ମହମବତୀ କରାଇବ ଗ୍ରାମାଂଚଳ ମହିଳାଙ୍କୁ ଆତ୍ମନିର୍ଭର, ଦୂରେଇଦେବ ଆର୍ଥିକ ଅନଟନର ଅନ୍ଧାର

ମହମବତୀ କରାଇବ ଗ୍ରାମାଂଚଳ ମହିଳାଙ୍କୁ ଆତ୍ମନିର୍ଭର, ଦୂରେଇଦେବ ଆର୍ଥିକ ଅନଟନର ଅନ୍ଧାର

Wednesday March 16, 2016,

3 min Read

image


ଗ୍ରାମାଂଚଳର ଝିଅ ଓ ମହିଳାମାନେ କିଛି କାମ କରି ଆତ୍ମନିର୍ଭରଶୀଳ ହେବାକୁ ଚାହାନ୍ତି | ସେମାନଙ୍କ ମଧ୍ୟ ଇଛା ରହିଛି କିଛି କରି ଦେଖାଇବାକୁ | ଆତ୍ମନିର୍ଭର ହୋଇପାରିଲେ ଆତ୍ମବିଶ୍ୱାସ ବଢିଥାଏ | ତେଣୁ କିପରି କିଛି ପରିଶ୍ରମ କରି ରୋଜଗାର କରିବେ, ତାହା ସମସ୍ତଙ୍କ ମନରେ ଥାଏ | କିନ୍ତୁ ଆବଶ୍ୟକ ସୁଯୋଗ ନ ମିଳିବାରୁ ଅନେକ ମହିଳା ଗାଁରେ ରହି ଘର କାମ ଛଡା ଆଉ କିଛି କରିପାରୁନାହାନ୍ତି | ତେବେ ଯେଉଁ ଅଂଚଳରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଉଦ୍ୟମ ଆରମ୍ଭ କରୁଛନ୍ତି, ସେଠାରେ ମହିଳାମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ମିଳିପାରୁଛି ଓ ସେମାନେ ଆତ୍ମନିର୍ଭର ହୋଇପାରୁଛନ୍ତି | ମହିଳାମାନଙ୍କ ମଧ୍ୟରେ ଏଥିପାଇଁ ଯଥେଷ୍ଟ ଆଗ୍ରହ ଥିବା ଦେଖାଯାଉଛି | ନିକଟରେ ପୁରୀ ଜିଲ୍ଲା ପିପିଲି ଠାରେ ଏଭଳି ଏକ ତାଲିମ କାର୍ଯ୍ୟକ୍ରମରେ ୪୦ ଜଣ ଝିଅ ଓ ମହିଳା ମହମବତୀ କିପରି ତିଆରି କରିବେ ଓ ଏହାକୁ ନେଇ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ, ତାହା ଉପରେ ଦୁଇମାସିଆ ତାଲିମ ନେଇଛନ୍ତି |

image


କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର ତରଫରୁ ମା ମଙ୍ଗଳା ପୀଠ ରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ମହମବତୀ ତିଆରି ଓ ଉଦ୍ୟୋଗବିକାଶର ପ୍ରକ୍ରିୟା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା | ପ୍ରଶିକ୍ଷାର୍ଥୀମାନେ ଦୁଇ ମାସର ଟ୍ରେନିଂ ଭିତରେ ନିଜେ ନିଜେ ମହମବତୀ ତିଆରି କରିବାକୁ ସକ୍ଷମ ହୋଇଥିଲେ | ସେମାନଙ୍କୁ ଏଭଳି ଭାବେ ତାଲିମ ଦିଆଯାଇଥିଲା ଯେପରି ସେମାନେ ଏହି କାମକୁ ନେଇ ଏକ କୁଶଳୀ କାରିଗର ଭାବେ କାମ କରିବେ | 

image


ଏହି ତାଲିମ ନେଇଥିବା ଶକୁନ୍ତଳା ବେହେରା କହନ୍ତି,

ମୋର ବହୁତ ଆଗ୍ରହ ଥିଲା ରୋଜଗାର ପାଇଁ କିଛି କାମ କରିବା ଲାଗି | ଖୁସୀ ଲାଗୁଛି ଯେ ଆଜି ମୁଁ ମହମବତୀ ତିଆରି କରିବା ଶିଖି ଯାଇଛି | ଏହାକୁ ନେଇ ମୁଁ ଆତ୍ମନିର୍ଭରଶୀଳ ହୋଇପାରିବି ବୋଲି ଭାବୁଛି | ଦୁଇମାସ କାଳ ଟ୍ରେନିଂରେ ମୁଁ ବହୁତ ଭଲ ଭାବେ ଏହି କାମ ଶିଖିପାରିଛି |

ମହିଳାମାନଙ୍କ ସହଯୋଗରେ ଏହି ଟ୍ରେନିଂ କାର୍ଯ୍ୟକ୍ରମ ହୋଇଥିଲା | ମା ମଙ୍ଗଳା ମହିଳା ଗୋଷ୍ଠୀ, ମା ସାରଳା ମହିଳା ମଣ୍ଡଳୀ, ଜାଗୃତି ଓ କଲ୍ୟାଣୀ ମହିଳା ଗୋଷ୍ଠୀର କର୍ମକର୍ତ୍ତାମାନେ ଝିଅ ଓ ମହିଳାମାନଙ୍କୁ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଭାଗ ନେବାକୁ ବୁଝାଇଥିଲେ |

image


 ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମମତା ବେହେରା କହିଛନ୍ତି,

ଆମେ ସମସ୍ତେ ମହମବତୀ ତିଆରି କରିବାକୁ ଶିଖିବା ପାଇଁ ଆଗ୍ରହୀ ଥିଲୁ | ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ କହିଲୁ | ସେମାନେ ବି ଆଗ୍ରହ ପ୍ରକାଶ ହେଲେ | ଏହି ଟ୍ରେନିଂ ମାଧ୍ୟମରେ ଗୋଷ୍ଠୀର ସଦସ୍ୟାମାନେ ମହମବତୀ ତିଆରି ଶିଖିପାରିଛନ୍ତି | ଆମେ ଆମର ମଣ୍ଡଳୀ ମଧ୍ୟରେ ଏକ ଉଦ୍ୟୋଗ ଭାବେ ଏହାର ଉତ୍ପାଦନ କରିବାକୁ ବିଚାର କରୁଛୁ |

ଗ୍ରାମୀଣ ଅଂଚଳରେ ଜୀବନଜୀବିକା ପାଇଁ କିଛି କାମ ଶିଖାଇବା ଲକ୍ଷ୍ୟରେ ଏହି ତାଲିମ ଦିଆଯାଇଥିଲା | ସେମାନେ କିପରି ଏହାକୁ ଏକ ବ୍ୟବସାୟରେ ପରିଣତ କରିପାରିବେ. ତାହା ମଧ୍ୟ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ କୁହାଯାଇଥିଲା | 

କାର୍ଯ୍ୟକ୍ରମର ପ୍ରଶିକ୍ଷିକା ସୁଶ୍ରୀ ପ୍ରଜ୍ଞା ପରମିତା ପଟ୍ଟନାୟକ କହନ୍ତି,

ଝିଅ ଓ ମହିଳାମାନେ ଆଗ୍ରହର ସହିତ ଏହି ଟ୍ରେନିଂ ଶିଖିଛନ୍ତି | ଦୁଇମାସର ଟ୍ରେନିଂ ନେବା ପରେ ଏହି ମହିଳାମାନେ ମହମବତୀ ପ୍ରସ୍ତୁତ ଓ ଉଦ୍ୟୋଗ ବିକାଶ କରିପାରିବେ | ଆମ ସହ ସେମାନେ ଲଗାତର ଯୋଗାଯୋଗରେ ରହିବେ | କୌଣସି ସମସ୍ୟା ଦେଖାଦେଲେ ଆମେ ପରାମର୍ଶ ଦେଇପାରିବୁ |
image


ପ୍ରଶିକ୍ଷାର୍ଥୀମାନେ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମହମବତୀ ତିଆରି ଶିଖୁଥିଲେ | ସେଠାରେ ସେମାନଙ୍କୁ ବିଭିନ୍ନ ମଡେଲର ମହମବତୀ ତିଆରି କରିବା ପ୍ରଣାଳୀ ଶିଖାଯାଉଥିଲା | ପରେ ସେମାନେ ଘରକୁ ଯାଇ ମଧ୍ୟ ଅଭ୍ୟାସ କରୁଥିଲେ | ଏହି ତାଲିମ କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଫ୍ରିଡମ୍ ର ସଦସ୍ୟ ସଚିବ ରାଜ କିଶୋର ସ୍ୱାଇଁ କହନ୍ତି,

ତାଲିମ ପାଇଥିବା ୪୦ ଜଣ ଝିଅ ଓ ମହିଳା ପୁଣି ଅନ୍ୟମାନଙ୍କୁ ମହମବତୀ ତିଆରି କରିବା ଶିଖାଇବେ | ମଙ୍ଗଳପୁର ପଂଚାୟତରେ ଏହିପରି ୧୫୦ ଜଣ ମହିଳାଙ୍କୁ ନେଇ ଉତ୍ପାଦନକାରୀ କ୍ଳଷ୍ଟର ଗଠନ କରାଯିବ | ଏହାକୁ ମହାଶକ୍ତି ମହିଳା ମହାସଂଘ ପରିଚାଳନା କରିବ | ଓଡିଶା ଜୀବିକା ମିଶନ ମାଧ୍ୟମରେ ମହମବତୀର ମାର୍କେଟିଂ କରାଯିବ | ଏହା ଫଳରେ ଏସବୁ ମହିଳା ସ୍ୱାବଲମ୍ବୀ ହୋଇପାରିବେ |

ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କୌଣସି କାରଣରୁ ଅନ୍ଧାରକୁ ଆଲୁଅ କରିବାର ସବୁ ପ୍ରକାର ବିକଳ୍ପ ଦ୍ୱାରା ବନ୍ଦ ହୋଇଯାଏ, ସେତେବେଳେ ମହମବତୀ ହିଁ ଆଲୋକ ଦେଇଥାଏ | ଆଉ ଏହି ମହମବତୀ ତିଆରି ଶିଖିବା ପରେ ଆର୍ଥିକ ଅନଟନରେ ରହୁଥିବା ମହିଳାମାନଙ୍କ ପରିବାରରେ ହସର ଲହରୀ ଖେଳି ଉଠିବ ବୋଲି ଆଶା କରାଯାଉଛି |