ଜୟପୁରରେ ୧୩ ବର୍ଷ ହେଲା ଚାଲିଛି ଅଭିନବ ଅଭିଯାନ: ମଦ ନୁହେଁ ଦୁଗ୍ଧ ପିଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ସହରବାସୀ

ଜୟପୁରରେ ୧୩ ବର୍ଷ ହେଲା ଚାଲିଛି ଅଭିନବ ଅଭିଯାନ: ମଦ ନୁହେଁ ଦୁଗ୍ଧ ପିଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ସହରବାସୀ

Wednesday January 06, 2016,

3 min Read

ନୂଆ ବର୍ଷ ପାଳନ କରିବା ନାଁରେ ଅନେକ ଲୋକ ମଦ ଓ ଅନ୍ୟାନ୍ୟ ନିଶାରେ ଚୁର ହୁଅନ୍ତି | କିନ୍ତୁ ରାଜସ୍ଥାନର ରାଜଧାନୀ ତଥା ପିଙ୍କ୍ ସିଟି(ଗୋଲାପ ନଗରୀ) କୁହାଯାଉଥିବା ଜୟପୁରରେ ଅଲଗା ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଉଦ୍ୟମ ଚାଲିଛି | ଏହି ଅଭିଯାନର ସ୍ଲୋଗାନ ହେଉଛି “ମଦ ନୁହେଁ, କ୍ଷୀର ପିଇ ନବବର୍ଷକୁ ସ୍ୱାଗତ କରନ୍ତୁ”| ୧୩ ବର୍ଷ ପୂର୍ବରୁ ୫୦୦ ଲିଟର କ୍ଷୀରରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା | ବର୍ତ୍ତମାନ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ସହରର ଗଳିକନ୍ଦିରେ ଏଭଳି ଆୟୋଜନ ସବୁ ଦେଖିବାକୁ ମିଳୁଛି | ରାଜସ୍ଥାନରେ ମଦ ବିରୋଧରେ ଅନେକ ଆନ୍ଦୋଳନ ହୋଇଛି | ରାଜସ୍ଥାନର ଗାନ୍ଧୀ ଭାବେ ପରିଚିତ ଗୋକୂଳ ଭାଇ ଭଟ୍ଟ, ସିଦ୍ଧରାଜ ଢଢାଙ୍କ ଭଳି ସ୍ୱାଧିନତା ସଂଗ୍ରାମୀ ମଦ ନିଷିଦ୍ଧ କରିବା ପାଇଁ ଆଜୀବନ ସଂଘର୍ଷ କରିଥିଲେ | ଜନତା ପାର୍ଟିର ପୂର୍ବତନ ବିଧାୟକ ଗୁରୁଶରଣ ଛାବଡା ଆମରଣ ଅନଶନ ଏଇ ନିକଟରେ ପ୍ରାଣ ହରାଇଲେ | ବସ୍ତିଅଂଚଳରେ ମଦ ଯୋଗୁଁ ସବୁ ହରାଇଥିବା ବିଧବା ମହିଳା ଓ ପିଲାମାନଙ୍କ ଅବସ୍ଥା ଆଜି ବି ଦେଖିବାକୁ ମିଳୁଛି | ତଥାପି ଜୟପୁର ସହରରେ ନୂଆ ବର୍ଷରେ ମଦ ଛାଡିବା ପାଇଁ ଏହା ଏକ ଅଭିନବ ପ୍ରୟାସ |

image


ଏକ ଦଶନ୍ଧିରୁ ଅଧିକ ସମୟ ହୋଇଗଲାଣି | କିଛି ସର୍ବୋଦୟ ଅନୁଷ୍ଠାନ ଓ ଛାତ୍ରଛାତ୍ରୀମାନେ ଏହି ଅଭିନବ ସାସ୍କୃତିକ ଉଦ୍ୟମ କରିଥିଲେ | ଯାହା ଏକ ଅଭିଯାନର ରୂପ ନେଇପାରିଛି | ଗୋଟିଏ ଭଲ କାମ କିଭଳି ଜନ ସମର୍ଥନ ହାସଲ କରେ, ଏହା ହେଉଛି ତାହାର ଉଦାହରଣ | ଏଥିପାଇଁ ନିସ୍ୱାର୍ଥ ଦୃଢତା ଓ ଅବିଚଳିତ ମନୋଭାବର ଆବଶ୍ୟକତା ରହିଛି |

“ମଦ ନୁହେଁ, କ୍ଷୀର ପିଇ ନବ ବର୍ଷକୁ ସ୍ୱାଗତ”ଆଉ କେବଳ କୌଣସି ଗାନ୍ଧୀବାଦୀ କିମ୍ବା ନୈତିକବାଦୀମାନଙ୍କର ସ୍ଲୋଗାନ ହୋଇ ନାହିଁ | ଜୟପୁରର ପ୍ରତ୍ୟେକ ଗଳିକନ୍ଦି, ମୁଖ୍ୟ ରାସ୍ତା ଓ ଛକମାନଙ୍କରେ ଏ ସମ୍ପର୍କିତ ବ୍ୟାନର ଦେଖିବାକୁ ମିଳୁଛି | ଯୁବକ ଯୁବତୀ, ଛାତ୍ରଛାତ୍ରୀ ସମସ୍ତେ ଏହି ବାର୍ତ୍ତା ପ୍ରଚାର କରୁଛନ୍ତି | ସମସ୍ତଙ୍କ ମୁହଁରେ ଗୋଟିଏ କଥା – ମଦ କରେ ନଷ୍ଟ, କ୍ଷୀର କରେ ହୃଷ୍ଟପୁଷ୍ଟ |

image


୧୩ ବର୍ଷ ପୂର୍ବେ ଏ ସ୍ଥିତି ନଥିଲା | ସେତେବେଳେ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ବାହାରେ ମଦ ନିଶାରେ ମସଗୁଲ୍ ଯୁବକମାନଙ୍କ ଯୋଗୁଁ ପାଖରାସ୍ତାରେ ଯିବାକୁ ଲୋକେ ଡରୁଥିଲେ | ଏଭଳି ପରିସ୍ଥିତିରେ ସନ୍ଥ ବିନୋବା ଦ୍ୱାରା ପ୍ରତିଷ୍ଠିତ ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ତତ୍କାଳୀନ ମହାସଚିବ ଧର୍ମବୀର କଟେବା ଓ ଅନ୍ୟ ସର୍ବୋଦୟ କର୍ମୀମାନେ ଯୁବକମାନଙ୍କୁ ନିଶା କବଳରୁ ମୁକ୍ତ କରିବା ପାଇଁ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ |

image


ଗାନ୍ଧୀ ବିଚାରଧାରା ଓ ନିଶା ବିରୋଧୀ ସଚେତନତା ଆନ୍ଦୋଳନ ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ | ବ୍ରିଟିଶ ଭାରତର ଏକ ଅଂଶ ନଥିଲା ରାଜସ୍ଥାନ | ଏହା ଏକ ସାମନ୍ତବାଦୀ ପ୍ରଦେଶ ଥିଲା | ଯେଉଁଠାରେ ରାଜକୀୟ ଭୋଜନରେ ଅଫିମ ଚାଟିବା ଲାଗି ଦିଆଯାଉଥିଲା, ଯାହାକୁ ରାଜବଂଶୀମାନେ ନିଜର ଗୌରବ ବୋଲି ଭାବୁଥିଲେ | ସ୍ୱାଧିନତା ଆନ୍ଦୋଳନ ବ୍ରିଟିଶ ଭାରତରେ ହିଁ ସିମୀତ ଥିଲା | ତେଣୁ ରାଜସ୍ଥାନରେ ସ୍ୱାଧିନତା ସଂଗ୍ରାମ ସଚେତନତା ବିଭିନ୍ନ ସାମାଜିକ ଓ ରଚନାତ୍ମକ କାର୍ଯ୍ୟ ରୂପେ ଆରମ୍ଭ ହୋଇଥିଲା | ଯେମିତିକି ଖଦୀ, ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ଦଳିତ ବିକାଶ, ଶିକ୍ଷାର ପ୍ରଚାର ପ୍ରସାର ଓ ସାମନ୍ତବାଦ ବିରୋଧରେ କୃଷକ ଓ ଆଦିବାସୀଙ୍କ ଆନ୍ଦୋଳନ ଆଦି ପ୍ରମୁଖ ଥିଲା | ଧର୍ମବୀର ମଧ୍ୟ ଗାନ୍ଧୀବାଦକୁ ବିଶ୍ୱାସ ରଖୁଥିବା ଓ ସାମନ୍ତବାଦ ବିରୋଧରେ ସ୍ୱର ଉଠାଇଥିବା ଏକ ପରିବାରରୁ ଆସିଥିଲେ |

image


ଏବେ ଏହି ଅଭିଯାନକୁ ଆଗକୁ ବଢାଉଛନ୍ତି ରାଜସ୍ଥାନ ବିଶ୍ୱବିଦ୍ୟାଳୟର ଛାତ୍ରନେତା ମହେନ୍ଦ୍ର ଶର୍ମା | ସେ ଯୁବକମାନଙ୍କ ମଧ୍ୟରେ ଜନଚେତନା, ଚରିତ୍ର ନିର୍ମାଣ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ରାଜସ୍ଥାନ ଯୁବାଛାତ୍ର ସଂସ୍ଥା ପ୍ରତିଷ୍ଠା କଲେ | ଏହି ସଂଗଠନ ଇଣ୍ଡିଆନ୍ ଅସ୍ଥମା ସୋସାଇଟି ସହ ମିଶି ବିଶ୍ୱବିଦ୍ୟାଳୟ ଗେଟ୍ ପାଖରେ ଷ୍ଟଲ ଲଗାଇଛନ୍ତି | ମଦ ନୁହେଁ, ଦୁଗ୍ଧ ପିଇ ନବ ବର୍ଷକୁ ସ୍ୱାଗତ କରିବା ପାଇଁ ଏଠାରେ ପ୍ରଚାର କରାଯାଉଛି |

ୟୋରଷ୍ଟାରୀକୁ ମହେନ୍ଦ୍ର କହନ୍ତି,

"ସେତେବେଳେ ଲୋକଙ୍କୁ ବୁଝାଇସୁଝାଇ କ୍ଷୀର ପିଇବାକୁ କୁହାଯାଉଥିଲା | ପ୍ରଥମ ଥର ୩୦୦ ଲିଟର ଦୁଗ୍ଧ ପିଇବା ମଧ୍ୟ କଷ୍ଟକର ହେଉଥିଲା | କିନ୍ତୁ ଏବେ ୨୦ ହଜାର ଗ୍ଲାସରୁ ଅଧିକ ଦୁଗ୍ଧ ଲୋକେ ପିଉଛନ୍ତି | ପୁଣି ପ୍ରତିବର୍ଷ ୫୦୦ ଲିଟର ଅଧିକ ଦୁଗ୍ଧ ଦରକାର ପଡୁଛି | ଲୋକ ପ୍ରତିନିଧିମାନେ ଦଳମତ ନିର୍ବିଶେଷରେ ଏହି ଅଭିଯାନରେ ସାମିଲ ହେଉଛନ୍ତି | ଏବେ ତ ରାଜସ୍ଥାନ କୋପରେଟିଭ୍ ଡାୟରୀ ଫେଡେରେସନ୍ ଏହି ଅଭିଯାନରେ ସହଯୋଗୀ ଭାବେ ରହୁଛି | ଏହା ବ୍ୟତୀତ ବ୍ୟବସାୟୀ ସଂଘ, ବିଭିନ୍ନ ବଜାର କମିଟି, ନାଗରିକ ସଂଗଠନ ମଧ୍ୟ ୩୧ ଡିସେମ୍ବର ସଂଧ୍ୟା ଠାରୁ ୧ ଜାନୁୟାରୀ ପର୍ଯ୍ୟନ୍ତ କ୍ଷୀର ବାଣ୍ଟି ଚାଲିଛନ୍ତି |"

ମଦୁଆଙ୍କ ଭୟରେ ଅନେକ ଯାଗାରେ ଝିଅମାନେ ନବବର୍ଷ ପାଳନ ପାଇଁ ଘରୁ ବାହାରି ନଥାନ୍ତି | କିନ୍ତୁ ଏହି ଅଭିଯାନ ଜୟପୁର ସହରକୁ ଏଭଳି ବଦଳାଇଦେଇଥିଲା ଯେ ଝିଅମାନେ ମଧ୍ୟ ନବବର୍ଷ ପାଳନ କରିବାକୁ ଏହି ଅଭିଯାନରେ ସାମିଲ ହୋଇଥିଲେ |

ଯୁବଛାତ୍ରମାନଙ୍କ ଏହି ପ୍ରୟାସ ନିଶା ନିବାରଣ ଆନ୍ଦୋଳନ କ୍ଷେତ୍ରରେ ଏକ ସଫଳ ଉଦ୍ୟମ | କାରଣ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ପ୍ରଚୁର ମଦ ବିକ୍ରି ହୋଇଥାଏ | ଯାହା ଅନ୍ୟଦିନ ମାନଙ୍କରେ ଦେଖାଯାଇନଥାଏ | ତେଣୁ କ୍ଷୀର ପିଇ ନବ ବର୍ଷକୁ ସ୍ୱାଗତ କରିବା ଅଭିଯାନ ମଦପାନରୁ ଅନେକଙ୍କୁ ମୁକ୍ତ କରିଛି |

ମୂଳ ଲେଖା - କମଲ ସିଂ

ଭାଷାନ୍ତର - ଅଖଣ୍ଡ