ହାସପାତାଳରେ ରହିବା କମାଅ :India Home Health Care ଉଚ୍ଚମାନର ନର୍ସିଂ ସେବା ଦେଉଛି

ହାସପାତାଳରେ ରହିବା କମାଅ :India Home Health Care ଉଚ୍ଚମାନର ନର୍ସିଂ ସେବା ଦେଉଛି

Saturday November 21, 2015,

4 min Read

ବର୍ତ୍ତମାନ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆମର ଧାରଣା ଖର୍ଚ୍ଚବହୁଳ ହାଇଟେକ୍ ହାସପାତାଳ,ଆଧୁନିକ ଯନ୍ତ୍ରପାତି ଓ ଡାକ୍ତର ଇତ୍ୟାଦିରେ ସୀମିତ। ଆମେ କେବେ ବି ଭାବୁନା ଘରେ ଥାଇ ରୋଗୀକୁ କିପରି ଉତ୍ତମ ମାନର ଡାକ୍ତରୀ ସେବାଯତ୍ନ ମିଳିପାରିବ ଯାହା ଫଳରେ ରୋଗୀକୁ ଅଯଥା ବେଶୀ ଦିନ ହାସପାତାଳରେ ରହିବାକୁ ପଡିବ ନାହିଁ। ଘରୋଇ ସ୍ଵାସ୍ଥ୍ୟସେବା ସାଧାରଣତଃ ବୟସ୍କ ଓ ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରିଥାଏ, ଯେଉଁମାନେ ହାସପାତାଳରୁ ଫେରିବାପରେ ଘରେ ଆରୋଗ୍ୟଲାଭ କରୁଥାନ୍ତି। ଅଯଥାରେ ହାସପାତାଳରେ ପୁନର୍ବାର ଭର୍ତ୍ତି ନ ହେବା ପାଇଁ ଓ ନିରାପଦରେ ରହିବାପାଇଁ ସେମାନଙ୍କୁ ଆଉ କିଛି ଅତିରିକ୍ତ ସ୍ଵଳ୍ପକାଳୀନ ଘରୋଇ ସେବା ଯତ୍ନ ଆବଶ୍ୟକ ହୋଇଥାଏ।

image


ଆମେ ଯଦି India Home Health Careର ଉଦାହରଣକୁ ଦେଖିବା ତାହାହେଲେ ଆମେ ଉପଲବ୍ଧି କରିପାରିବା ଯେ ଭାରତରେ ମଧ୍ୟ ଏହି ସେବାର ବିପୁଳ ସୁଯୋଗ ରହିଛି। ଏହି ଉଦ୍ୟୋଗଟି ୨୦୦୯ରେ ଚେନ୍ନାଇରେ ଫ୍ରାଙ୍କ ଗୋଲର,ଭି॰ତ୍ୟାଗରାଜନ ଏବଂ ସମୀର ମେହେଟାଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା।

ଫ୍ରାଙ୍କ ଜଣେ ଜର୍ମାନ ନାଗରିକ, ଯେ କି India Home Health Careରପ୍ରତିଷ୍ଠାତା ସିଇଓ ଭାବେ ଚାରି ବର୍ଷ ଧରି କାର୍ଯ୍ୟରତ ଥିଲେ।ଆମେରିକାର ସାନଡିଏଗୋରଏକ ହାଇସ୍କୁଲରେ ଏକ ବର୍ଷ ବିନିମୟ କାର୍ଯ୍ୟକ୍ରମ ପରେ ସେ ସହଭାଗିତାରେ ଇଲେକ୍ଟ୍ରୋନିକ ମିଡ଼ିଆ ପାଇଁ ଗୋଟିଏ ବିଜ୍ଞାପନ ସଂସ୍ଥା ପ୍ରତିଷ୍ଠା କଲେ। ଏହା ପରେ ଆଉ ଗୋଟିଏ ବଡ଼ ପ୍ରତିଦ୍ଵନ୍ଦୀ କମ୍ପାନୀକୁ ଭଲରେ ବିକ୍ରୀ ହୋଇଗଲା ଏବଂ ସେ DeloitteConsultingରେ ଯୋଗ ଦେଲେ। ସେଠାରେ ଦଶ ବର୍ଷ ଧରି ଆନ୍ତର୍ଜାତିକ ପ୍ରୋଜେକ୍ଟ ଗୁଡ଼ିକରେ ମ୍ୟାନେଜର ଭାବେ କାମ କଲେ। ସେ ତାଙ୍କର ଧ୍ୟାନ କେନ୍ଦ୍ରୀଭୂତ କଲେ ନିର୍ମାଣ ଓ ସ୍ୱାସ୍ଥ୍ୟଯତ୍ନ ସମ୍ପର୍କିତ ଶିଳ୍ପରେ।

image


ଫ୍ରାଙ୍କ କଲୋନ ବିଶ୍ୱବିଦ୍ୟାଳୟ ,ଜର୍ମାନୀରୁ ଏମବିଏ ରେ ସ୍ନାତକ, ଏବଂ ବୋକୋନି ବିଶ୍ୱବିଦ୍ୟାଳୟ, ମିଲାନ, ଇଟାଲିରେ International Managementଉପରେ ଅଧ୍ୟୟନ କରିଛନ୍ତି।୨୦୦୯ରେ ସେ ଚେନ୍ନାଇ ଆସନ୍ତି ଓ ରୋଗୀଙ୍କ ଶଯ୍ୟା ପାର୍ଶ୍ଵରେ ଉଚ୍ଚମାନର ସେବା ପ୍ରଦାନ ପାଇଁ ସହଭାଗିତାଆଧାରରେ India Home Health Careର ପ୍ରତିଷ୍ଠା କରନ୍ତି। ୨୦୧୩ରେ ସେ ଏହାର ସିଇଓ ପଦରୁ ଅବ୍ୟାହତି ନେଇ ଜର୍ମାନୀ ଫେରିଯାଆନ୍ତି କିନ୍ତୁ ଏବେ ବି ଏହାର ନିର୍ଦ୍ଦେଶକ ପଦରେ ଅଛନ୍ତି।

ପ୍ରକୃତ ଉଦ୍ୟୋଗୀ ହେଲେ ସେମାନେ ଯେଉଁମାନେ ସମସ୍ୟାରେ ହିଁ ସୁଯୋଗର ସନ୍ଧାନ କରିଥାନ୍ତି। ତାହାହିଁ ଘଟିଥିଲା ଫ୍ରାଙ୍କ ଓ ତାଙ୍କର ସହଯୋଗୀ ବନ୍ଧୁ ମାନଙ୍କ ଜୀବନରେ ।“ମୁଁ ଏମିତି ଏକ କାମ କରିବାକୁ ଚାହୁଁଥିଲି ଯାହା ପୋଷଣୀୟ ହେବା ସହିତ ଏକ ପରିବର୍ତ୍ତନ ଆଣି ପାରୁଥିବ। ପାଶ୍ଚାତ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଘରେ ପ୍ରଦତ୍ତ ସେବାର ଶୋଚନୀୟ ରୂପ ଆମେ ଦେଖିଥିଲୁ । ଆମର ଘରୋଇ ସେବା ସହିତ ହୋଇଥିବା ଅନୁଭୂତିହିଁ India Home Health Careର ମଞ୍ଜି ପୋତିଥିଲା” ଫ୍ରାଙ୍କ କହନ୍ତି। ।ଏହା ସେମାନଙ୍କୁ ବଜାରଠାରୁ ସଂପୂର୍ଣ୍ଣ ଏକ ନିଆରା ଉଦ୍ୟୋଗ ଆରମ୍ଭ କରିବା ପାଇଁ ପ୍ରେରିତ କରିଥିଲା। “ ଆମେ ରୋଗୀର ଘରେ ସେବା ପ୍ରଦାନ କରିଥାଉଁ। ଭାରତ ପାଇଁ ଏହା କିଛି ନୂଆ ନୁହେଁ, କାରଣ ଏଠାରେ ବହୁତ ଦିନରୁ ଏଜେନ୍ସିମାନେ ରୋଗୀଙ୍କ ନିମିତ୍ତ ସେବାକାରୀ ଯୋଗାଇ ଆସୁଛନ୍ତି। କିନ୍ତୁ ଆମର କାମ କରିବାର ରୀତି ସଂପୂର୍ଣ୍ଣ ଅଲଗା। ପ୍ରଥମରେ ଆମେ ଗୁଣାତ୍ମକ ମାନ ଉପରେ ବିଶେଷ ଧ୍ୟାନ ଦେଇଥାଉ: ଆମେ କେବଳ ତାଲିମପ୍ରାପ୍ତ ଷ୍ଟାଫ ଦେଇଥାଉ।ଏହା ବ୍ୟତୀତ ଆମର ସୁବ୍ୟବସ୍ଥିତ କାର୍ଯ୍ୟପଦ୍ଧତି ସେବାର ନିରନ୍ତର ମନିଟରିଂ ଓ ଫିଲ୍ଡ ଷ୍ଟାଫଙ୍କର ଶିକ୍ଷା ସୁନିଶ୍ଚିତ କରିଥାଏ । ଦ୍ଵିତୀୟରେ ଆମେ ଗୋଟିଏ ଏଜେନ୍ସି ନୁହେଁ; ଆମର ଫିଲ୍ଡ ଷ୍ଟାଫମାନେ ଆମ କମ୍ପାନୀର କର୍ମଚାରୀ। ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ, କାରଣ ଆମେ ଆମର କର୍ମଚାରୀଙ୍କ ସହ ଘନିଷ୍ଠ ଭାବେ ଜଡ଼ିତ” କହନ୍ତି ଫ୍ରାଙ୍କ।

ଭାରତୀୟ ବଜାରର ମୂଲ୍ୟବୋଧ ପଶ୍ଚିମଜଗତଠାରୁ ଭିନ୍ନ। ଏଠାରେ ଗ୍ରାହକ ମାନଙ୍କର ଘରୋଇ ସ୍ୱାସ୍ଥ୍ୟସେବା ଉପରେ ଧାରଣା ଅଲଗା। ସେମାନେ ଏଥିପାଇଁ ବେଶୀ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ। “ ନିହାତି ଅସୁବିଧା ସମୟରେ କେବଳ ସେମାନେ ଏହା ଚାହିଁଥାନ୍ତି, ଏବଂ କେହି ଜଣେ ପେଷାଦାର ଲୋକ ମିଳିଗଲେ ଖୁସି ହୋଇଥାନ୍ତି। ପଶ୍ଚିମଜଗତରେ ରୋଗୀମାନେ ସାଧାରଣତଃ ଶୀଘ୍ର ଘରକୁ ଫେରିବାକୁ ବ୍ୟଗ୍ର ହୋଇଥାନ୍ତି ଏବଂ ଉଚ୍ଚମାନର ସେବା ପସନ୍ଦ କରିଥାନ୍ତି। ଏଥିପାଇଁ ସେମାନେ ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ବେଳେବେଳେ ମୁଁ ଅନୁଭବ କରେ ଯେ ଭାରତରେ ରୋଗୀ ଓ ସେମାନଙ୍କର ପରିବାର ହାସପାତାଳରେ ଉଚ୍ଚମାନର ଚିକିତ୍ସା ପ୍ରତି ଆଗ୍ରହୀ ହୋଇଥାନ୍ତି କିନ୍ତୁ ଘରକୁ ଫେରିବା ବେଳେ ଖର୍ଚ୍ଚ କଥା ଭାବି ସେ ବିଷୟରେ ନିଜର ପସନ୍ଦ ବଦଳାଇ ଦେଇଥାନ୍ତି। ଆମେ ଜାଣୁ ଯେ ଖର୍ଚ୍ଚ ଦୃଷ୍ଟିରୁ ସମସ୍ତେ ଆମର ସେବା ଉପଲବ୍ଧ କରିପାରିବେ ନାହିଁ କିନ୍ତୁ ଆମର ଏ ପୁଞ୍ଜି ନିବେଶ ଗୁଣାତ୍ମକ ମାନ ବଜାୟ ରଖିବା ନିମନ୍ତେ ଆବଶ୍ୟକ ଏବଂ ବ୍ୟବସାୟ ବୃଦ୍ଧି ପାଇଁ ଆମେ କୌଣସି ଆପୋଷ ସନ୍ଧି କରିପାରିବୁନି” କହନ୍ତି ଫ୍ରାଙ୍କ ।

ଏଇ ଚାରି ବର୍ଷର ସଫଳତା India Home Health Care ମିଶନର କାର୍ଯ୍ୟଧାରାକୁ ଆହୁରି ଉତ୍ସାହିତ କରିଛି ଏବଂ ଫଳସ୍ଵରୂପ ସେମାନେ ନିଜର ସେବାର ମାନବୃଦ୍ଧି ଓ ସଂପ୍ରସାରଣ ପାଇଁ ଏକ ଆମେରିକୀୟ କମ୍ପାନୀ ସହିତ ଭାଗୀଦାରୀ ସମ୍ପନ୍ନ କରିପାରିଛନ୍ତି। “୨୦୧୩ ମଧ୍ୟ ଭାଗରୁ ଆମେ BAYADA Home Health Care USA ସହିତ ସହଭାଗିତା ଆରମ୍ଭ କଲୁ। ଆମକୁଏହି ସହଭାଗିତା ଯେ କେବଳ ଅନ୍ୟ ମେଟ୍ରୋ ସହରଗୁଡିକୁ ଆମର ସେବା ସମ୍ପ୍ରସାରିତ କରିବାକୁ ଆର୍ଥିକ ଦୃଷ୍ଟିରୁ ସହାୟକ ହେବତା’ ନୁହେଁ ଏହା ମଧ୍ୟ ଆମକୁ ଘରୋଇ ସ୍ଵାସ୍ଥ୍ୟସେବା ଶିଳ୍ପରେ ଅଗ୍ରଣୀ ଏକ ଉଦ୍ୟୋଗଠାରୁ ଶିକ୍ଷାଲାଭ କରିବାର ସୁଯୋଗ ଦେବ।BAYADAର MD ଓ ପ୍ରତିଷ୍ଠାତା ମାର୍କ ବାୟାଡ଼ା ମଧ୍ୟ ରୋଗୀଙ୍କ ପ୍ରତି ଆମର ସମାନ ନିଷ୍ଠାକୁ ବାଣ୍ଟନ୍ତି। ସେ ତାଙ୍କର ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଆମର ଅଫିସ ଟିମଗୁଡ଼ିକୁ ତାଲିମ ଦେବାକୁ ପଠାଇଛନ୍ତି ଏବଂ ଅତି ଶୀଘ୍ର ଆଉ ଜଣେ ତାଲିମଦାତା ଆମର ଫିଲ୍ଡ ଷ୍ଟାଫମାନଙ୍କୁ ମଧ୍ୟ ତାଲିମ ଦେବା ପାଇଁ ଦୁଇ ମାସ ରହିବେ।ଏ ସବୁ ଆମକୁ ଆହୁରି ଉତ୍କୃଷ୍ଟ ସେବା ପ୍ରଦାନ କରିବାରେ ସହାୟ ହେବା ସହିତ ସମାଜରେ ଆମର ଉପସ୍ଥିତି ଓ ଆମ ପ୍ରତି ବିଶ୍ଵାସଭାଜନତାକୁ ମଜବୁତ କରିବ। ପାଞ୍ଚ ବର୍ଷ ମଧ୍ୟରେ ଆମେ ପନ୍ଦରଟି ମେଟ୍ରୋ ସହରରେ ପହଞ୍ଚି ସାରିଥିବୁ ଏବଂ ଦଶ ବର୍ଷ ମଧ୍ୟରେ ଆମେ ସବୁ ଆୟସ୍ତରର ରୋଗୀଙ୍କୁ ସେବା ଦେବାରେ ସଫଳ ହୋଇ ପାରିବୁ, ଯେତେବେଳେକି ସରକାର ଘରୋଇ ସ୍ୱାସ୍ଥ୍ୟସେବାକୁ ହାସପାତାଳ ସେବାର ଏକ ମହତ୍ତ୍ୱପୂର୍ଣ୍ଣ ବିସ୍ତାର ଭାବେ ମାନ୍ୟତା ଦେଇ ଏହି ସେବାକୁ ଆର୍ଥିକ ସହାୟତା ପ୍ରଦାନ କରିବେ” ଫ୍ରାଙ୍କ ଗର୍ବର ସହିତ କହନ୍ତି।

କମ ବୟସ ସତ୍ତ୍ୱେ ଫ୍ରାଙ୍କ ତାଙ୍କର ଦୁଇଟି ଉଦ୍ୟୋଗ ପ୍ରତିଷ୍ଠା କରି ସାରିଛନ୍ତି। ମହତ୍ତ୍ଵାକାଂକ୍ଷୀ ଉଦ୍ୟୋଗୀଙ୍କ ପ୍ରତି ତାଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଉପଦେଶ,“ମୁଁ କେବଳ ଗୋଟିଏ ଉପଦେଶ ଦେବାକୁ ଚାହିଁବି: ତମର ମୂଳ ଉତ୍ପାଦ ଅବା ସେବା ଉପରେ ତମର ସଂପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କର। ଅନ୍ୟ କିଛି ସମ୍ଭାବ୍ୟ ସୁଯୋଗ ଆଡ଼େ ଦୃଷ୍ଟି ନିକ୍ଷେପ କରନାହିଁ ଯାହା ତମକୁ ସହଜ ଲାଗୁଥାଇପାରେ। ଏହା କେବଳ ତମକୁ ତମର ମୂଳ ଉତ୍ପାଦ ଅବା ସେବା ଉପରୁ ତମର ଧ୍ୟାନକୁ ବିଚ୍ୟୁତ କରିବ,” ଫ୍ରାଙ୍କ କହନ୍ତି।

ମୂଳ ଲେଖା - ଆଲେସିଓ ପିରୋନି

ଭାଷାନ୍ତର - ଅନନ୍ତ ନାରାୟଣ ପାଣିଗ୍ରାହୀ