CloudFactory : ଆଉଟସୋର୍ସିଙ୍ଗରେ ଗ୍ରାମୀଣ ବ୍ୟାଙ୍କ ଉପାୟର ପ୍ରୟୋଗ

CloudFactory : ଆଉଟସୋର୍ସିଙ୍ଗରେ ଗ୍ରାମୀଣ ବ୍ୟାଙ୍କ ଉପାୟର ପ୍ରୟୋଗ

Monday November 02, 2015,

3 min Read

ମାଇକ୍ରୋଫାଇନାନ୍ସକୁ ଲୋକପ୍ରିୟ ଓ ସୁଦୂରପ୍ରସାରୀ କରିବାରେ ମହମ୍ମଦ ୟୁନୁସଙ୍କ ଗ୍ରାମୀଣ ବ୍ୟାଙ୍କର ଭୂମିକା କାହାକୁ ବା ଅଛପା? ଲୋକମାନଙ୍କୁ ଅନୁପ୍ରାଣିତ କରିବାରେ ସମୂହ କିପରି ଏକ ଗୁରୁତ୍ଵପୂର୍ଣ ଭୂମିକା ନିଭାଇ ପାରେ ତାହା ଗ୍ରାମୀଣ ବ୍ୟାଙ୍କ ପ୍ରମାଣିତ କରିଛି। ସାମାଜିକ ପୁଞ୍ଜି ଗଠନ ଦ୍ଵାରା ପାରମ୍ପରିକ ବ୍ୟଙ୍କିଙ୍ଗ ସେବା ଠାରୁ ଦୂରରେ ଥିବା ଲୋକମାନଙ୍କୁ ଉପକୃତ କରାଯାଇ ପାରିବ ଓ ଏହା ଋଣ ଫେରାଇବା ଦିଗରେ ମଧ୍ୟ ସାହାଯ୍ୟ କରିପାରିବ। ଗ୍ରାମୀଣ ବ୍ୟାଙ୍କର ଏହି ସାମାଜିକ ପୁଞ୍ଜି ପ୍ରୟୋଗକୁ ଆଉ ଦୁଇ ପାଦ ଆଗକୁ ନେଇଯାଇଛି CloudFactory ଟିମ। ବର୍ତ୍ତମାନ CloudFactory ନିଜ ବ୍ୟବସାୟ ଓ ଆଉଟସୋର୍ସିଙ୍ଗରେ ସାମାଜିକ ପୁଞ୍ଜି ଚିନ୍ତାଧାରାର ପ୍ରୟୋଗ କରିଛି।

image


ନେପାଳରେ କାମ କରୁଥିବା CloudFactoryର ପ୍ରମୁଖ କାର୍ଯ୍ୟ ହେଉଛି ଡାଟା ଏଣ୍ଟ୍ରି, ଡାଟା ସଂଗ୍ରହ ଓ ଏହାର ବର୍ଗୀକରଣ । କିଛି ଉତ୍ସାହୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶାରଦଙ୍କ ଦ୍ଵାରା ଏହି ସଂସ୍ଥା ଆରମ୍ଭ କରା ଯାଇଥିଲା। ନେପାଳ ପରି ଏକ ବିକାଶଶୀଳ ଦେଶରେ ମାନବ ସମ୍ବଳର ସଠିକ ବିନିଯୋଗ କରିବା ଏହି ସଂସ୍ଥା ଗଠନର ମୂଳ ଲକ୍ଷ୍ୟ ଥିଲା। ଲୋକମାନଙ୍କୁ ପ୍ରାଥମିକ କମ୍ପ୍ୟୁଟର ଶିକ୍ଷା ଦେଇ ସେମାନଙ୍କ ପାଇଁ ନିଯୁକ୍ତି,ଭଲ ଦରମା ଓ ସଫଳ କ୍ୟାରିଅର ଯୋଗାଇ ଦେବା ପାଇଁ CloudFactory କାମ କରିବା ଆରମ୍ଭ କରିଥିଲା।

କମ ଖର୍ଚ୍ଚରେ ଅଧିକ କାର୍ଯ୍ୟ ଦକ୍ଷତା ଓ ସୁଦୂର ପ୍ରସାରୀ ସାମାଜିକ ପ୍ରଭାବ- CloudFactoryର କାର୍ଯ୍ୟଶୈଳୀରେ ଏ ତିନିଟିର ସମିଶ୍ରଣ ଦେଖିବାକୁ ମିଳିଥାଏ। ଏହି ସଂସ୍ଥା କ୍ଲାଉଡ ବୈଷୟିକ ଜ୍ଞାନକୁ ବ୍ୟବହାର କରି କାର୍ଯ୍ୟର ଆଉଟସୋର୍ସିଙ୍ଗ କରିଥାଏ। ଫଳରେ କାର୍ଯ୍ୟର ପ୍ରେରଣ ପାଇଁ କୌଣସି ଅଧିକ ଖର୍ଚ ହୋଇ ନଥାଏ। ଏହି ପ୍ରକ୍ରିୟାରେ ଗୋଟିଏ ବଡ କାମକୁ ଅନେକ ଛୋଟ ଛୋଟ ସରଳ କମ୍ପ୍ୟୁଟର ଭିତ୍ତିକ କାମରେ ବିଭକ୍ତ କରି ଦିଆଯାଏ। ଏହି ଛୋଟ ଛୋଟ କାମ ଗୁଡିକୁ କିପରି କରିହେବ ତାହା କର୍ମଚାରୀମାନଙ୍କୁ ସରଳ ଭାବେ ବୁଝାଇ ଦିଆଯାଏ। ଏହି ପ୍ରକ୍ରିୟା କର୍ମଚାରୀମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହ ଡାଟା ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଏ।

କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟ ଦକ୍ଷତା ଓ ଉତ୍ତର ଦାୟିତ୍ଵ ବୃଦ୍ଧି ପାଇଁ CloudFactory ନିଜ କାର୍ଯ୍ୟଶୈଳୀରେ ଗ୍ରାମୀଣ ବ୍ୟାଙ୍କ ଉପାୟର ପ୍ରୟୋଗ ଆରମ୍ଭ କରିଥିଲା। ଜଣଙ୍କର କମ କାର୍ଯ୍ୟଦକ୍ଷତା କେବଳ ସେହି ବ୍ୟକ୍ତିକର ନୁହେଁ ସମଗ୍ର ଗୋଷ୍ଠୀର କାର୍ଯ୍ୟଦକ୍ଷତାକୁ ମଧ୍ୟ ପ୍ରଭାବିତ କରିଥାଏ। ସେଥିପାଇଁ ଗୋଟିଏ ଅଞ୍ଚଳରୁ ଆସିଥିବା କର୍ମଚାରୀମାନଙ୍କର ଗୋଷ୍ଠୀ ତିଆରି କରିବା ଓ ପ୍ରତି ସପ୍ତାହରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ କାର୍ଯ୍ୟ ଦକ୍ଷତାର ଅନୁଶୀଳନ କରିବାର ପ୍ରକ୍ରିୟା ଆରମ୍ଭ କରଯାଇଥିଲା। ଏହି ପ୍ରକ୍ରିୟା କର୍ମଚାରୀମାନଙ୍କ ପାଇଁ ପ୍ରେରଣାଦାୟୀ ଥିଲା ଓ ସେମାନଙ୍କ କାର୍ଯ୍ୟଦକ୍ଷତା ଆଶାତୀତ ଭାବେ ବୃଦ୍ଧି କରିଥିଲା।

ଏହି ବିଷୟରେ ଅଧିକ କଥା ହେଲା ବେଳେ ସଂସ୍ଥାର ସେଲ୍ସ ଓ ମାର୍କେଟିଂ ଉପ- ସଭାପତି ଟମ ପୁଷ୍କରିଚ ଆମକୁ କୁହନ୍ତି ଯେ “ ଏହି ପ୍ରକ୍ରିୟା ଦ୍ଵାରା ପ୍ରକୃତ ଉତ୍ତରଦାୟିତ୍ଵ ସୃଷ୍ଟି କରାଯାଇ ପାରିଲା। କେବଳ ନିଜ କାମ ଓ ଦକ୍ଷତା ଭିତରେ ସୀମିତ ନରହି ସେମାନଙ୍କ କାମ ଗୋଷ୍ଠୀର ଅନ୍ୟ ମାନଙ୍କ ଜୀବନକୁ କିପରି ପ୍ରଭାବିତ କରୁଛି ତାହା କର୍ମଚାରୀମାନେ ବୁଝି ପାରିଲେ”

କାର୍ଯ୍ୟଦକ୍ଷତା ସମୀକ୍ଷା ସମୟରେ ଗୋଷ୍ଠୀର ଦକ୍ଷତା ସୂଚକାଙ୍କକୁ ଭଲଭାବେ ଅନୁଶୀଳନ କରାଗଲା। ଏହି ସୂଚକାଙ୍କ ମଧ୍ୟରେ CloudFactory ଆଉ ଗୋଟିଏ ନୂଆ ଜିନିଷ ଯୋଡିଲା। ତାହା ହେଉଛି ଚରିତ୍ର। ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ କେଉଁ କେଉଁ ଲକ୍ଷ୍ୟ ରଖିଛନ୍ତି, ନିଜ ଗୋଷ୍ଠୀ ପାଇଁ କିଛି କରିବାକୁ ସେମାନଙ୍କ ପାଖରେ କି ଉପାୟ ସବୁ ରହିଛି ଓ ନେତୃତ୍ଵ କିପରି ଭାବେ ନେଇ ହେବ , ଏ ସମସ୍ତ ଗୁଣ ଚରିତ୍ର ସୂଚକାଙ୍କର ଅଂଶବିଶେଷ ଥିଲା। ଏହି ପ୍ରକ୍ରିୟାକୁ ଅଧିକ ବୁଝାଇ ଟମ କୁହନ୍ତି ଯେ, “ ନେତୃତ୍ଵ ନେବା କଳାକୁ ବିକଶିତ କରାଇ ବିକାଶଶୀଳ ଦେଶ ମାନଙ୍କରେ ଲୋକମାନେ ନିଜ ସମ୍ପ୍ରଦାୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ କିପରି କାମ କରି ପାରିବେ ତାହା ଆମ କମ୍ପାନୀର ମୂଳ ଲକ୍ଷ୍ୟ ଅଟେ। “

image


CloudFactory କାମକୁ ଆଗେଇ ନେବା ପାଇଁ କିଛି ନିବେଶକ ପୁଞ୍ଜି ନିବେଶ ମଧ୍ୟ କରିଛନ୍ତି। ଟମଙ୍କ ଭାଷାରେ ନିବେଶକମାନେ କମ୍ପାନୀର ସାମାଜିକ ଦିଗ ଓ ଲାଭ କରିପାରିବାର କ୍ଷମତା ଦେଖି ପ୍ରଭାବିତ ହୋଇଛନ୍ତି। ମାତ୍ର କେବଳ ଲାଭ ନୁହେଁ ସାମାଜିକ ଦିଗ ପାଇଁ ଆମେ ଅଧିକ ଯତ୍ନବାନ ବୋଲି ଟମ କୁହନ୍ତି।

ବର୍ତ୍ତମାନ CloudFactoryରେ ୧୫୦ଜଣ କର୍ମଚାରୀ କାମ କରୁଛନ୍ତି। କିଛି ଦିନ ତଳେ, ଗୋଟିଏ ସପ୍ତାହରେ ୧୧୮୦୦୦ ଟି କାମ ସମ୍ପୂର୍ଣ କରି CloudFactory ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଟମଙ୍କ ଭାଷାରେ ସେ ସପ୍ତାହଟି CloudFactory ଇତିହାସର ସବୁଠୁ ବଡ ସପ୍ତାହ ଥିଲା।

ଟମଙ୍କ ଭାଷାରେ ଲାଭ ହେଉଛି CloudFactory କାର୍ଯ୍ୟଶୈଳୀର ଏକ ଗୁରୁତ୍ଵପୂର୍ଣ ଅଙ୍ଗ। ଏହା ସମ୍ପୂର୍ଣ ପ୍ରକ୍ରିୟା କୁ ସହନୀୟ ଓ ଦୀର୍ଘକାଳୀନ କରିବାରେ ସାହାଯ୍ୟ କରେ। ମାତ୍ର ଲାଭ ଅପେକ୍ଷା ନେତୃତ୍ଵର ବିକାଶ ଓ ଏହାଦ୍ଵାରା କିପରି ଗୋଷ୍ଠୀମାନଙ୍କର ଅର୍ଥନୈତିକ ଉନ୍ନତି କରାଯାଇ ପାରିବ ତାହା CloudFactory ପାଇଁ ଅଧିକ ଗୁରୁତ୍ଵପୂର୍ଣ।

ଟମଙ୍କ ଭାଷାରେ, “CloudFactoryର ଅଧିକାଂଶ କର୍ମଚାରୀ ସେମାନଙ୍କ ସରା ଜୀବନ ଏଠାରେ କର୍ମଚାରୀ ହୋଇ ରହିବେ ନାହିଁ। ସେମାନଙ୍କ ଭିତରୁ କିଏ ନେତା ହେବ ତ କିଏ ସାମ୍ବାଦିକ, ତ କିଏ ପୁଣି ଇଞ୍ଜିନିୟର। ଆରମ୍ଭରୁ ଯଦି ସେମାନଙ୍କୁ ଭଲ କାମ କରିବା ପାଇଁ ସଠିକ ଶିକ୍ଷା ମିଳିପାରିବ ଓ ନେତୃତ୍ଵର ବିକାଶ କରାଯାଇ ପାରିବ, ଏହା ସେମାନଙ୍କ ଭବିଷ୍ୟତକୁ ଅଧିକ ସମୃଦ୍ଧ କରିବ।"

Think CloudFactory can help your business?