ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ବୁକ କଲେ Ola ଇ-ରିକ୍ସା

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ବୁକ କଲେ Ola ଇ-ରିକ୍ସା

Thursday April 07, 2016,

2 min Read

ଷ୍ଟାର୍ଟ ଅପ ଇଣ୍ଡିଆର ଅଂଶ ସ୍ୱରୂପ ଭାରତର ଲୋକପ୍ରିୟ ମୋବାଇଲ ଆପ Ola ବୈଦ୍ୟୁତିକ ରିକ୍ସା ବା ଇ-ରିକ୍ସାର ପ୍ରଚଳନ ବିଷୟ ଘୋଷଣା କରିଛି । ଛୋଟ ସହର ବା ନଗରରେ ମୋବାଇଲ ଆପରେ ଏହି ସୁବିଧା ଉପଲବ୍ଧ ହେବ । Ola ମୋବାଇଲ ଆପ୍ ରେ ପ୍ରଥମ ଇ-ରିକ୍ସା ବୁକିଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଭାରତୀୟ ମାଇକ୍ରୋ କ୍ରେଡ଼ିଟ ସହାୟତାରେ ମୋଟ ୫,୧୦୦ ଇ-ରିକ୍ସା ମୋବାଇଲ ଆପ୍ ଜରିଆରେ ପ୍ରଚଳନ କରାଯାଇଛି ।

image


ପରିବେଶ ମିତବ୍ୟୟୀ ଇ-ରିକ୍ସା ଚଳାଚଳ ଅଧିକ ମାତ୍ରାରେ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହାର ସେ ଜୋରଦାର ପ୍ରଚାର କରିଛନ୍ତି । କୌଣସି ଘରୋଇ କଂପାନିର କାର୍ଯ୍ୟକ୍ରମକୁ ପ୍ରଚାର କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ଦେଶରେ ଅଧିକ ପରିବେଶ ମିତବ୍ୟୟୀ ଇ-ରିକ୍ସା ଚାଲୁ ବୋଲି ସେ ଚାହୁଁଛନ୍ତି। 

image


ଏହି ଇ-ରିକ୍ସା ମୁଖ୍ୟତଃ ଦିଲ୍ଲୀ, ଗୁଡ଼ଗାଓଁ, ଫରିଦାବାଦ, ନୋଇଡ଼ା ଓ ଗାଜିଆବାଦ ଅଞ୍ଚଳରେ ଚଳାଚଳ କରିବ । ଆଗାମୀ ଦିନରେ ଦେଶର ତୃତୀୟ ଶ୍ରେଣୀ ସହରକୁ ଏହି ଇ-ରିକ୍ସା ଚଳାଚଳ ସଂପ୍ରସାରଣ କରାଯିବ । ଭାରତର ଶତକଡ଼ା ୬୦% ଜନସାଧାରଣ କ୍ଷୁଦ୍ର ସହରରେ ବସବାସ କରିଥାନ୍ତି । ଏହି ସହରଗୁଡ଼ିକରେ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ଇ-ରିକ୍ସା ସହାୟକ ହୋଇପାରିବ । ଏହା ଉଭୟ ଗ୍ରାହକ ଓ ଚାଳକଙ୍କୁ ସୁହାଇବ । ସ୍ୱଳ୍ପ ଦୂରତା ଯାତ୍ରା ପାଇଁ ଏହି ବ୍ୟବସ୍ଥା ସ୍ୱଳ୍ପ ବ୍ୟୟସାପେକ୍ଷ ହେବା ସହ ଏହା ସବୁଜ ପରିବେଶ ସୃଷ୍ଟି କରିପାରିବ ।

ଏହି ଅବସରରେ ଓଲାର ସିଓଓ ପ୍ରଣୟ ଜିବ୍ରାଜକ କହିଥିଲେ ଯେ, 

ନୂତନ ସବୁଜ କାରିଗରୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଇ-ରିକ୍ସା ମାଧ୍ୟମରେ ଓଲା ଷ୍ଟାର୍ଟଅପ ଇଣ୍ଡିଆ ଯୋଜନାକୁ ସାକାର କରିବା ପାଇଁ ଉଦ୍ୟମ କରିଛି । ଏହାଦ୍ୱାରା ଅନେକ ଇ-ରିକ୍ସା ଉଦ୍ୟୋଗୀ କର୍ମସଂସ୍ଥାନ ମଧ୍ୟ ପାଇପାରିବେ । ଆର୍ଥିକ ଅଭିବୃଦ୍ଧି ଓ ସହରୀକରଣ ଯୋଗୁଁ ଯେଉଁ ପରିବେଶ ସମସ୍ୟା ସୃଷ୍ଟି ହେଉଛି ଏହି ଇ-ରିକ୍ସା ଦ୍ୱାରା ଅନେକାଂଶରେ ଦୂର ହୋଇପାରିବ ବୋଲି ସେ କହିଥିଲେ ।

କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା ଏହି ଅବସରରେ କହିଥିଲେ ଯେ, 

ଉନ୍ନତ କାରିଗରୀ ଜ୍ଞାନକୌଶଳ ଓ ସୁଯୋଗ ଜରିଆରେ ଦେଶର ଜନସାଧାରଣଙ୍କୁ ଉତ୍ତମ ଜୀବିକା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଇ-ରିକ୍ସା ଏହାର ଏକ ଉଦାହରଣ । ଏହି ରିକ୍ସା ବ୍ୟବହାର ଦ୍ୱାରା ଚାଳକକୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଏହାଦ୍ୱାରା ଅନେକ ନୂତନ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ବୋଲି ସେ କହିଥିଲେ ।