ସଲୋନୀଙ୍କ ସଂଘର୍ଷର କାହାଣୀ, ଲୋକଙ୍କୁ କାମ ଦେବା ପାଇଁ ପ୍ରତିଷ୍ଠା କଲେ ପ୍ରଥମ ଗ୍ରାମୀଣ ବିପିଓ

0

ପାଠପଢା ପରେ କାମ ଅନ୍ୱେଷଣରେ ଗାଁରୁ ସହରକୁ ଯିବା ଏକ ସାଧାରଣ କଥା | ଦେଶ ସ୍ୱାଧିନ ହେବାର ଛଅ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଗାଁରେ ରୋଜଗାର ପାଇଁ ବହୁତ କମ୍ ସୁଯୋଗ ରହିଛି | ତେଣୁ ଗାଁରୁ ସହରକୁ ଆସୁଥିବା ଲୋକଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି | ଆଉ ଗ୍ରାମାଂଚଳର ବିକାଶରେ ଏହା ବାଧକ ସାଜୁଛି |

ଦିଲ୍ଲୀର ଜଣେ ୱେବ ଡିଜାଇନର୍ ସଲୋନୀ ମାଲହୋତ୍ରା ଏମିତି ଏକ ପ୍ରୟାସ କରିଥିଲେ ଯାହା ଏକ ଉଦାହରଣ ପାଲଟିଯାଇଥିଲା | ସଲୋନୀଙ୍କ ଉଦ୍ୟମ ଲୋକଙ୍କ ଭାବନା ବଦଳାଇଦେଇଥିଲା | କେବଳ ୨୩ ବର୍ଷ ବୟସରେ ସଲୋନୀ ତାମିଲନାଡୁର ଏକ ଗାଁରେ ଦେଶୀ କ୍ରୁ ନାମରେ ଏକ ବିପିଓ ଖୋଲିଲେ | ଆଉ କିଛି ବର୍ଷ ଭିତରେ ଏହା ଏକ ସଫଳ ବିପିଓ ଭାବେ ପ୍ରତିଷ୍ଠାଲାଭ କରିପାରିଲା | ଏହି ବିପିଓ ଜରିଆରେ ଗାଁରେ ରହି ଯୁବକମାନଙ୍କୁ କ୍ୟାରିୟର ଗଢିବାର ସୁଯୋଗ ମିଳିଥିଲା |

ଆରମ୍ଭ

ସଲୋନୀଙ୍କ ପିଲାଦିନ ଦିଲ୍ଲୀରେ କଟିଥିଲା | ଦ୍ୱାଦଶ ପର୍ଯ୍ୟନ୍ତ ସେ ଦିଲ୍ଲୀର ଏକ କନଭେଣ୍ଟ ସ୍କୁଲରେ ପଢିଥିଲେ | ଏହାପରେ ପୁନେର ଭାରତୀୟ ବିଦ୍ୟାପୀଠରେ ଇଂଜିନିୟର ପଢିଲେ | ଏହି ସମୟର ସେ ବିଭିନ୍ନ ଗ୍ରୁପ ସହ ସାମିଲ ହୋଇଥିଲେ | ଏଭଳିକି ସେ ଲିୟୋ ଗ୍ରୁପର ଅଧ୍ୟକ୍ଷା ଭାବେ ଗ୍ରାମାଂଚଳ ଲୋକଙ୍କ ବିକାଶ ପାଇଁ ଅନେକ କାମ କରିଥିଲେ | ଏହି ସମୟରେ ସେ ଅନେକ ନୂଆ ଅଭିଜ୍ଞତା ହାସଲ କରିଥିଲେ | କିଛି ଭଲ କାମ କରିବାର ସଂକଳ୍ପ ସେ ଏଇଠାରେ ହିଁ ନେଇଥିଲେ | ୟୋର ଷ୍ଟୋରୀକୁ ସେ କହନ୍ତି,

“ମୁଁ ନିଷ୍ପତ୍ତି ନେଲି – ଏମତି କିଛି କାମ କରିବି ଯାହା ଗ୍ରାମାଂଚଳ ସମ୍ବନ୍ଧୀୟ ହୋଇଥିବ | କି କାମ କଲେ ଗାଁର ଯୁବକ ଯୁବତୀମାନଙ୍କୁ ଫାଇଦା ମିଳିବ ? ଯେଉଁ କାମ କଲେ ମଧ୍ୟ ଅଭିଜ୍ଞତା ଓ ଅର୍ଥ ଆବଶ୍ୟକ | ତେଣୁ ଦିଲ୍ଲୀର ଏକ ୱେବ ଡିଜାଇନ୍ କମ୍ପାନୀରେ ଚାକିରି କଲି | ଲକ୍ଷ୍ୟ ଥିଲା ଯେ କମ୍ପାନୀ ଚଳାଇବାର କୌଶଳ ଶିଖିବା |”

ଇତିମଧ୍ୟରେ ତାଙ୍କର ସାକ୍ଷାତ ମାଡ୍ରାସ୍ ଆଇଆଇଟି ପ୍ରଫୋସର ଅଶୋକ ଝୁନଝୁନୱାଲାଙ୍କ ସହ ହେଲା | ସେ ସଲୋନୀଙ୍କୁ ବହୁତ ସାହାଯ୍ୟ କରିଥିଲେ | ଆଉ ୨୦୦୭ ମସିହା ୨ ଫେବୃୟାରୀରେ ସଲୋନୀ ଗ୍ରାମୀଣ ବିପିଓ ‘ଦେଶୀ କ୍ରୁ’ ଆରମ୍ଭ କଲେ | କାମ ପାଇଁ ସହର ପଳାଉଥିବା ରୋକିବା ହିଁ ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ |

ଦେଶୀ କ୍ରୁ ଯୁବକମାନଙ୍କୁ ରୋଜଗାର ଦେବା କାର୍ଯ୍ୟ କଲା | ଚେନ୍ନଇର କୋଲ୍ଲୁମଗୁଡୀ ଅଂଚଳରେ ଚାରିଜଣଙ୍କୁ ନେଇ ଅଫିସ୍ ଖୋଲାଗଲା | ମାଡ୍ରାସ ଆଇଆଇଟି ଓ ଅନ୍ୟ ଜଣେ ନିବେଶକ ‘ଦେଶୀ କ୍ରୁ’କୁ ଖୋଲିବା ପାଇଁ ଅର୍ଥ ସହଯୋଗ କରିଥିଲେ | ସଲୋନୀ ଚେନ୍ନଇର ସ୍ଥାନୀୟ ଭାଷା ଜାଣିନଥିଲେ | ସେଠାରେ ସେ ପୂରା ନୂଆ ଥିଲେ | ତେଣୁ ତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥିଲା | ତଥାପି ସେ ପଛକୁ ଚାହିଁ ନଥିଲେ | ସାହସର ସହ ଆଗକୁ ବଢିଥିଲୋ ଓ ଏବେ ଦେଶୀ କ୍ରୁ ସଫଳତାକୁ ଛୁଇଁଛି |

ବିସ୍ତାର

ଦେଶୀ କ୍ରୁ ତାମିଲନାଡୁରେ ଏବେ ୫ଟି ସେଂଟର ଖୋଲିଛି ଓ ଅନେକ ଯୁବକ ଯୁବତୀଙ୍କୁ ଏଠାରେ ରୋଜଗାର ମିଳିଛି | ଏହି ବିପିଓ ଆରମ୍ଭ ସମୟରେ କ୍ଲାଏଣ୍ଟମାନଙ୍କୁ ବୁଝାଇବା ଓ ସେମାନଙ୍କ ବିଶ୍ୱାସ ଜିତିବା ଥିଲା ବହୁତ ବଡ ଚ୍ୟାଲେଂଜ୍ | କାରଣ ଗ୍ରାମୀଣ ଅଂଚଳରେ ଇନଫ୍ରାଷ୍ଟ୍ରକଚର୍ ନଥିଲା | ପୁଣି ଗାଁର ଲୋକମାନେ କେବଳ ସ୍ଥାନୀୟ ଭାଷା ହିଁ ଜାଣିଥିଲେ | ଇଂରାଜୀ ଖୁବ୍ କମ୍ ଲୋକଙ୍କୁ ଆସୁଥିଲା | ତଥାପି ସଲୋନୀଙ୍କ ବିପିଓ ଉପରେ ଧୀରେ ଧୀରେ ସମସ୍ତେ ଭରସା କରିବାକୁ ଲାଗିଥିଲେ |

ଦେଶୀ କ୍ରୁ କର୍ମଚାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଏ | ଯେପରି ସବୁ ପରିସ୍ଥିତିରେ ସଫଳତାର ସହ କାମ କରିପାରିବେ | ଦେଶୀ କ୍ରୁ ତାମିଲନାଡୁ ଓ କର୍ଣାଟକର ବିଭିନ୍ନ କମ୍ପାନୀ ପାଇଁ ସେବା ଯୋଗାଇଆସୁଛି | ଏହା ବ୍ୟତୀତ ଅନ୍ୟ କିଛି କମ୍ପାନୀ ଏହା ସହିତ ସାମିଲ ହୋଇଛନ୍ତି | ଏମିତି ଅନେକ ବିପିଓ ଅଛନ୍ତି, ଯେଉଁମାନେ ଗ୍ରାମାଂଚଳ ଯୁବକ ଯୁବତୀମାନଙ୍କୁ ରୋଜଗାର ଦିଅନ୍ତି | କିନ୍ତୁ ଗ୍ରାମାଂଚଳରେ ଅଫିସ୍ ଖୋଲନ୍ତି ନାହିଁ | କିନ୍ତୁ ସଲୋନୀ ଗ୍ରାମାଂଚଳରେ ଅଫିସ୍ ଖୋଲି ଏକ ରିସ୍କ ଉଠାଇଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ |

ସଲୋନୀଙ୍କ ଆଇଡିଆ ବେଶ୍ ଭଲ ଚାଲିଛି | ତାଙ୍କ ବିପିଓ କେବଳ ଗାଁ ଲୋକଙ୍କୁ ନୁହେଁ, ଦେଶର ବହୁ ଲୋକଙ୍କୁ ଆକର୍ଷଣ କରିଛି | ଏଥିପାଇଁ ଅନେକ ସୋଲନୀଙ୍କୁ ଅନେକ ସମ୍ମାନ ମିଳିଛି | ୨୦୧୧ରେ ଟିଆଇଆଇ ଶ୍ରୀ ଶକ୍ତି ଆୱାର୍ଡ, ୨୦୦୮ରେ ଏମଟିବି ଯୁଥ୍ ଆଇକନ୍ ପାଇଁ ନାମାଙ୍କିତ ହୋଇଥିଲେ | ୨୦୦୮ରେ ଇ ଏଣ୍ଡ ୱାଇ ଏଣ୍ଟରପ୍ରନ୍ୟୋର୍ ଅଫ୍ ଦି ୟିଅର ପାଇଁ ମନୋନୀତ ହୋଇଥିଲେ | ୨୦୧୩ରେ ଗ୍ଲୋବାଲ୍ ସୋର୍ସିଂ କାଉନସିଲ୍ ଆୱାର୍ଡରେ ଦ୍ୱିତୀୟ ସ୍ଥାନ ମିଳିଥିଲା | ୨୦୦୯ରେ ଫିକି ଏଫଏଲ୍‌ଓ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ପୁରସ୍କୃତ ହୋଇଥିଲେ | ଏତେ କମ ବୟସରେ ଅନେକ ସଫଳତା ପାଇବା ବହୁତ ବଡ ଉପଲବ୍ଧି | ପ୍ରତିଷ୍ଠା ହେବାର କିଛି ବର୍ଷ ମଧ୍ୟରେ ଦେଶୀ କ୍ରୁ ଦଶ ଗୁଣା ବିସ୍ତାର କରିଯିବା ଏକ ରେକର୍ଡ |

Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories