ଗରିବ କୃଷକ ପରିବାରର ପିଲା ଆଜି ମୁମ୍ବାଇର ବଡ଼ ପୋଲିସ ଅଧିକାରୀ
Tuesday February 28, 2017,
2 min Read
ମୁମ୍ବାଇରେ ଅବସ୍ଥାପିତ ଆଇପିଏସ୍ ଅଫିସର ପ୍ରତାପ ଆର୍ ଦିଘାଭକର୍ଙ୍କର ଏକ ଗରିବ କୃଷକ ପରିବାରର ପିଲାରୁ ଆଇପିଏସ୍ ଅଫିସର ହେବାର କାହାଣୀ ଖୁବ୍ ପ୍ରେରଣାଦାୟୀ। ନିଜ ସମ୍ପର୍କରେ ପ୍ରତାପ କହନ୍ତି,
ପିଲାଟି ବେଳରୁ ହିଁ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରିବାର ବହୁ ସ୍ୱପ୍ନ ଦେଖିଥିଲି। ଏହି ସ୍ୱପ୍ନ, ଇଚ୍ଛା ଓ ଆଗ୍ରହ ବଳରେ ମୁଁ ଜଣେ ଆଇପିଏସ୍ ଅଫିସର ଭାବେ ଛିଡ଼ା ହୋଇଛି, ଯାହାକୁ ନେଇ ବହୁ ଗର୍ବ ଅନୁଭବ କରୁଛି।
ମୁଁ ନାସିକ୍ର ଲିତାନିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲି। ସେଠାରେ ଥିବା ପ୍ରାଇମେରି ସ୍କୁଲରୁ ପାଠପଢ଼ା ଜୀବନ ଆରମ୍ଭ କରିଥିଲି। ଥରେ ଗାଁ ପଡ଼ିଆରେ ଖେଳୁଥିବା ସମୟରେ ଆକାଶରେ ଉଡାଜାହାଜ ଉଡ଼ିବାର ଦେଖି ମା’ଙ୍କୁ ପଚାରିଲି ଏହି ଉଡାଜାହାଜଟି କାହାର କିଏ ଏହାର ମାଲିକ? ମୋର ମାଆ ଗୋଟିଏ ଶବ୍ଦରେ ଉତ୍ତର ଦେଇଥିଲେ, ପୁଅ ଏହା ହେଉଛି ସରକାରଙ୍କର। ସେହିଦିନ ଠାରୁ ସରକାରଙ୍କ ଜଣେ କର୍ମଚାରୀ ହୋଇ କାମ କରିବି ବୋଲି ମନରେ ଶପଥ ନେଇଥିଲି।
ପାଠପଢ଼ିବା ସହିତ ବାପାଙ୍କ ସହ ବିଲକୁ ଯାଏ କାମ କରିବାକୁ। ତେବେ ଏସ୍ଏସ୍ସି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀନ୍ନ ହେଲା ପରେ ଯୁକ୍ତଦୁଇ ପାଠପଢ଼ିବା ପାଇଁ କଲେଜରେ ନାମ ଲେଖାଇଲି। ଆମ ଗ୍ରାମ ଠାରୁ କଲେଜର ଦୂରତା ପ୍ରାୟ ୨୩ କିଲୋମିଟର। ମୁଁ ଯେତେ କଷ୍ଟ ହେଲେ ବି ଗୋଟିଏ ଦିନ ବି କ୍ଲାସ୍ ମିସ୍ କରେ ନାହିଁ। କଲେଜରେ ୮୬ ପ୍ରତିଶତ ରଖି ପାସ୍ ହେଲାପରେ ବାପା ଆଉ ପଢ଼ା ଖର୍ଚ୍ଚ ଦେଇ ପାରିବେ ନାହିଁ ବୋଲି କହି ପାଠପଢ଼ା ବନ୍ଦ କରିଦେଲେ। କହିଲେ ଯେତିକି ପଢ଼ିଲୁ ସେତିକି ଥାଉ, ମୋର ବୟସ ହେଲାଣି ମୁଁ ଆଉ ଜମିରେ ଖଟି ପାରୁ ନାହିଁ, ଜମିକୁ ଚାଲ ମୋତେ ସାହାଯ୍ୟ କରିବୁ। ବାପାଙ୍କ କଥାକୁ ବାରଣ ତ କରି ପାରିଲି ନାହିଁ କି ନିିଜ ପାଠପଢ଼ା ଇଚ୍ଛାକୁ ତାଙ୍କ ପାଖରେ ପ୍ରକାଶ କରି ପାରିଲି ନାହିଁ।
ଏକଦା ମା’ଙ୍କ ଠାରୁ ୩୫୦ ଟଙ୍କା ନେଇ ସହରକୁ ଚାଲି ଆସିଲି। ସେଠାରେ କଲେଜ ଯିବା ସହିତ ଟ୍ୟୁସନ୍ ବି କଲି। ଟ୍ୟୁସନ୍ରୁ ଯେତିକି ପାରିଶ୍ରମିକ ପାଏ, ତାହାକୁ ସଞ୍ଚୟ କରି ରଖିଥାଏ । ସେହି ଟଙ୍କାରେ ଗ୍ରାଜୁଏସନ୍ ପାଠ ପଢ଼ିଲି। ଶେଷରେ ୧,୨୫୦ ଟଙ୍କାରେ ମୋର ଗ୍ରାଜୁଏସନ୍ ଶିକ୍ଷା ଶେଷ ହୋଇଥିଲ। ୨୨ ବର୍ଷ ବୟସରେ ଭଗବାନଙ୍କ କୃପାରୁ ଆସିଷ୍ଟାଣ୍ଟ କମିସନ୍ର୍ ପୋଷ୍ଟ ପାଇଁ ଦେଇଥିବା ପରୀକ୍ଷାରେ ସଫଳ ହୋଇଥିଲି। ଏହା ମୋ ଜୀବନର ସବୁଠାରୁ ବଡ ସଫଳତା ଓ ଖୁସିର ଦିନ ଥିଲା।
ଏହାପରେ ବି ମୁଁ ପାଠପଢ଼ା ଜାରି ରଖିଥାଏ, ମୋର ହାତକୁ ପ୍ରଥମ କେସ୍ ୧୯୯୩ ମସିହାରେ ଆସିଥିଲା, ଯାହାକି ଏକ ବମ୍ବବ୍ଲାଷ୍ଟ ମାମଲାର ଥିଲା। ତେବେ ୨୦୦୦ ମସିହାରେ ଆଇପିଏସ୍ ଭାବେ କାର୍ଯ୍ୟଭାର ସମ୍ଭାଳି ଥିଲି। ଆଇପିଏସ୍ ଅଫିସର ହେଲା ପରେ ଆମ ଗ୍ରାମରେ ଏକ ସ୍କୁଲ ନିର୍ମାଣ କରିଥିଲି। ମୋ କାମ ପାଇଁ ମୋତେ ବନଶ୍ରୀ ଆଓ୍ଵାର୍ଡ ଓ ଇନ୍ଦିରା ପ୍ରିୟଦର୍ଶିିନୀ ଆଓ୍ଵାର୍ଡରେ ସାମ୍ମାନିତ କରାଯାଇଛି।