ଡଙ୍ଗର ଜମିରେ ହସ ଫୁଟାଉଥିବା ଚାଷୀ କାନ୍ଦୁରୁ, ଅପାଠୁଆ ହୋଇ ମଧ୍ୟ ଅଭିନବ ପ୍ରୟାସ

ଡଙ୍ଗର ଜମିରେ ହସ ଫୁଟାଉଥିବା ଚାଷୀ କାନ୍ଦୁରୁ, ଅପାଠୁଆ ହୋଇ ମଧ୍ୟ ଅଭିନବ ପ୍ରୟାସ

Saturday January 16, 2016,

4 min Read

ପରିଶ୍ରମ କଲେ ମରୁଭୂମିକୁ ମଧ୍ୟ ଶସ୍ୟଶାମଳା କରାଯାଇପାରେ | ଆଉ ଡଙ୍ଗର ଜମିରେ ବି ଫୁଲ ଫୁଟିପାରେ | ଏଥିପାଇଁ ପରିଶ୍ରମ ଓ କିଛି କରିବାର ଇଛାଶକ୍ତି ହିଁ ଲୋଡା | ଏହା କେବଳ କୌଣସି ନାଟକର ସଂଳାପ ନୁହେଁ | ଓଡିଶାର ଜଣେ ନିପଟ ମଫସଲ ଓ ପାହାଡି ଅଂଚଳର ଚାଷୀ ଏହା କରି ଦେଖାଇଛନ୍ତି | ଏଇଥିପାଇଁ ସେ ଏବେ ସାରା ଅଂଚଳ ପାଇଁ ଉଦାହରଣ ପାଲଟି ଯାଇଛନ୍ତି |

ଆମେ କହୁଛୁ କୋରାପୁଟ ଜିଲ୍ଲା ବୈପାରୀଗୁଡାର ଚାଷୀ କାନ୍ଦୁରୁ ହରିଜନଙ୍କ କଥା | ଦଣ୍ଡାବାଡି ପଂଚାୟତର ପଣସପୁଟ ଗାଁର କାନ୍ଦୁରୁ ଡଙ୍ଗର ଜମିରେ ଏମିତି ଫସଲ କରିବାରେ ସଫଳ ହୋଇଛନ୍ତି, ଯାହା ଦେଖିଲେ କୃଷି ବୈଜ୍ଞାନିକମାନେ ବି ଚକିତ ହୋଇ ଉଠିବେ | ତାହା ପୁଣି ବିନା କୌଣସି ସରକାରୀ ସାହାଯ୍ୟରେ | ଡଙ୍ଗର ଜମିରେ ଫସଲ ହେଉନଥିବାରୁ ତାହା ବର୍ଷ ସାରା ପଡିଆ ପଡୁଥିବା ବେଳେ କାନ୍ଦୁରଙ୍କ ଜମି କିନ୍ତୁ ଏବେ ବି ସବୁଜ | ସେ ପାରମ୍ପରିକ ଚାଷରୁ ହଟିଯାଇ ନିଜ ବିଲରେ ତୁଳସୀ ଓ ପାତାଳଗରୁଡ ଭଳି ଔଷଧୀୟ ବୃ‍କ୍ଷ ଆଦି ଚାଷ କରିଛନ୍ତି | ଏଥିରେ ତାଙ୍କୁ ବେଶ୍ ସଫଳତା ମିଳିଥିବା ବେଳେ ସେ ବର୍ଷ ସାରା ଆୟ ପାଇ ପାରୁଛନ୍ତି |

କାନ୍ଦୁରୁ ପ୍ରଥମେ ଅନ୍ୟମାନଙ୍କ ପରି ପାରମ୍ପରିକ ଫସଲ କରୁଥିଲେ | କିନ୍ତୁ ତାହା ବର୍ଷକ ଖର୍ଚ୍ଚ ପୂରଣ କରିପାରୁନଥିଲା | ତେଣୁ ସେ କିଛି ନୂଆ ଚାଷ କରିବାକୁ ଚିନ୍ତା କଲେ | ବହୁତ ଚିନ୍ତା କରିବା ପରେ ସେ ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ ସ୍ଥିର କଲେ |

image


କାନ୍ଦୁରୁ କହନ୍ତି,

“ମୋ ପାଖରେ ଯେତିକି ଜମି ସେଥିରୁ ହେଉଥିବା ଧାନ ଆମ ତିନିପ୍ରାଣୀ କୁଟୁମ୍ବର ଚଳାଇବା କଷ୍ଟକର ହୁଏ | କାରଣ ଏହା ଦ୍ୱାରା ଛଅ ମାସର ଖର୍ଚ୍ଚ ହିଁ ଉଠିଥାଏ | ନିଜ ପାଖରେ ୬ ଏକର ଡଙ୍ଗର ଜମିରୁ ସେ ମାଣ୍ଡିଆ, ଅଳସୀ, ସୁଆଁ ଚାଷ କରି କିଛି ରୋଜଗାର କରୁଥିଲି | କିନ୍ତୁ ତଥାପି ଅଭାବ ମେଣ୍ଟୁନଥିଲା | ତେଣୁ ଅନ୍ୟ କିଛି ଚାଷ କରିବାକୁ ଭାବିବାକୁ ଲାଗିଲି |”

ଡଙ୍ଗର ଜମିରେ ଔଷଧୀୟ ଚାଷ କରିବାକୁ ନିଷ୍ପତ୍ତି ନ ନେଇଗଲେ, ହେଲେ ଏହା ଥିଲା ତାଙ୍କ ପାଇଁ ବଡ ଚ୍ୟାଲେଂଜ୍ | କାରଣ ତୁଳସୀ ଆଦି ଚାଷ କରିବା ଲାଗି ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି | ପାଣି ବ୍ୟବସ୍ଥା ନକଲେ ଏହି ଚାଷ ସଫଳ ହେବ ନାହିଁ | ତେଣୁ ସେ ଜମିର ଖାଲୁଆ ସ୍ଥାନରେ ଏକ ପୋଖରୀ ଖୋଳିଲେ | ଯେଉଁଠାରୁ ଜମିକୁ ଯେତେବେଳେ ଇଛା, ସେତେବେଳେ ପାଣି ଯୋଗାଇହେବ | କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ |

ଏହି ଚାଷ ଆରମ୍ଭ କଥା ମନେ ପକାଇ କାନ୍ଦୁରୁ କହନ୍ତି,

“ଏହି ଚାଷ ମୋ ପାଇଁ ନୂଆ ଥିଲା | କାଳେ କ୍ଷତି ହୋଇଯିବ ଭାବି ପ୍ରଥମ ଏକର ଜମିରେ ତୁଳସୀ ମଂଜି ବୁଣିଲି | ଠିକ୍ ଠାକ୍ ଚାଷ କଲାପରେ | ଧୀରେ ଧୀରେ ଚାଷ ବଢାଇଲି | ଏବେ ଚାରି ଏକର ଜମିରେ ତୁଳସୀ ଚାଷ କରିଛି |”

ସେ ଦୁଇ ଏକର ଚାଷ ଜମିରେ ପାତାଳଗରୁଡ ବୃକ୍ଷ ମଧ୍ୟ ଚାଷ କରିଛନ୍ତି | ଏଥିସହିତ ଚାଷ ଜମି ଓ ପୋଖରୀ ହୁଡାରେ ଅମୃତଭଣ୍ଡା ଗଛ ଲଗାଇଛନ୍ତି | ଔଷଧୀୟ ବୃକ୍ଷ ଚାଷ ଆରମ୍ଭ କରିବା ସମୟରେ ଗାଁର ଲୋକେ କାନ୍ଦୁରୁଙ୍କୁ ଅନେକ କଥା କହିଥିଲେ | ଡଙ୍ଗର ଜମିରେ ଏହି ଚାଷ ହୋଇପାରିବ ନାହିଁ ବୋଲି ରୋକଠୋକ୍ କହିଥିଲେ | 

ଏହି କଥାକୁ ମନେ ପକାଇ ସେ କହନ୍ତି – “ଏଠାରେ କେହି କେବେ ଏହି ଚାଷ କରୁନଥିବାରୁ ଗାଁ ଲୋକେ ମୋତେ ମନା କରିଥିଲେ | କେତେ କିଏ କହିଥିଲେ ତୁ ଏଥିରେ କାହିଁକି ମାତିଛୁ | ଆମର ମାଣ୍ଡିଆ, ଅଳସୀ ଭଲ ତ ଆମେ ଭଲ | କାହିଁକି ତୁ ପରୀକ୍ଷା ନିରୀକ୍ଷା କରୁଛୁ | ଏତେ ସବୁ ପରେ ବି ମୁଁ ନୂଆ ଚାଷ କରିଥିଲି |”

ଔଷଧୀୟ ବୃକ୍ଷକୁ ବିକ୍ରି କରିବା ଥିଲା ସବୁଠୁ ବଡ ସମସ୍ୟା | ଏହାର ବଜାର ଚାହିଦା କଥା ମଧ୍ୟ ନିପଟ ମଫସଲରେ ରହୁଥିବା କାନ୍ଦୁରୁଙ୍କୁ ଜଣା ନଥିଲା | ତୁଳସୀ, ପାତାଳଗରୁଡ ବୃକ୍ଷ ଆଦିକୁ କେଉଁଠି ବିକ୍ରି କରାଯିବ, ସେ ନେଇ ସେ ଅନୁସନ୍ଧାନ କଲେ | ଗାଁ ଠାରୁ ୬୦ କିଲୋମିଟର ଦୂର ଜୟପୁର ସହରକୁ ଆସି ବିଭିନ୍ନ ଆୟୁର୍ବେଦିକ ଦୋକାନୀମାନଙ୍କ ସହ ଯୋଗାଯୋଗ କଲେ | ସେମାନଙ୍କୁ ନିୟମିତ ଭାବେ ଏସବୁ ଯୋଗାଇଲେ | ଏଥିରୁ ତାଙ୍କୁ ଭଲ ଆୟ ମିଳିବାକୁ ଲାଗିଲା | ପୁଣି ଅମୃତଭଣ୍ଡା ଓ ପୋଖରୀ ମାଛ ବିକ୍ରି କରି ମଧ୍ୟ କିଛି ଅର୍ଥ ଉପାର୍ଜନ କରିପାରୁଛନ୍ତି | ଓଡିଶାରେ କିଛି ଦିନ ହେଲା ଧାନ ଫସଲ ନଷ୍ଟ ଯୋଗୁଁ ଚାଷୀ ପ୍ରାଣ ହରାଉଥିବା ବେଳେ କାନ୍ଦୁରୁ ଚାଷୀମାନଙ୍କ ପାଇଁ ଏବେ ଆଦର୍ଶ ପାଲଟିଛନ୍ତି |

image


ସେ କହନ୍ତି, “ପରିଶ୍ରମ କଲେ ଫଳ ନିଶ୍ଚୟ ମିଳିବ | ଆମକୁ ଧୈର୍ଯ୍ୟ ରଖିବାକୁ ପଡିବ | ଶୋଇବା ସମୟକୁ ବାଦ୍ ଦେଲେ ପୂରା ସମୟ ମୋର ଏହି ଚାଷ ଜମିରେ କଟେ | ଏଇଟା ତ ମୋର ଦ୍ୱିତୀୟ ପରିବାର ପାଲଟି ଯାଇଛି |”

ନିଜେ ଅପାଠୁଆ | ୧୦ ବର୍ଷର ଗୋଟିଏ ପୁଅ ପ୍ରଶାନ୍ତ ଏବେ ପଂଚମ ଶ୍ରେଣୀରେ ପଢାଉଛନ୍ତି | ତାକୁ ପାଠ ପଢାଇ ବଡ ମଣିଷ କରିବେ ବୋଲି କହନ୍ତି କାନ୍ଦୁରୁ | ଯେତେ ବାଧା ବିଘ୍ନ ଆସିଲେ ବି ପୁଅକୁ ସେ କେବେ କାମ କରିବାକୁ ଡାକନ୍ତି ନାହିଁ | ତେବେ ତାଙ୍କ ଧର୍ମପତ୍ନୀ ତାଙ୍କୁ ଏହି କାମରେ ସାହାଯ୍ୟ କରନ୍ତି |

ସବୁଠୁ ବଡ କଥା ହେଲା କାନ୍ଦୁରୁ ଜଣେ ସଫଳ ଚାଷୀ ହେବା ପଛରେ ଆଉ କାହାର ସହଯୋଗ ନାହିଁ | ନିଜ ଗୋଡରେ ସେ ଛିଡା ହୋଇଛନ୍ତି | ତେବେ ଏହି ଚାଷ ପାଇଁ ସରକାରୀ ସାହାଯ୍ୟ ମିଳିଲେ, ସେ ଆହୁରି ଉନ୍ନତ ଧରଣର ଔଷଧୀୟ ବୃକ୍ଷଲତା ଆଦିର ଚାଷ କରିପାରନ୍ତେ |


ଲେଖା - ଅଖଣ୍ଡ