ସୁନ୍ଦରଗଡ ଜଙ୍ଗଲର ରାଣୀ ଆନ୍ନା ଦି

ସେ ଜଙ୍ଗଲର ରାଣୀ । ସେ ହିଁ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଆଣି ଦେବାରେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା ।

ସୁନ୍ଦରଗଡ ଜଙ୍ଗଲର ରାଣୀ ଆନ୍ନା ଦି

Thursday January 21, 2016,

5 min Read

ସେ ଜଙ୍ଗଲର ରାଣୀ । ସେ ହିଁ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଆଣି ଦେବାରେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା ।

ସୁନ୍ଦରଗଡ ଜିଲ୍ଲାର ଆଦିବାସୀମାନଙ୍କ ମଧ୍ୟରେ ଆନ୍ନା କୁଜୁର ଏକ ଲୋକପ୍ରିୟ ଚେହେରା । ୪୭ ବର୍ଷୀୟ ଆନ୍ନା ଆଦିବାସୀମାନଙ୍କୁ ସେମାନଙ୍କର ହକ୍ ଦେବାପାଇଁ ସଂଘର୍ଷରତ । କେବଳ ଜଙ୍ଗଲ ଜମି ଅଧିକାର ନୁହେଁ ବରଂ ନିଜ ହକର ଜମିକୁ ପଟା କରି ସରକାରୀ ଭାବେ ନିଜ ନାମରେ କରିବା ପାଇଁ ସେ ସବୁବେଳେ ସେଠାକାର ଆଦିବାସୀମାନଙ୍କୁ ସଚେତନ କରାଇ ଆସିଛନ୍ତି ।

ଏକ ସିଧାସାଧା ଶାଢ଼ୀ, କାନ୍ଧରେ ଏକ କପଡା ବ୍ୟାଗ୍ ଓ ପାଦରେ ସାଧାରଣ ରବର୍ ଚପଲ ପିନ୍ଧି ପ୍ରତ୍ୟେହ ଆନ୍ନା ଘରୁ ବାହାରି ପଡନ୍ତି ଆଦିବାସୀମାନଙ୍କୁ ଏକ ନୂଆ ଭବିଷ୍ୟତର ଆଲୋକ ଦେଖାଇବାକୁ । ସୁନ୍ଦରଗଡ ଜିଲ୍ଲାର ସୁନାଜୋର ଗାଁରେ ପାଖାପାଖି ଏକ ଦଶନ୍ଧି ଧରି ସେ ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସେଠାକାର ଲୋକମାନଙ୍କ ମଧ୍ୟରେ ଆନ୍ନା ଦି’ ନାମରେ ପରିଚିତ ଆନ୍ନା କୁଜୁର ପ୍ରତିଦିନ ୨୫ କିଲୋମିଟର ସାଇକେଲରେ ବୁଲି ଆଦିବାସୀମାନଙ୍କୁ ସେମାନଙ୍କର ଜଙ୍ଗଲ ଜମି ପଟ୍ଟା କରିବା ପାଇଁ ସଚେତନ କରାଇଥାଆନ୍ତି । ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟ ଜିଲ୍ଲାର ମୋଟ ଜନସଂଖ୍ୟାର ୫୦ ପ୍ରତିଶତ । ଜୀବନ ଜୀବିକା ପାଇଁ ଏମାନେ ସାଧାରଣତଃ ଜଙ୍ଗଲ ଜମି ଉପରେ ନିର୍ଭର କରିଥାଆନ୍ତି । କିଛି ଲୋକ ଦିନ ମଜୁରୀ ଲାଗି ପିଲାମାନଙ୍କୁ ଦି ମୁଠା ଖାଇବା ଯୋଗାଇ ଥାନ୍ତି । କିନ୍ତୁ ସବୁବେଳେ କାମ ମିଳିବା ସମ୍ଭବପର ହୋଇ ନଥାଏ । ଜଙ୍ଗଲ ଜମିରେ ଯେଉଁ କିଛି ଲୋକ ଚାଷ କରିବାକୁ ମନ ବଳାନ୍ତି, ସେମାନଙ୍କୁ ଜମି ଦଲାଲ୍, ସରକାରଙ୍କ ଜଙ୍ଗଲ ବିଭାଗର ଅଧିକାରୀମାନେ ନାନା ଉପାୟରେ ଶୋଷଣ କରିଥା’ନ୍ତି । ଜଙ୍ଗଲକୁ ମା’ ରୂପରେ ଦେଖି ଆସିଥିବା, ତାକୁ ପୂଜା କରିଥିବା, ତା’ର ସର୍ବଦା ସଂରକ୍ଷଣ କରି ଆସିଥିବା ଆଦିବାସୀଟିଏ ଏଭଳି ସ୍ଥିତିରେ ଅସହାୟ ହୋଇପଡେ । ଜଙ୍ଗଲ ଓ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ କେହି ଆଡ ଆଖିରେ ଦେଖନ୍ତି ନାହିଁ ।

image


ତେବେ ଭାରତୀୟ ସମ୍ବିଧାନରେ ଆଦିବାସୀମାନଙ୍କ ପାଇଁ ଭାରତୀୟ ଜଙ୍ଗଲ ଅଧିନିୟମ, ୧୯୨୭ ଓ ଜଙ୍ଗଲ ଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନ୍ତର୍ଗତ କିଛିଟା ଅଧିକାର ଦିଆଯାଇଛି । ଏହି ଦୁଇ ଆଇନ ଆନୁଯାୟୀ, ଆଦିବାସୀମାନେ ଦୀର୍ଘ ଦିନ ରହି ଆସୁଥିବା ଜଙ୍ଗଲ ଜମିକୁ ଜଣେ ବନେ୍ଦାବସ୍ତ ଅଧିକାରୀ ସମ୍ପୃକ୍ତ ଆଦିବାସୀମାନଙ୍କ ନାମରେ ବନ୍ଦୋବସ୍ତ କରିବେ । କିନ୍ତୁ ଏହାର ଫାଇଦା ଉଠାନ୍ତି ବନ୍ଦୋବସ୍ତ ଅଧିକାରୀମାନେ । ସେମାନେ ସାଧାରଣ ଗରିବ ଆଦିବାସୀମାନଙ୍କୁ ଶୋଷଣ କରନ୍ତି । ତେବେ ୨୦୦୬ରେ ଆସିଥିବା ଜଙ୍ଗଲ ଅଧିକାର ଆଇନ୍ ଏବେ ଏହି ଗରିବ ଆଦିବାସୀମାନଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ଯାହା ଫଳରେ ଆଜି ଏମାନଙ୍କ ମଧ୍ୟରୁ ଅନେକ ନିଜ ଜଙ୍ଗଲ ଜମିର ପଟ୍ଟା ହାସଲ କରି ପାରିଛନ୍ତି ।

ଆନ୍ନା ଯେତେବେଳେ ଛୋଟ ଥିଲେ, ସେତେବେଳେ ଏସବୁ ଶୋଷଣର ଚିତ୍ର ସେ ହୃଦୟଙ୍ଗମ କରିଥିଲେ । ତାଙ୍କର ପିତାମାତାଙ୍କୁ କିଭଳି ଶୋଷଣର ଶିକାର ହେବାକୁ ପଡିଥିଲା ଓ ସେମାନେ କିଭଳି ଜମି ହରାଇଥିଲେ, ତାହା ମଧ୍ୟରେ ଆନ୍ନା ଅନୁଭବ କରି ପାରିଥିଲେ । ବିବାହ ପରେ ମଧ୍ୟ ସମାନ ଅବସ୍ଥା ହୋଇଥିଲା । ସେତେବେଳେ ତାଙ୍କ ମନରେ ଆଦିବାସୀମାନଙ୍କୁ ସଚେତନ କରିବାର ଇଚ୍ଛା ବସା ବାନ୍ଧି ଥିଲା । ତାଙ୍କ ଭଳି ଆଉ କେହି ଶୋଷଣର ଶିକାର ନହେଉ, ସେଥି ପାଇଁ ଆନ୍ନା ପରିବାର, ପିଲାଛୁଆ ଛାଡି ବାହାରି ପଡିଥିଲେ ସଚେତନତା ଅଭିଯାନରେ ।

image


ଆନ୍ନାଙ୍କ ହିସାବରେ, “ଯେତେବେଳେ ମୁଁ ଛୋଟ ଥିଲି, ସେତେବେଳେ ମଧ୍ୟ ମୁଁ ଆମ ଲୋକମାନଙ୍କ ପାଇଁ କାର୍ଯ୍ୟ କରିବା ଓ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ଆଗଭର ଥିଲି । ୨୦୦୦ ମସିହାରେ ମୁଁ ଆଠକୋଶିଆ ଆଦିବାସୀ ସଙ୍ଗଠନ ନାମକ ଏକ ସଙ୍ଗଠନ ତିଆରି କରିଥିଲି ଏବଂ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼ିବା ଆରମ୍ଭ କଲି । ୨୦୦୩ରେ ଜାତୀୟ ସ୍ତରରେ ଆଦିବାସୀଙ୍କ ହକ୍ ପାଇଁ କାମ କରୁଥିବା କ୍ୟାମ୍ପେନ୍ ଫର୍ ସର୍ଭାଇଭାଲ୍ ଆଣ୍ଡ ଡିଗ୍ନିଟି(ସିଏସଡି) ସହ ମୁଁ ଯୋଡି ହୋଇଥିଲି ଏବଂ ତାଙ୍କ ଦ୍ୱାରା ଅନୁଷ୍ଠିତ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲି । ଏହା ମୋର ଅଭିଯାନକୁ ଆହୁରି ସାହାଯ୍ୟ କରିଥିଲା । ପରେ ୨୦୦୬ ମସିହାରେ ଯେତେବେଳେ ଜଙ୍ଗଲ ଆଧିକାର ଆଇନ୍ ଆସିଲା. ସେତେବେଳେ ମୋ କାମ ଆହୁରି ହାଲକା ହୋଇଗଲା । ମୋତେ ମୋ ଲକ୍ଷ୍ୟ ଖୁବ୍ ନିକଟରେ ଦେଖାଯିବାକୁ ଲାଗିଲା ।”

ସରକାରୀ ଅଫିସ ଆସି ଆଦିବାସୀମାନଙ୍କ ଜଙ୍ଗଲ ଜମିର ପଟ୍ଟା ତିଆରି କରିବା କିଛି ସହଜ କାମ ନୁହେଁ । ଏଥିପାଇଁ ନାନା ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ । ମାତ୍ର ସିଏସଡି କର୍ମକର୍ତ୍ତାଙ୍କ ସାହାଯ୍ୟରେ ଆନ୍ନା ନିଜ ଅଞ୍ଚଳର ଲୋକମାନଙ୍କ ପାଇଁ ଜଙ୍ଗଲ ଜମିର ପଟ୍ଟା କରିବାକୁ ସମର୍ଥ ହୋଇ ପାରିଛନ୍ତି ଏବଂ ଏହା ତାଙ୍କୁ ବେଶ୍ ଖୁସି ପ୍ରଦାନ କରିଛି । ଏପର୍ଯ୍ୟନ୍ତ ଆନ୍ନା ପାଖାପାଖି ୨୦୦୦ ଆଦିବାସୀଙ୍କୁ ସେମାନଙ୍କ ଜମି ପଟ୍ଟା କରାଇବାରେ ସାହାଯ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହେଲେ ଗୋଠବନ୍ଧ ଗାଁର ସୁଗାଲ ଏକ୍କା । ସୁଗାଲ୍ କୁହନ୍ତି, “ଆମେ ଗରିବ ଚାଷୀ ପରିବାରର ଲୋକ । ଦି ମୁଠା ଖାଦ୍ୟ ପାଇଁ ଜଙ୍ଗଲ ଜମି ଓ ଚାଷ ଉପରେ ନିର୍ଭର କରିଥାଉ । ଆମର ଜମିଦାରମାନେ(ଯେଉଁମାନେ ସାଧାରଣତଃ ଆଦିବାସୀ ହୋଇ ନଥା’ନ୍ତି) ସବୁବେଳେ ଆମକୁ ହରରାଣ ହରକତ କରୁଥିଲେ । ଆମ କ୍ଷେତ ଉଜାଡି ଦେଉଥିଲେ । କିନ୍ତୁ ଆନ୍ନା ଦି’ଙ୍କ ସାହାଯ୍ୟ ସହଯୋଗ ପାଇ ଆମେ ନିଜସ୍ୱ ଜମିର ପଟ୍ଟା ପାଇଁ ଆବେଦନ କଲୁ । ୨୦୦୮ ମସିହାରେ ଏହା ଆମକୁ ମିଳିଲା । ସେବେଠୁ ଆମର ଜୀବନ ବଦଳିଯାଇଛି । ପରିସ୍ଥିତି ସୁଧୁରୁଛି । ସୁଗାଲଙ୍କ ଭଳି ଏମିତି ଅନେକ ଅଛନ୍ତି, ଯିଏ ଆନ୍ନାଙ୍କ ପ୍ରଶଂସାରେ ଏବେ ଶତମୁଖ । 

ଆନ୍ନା ଯେତେବେଳେ ନିଜର ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ସ୍ୱାମୀ ନିକୋଲାସ୍ ଏହାକୁ ସମର୍ଥନ କରୁ ନଥିଲେ । ସ୍ତ୍ରୀ ପିଲାଛୁଆ ପରିବାର କଥା ନବୁଝି ସମାଜସେବା କରିବାକୁ ଯାଉଛି ବୋଲି କହି ସେ ଆନ୍ନା ଉପରେ ଅତ୍ୟାଚାର ବି କରୁଥିଲେ । ଦିନେ ଆନ୍ନା, ସେ ଆୟୋଜନ କରିଥିବା ଏକ ସାଧାରଣ ସଭାକୁ ସ୍ୱାମୀ ନିକୋଲାସଙ୍କୁ ନେଇଗଲେ । ସେଠାରେ ଆନ୍ନାଙ୍କ ପ୍ରତି ଲୋକମାନଙ୍କର ସମ୍ମାନ ଦେଖି ନିକୋଲାସ୍ ସତ୍ୟତାକୁ ହୃଦୟଙ୍ଗମ କଲେ । ଅନେକ ଲୋକ ନିକୋଲାସଙ୍କ ପାଖକୁ ଆସି କହିଥିଲେ, ଆପଣ ନିଜ ସ୍ତ୍ରୀକୁ ଏଭଳି ମତ୍ତ୍ୱତପୂର୍ଣ୍ଣ କାର୍ଯ୍ୟ କରିବାକୁ ଅନୁମତି ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ । ସେବେଠୁ ନିକୋଲାସ୍, ପତ୍ନୀଙ୍କୁ ସମର୍ଥନ କରିଆସୁଛନ୍ତି । ସେ ଏବେ ତାଙ୍କୁ ନେଇ ଗର୍ବ କରୁଛନ୍ତି ।

image


କେବଳ ଏତିକି ନୁହେଁ ଶୋଷଣର ଶିକାର ହେଉଥିବା ଗରିବ ନୀରିହ ଆଦିବାସୀମାନଙ୍କ ପାଇଁ ଆନ୍ନା ସବୁବେଳେ ଲଢ଼ୁଛନ୍ତି । ଏହାର ଉଦାହରଣ ହେଉଛନ୍ତି, ବନମାଳି ବେକ୍ । ତଙ୍ଗରପାଲି ବ୍ଲକ ଅଧିନସ୍ଥ ଭାଲୁବାହାଲ୍ ଗାଁର ବନମାଳିଙ୍କ ଜମି ପଟ୍ଟାର ପ୍ରମାଣପତ୍ର ଦେବା ପାଇଁ ସାନପାତ୍ରପାଲି ଫରେଷ୍ଟ୍ ରେଞ୍ଜ ଅଧିକାରୀ ତାଙ୍କୁ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଗରିବ ବନମାଳୀ ଟଙ୍କା ଯୋଗାଡ ନ କରି ପାରି ଶେଷରେ ଆନ୍ନାଙ୍କ ପାଖକୁ ଯାଇଥିଲେ । ଆନ୍ନା ତାଙ୍କୁ ଭିଜିଲାନ୍ସ ନିକଟକୁ ନେଇଯାଇଥିଲେ । ଫଳରେ ରେଞ୍ଜ ଅଧିକାରୀଙ୍କୁ ପଦ ହରାଇବାକୁ ପଡିଥିଲା ।

ଆଜି ସୁନ୍ଦରଗଡ ଜିଲ୍ଲାର ଅନେକ ଆଦିବାସୀ ୨୦୦୬ରେ ପ୍ରଣୀତ ଜଙ୍ଗଲ ଜମି ଅଧିକାର ଆଇନକୁ ପ୍ରଶଂସା କରୁଛନ୍ତି । ଏହି ଆଇନ ସଫଳ ହୋଇଛି ବୋଲି ସେମାନଙ୍କର ମତ । କିନ୍ତୁ ଆନ୍ନାଙ୍କ ଭଳି ନିସ୍ୱାର୍ଥପର ସେବା ଓ ସଚେତନତା ପାଇଁ ତାଙ୍କ ଲଢେ଼ଇର ଯେ ଏ ସଫଳତା ପଛରେ ନିରବଚ୍ଛିନ୍ନ ହାତ ରହିଛି. ତାହା ମଧ୍ୟ ଆଦିବାସୀମାନେ ହୃଦୟଙ୍ଗମ କରି ପାରିଛନ୍ତି । ଆଜି ଏହି ଆଦିବାସୀମାନେ ନିର୍ଭୟ ହୋଇ ଏକ ସୁସ୍ଥ ଜୀବନ ବଞ୍ଚିବାକୁ ସମର୍ଥ ହୋଇଛନ୍ତି ।