ଧୈର୍ଯ୍ୟରୁ ଶିକ୍ଷା: ଭାରତରେ ଦୀର୍ଘକାଳୀନ ଓ ଗୁରୁତର ବୃକକ ରୋଗ ମୁକାବିଲାରେ ଦୀପ ଚାନ୍ଦ ଡାୟାଲିସିସ ସେଣ୍ଟର

ଧୈର୍ଯ୍ୟରୁ ଶିକ୍ଷା: ଭାରତରେ ଦୀର୍ଘକାଳୀନ ଓ ଗୁରୁତର ବୃକକ ରୋଗ ମୁକାବିଲାରେ ଦୀପ ଚାନ୍ଦ ଡାୟାଲିସିସ ସେଣ୍ଟର

Monday November 02, 2015,

3 min Read

“ସ୍ଥିତାବସ୍ଥାରୁ ବାହାରିଯାଇ ଏମିତି କିଛି ଭାବ ଯାହା ଆଲୋଡନ ସୃଷ୍ଟି କରିବ, ନିଜ ଉତ୍କଣ୍ଠାକୁ ଭଲଭାବେ ଚିହ୍ନ, ଆଉ ତାପରେ ସଫଳତା ତୁମ ପଛରେ ଧାଇଁବ”- ଏହା ହିଁ ହେଉଛି ଅସୀମ ଗର୍ଗଙ୍କ ପାଇଁ ଜୀବନ ଦର୍ଶନ। ଏପରି ଏକ ଜୀବନ ଦର୍ଶନ ବୋଧହୁଏ ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟକର ମାନେ ହୋଇପାରେ। ସେଥିପାଇଁ ତ ଅସୀମ ଯେତେବେଳେ ପାରମ୍ପରିକ ଚିକିତ୍ସା ସେବାର ଚଉହଦୀରୁ ବାହାରି ଯାଇ ଅତ୍ୟାଧୁନିକ ଡାୟାଲିସିସ କ୍ଲିନିକ କରିବା ପାଇଁ ଚିନ୍ତା କଲେ, ଅନେକ ଏହାକୁ ବିଶ୍ଵାସ କରିପାରିଲେ ନାହିଁ। ମାତ୍ର ଅସୀମଙ୍କର ନିଜ ଚିନ୍ତାଧାରା ଉପରେ ଯଥେଷ୍ଟ ବିଶ୍ଵାସଥିଲା ଓ ସମସ୍ତ ସନ୍ଦେହକୁ ପଛରେ ପକାଇ ସେ ଦୀପ ଚାନ୍ଦ ଡାୟାଲିସିସ ସେଣ୍ଟର ପ୍ରତିଷ୍ଠା କଲେ।

image


ଅସୀମ ଗର୍ଗ ଆଇଟିଏମ ଗୁରଗାଁଓ ରେ ବାଣିଜ୍ୟ ପଢିବା ସହ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ବାଙ୍ଗାଲୋରରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ବ୍ୟବସାୟ ତାଙ୍କ ରକ୍ତରେ ଥିଲା। ତା ସହ କିଛି ନୂଆ କରି ଦେଖାଇବା ପାଇଁ ତାଙ୍କ ଭିତରେ ସବୁବେଳେ ଦୁର୍ବଳତା ଥିଲା। ଅସୀମଙ୍କର ପରିବାର ବିଭିନ୍ନ ସମାଜ ମଙ୍ଗଳକର କାର୍ଯ୍ୟ ଓ ସ୍ୱାସ୍ଥ୍ୟ ସେବା ସହ ଜଡିତ ଥିଲେ, ଏବଂ ଏହାକୁ ଅସୀମ ଉତ୍ତରାଧିକାର ସୂତ୍ରରେ ପାଇଥିଲେ। ଜେଜେବାପାଙ୍କ ନାମରେ ହିଁ ଅସୀମ ତାଙ୍କ ଡାୟାଲିସିସ ସେଣ୍ଟରକୁ ନାମିତ କରିଥିଲେ। ଆଉ ଏହି ସଂସ୍ଥା ଆରମ୍ଭ କରିବା ପୂର୍ବରୁ ଏହା ସହ ଜଡିତ ସମସ୍ତ ସମସ୍ୟାକୁ ଅସୀମ ଭଲ ଭାବେ ଅନୁଧ୍ୟାନ କରିଥିଲେ।

ବୃକକ(କିଡନୀ) ସମ୍ବନ୍ଧିତ ଦୀର୍ଘକାଳୀନ ରୋଗ ଗୁଡିକ ହେଉଛନ୍ତି ଭାରତୀୟମାନେ ସାମ୍ନା କରୁଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଅନ୍ୟତମ। ଏହି ରୋଗ ଗୁଡିକ ବୃକକର କାର୍ଯ୍ୟ କ୍ଷମତାକୁ ପ୍ରଭାବିତ କରିଥାଏ। ଏହାର ପ୍ରତିକାର ପାଇଁ ଆବଶ୍ୟକ ପଡୁଥିବା ଡାୟାଲିସିସ ଚିକିତ୍ସା ଅତ୍ୟନ୍ତ ବ୍ୟୟସାପେକ୍ଷ ଓ ସବୁଠାରେ ଉପଲବ୍ଧ ମଧ୍ୟ ନୁହେଁ।। ସେଥିପାଇଁ, ଏହି ରୋଗ ମାନଙ୍କ ଦ୍ଵାରା ଆକ୍ରାନ୍ତ ଲୋକ ମାନେ ସଠିକ ଡାୟାଲିସିସ ଚିକିତ୍ସା ପାଇ ପାରନ୍ତି ନାହିଁ। DCDCର ପ୍ରତିଷ୍ଠା ପୂର୍ବରୁ ଏହି ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ଆମେରିକା ଓ ଅନ୍ୟାନ୍ୟ ୟୁରୋପୀୟ ଦେଶର ଅତ୍ୟାଧୁନିକ ଡାୟାଲିସିସ କ୍ଲିନିକକୁ ଯିବାକୁ ପଡୁଥିଲା। ଏହି ସମସ୍ୟାକୁ ଅସୀମ ଭଲ ଭାବେ ବୁଝି ପଡ଼ିଥିଲେ ଓ ଏହାର ସମାଧାନ ପାଇଁ ନିଜର ଅତ୍ୟାଧୁନିକ ଡାୟାଲିସିସ କ୍ଲିନିକ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ।

image


ସମସ୍ୟାକୁ ଠିକ ଭାବେ ବୁଝିବା ଓ ନିଜର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ପାଇଁ ଅସୀମ ସିଙ୍ଗାପୁର ସ୍ଥିତ National Kidney Foundationରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। National Kidney Foundationଏସିଆ ମହାଦେଶର ସବୁଠାରୁ ଭଲ ଡାୟାଲିସିସ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରୁ ଗୋଟିଏ। National Kidney Foundationର ଅନୁଭୂତି ଅସୀମଙ୍କୁ ନିଜ ଅନୁଷ୍ଠାନ ଆରମ୍ଭ କରିବା ପାଇଁ ଅନେକ ସାହାଯ୍ୟ କରିଥିଲା। ଏହାପରେ ଅସୀମ ଭାରତ ଫେରିଥିଲେ। ଭାରତରେ ତାଙ୍କ ପାଇଁ ଅନ୍ୟ ସମସ୍ୟା ମାନେ ମଧ୍ୟ ଅପେକ୍ଷା କରି ବସିଥିଲେ। ନିବେଶକାରୀମାନେ ଅସୀମଙ୍କର ନୂଆ ଚିନ୍ତାଧାରାରେ ଅର୍ଥ ବିନିଯୋଗ କରିବା ପାଇଁ ସେତେ ଉତ୍ସାହୀ ନଥିଲେ। ଏପରିକି ଡାକ୍ତର ଓ ନର୍ସ ମାନେ ମଧ୍ୟ ଏପରି ଏକ ସଂସ୍ଥାରେ କାମ କରିବା ପାଇଁ ସହଜ ମନେ କରିନଥିଲେ। ତା ଛଡା ରୋଗୀମାନେ ଏକ ନୂଆ ସଂସ୍ଥା ଉପରେ ଏତେ ଶୀଘ୍ର ଓ ସହଜରେ ଆସ୍ଥା ଆଣି ପାରୁନଥିଲେ।

ଏ ସମସ୍ତ ପ୍ରତିକୂଳ ପରିସ୍ଥିତି କିନ୍ତୁ ଅସୀମଙ୍କୁ ବିଚଳିତ କରିପାରି ନଥିଲା। ସେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଦୃଢ ପରିକର ଥିଲେ। ନିଜ ବନ୍ଧୁ ଓ ପରିବାର ଲୋକଙ୍କ ଠାରୁ ଅର୍ଥ ନେଇ ଦୀପ ଚାନ୍ଦ ଡାୟାଲିସିସ ସେଣ୍ଟର ପ୍ରତିଷ୍ଠା କଲେ। ଏହାପରେ କିଛି ସମଧର୍ମା ଡାକ୍ତରଙ୍କୁ ନିଜ ସଂସ୍ଥା ସହ ଯୋଡି ହେବା ପାଇଁ ବୁଝାଇବାରେ ଅସୀମ ସଫଳ ହେଲେ। ଏହି ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଗଠିତ ଟିମ ଓ ଡ଼ିସିଡ଼ିସି କ୍ଲିନିକମାନଙ୍କର ଗୁଣାତ୍ମକ ସେବା ରୋଗୀମାନଙ୍କର ଧ୍ୟାନ ଆକର୍ଷଣ କରିବାରେ ସମର୍ଥ ହେଲା।

image


ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ, ଆଜି DCDCର ଅଠୋଟି କ୍ଲିନିକ ରହିଛି। ଏହି କ୍ଲିନିକମାନଙ୍କରେ ୮୦ଟି ଡାୟାଲିସିସ ଯନ୍ତ୍ର ରହିଛି ଓ ରୋଗୀ ମାନଙ୍କୁ ନିରନ୍ତର ସେବା ପ୍ରଦାନ କରୁଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ରୋଗୀମାନଙ୍କ ପାଇଁ ରିହାତିର ବ୍ୟବସ୍ଥା ମଧ୍ୟ ରହିଛି। ଏହି ରିହାତି ବ୍ୟବସ୍ଥା ଅର୍ଥନୈତିକ ଅନଗ୍ରସର ରୋଗୀ ମାନଙ୍କ ପାଇଁ ବଞ୍ଚିବାର ନୂଆ ରାହା ଦେଖାଉଛି।

DCDCର ଭବିଷ୍ୟତ ପ୍ରତିଶ୍ରୁତିମୟ। ପାରମ୍ପରିକ ମାଧ୍ୟମରୁ ବାହାରି ଯାଇ ଗୁଣାତ୍ମକ ସ୍ୱାସ୍ଥ୍ୟ ହେବା ଯୋଗାଇ ହେବ, ଏହି ଧାରଣାକୁ ପ୍ରମାଣିତ କରିବାରେ DCDC ସଫଳ ହେଇଛି। DCDC ଭାରତର ସ୍ୱାସ୍ଥ୍ୟ ସେବା ଦିଗବଳୟ ବିସ୍ତୀର୍ଣ କରିଛି। ବର୍ତ୍ତମାନ, ବିଭିନ୍ନ ଚିକିତ୍ସାଳୟ ସହ DCDC ବୁଝାମଣା କରିଛି। ଏହା ଫଳରେ ଉକ୍ତ ଚିକିତ୍ସାଳୟ ମଧ୍ୟରେ ସ୍ଵାଧୀନ DCDC କ୍ଲିନିକ ଖୋଲାଯାଇଛି।

ଆସନ୍ତା ତିନି ବର୍ଷ ମଧ୍ୟରେ 100ଟି କ୍ଲିନିକ ଖୋଲିବା ପାଇଁ ଅସୀମ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ପୁଞ୍ଜି ସନ୍ଧାନରେ ଅଛନ୍ତି। ଏହା ନିଶ୍ଚିତ ଯେ ଅସୀମଙ୍କର ଲକ୍ଷ୍ୟବହୁତ ବଡ, ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସେ ପାଇଥିବା ସଫଳତା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବାରେ ସମର୍ଥ ବୋଲି ପ୍ରମାଣିତ କରିସାରିଛି। କଠିନ ପରିଶ୍ରମ, ନିଷ୍ଠା ଓ ଉତ୍ସାହ ଯେ ସଫଳତାର ଚାବି କାଠି ଏହା ଅସୀମ ପ୍ରମାଣିତ କରିଛନ୍ତି।