ବସ୍ତି ଶିଶୁଙ୍କୁ ଶିକ୍ଷାର ଆଲୋକ ଦେଖାଉଛନ୍ତି କଟକର ଚା’ ଦୋକାନୀ

ବସ୍ତି ଶିଶୁଙ୍କୁ ଶିକ୍ଷାର ଆଲୋକ ଦେଖାଉଛନ୍ତି କଟକର ଚା’ ଦୋକାନୀ

Wednesday January 13, 2016,

3 min Read

image


ତାଙ୍କର ଇଛା ଥିଲା ପାଠ ପଢ଼ିବାକୁ । କିନ୍ତୁ ବାପାଙ୍କ ବାରଣ ମାନି ପିଲାଟି ବେଳୁ ସେ ଚା’ ବିକିବା ଆରମ୍ଭ କଲେ । ତେବେ ଶିକ୍ଷାର ଅଭାବକୁ ଅଙ୍ଗେ ନିଭେଇଥିବା ଡି ପ୍ରକାଶ ରାଓ ଏବେ ଶିକ୍ଷାରୁ ବଞ୍ଚିତ ଗରିବ ଶିଶୁମାନଙ୍କ ପାଇଁ ପାଲଟିଛନ୍ତି ଦେବଦୂତ । ଚା’ ବ୍ୟବସାୟର ଅର୍ଦ୍ଧାଧିକ ଲାଭାଂଶ ସେ ବସ୍ତି ଶିଶୁଙ୍କ ପାଠ ପଢ଼ା ପଢ଼ାରେ ବ୍ୟୟ କରୁଛନ୍ତି । କେବଳ ସେତିକି ନୁହେଁ ଗରିବ ରୋଗୀଙ୍କୁ ସାହାଯ୍ୟ କରିବା ପ୍ରକାଶଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ।

image


ସକାଳେ ଚା’ ବିକ୍ରି, ଦିନରେ ଶିକ୍ଷକ

କଟକର ଜନଗହଳି ଅଞ୍ଚଳ ବକ୍ସିବଜାରରେ ପ୍ରକାଶ ରାଓଙ୍କର ରହିଛି ଛୋଟ ଚା’ ଦୋକାନ । ତାଙ୍କ ବାପା ଦ୍ୱିତୀୟ ବିଶ୍ୱଯୁଦ୍ଧ ସୈନିକ ଥିଲେ ଓ ପରେ କଟକରେ ଚା’ ଦୋକାନ ଖୋଲିଥିଲେ । ୧୯୭୬ ମସିହାରୁ ପ୍ରକାଶ ସେଠାରେ ଚା’ ବିକ୍ରି କରୁଛନ୍ତି । ନିଜେ ଅଧିକ ପାଠ ପଢ଼ି ନଥିବା ପ୍ରକାଶ ଶିକ୍ଷାର ମହତ୍ତ୍ୱକୁ କିନ୍ତୁ ବେଶ୍‍ ବୁଝିଛନ୍ତି । ନିଜେ ରହୁଥିବା ବସ୍ତିରେ ସେ ଖୋଲିଛନ୍ତି ଏକ ବିଦ୍ୟାଳୟ । ଏଠାରେ ନର୍ସରୀରୁ ୩ୟ ଶ୍ରେଣୀ ଯାଏଁ ଶିକ୍ଷାଦାନ ଦିଆଯାଉଛି । ସକାଳେ ଚା’ ବିକ୍ରି ସାରି ଦିନବେଳା ସେ ପିଲାମାନଙ୍କୁ ପାଠ ପଢ଼ାନ୍ତି । କେବଳ ସେତିକି ନୁହେଁ । ତାଙ୍କ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ସେହି ପିଲାଙ୍କୁ ସେ ସରକାରୀ ସ୍କୁଲରେ ନାମ ଲେଖାଇଦେବା ସହ ସେମାନଙ୍କର ପଢ଼ାଖର୍ଚ୍ଚ ବି ତୁଲାଉଛନ୍ତି । ବର୍ତ୍ତମାନ ୭୦ ପିଲାଙ୍କ ପାଠପଢ଼ା ବୋଝ ନିଜ ମୁଣ୍ଡକୁ ନେଇଛନ୍ତି ପ୍ରକାଶ ରାଓ ।

image


ଆଗ ପେଟ, ତା’ ପରେ ପାଠ

ପ୍ରକାଶଙ୍କ ବିଦ୍ୟାଳୟକୁ ଆସୁଥିବା ପିଲାମାନଙ୍କ ମଧ୍ୟରୁ କେତେକ ଅତ୍ୟନ୍ତ ଦରିଦ୍ର ପରିବାରରୁ ଆସିଥାନ୍ତି । ଉପଯୁକ୍ତ ଖାଦ୍ୟ ଓ ପୋଷଣ ଅଭାବ ସେମାନଙ୍କର ପାଠପଢ଼ାକୁ ପ୍ରଭାବିତ କରୁଛି ବୋଲି ପ୍ରକାଶ ଅନୁଭବ କରନ୍ତି। ଏଣୁ ସେମାନଙ୍କୁ ନିଜ ଚା’ ଦୋକାନରେ ପ୍ରତ୍ୟହ ସକାଳେ ଗୋଟିଏ ଗ୍ଲାସ କ୍ଷୀର ସାଙ୍ଗକୁ ବିସ୍କୁଟ ଖୁଆଇବାର ପ୍ରବନ୍ଧ କରିଛନ୍ତି ପ୍ରକାଶ । ନିଜେ ଭିଟାମିନ ଅଭାବରୁ ଏକଦା ପକ୍ଷାଘାତ ଅବସ୍ଥାକୁ ଚାଲିଯାଇଥିବା ପ୍ରକାଶ ନିଜର ପିଲାମାନଙ୍କୁ ସେଭଳି ହେବାକୁ ଦେବେନାହିଁ ବୋଲି କହନ୍ତି ।

image


ରକ୍ତଦାନ ଓ ରୋଗୀସେବା

୧୯୭୮ରେ ଟ୍ୟୁମର ରୋଗରେ ପିଡ଼ୀତ ହୋଇ କଟକ ଏସସିବି ହସ୍ପିଟାଲରେ ପଡ଼ିଥିଲେ ପ୍ରକାଶ ରାଓ । ସେ ନିଜେ ଯଦିଓ ସୁସ୍ଥ ହୋଇ ଘରକୁ ଫେରିଥିଲେ, ଡାକ୍ତରଖାନାରେ ବହୁ ରୋଗୀ ରକ୍ତ ଅଭାବରୁ ମରୁଥିବା ସେ ଦେଖିବାକୁ ପାଇଥିଲେ । ପ୍ରକାଶ କହନ୍ତି, ‘ଏହା ହିଁ ତାଙ୍କୁ ରକ୍ତଦାନ ପାଇଁ ପ୍ରେରଣା ଦେଇଥିଲା ।’

ପ୍ରକାଶଙ୍କ ସହ ତାଙ୍କ ସ୍ତ୍ରୀ ମଧ୍ୟ ରକ୍ତଦାନ କରନ୍ତି । ଏହା ଭିନ୍ନ ତାଙ୍କ ସହ ପ୍ରାୟ ୨୦ ଜଣ ଯୁବକ ଏ ମହତ କାର୍ଯ୍ୟ ପାଇଁ ଅଣ୍ଟା ଭିଡ଼ିଛନ୍ତି । କାହାର ରକ୍ତ ଦରକାର ତ କେଉଁ ଶିଶୁ ପାଇଁ ବ୍ଲଡ୍‍ ପେଲେଟ୍‍ ଆବଶ୍ୟକ, ଏଥିପାଇଁ ପ୍ରକାଶଙ୍କୁ ଖୋଜାପଡେ଼ । ଚା’ ଦୋକାନରେ ଗ୍ରାହକଙ୍କ ସହ ବ୍ୟସ୍ତ ଥିବା ବେଳେ ଜରୁରୀ ରକ୍ତ ପାଇଁ ତାଙ୍କ ଫୋନକୁ କଲ୍‍ ଆସେ । ପ୍ରକାଶ ନିଜେ ଅଣ୍ଟାଭିଡ଼ି ଏସ୍‍ସିିବି ବାହାରି ପଡ଼ନ୍ତି, ନହେଲେ ନିଜ ଯୁବ ବ୍ରିଗେଡ୍‍ଙ୍କୁ ଫୋନ ଲଗାନ୍ତି । ସେ ନିଜେ ଏଯାବତ ୧୯୨ ଜଣଙ୍କୁ ରକ୍ତଦାନ କରିସାରିଲେଣି ବୋଲି କହନ୍ତି ପ୍ରକାଶ ।

image


ବକ୍ସିବଜାରରେ ପ୍ରକାଶଙ୍କ ହସହସ ମୁହଁ ଆଉ ସେବା ମନଭାବ ତାଙ୍କ ଚା’ର ସ୍ଵାଦକୁ ଆପେ ବଢ଼ାଇଦେଇଛି । ଆଉ ଏଇ ନିଆରା ସ୍ଵାଦର ମଜାନେଇ ପରୋକ୍ଷରେ ପ୍ରକାଶଙ୍କ ମହତ କାମରେ ସହଯୋଗ କରିବାକୁ ଚଟକିଆ ଗ୍ରାହକମାନେ ବି ବକ୍ସିବଜାର ଚା’କୁ ବେଶ୍‍ ଗୁରୁତ୍ୱ ଦେନଇଥାନ୍ତି ।

ନିକଟରେ(୨୦୧୫ ଡିସେମ୍ବର ୧୦ ତାରିଖ) ପ୍ରକାଶଙ୍କୁ ତାଙ୍କର ଉତ୍ସର୍ଗୀକୃତ ମାନବସେବା ପାଇଁ ଓଡ଼ିଶା ମାନବାଧିକାର ଆୟୋଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।