଲୋକଙ୍କୁ ସେ ଦେଖିଛନ୍ତି ଏବଂ ଏହା ଏକ ଭୁଲ ମାନସିକତା ବୋଲି ସେ କୁହନ୍ତି। “କେହି ଜଣଙ୍କୁ ଦେଖି ଆପଣ ମହିଳାଙ୍କ ସଂପର୍କରେ ଏକ ସାଧାରଣ ଧାରଣା ରଖିବା ଠିକ ନୁହେଁ। ଦିନର ଶେଷରେ, ଏହା ମୋର ଜୀବନ ଏବଂ ମୁଁ ସ୍ଵାଧୀନ ଭାବରେ ବଞ୍ଚିବାକୁ ଚାହିଁପାରିବି,” ବୋଲି ସେ କୁହନ୍ତି।

ବିଭିନ୍ନ ପ୍ରକାରର ରୁଚି

ବିଧି ନୃତ୍ୟକୁ ଭଲପାନ୍ତି ଏବଂ ସେ ଶ୍ୟାମକ ଦାବର ଇନଷ୍ଟିଚ୍ୟୁଟ ଅଫ୍ ପର୍ଫମିଙ୍ଗ ଆର୍ଟରୁ ଆଡଭାନସ୍ଡ କୋର୍ସ ଶେଷ କରିଛନ୍ତି। ସେ ପହଁରିବାକୁ ବି ଭଲପାନ୍ତି। ଭ୍ରମଣ କରିବା ଏବଂ ନୂଆନୂଆ ରୋଷେଇ କରିବାର ଶୈଳି ଆପଣେଇବା ତାଙ୍କର ଅନ୍ୟାନ୍ୟ ରୁଚି।

ଯେଉଁମାନେ ଭାବନ୍ତି ଯେ ବିଧି ଜଣେ ଗମ୍ଭୀର ଉଦ୍ୟୋଗୀ ଏବଂ ସାମାଜିକ ଜୀବନରେ ତାଙ୍କର ଇଚ୍ଛା ନାହିଁ ସେମାନେ ଭୁଲ ଥାନ୍ତି। ସେ ବିଶ୍ଵାସ କରନ୍ତି ଯେ ପ୍ରତି ରବିବାର ନିଜ ପରିବାର ବା ସାଙ୍ଗସାଥୀଙ୍କ ସହ ଭଲରେ ଅତିବାହିତ ହେଉ। ଏହା ପରେ ସେ ବିଶ୍ଵାସ କରନ୍ତି ଯେ ଆଗାମୀ ସପ୍ତାହକୁ ଭଲରେ କାଟିହେବ ଏବଂ ସୋମବାରକୁ ସାମନା କରିବାକୁ ମନରେ ପୁର୍ଣ୍ଣ ଉତ୍ସାହ ଆଣି ଦେଇଥାଏ।

ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ସେ ପାର୍ଟିମାନଙ୍କରେ ଥିବା ବେଳେ ବି ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେଇନଥାନ୍ତି। “ବହୁ ସମୟରେ କୌଣସି ସାମାଜିକ ଉତ୍ସବରେ ମୁଁ ବହୁ ମଜାଦାର ଲୋକଙ୍କୁ ଭେଟିଛି ଯେଉଁମାନେ ଆଜି Happiness Boxedର ସହଭାଗୀ” ବୋଲି ସେ କୁହନ୍ତି।