ଯୁବ ସମାଜ ପାଇଁ ଶିକ୍ଷଣୀୟ ଉଦାହରଣ, ଭୁବନେଶ୍ୱରରେ ଦଙ୍ଗାକୁ ରୋକିଲେ ଗାଁ ମୁରବୀ

ଯୁବ ସମାଜ ପାଇଁ ଶିକ୍ଷଣୀୟ ଉଦାହରଣ, ଭୁବନେଶ୍ୱରରେ ଦଙ୍ଗାକୁ ରୋକିଲେ ଗାଁ ମୁରବୀ

Wednesday February 10, 2016,

4 min Read

ଜାତି, ଧର୍ମକୁ ନେଇ କିଛି ଲୋକ ଗଣ୍ଡଗୋଳ ଭିଆଇବାକୁ ଚାହୁଁଥିବା ବେଳେ ଆଉ କିଛି ଲୋକ ଯେ କୌଣସି ପରିସ୍ଥିତିରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ କରନ୍ତି | ସେମାନେ ଚାହାଁନ୍ତିନାହିଁ ଜାତି ଓ ଧର୍ମ ନାଁରେ ବିଭିନ୍ନ ସମୁଦାୟ ମଧ୍ୟରେ ହିଂସା ସୃଷ୍ଟି ହେଉ | ଏଥିରେ ସମସ୍ତଙ୍କର କେବଳ କ୍ଷତି ହିଁ କ୍ଷତି | ସମାଜର ଏଥିର କୌଣସି ଉନ୍ନତି ସାଧିତ ହୁଏ ନାହିଁ | ଏଇ ନିକଟରେ ସାମାନ୍ୟ କଥାକୁ ନେଇ ରାଜଧାନୀ ସହର ଭୁବନେଶ୍ୱର ପାଖରେ ଦୁଇ ସମୁଦାୟ ମଧ୍ୟରେ ହୋଇଥିବା ସୃଷ୍ଟି ଗଣ୍ଡଗୋଳକୁ ଗାଁର ମୁରବୀ ଶ୍ରେଣୀର ଲୋକମାନେ ହିଁ ସମାଧାନ କରିପାରିଛନ୍ତି | ଏଥିପାଇଁ ସେମାନଙ୍କୁ ସବୁ ଆଡୁ ପ୍ରଶଂସା ମିଳିଛି |

ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଓ ସରକନ୍ତରା ଗାଁ ମଧ୍ୟରେ ଗତ ଜାନୁୟାରୀ ୩୦ ତାରିଖରେ ଏକ ଛୋଟ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା | କିଛି ଦୋକାନ ଘର ମଧ୍ୟ ଭଙ୍ଗାରୁଜା ହୋଇଥିଲା |

ପଢନ୍ତୁ - ଦୁଇ ଦୃଷ୍ଟିହୀନଙ୍କ ଅଭିନବ ପ୍ରୟାସ, ଭିନ୍ନକ୍ଷମଙ୍କ ପାଇଁ କଲେ ବିବାହ ପୋର୍ଟାଲ୍

ଯଦୁପୁରରେ ସଂଖ୍ୟାଲଘୁ ଶ୍ରେଣୀର ଲୋକେ ବାସ କରୁଥିବାରୁ ଏହି ଉତ୍ତେଜନାକୁ କିଛି ଲୋକ ଦଙ୍ଗାର ରୂପ ଦେବାକୁ ଯୋଜନା କରିଥିବା ପୁଲିସ୍ ଓ ଗାଁର ମୁରବୀ ଜାଣିପାରିଥିଲେ | ତୁରନ୍ତ ପୁଲିସ୍ ଗାଁର ମୁରବୀ ଲୋକଙ୍କୁ ଡାକି ଏକ ଶାନ୍ତି କମିଟି ଗଠନ ପ୍ରସ୍ତାବ ଦେଲା ଓ ଏଥିରେ ଗଣ୍ଡଗୋଳର ସମାଧାନ ପାଇଁ ଚେଷ୍ଟା କରାଗଲା | ଅବଶ୍ୟ ଏହା ସେମାନଙ୍କ ପାଇଁ ଏତେ ସହଜ ନଥିଲା | କିନ୍ତୁ ଦୁଇ ସମୁଦାୟର ମୁରବୀ ଶ୍ରେଣୀୟ ଲୋକେ ଏଥିରେ ସଫଳ ହେଲେ ଓ ଗାଁରେ ଶାନ୍ତି ଫେରି ଆସିଲା |

image


ସରକନ୍ତରାର ଜଣେ ମୁରବୀ ତଥା ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ବାଳକୃଷ୍ଣ ସ୍ୱାଇଁ ଏ ବିଷୟରେ କହନ୍ତି,

ମୋତେ ୭୦ ଟପିଲାଣି | ମୋ ଜୀବନ କାଳ ଭିତରେ ଦୁଇ ଗାଁ ମଧ୍ୟରେ ଏମିତି କାଁ ଭାଁ ଗଣ୍ଡୋଗଳ ହୁଏ ଓ ସମାଧାନ ହୁଏ | ଏଥର କିନ୍ତୁ କିଛି ଲୋକ ଏହାକୁ ବଢେଇବାକୁ ଚାହୁଁଥିଲେ | ଶାନ୍ତି କମିଟି ମିଟିଂ ଶେଷ ହେଲା ବେଳକୁ କିଛି ଲୋକ ଦୋକାନ ଭଙ୍ଗାରୁଜା କଲେ | କିନ୍ତୁ ମୁଁ ଜାଣିଥିଲି ଦୁଇ ଗାଁର ମୁରବୀମାନେ ଶାନ୍ତି ଚାହାଁନ୍ତି | ଆମେ ବସି ନିଷ୍ପତ୍ତି ନେଲୁ | ଏବେ ସବୁ ଫଇସଲା ହୋଇଯାଇଛି |

ଏହି ଦୁଇ ଗାଁ କାହିଁ କିଛ କାଳରୁ ଏକାଠି ରହିଆସୁଛନ୍ତି | ଉଭୟ ଯାନିଯାତ୍ରାରେ ମଧ୍ୟ ସେମାନେ ଭାଗ ନେଇଥାନ୍ତି | କିନ୍ତୁ କିଛି ଯୁବ ଗୋଷ୍ଠୀ ମଧ୍ୟରେ କିଛିଟା ମନୋମାଳିନ୍ୟ ଯୋଗୁଁ ଏଭଳି ଗଣ୍ଡୋଗଳ ହେଉଛି | ତଥାପି ଏଥର ସମସ୍ତେ ଚାହିଁଛନ୍ତି, ଛୋଟ ଛୋଟ ପାଟିତୁଣ୍ଡ ଧର୍ମ ନାଁରେ ହିଂସାର ରୂପ ନ ନେଉ |

image


ଯଦୁପୁର ଗାଁର ସଭାପତି ସୟେଦ୍ ଜମସେଦ୍ ଅଲ୍ଲୀ କହିଛନ୍ତି,

ଗଣ୍ଡଗୋଳ ସମୟରେ ଆମର ଗାଁରେ ଏକ ବୈଠକ କରି ମୁଁ ଯୁବକମାନଙ୍କୁ କହିଦେଲି କେହି ଯେମିତି ଗଣ୍ଡଗୋଳ ନ କରନ୍ତି | କୌଣସି ବ୍ୟକ୍ତିଗତ ଗଣ୍ଡୋଗଳ ପାଇଁ ପୂରା ଗାଁଟା ଗଣ୍ଡଗୋଳ ପାଇଁ ବାହାରିବା ଠିକ୍ ହେବ ନାହିଁ | ଯଦି କାହା ସଙ୍ଗେ ଗଣ୍ଡଗୋଳ ହୁଏ, ତେବେ ଗାଁ କମିଟିକୁ ଜଣାଇବ | ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବ | ସେହି ଅନୁସାରେ କେହି ଗଣ୍ଡୋଗଳକୁ ବାହାରି ନାହାନ୍ତି |

ଗାଁରେ ଜାନୁୟାରୀ ୩୦ ଓ ୩୧ ଓ ଫେବୃୟାରୀ ୧ ଓ ୨ ତାରିଖରେ ଉତ୍ତେଜନା ଏମିତି ରହିଲା ଯେ ଦୁଇ ଗାଁ ପାଖ ବଜାରରେ ଦୋକାନ ବଜାର ବନ୍ଦ ରହିଲା | ପିଲାମାନେ ପାଠ ପଢିବାକୁ ଯାଇ ପାରିଲେ ନାହିଁ | ପୋଲିସ୍ ପଇଁତରା ଯୋଗୁଁ ଗାଁରେ ଭୟ ସୃଷ୍ଟି ହୋଇଥିଲା | ତେବେ ପୁଲିସ୍ ସଂଯମତାର ସହ ଗାଁ ମୁରବୀଙ୍କ ସହ ମିଶି ଏହି ପରିସ୍ଥିତିର ମୁକାବିଲା କରିଥିଲା ବୋଲି କହନ୍ତି ୫୫ ବର୍ଷିୟ ଶେଖ୍ ହାରୁନ୍ |

image


ସରକନ୍ତରା ଗାଁର ୭୨ ବର୍ଷିୟ ମୁରବୀ ଶ୍ରେଣୀୟ ଲିଙ୍ଗରାଜ ବୈଠାରୁ କହନ୍ତି,

ଧର୍ମକୁ ନେଇ ବିବାଦ ସୃଷ୍ଟି କରିବା ଓ ବିଭିନ୍ନ ସମୁଦାୟ ମଧ୍ୟରେ ହିଂସା ଭିଆଇବା ଆମ ସମ୍ବିଧାନ ବାରଣ କରିଛି | ଆମେ ପିଲାମାନଙ୍କୁ ବୁଝାଇଥିଲୁ | ହିଂସାରେ କୌଣସି ସମସ୍ୟାର ସମାଧାନ ନାହିଁ | ପୁଣି ଯଦୁପୁରର ଲୋକେ ପୂର୍ବରୁ ଆମର ଯାନିଯାତ୍ରାରେ ସାମିଲ ହୁଅନ୍ତି | ଶାନ୍ତିରେ ଆମେ ଚଳି ଆସିଛୁ | କିନ୍ତୁ ଦୁଇ ସମୁଦାୟର କିଛି ଲୋକଙ୍କ ଯୋଗୁଁ ମଝିରେ ମଝିରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି |

ଏହି ଘଟଣା ସମୟରେ ସେଠାକୁ ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁମାନ୍ ରାଇଟ୍ସ (ସିଏସଏଫଏଚଆର୍)ର ଏକ ପ୍ରତିନିଧି ଦଳ ସ୍ଥିତିର ଅନୁଧ୍ୟାନ କରିବାକୁ ଯାଇଥିଲା | ଏହି ସଂଗଠନର ଆବାହକ ତଥା ମାନବାଧିକାର କର୍ମୀ ଧୀରେନ୍ଦ୍ର ପଣ୍ଡା କହନ୍ତି,

ଲୋକଙ୍କ ମନରେ ଦଙ୍ଗା କଥା ପ୍ରଥମେ ଆସେନାହିଁ | କିଛି ଲୋକ ଏଥିପାଇଁ ସେମାନଙ୍କୁ ଉସୁକାନ୍ତି | ଏଠାରେ ମଧ୍ୟ ସେଇଆ ହୋଇଥିଲା | କିନ୍ତୁ ମୁରବୀ ଶ୍ରେଣୀର ଲୋକେ ଓ ଠିକ୍ ସମୟରେ ପୁଲିସର ହସ୍ତକ୍ଷେପ ଯୋଗୁଁ ସେଠାରେ ଅଧିକ ହିଂସାକୁ ରୋକାଯାଇପାରିଛି |

ବୟସ୍କ ଲୋକମାନେ କିଛି କରିପାରିବେ ନାହିଁ ବୋଲି ଭାବନା ରଖି କେତେକ ସେମାନଙ୍କୁ ହେୟ ମନେ କରନ୍ତି | କିନ୍ତୁ ବିପଦ ବେଳେ ସେମାନଙ୍କ ବୁଦ୍ଧି ଓ ପରାମର୍ଶ ହିଁ ବେଶ୍ କାମ ଦିଏ | ଯଦୁପୁର-ସରକନ୍ତରା ଗାଁରେ ଶାନ୍ତି ଫେରିବା ନେଇ ସେମାନଙ୍କ ଭୂମିକାରୁ ଏହା ସ୍ପଷ୍ଟ |

ଆଉ କିଛି ସମ୍ପର୍କିତ କାହାଣୀ -

1। ପୈତୃକ ଘର ବିକି କୋଟିଏ ଟଙ୍କାରେ ପ୍ରତିଷ୍ଠା କଲେ ହସ୍ପିଟାଲ୍, ଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଛନ୍ତି ହନୁମାନ ସହାୟ

2। ଡଙ୍ଗର ଜମିରେ ହସ ଫୁଟାଉଥିବା ଚାଷୀ କାନ୍ଦୁରୁ, ଅପାଠୁଆ ହୋଇ ମଧ୍ୟ ଅଭିନବ ପ୍ରୟାସ

3। ଅନାଥ ପିଲାଙ୍କ ଥଇଥାନ ପାଇଁ ପ୍ରେରିତ କରୁଛି ଡକ୍ୟୁମେଣ୍ଟାରୀ ଫିଲ୍ମ ‘ପରିଚୟ ସନ୍ଧାନରେ’