Safecity ଦେଉଛି ମହିଳାଙ୍କୁ ସୁଯୋଗ, ବଦମାସଙ୍କୁ ସଜା ଦେବା ପାଇଁ

0

ଯେବେ ଦିଲ୍ଲୀରେ ନିର୍ଭୟା ବଳାତ୍କାର ଘଟିଲା ତାହା ସମଗ୍ର ଦେଶକୁ ଦୋହଲାଇଦେଇଥିଲା। ଏହି ଘଟଣା ଦେଶରେ ନାରୀମାନଙ୍କ ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇଦେଲା। ଏହି ଘଟଣା ଘଟିବା ବେଳେ ଏଲସା ମେରୀ ଡି’ସିଲଭା,ସୁରିଆ ବେଲମୁରୀ ଓ ସଲୋନୀ ମାଲହୋତ୍ରା ସୁଇଡେନରେ ସମାଜିକ ଦାଇତ୍ତ୍ଵବୋଧ ଓ ମହିଳାମାନଙ୍କ ନିମନ୍ତେ ଏକ ଟ୍ରେନିଂଗ୍ ଉପରେ କାମ କରୁଥିଲେ। କିନ୍ତୁ ଏ ଘଟଣା ଏହି ତିନିଜଣ ମହିଳାଙ୍କ ବିଚାରଧାରା ବଦଳାଇଦେଲା ଓ ସେମାନେ ନିଷ୍ପତ୍ତି ନେଲେ ଯେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ନିମନ୍ତେ କିଛି କରିବେ। ସେହିଠାରେ ଜନ୍ମନେଲା ସେଫ ସିଟି ନାମକ ଆପ୍ଲିକେସନ୍ ଯାହା ମହିଳାକୁ ଦିଆଯାଉଥିବା ସ୍ଥାନ ସହ ଭୌଗୌଳିକ ସୂଚନା ବ୍ୟବସ୍ଥା ଦ୍ଵାରା ଚିହ୍ନିତ କରିଥାଏ।

“ସରକାରୀ ପରିସଂଖ୍ୟାନ କହୁଛି ଯେ ଆମ ଦେଶରେ ପ୍ରତି ୨୦ମିନିଟ୍ ରେ ଗୋଟେ ବଳାତ୍କାର ଘଟୁଛି ଯାହା ଆମେରିକା ଓ ଆଫ୍ରିକା ପରେ ବିଶ୍ଵରେ ତୃତୀୟ। ଯଦି ପ୍ରତି ୨୦ ମିନିଟ୍ ରେ ଗୋଟେ ବଳାତ୍କାର ହେଉଛି କିନ୍ତୁ ସମସ୍ତ ଘଟଣା ପ୍ରକାଶିତ ହୁଏନାହିଁ ତେବେ ଚିନ୍ତା କରନ୍ତୁ ଆମ ଦେଶରେ କେତେ ସଂଖ୍ୟାର ମହିଳା ଏହି ଘୃଣ୍ୟ ଅପରାଧର ଶିକାର ହେଉଛନ୍ତି,” କହନ୍ତି ଏଲସା ମେରୀ ଡି’ସିଲଭା।

ସେଫ୍ ସିଟି

ଏହା ଏକ ଭୌଗୌଳିକ ସୂଚନା ବ୍ୟବସ୍ଥା, ଯାହା ଏକ ନିର୍ଦ୍ଧିଷ୍ଟ ଅଂଚଳରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ବଲାତ୍କାର ପରି ଘଟଣାକୁ ମାନଚିତ୍ରରେ ପ୍ରଦର୍ଶିତ କରିଥାଏ। ଏହା ଏକ ମୁକ୍ତ ସ୍ରୋତ ସୂଚନା ଟେକନୋଲଜି Ushahidi ଉପରେ ପକାର୍ଯ୍ୟବେଶିତ। ଏହା ସୂଚନାକୁ ମାନଚିତ୍ରରେ ହଟସ୍ପଟ୍ ମାଧ୍ୟମରେ ଦେଖିହୁଏ। ମହିଳାମାନେ ଏଥିରେ ଶିକାର ହେଉଥିବା ନିର୍ଯାତନାକୁ ଏହି ମାଧ୍ୟମରେ ପ୍ରଦାନ କରିପାରିବେ ଓ ଏଥିରେ ଉକ୍ତ ମହିଳାଙ୍କ ପରିଚୟ ସମ୍ପୁର୍ଣ୍ଣ ଗୁପ୍ତ ରଖାଯାଏ। ଏଥିରେ ବଲାତ୍କାର ବ୍ୟତୀତ ଯୌନ ଆବେଦନ,ଶାରୀରିକ ହିଂସା,ଉତ୍ତର-ପୂର୍ବ ଭାରତୀୟ ମାନଙ୍କ ବିରୋଧରେ ହେଉଥିବା ବର୍ଣ୍ଣଗତ ଭେଦଭାବ ଓ ସମଲିଂଗୀ ତଥା କିନ୍ନର ମାନେ ଭୋଗୁଥିବା ନିର୍ଯାତନାକୁ ସ୍ଥାନ ଦିଆଯାଏ। ଏଥିରେ ବିଭିନ୍ନ ପ୍ରକାରର ଅପରାଧକୁ ଅଲଗା ଅଲଗା ରଙ୍ଗରେ ଦର୍ଶାଯାଇଥାଏ। ଏଥିରେ ମଧ୍ୟ ମହିଳାମାନେ ନିଜ ଅଂଚଳରେ ଘଟୁଥିବା ଅପରାଧର ଫୋଟୋ ବା ଭିଡିଓ ମଧ୍ୟ ପଠାଇ ପାରିବେ।

‘ଯେଉଁଠି ଇଣ୍ଟରନେଟର ସୁବିଧା ନାହିଁ ସେଠାରେ ମହିଳାମାନେ ଆମର ଏକ ଶୁଳ୍କ ରହିତ ଫୋନ ନମ୍ବର ୯୦୧୫୫୧୦୫୧୦କୁ ଏକ ମିସ୍ କଲ କରିବେ ଓ ଆମ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ସେମାନଙ୍କ ସହ ସମ୍ପର୍କ କରିବ’ କୁହନ୍ତି ଏଲସା।

ସୁରକ୍ଷା ଏବେ ନିଜ ହାତରେ

ସେଫ୍ ସିଟି ଏକ ସୂଚନା ଆଦାନପ୍ରଦାନ ଆପ ଅଟେ ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସ୍ଥାନ ବା ଅଂଚଳ ବିଷୟରେ ସମସ୍ତ ସୂଚନା ରହିଥାଏ। ଉଦାହରଣ ସ୍ଵରୁପ ଯଦି ଆମେ କୋଉ ରେସ୍ତୋରା ବା ପ୍ରେକ୍ଷାଳୟକୁ ଯାଆନ୍ତି ସେ ଜାଗା ବିଷୟରେ ଇଣ୍ଟରନେଟ୍ରୁ ତଥ୍ୟ ସଂଗ୍ରହ କରୁ ଓ ସେଠାକୁ ଆଗରୁ ଯାଇଥିବା ଲୋକମାନଙ୍କ ସମୀକ୍ଷା ନେଇଥାଉ। କିନ୍ତୁ ମହିଳାମାନଙ୍କ ସୁରକ୍ଷା ପାଇଁ ସେପରି କୌଣସି ସୁବିଧା ନାହିଁ।

“ଏହା ଦ୍ଵାରା ଆମେ ମହିଳାମାନେ ସହରର ବିଭିନ୍ନ ସାର୍ବଜନିକ ସ୍ଥାନରେ ବା କୋଣଅନୁକୋଣରେ ସମ୍ମୁଖିନ ହେଉଥିବା ହିଂସାକୁ ପ୍ରଶାସନ ତଥା ପୋଲିସର ଦୃଷ୍ଟିକୁ ଆଣି ଦୋଷୀକୁ ଦଣ୍ଡ ଦେବାର ବ୍ୟବସ୍ଥା କରୁଛୁ। ମହିଳାମାନଙ୍କ ମଧ୍ୟରେ ଆମେ ଏକ ସୁରକ୍ଷାର ମନୋଭାବ ସୃଷ୍ଟି କରିବାକୁ ଉଦ୍ୟମ କରୁଛୁ। ଯାହାଫଳରେ ସେମାନେ କେବେ ନିଜକୁ ଏକଲା ମଣିବେ ନାହିଁ। ସେଫ୍ ସିଟିରେ ଭାରତର ୫୦ଟି ସହର ଓ ନେପାଳ ରେ ସଂଘଠିତ ଅପରାଧର ବିବରଣୀ ବା ସୂଚନା ରହିଛି। ଆମେ ଏଥିରେ ଆଫ୍ରିକା ଓ ଆମେରିକାର ମହିଳାମାନେ ପଠାଉଥିବା ତଥ୍ୟକୁ ମଧ୍ୟ ପ୍ରଦର୍ଶିତ କରିଥାଉ। ଏଯାଏଁ ଆମେ ୪୦୦୦ ଅଭିଯୋଗ ଭାରତରୁ ଓ ୫୦୦ ଟି ଅଭିଯୋଗ ନେପାଳରୁ ପାଇଛୁ,” କହନ୍ତି ଏଲସା।

ସେ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ସେ କହନ୍ତି ଆମପାଇଁ ସବୁଠାରୁ ବଡ ଆହ୍ଵାନ ହେଉଛି ତଥ୍ୟ ଗୁଡିକର ସଂଯୋଗୀକରଣ। କାରଣ ଆମେ ସୂଚନା ପାଇବା ପରେ ତାହାକୁ ବିଶ୍ଳେଷଣ କରି କ’ଣ କରାଯାଇ ପାରିବ ନିଷ୍ପତ୍ତି ନେଉ। କିନ୍ତୁ ଆମର ଅନେକ କଲର ତ୍ଵରିତ ସେବା ଚାହାଁନ୍ତି। ଏହା ସବୁବେଳେ ଯୋଗାଇବା ସମ୍ଭବ ନୁହେଁ। ଦିଲ୍ଲୀର କନାଟ ପ୍ଲେସ, ଓଖଲା ଓ ରୋହିଣୀ ଆଦି ସ୍ଥାନରୁ ସର୍ବାଧିକ ଅଭିଯୋଗ ଆସୁଛି। ତିନୋଟି ଯାକ ଜାଗାର ଅଭିଯୋଗ ଭିନ୍ନ ଭିନ୍ନ। କନାଟ ପ୍ଲେସରୁ ସାଧାରଣତଃ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ଓ ଦେହରେ ଜାଣିଶୁଣି ଦେହ ବା ହାତ ବଜାଇବା ଭଳି ଅଭିଯୋଗ ଆସୁଥିବା ବେଳେ ରୋହିଣୀରୁ ଚେନ ଛିଣ୍ଡାଇବା ଓ ଓଖଲାରୁ ଅଶ୍ଳୀଳ କମେଂଟ୍ ଓ ଫୋନରେ ଫୋଟୋ ଉଠାଇବା ଅଭିଯୋଗମାନ ଅସିଥାଏ। ଏହାର ସମାଧାନ ମଧ୍ୟ ଭିନ୍ନ ଭିନ୍ନ, କାରଣ ଚେନ ଛିଣ୍ଡାଇବାର ସମାଧାନ ହେଉଛି ସର୍ବସାଧାରଣ ଜାଗାରେ ପୋଲିସ୍ ଚେକିଂଗ୍ ଓ ଅନ୍ୟ ଦୁଇଟିର ସମାଧାନ ହେଉଛି ଲୋକମାନଂକ ମଧ୍ୟରେ ସଚେତନତା ସୃଷ୍ଟି କରିବା।

ଆମ ମାନଙ୍କ ମଧ୍ୟରେ ଅନେକ ମହିଳା ଅଛନ୍ତି ଯେଉଁମାନେକି ଜାଣନ୍ତି ନାହିଁ ଯୌନ ଅତ୍ୟାଚାର କଣ, ଆମେ ସେମାନଙ୍କୁ ଏ ବିଷୟରେ ସଚେତନ କରିବାକୁ କର୍ମଶାଳାର ଆୟୋଜନ ମଧ୍ୟ କରୁଛୁ। ଯୋଉଥିରେ ସେମାନେ ନିଜ ଅସୁବିଧା ଆମସହ ବାଣ୍ଟିପାରିବେ। ଆମର ଏହି ଅଭିଯାନକୁ କର୍ପୋରେଟ ସହାୟତା ମଧ୍ୟ ମିଳୁଛି ଯାହାଫଳରେ ଆମେ ସମାଜର ନିମ୍ନସ୍ତରର ମହିଳା ମାନଙ୍କ ନିମନ୍ତେ ମଧ୍ୟ ସଚେତନତା ଶିବିର ଆୟୋଜନ କରୁଛୁ ଯାହା କି ସମ୍ପୁର୍ଣ୍ଣ ଦେୟମୁକ୍ତ ଅଟେ।

ପ୍ରଭାବ

ଆଜି ଏହା ସମାଜରେ ଏକ ପ୍ରଭାବ ପକାଇ ପାରିଛି। ଗୋଆ ପୋଲିସ୍ ଆମକୁ ପ୍ରତି ୧୫ଦିନରେ ଆମର ତଥ୍ୟକୁ ସେମାନଙ୍କୁ ଦେବାକୁ କହିଛନ୍ତି। ଏକ କର୍ମଶାଳାରେ ଜଣେ ବାଳିକା ଅଭିଯୋଗ କଲେ ଯେ ସେ ପିଭିଆର୍ ପ୍ରେକ୍ଷାଳୟରେ ଜଣେ କର୍ମଚାରୀଙ୍କ ତାଙ୍କ ସହ ଦୁର୍ବ୍ୟବହାରର ଶିକାର ହେଇଥିଲେ। ଆମେ ତୁରନ୍ତ ଏହାକୁ ପିଭିଆର୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିଲୁ ଓ ସେମାନେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ।

ନାଜ଼ଗୋଲ୍ ନାମକ ସଂସ୍ଥା ଆମ ସାହାଯ୍ୟରେ ଦିଲ୍ଲୀରେ କିଶୋରୀ ମାନଙ୍କ ମଧ୍ୟରେ ଯୌନ ନିର୍ଯାତନା ବିଷୟରେ ସଚେତନତା ସୃଷ୍ଟି କରୁଛି।

ଲାଲ୍ କୁଆଁ ସଂସ୍ଥା ଆମ ତଥ୍ୟ ସାହାଯ୍ୟରେ ପୋଲିସ୍ କୁ ଅପରାଧ ରୋକିବାରେ ସାହାଯ୍ୟ କରୁଛି।

ଦିଲ୍ଲୀ ପ୍ଲାନିଂ ସ୍କୁଲର କେତେକ ଛାତ୍ର ଆମ ତଥ୍ୟ ସହାୟତାରେ ସହରର ବିଭିନ୍ନ ସ୍ଥାନକୁ ମହିଳାଙ୍କ ପାଇଁ ସୁରକ୍ଷିତ ଓ ଅସୁରକ୍ଷିତ ବୋଲି ସୂଚିତ କରୁଛି।