ନିଜେ ଥିଲେ ସେକ୍ସ ୱାର୍କର୍‌ : ଏବେ ସେମାନଙ୍କୁ ଏଡସ୍ ଓ ବେଶ୍ୟାବୃତ୍ତିରୁ ମୁକ୍ତି ପାଇଁ କାମ

ନିଜେ ଥିଲେ ସେକ୍ସ ୱାର୍କର୍‌ : ଏବେ ସେମାନଙ୍କୁ ଏଡସ୍ ଓ  ବେଶ୍ୟାବୃତ୍ତିରୁ ମୁକ୍ତି ପାଇଁ କାମ

Saturday December 26, 2015,

4 min Read

ଏମିତି ଏକ ସମୟ ଥିଲେ ଯେତେବେଳେ ସେ ନିଜେ ଜଣେ ସେକ୍ସ ୱାର୍କର ଥିଲେ | ଏବେ ସେ ସେକ୍ସ ୱାର୍କରମାନଙ୍କର ସଶକ୍ତିକରଣ ପାଇଁ କାମ କରୁଛନ୍ତି | ସେ ସିନା ପାଠ ପଢି ପାରିନଥିଲେ, ଆଜି କିନ୍ତୁ ତାଙ୍କରି ଉଦ୍ୟମ ଯୋଗୁଁ ଅନ୍ୟ ସେକ୍ସ ୱାର୍କରମାନେ ସାକ୍ଷର ହୋଇ ପାରିଛନ୍ତି | ତାଙ୍କ ପ୍ରୟାସ ଫଳରେ ଆଜି ମହାରାଷ୍ଟ୍ରର ସାଙ୍ଗଲି ସହରରେ ସ୍ୱରୂପ ଥିଏଟର୍‌ ପାଖରେ ଥିବା ରେଡ୍‌ ଲାଇଟ୍ ଅଂଚଳ ଦେଶର ଅନ୍ୟ ରେଡ୍‌ ଲାଇଟ୍ ଅଂଚଳ ଅପେକ୍ଷା ଅଧିକ ସ୍ୱଚ୍ଛ ଓ ସୁନ୍ଦର | ଅମିରିବାଇ କିଛି ବର୍ଷ ପୂର୍ବରୁ ଦେହ ବେପାର ଧନ୍ଦା ଛାଡିଦେଇଥିଲେ ବି ସବୁ ସଂସ୍ଥା ‘ବେଶ୍ୟା ମହିଳା ଏଡସ୍ ନିର୍ମୁଳନ କେନ୍ଦ୍ର’ ଜରିଆରେ କରୁଛନ୍ତି | ସେ ଏଠାରେ ସେକ୍ସ ୱାର୍କରମାନଙ୍କୁ ଏଚଆଇଭି ଭଳି ଗମ୍ଭୀର ରୋଗ ବିଷୟରେ ସଚେତନ କରିବା ସହ ଯେଉଁମାନଙ୍କୁ ଏହି ରୋଗ ହୋଇଯାଇଛି, ସେମାନଙ୍କୁ କାଉନସିଲିଂ ଓ ଚିକିତ୍ସା ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି | ଯେଉଁମାନଙ୍କୁ ଏହି ରୋଗ ହୋଇଯାଇଛି, ସେମାନଙ୍କୁ କାଉନସଲିଂ ଓ ଚିକିତ୍ସା ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି | ଅମିରିବାଇଙ୍କ ଏହି କାମରେ ତାଙ୍କୁ ସହାୟତା କରୁଛନ୍ତି ତାଙ୍କ ସଂସ୍ଥାର ସମ୍ପାଦକ ଦୀପକ ଚୌହାନ |

image


ଅମିରିବାଇ ଜଣେ ପଛୁଆ ବର୍ଗର ମହିଳା ଓ କିଛି ବର୍ଷ ପୂର୍ବେ ଧୋକାରେ ସେ ବେଶ୍ୟାବୃତ୍ତି ଧନ୍ଧାରେ ଫସି ଯାଇଥିଲେ | କିନ୍ତୁ ଗତ ୧୦ ବର୍ଷ ହେଲାଣି ସେ ଏହି ଧନ୍ଦାରୁ ଦୂରରେ ଅଛନ୍ତି | ସେ ଏହି କାମ କରିବାବେଳେ ଏହା ଭାବିଥିଲେ ଯେ ସେ ଯେଉଁ ରେଡ୍‍ ଲାଇଟ୍ ଅଂଚଳରେ ରହୁଛନ୍ତି, ସେଠାରେ ଅନେକ ସମସ୍ୟା ରହିଛି | ତେଣୁ ଏହି ସମସ୍ୟାଗୁଡିକୁ ସମାଧାନ ପାଇଁ କାହିଁକି ସେ ନିଜେ ପ୍ରୟାସ ନ କରିବେ ବୋଲି ମନରେ ପ୍ରଶ୍ନ ଆସିଥିଲା | ଏହି ଭାବନା ସହ ସେ ପ୍ରଥମେ ସେଠାରେ ଏକ ସ୍କୁଲ ଖୋଲିଲେ | ଯେଉଁଠାରେ ସେକ୍ସ ୱାର୍କରମାନେ ପଢିବାକୁ ଆସୁଥିଲେ | କାରଣ ଏଠାରେ ଅଧିକାଂଶ ସେକ୍ସ ୱାର୍କର ଅପାଠୋଇ ଥିଲେ | ଏଥିରେ ଏମିତି ମହିଳା ଥିଲେ ଯେଉଁମାନେ ନିଜର ନାଁ ମଧ୍ୟ ଲେଖିପାରୁନଥିଲେ | ଅମିରିବାଇ ଚାହୁଁଥିଲେ ଏମିତି ଏକ ପ୍ଲାଟଫର୍ମ ତିଆରି ହେଉ, ଯେଉଁଠାକୁ ସବୁ ସେକ୍ସ ୱାର୍କର ଆସିବେ ଓ ସେମାନଙ୍କୁ ଏଡସ୍ ବିଷୟରେ ସଚେତନ କରାଇହେବ | ଦରକାର ପଡିଲେ ସେମାନଙ୍କୁ କାଉନସେଲିଂ ମଧ୍ୟ କରାଯାଇପାରିବ |

image


ଅମିରିବାଇ ଓ ତାଙ୍କ ସହଯୋଗୀ ଦୀପକ ଚୌହାନଙ୍କ କହିବା କଥା ମହାରାଷ୍ଟ୍ରରେ ଏଚଆଇଭି ପିଡୀତଙ୍କ ସଂଖ୍ୟା ଆଧାରରେ ସାଙ୍ଗଲି ଜିଲ୍ଲା ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଅଛି | ସରକାରୀ ପରିସଂଖ୍ୟାନ ଅନୁସାରେ ଅଧିକାଂଶ ଏଚଆଇଭି ପୀଡିକ ରେଡ୍ ଲାଇଟ୍ ଅଂଚଳ ଯୋଗୁଁ ହୋଇଛି | ଯେତେବେଳେ ୨୦୦୫ରେ ଅମିରିବାଇକୁ ଏହି କଥା ଜଣାପଡିଲା, ସେ ଏହାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ନିଷ୍ପତି ନେଇଥିଲେ | ସାଂଗଲି ସହରର ରେଡ୍‌ ଲାଇଟ୍ ଅଂଚଳରେ ପ୍ରାୟ ଦୁଇ ଶହ ସେକ୍ସ ୱାର୍କର କାମ କରନ୍ତି | ଅମିରିବାଇ ଯେତେବେଳେ ଏହି ଅଂଚଳରେ କାମ କରିବା ଆରମ୍ଭ କଲେ, ସେତେବେଳେ ପ୍ରାୟ ୧୦ ପ୍ରତିଶତ ମହିଳା ଏଚଆଇଭି ପୀଡିତ ଥିଲେ | ପ୍ରଥମେ ନିଜ ସଂସ୍ଥା ଜରିଆରେ ସେକ୍ସ ୱାର୍କରମାନଙ୍କ କାଉନସେଲିଂ କରିବାର ବ୍ୟବାସ୍ଥା କରାଗଲା ଓ ଏଚଆଇଭି ଗ୍ରସ୍ତ ସେକ୍ସ ୱାର୍କରଙ୍କୁ ଏହି ବୃତ୍ତିରୁ ନିବୃତ୍ତ ରଖାଗଲା | ଏହାପରେ ଏମାନଙ୍କୁ ପରିବା ବିକିବା, ଚା' ଷ୍ଟଲ କରିବା ଓ ଅନ୍ୟ କାମ କରିବାକୁ ପ୍ରୋତ୍ସାହିତ କଲେ | ଯାହା ଫଳରେ ସେମାନେ ନିଜର ଗୁଜରାଣ ମେଣ୍ଟାଇ ପାରିଲେ |

image


ଦୀପକ ୟୋର ଷ୍ଟୋରୀକୁ କହନ୍ତି, “ ଯେଉଁ ସେକ୍ସ ୱାର୍କର ଏଚଆଇଭି ପୀଡିତ ଥାନ୍ତି, ସେମାନଙ୍କୁ ତିନି ମାସରେ ଟେଷ୍ଟ କରାଯାଏ | ସେହି ଅନୁସାରେ ସେମାନଙ୍କ ଚିକିତ୍ସା କରାଯାଏ | ଆବଶ୍ୟକ ପଡିଲେ ସେମାନଙ୍କୁ ଔଷଧ ମଧ୍ୟ ପ୍ରଦାନ କରାଯାଏ | ମଝିରେ ମଝିରେ ଏଠାକୁ ଡାକ୍ତର ଆସନ୍ତି ଓ ସେକ୍ସ ୱାର୍କର ମହିଳାମାନଙ୍କୁ ଚେକ୍ ଅପ୍ କରନ୍ତି |”
image


ସେକ୍ସ ୱାର୍କରମାନଙ୍କ ପାଇଁ ଖୋଲାଯାଇଥିବା ସ୍କୁଲରେ ସେକ୍ସ ୱାର୍କରମାନଙ୍କୁ ପାଠ ପଢାଇବା ସହ ଏହା ମଧ୍ୟ କୁହାଗଲା ଏଚଆଇଭି ଏଡ୍ସ ଯୋଗୁଁ କେଉଁ ସହରରେ କେତେ ଲୋକ ପ୍ରାଣ ହରାଇଛନ୍ତି | ଏଭଳି ସୂଚନା ବହୁତ ଫଳପ୍ରଦ ହୋଇଛି | ଫଳରେ ସେକ୍ସ ୱାର୍କରମାନେ ସେମାନଙ୍କ ଗ୍ରାହକମାନଙ୍କୁ କଣ୍ଡୋମ୍‌ ବ୍ୟବହାର କରିବାକୁ ବାଧ୍ୟ କରିବାକୁ ଆରମ୍ଭ କଲେ | ଯେଉଁ ଗ୍ରହାକ ଏଥିରେ ରାଜି ହୁଏ ନାହିଁ, ସେମାନଙ୍କୁ ଏମାନେ ଫେରାଇଦେଲେ | ସେମାନେ ହୃଦବୋଧ କଲେ ଯେ ଜୀବନ ଆଗ, ପଇସା ପଛ | ତେଣୁ ସେମାନେ ଅର୍ଥ ଲୋଭରେ ପଡିଲେ ନାହିଁ| ଅମିରିବାଇ ଚାହୁଁଥିଲେ ସେକ୍ସ ୱାର୍କରମାନଙ୍କ ପିଲାମାନେ ଏହି କାମରୁ ଦୂରରେ ରୁହନ୍ତୁ | ଏହା ସମ୍ଭବ ହେବ, ଯେତେବେଳେ ଏଠାରେ ପିଲାଙ୍କ ପାଇଁ ଏକ ସ୍କୁଲ ହେବ | ତାଙ୍କରି ଉଦ୍ୟମରେ ମହାରାଷ୍ଟ୍ର ସରକାର ସେଠାରେ ଏକ ପ୍ରି-ପ୍ରାଇମେରୀ ସ୍କୁଲ ଖୋଲିଲେ | ଏହା ପରେ ସଡକରେ ବୁଲୁଥିବା ପିଲାମାନେ ସ୍କୁଲକୁ ପାଠ ପଢିବାକୁ ଆସିଲେ |

ଦୀପକଙ୍କ କହିବା କଥା ପିଲାମାନେ ଟିକେ ବଡ ହୋଇଗଲେ, ସେମାନଙ୍କୁ ନିଜ ମାଙ୍କ ପୈତୃକ ଗାଁକୁ ପଠାଇଦିଆଯାଏ | କାରଣ ଏହି ପରିବେଶରୁ ତାଙ୍କ ଅଲଗା ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ | ବିଶେଷକରି ଝିଅମାନଙ୍କ କ୍ଷେତ୍ରରେ ଅଧିକ ସତର୍କତା ରଖାଯାଇଥାଏ, ଯାହା ଫଳରେ ସେମାନେ ଏହି ଅନ୍ଧାରୀ ଦୁନିଆରୁ ବାହାରି ଆଲୋକ ଆଡକୁ ଯାଇପାରିବେ |
image


ଏହି ରେଡ୍‍ ଲାଇଟ୍ ଅଂଚଳରେ ସ୍ୱଚ୍ଛତା ଅଭିଯାନ ଏକ ବିଶେଷ ଅଂଗ | ଏଠାରେ ନିୟମିତ ଭାବେ ପରିଷ୍କାର ଓ ପରିଚ୍ଛନ୍ନତା କାମ ଚାଲେ | ଏଠାକାର ସବୁ ସେକ୍ସ ୱାର୍କର ନିଜ ଘରକୁ ଗୋଲାପୀ ରଙ୍ଗରେ ରଙ୍ଗାଇଛନ୍ତି | ସମସ୍ତେ ଏଠି ସ୍ୱଚ୍ଛତା ପ୍ରତି ସଚେତନ | ଏଭଳିକି କାହାକୁ ରାସ୍ତାରେ ଛେପ ପକାଇବା ଦେଖିଲେ ସେଠାକାର ଲୋକେ ଏହାକୁ ବାରଣ କରନ୍ତି | ସମସ୍ତଙ୍କ ଘର ଆଗରେ ଡଷ୍ଟ ବିନ୍ ରଖାଯାଇଛି | ସମସ୍ତେ ସେଠାରେ ହିଁ ଅଳିଆ ଫିଙ୍ଗନ୍ତି| ଅମିରିବାଇ ନିଜ ସଂଗଠନ ମାଧ୍ୟମରେ ଏଠାରେ ସବୁ ପର୍ବପର୍ବାଣୀ ପାଳନ କରନ୍ତି | ଯେଉଁଥିରେ ସବୁ ସେକ୍ସ ୱାର୍କର ଭାଗ ନେଇଥାନ୍ତି | ଗତ ୧୦ ବର୍ଷ ହେଲାଣି କାମ ଜାରି ରଖିଥିବା ଅମିରିବାଇ ସେକ୍ସ ୱାର୍କରମାନଙ୍କୁ କେବଳ ଏଚଆଇଭି ସମ୍ପର୍କରେ ସଚେତନ କରୁନାହାନ୍ତି, ବଂର ବ୍ୟବସାୟିକ ଶିକ୍ଷା, ରୋଜଗାର ଓ ଅନ୍ୟ କାମ ମାଧ୍ୟମରେ ଏହି ଘୃଣ୍ୟ ପେଶାରୁ ସେମାନଙ୍କୁ ମୁକ୍ତି ଦେଉଛନ୍ତି |

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ