ଆପଣ ସାମାଜିକ ଉଦ୍ୟୋଗୀ ହେବେ ତ? ଏଇଠି ରହିଛି ସୂତ୍ର

ଆପଣ ସାମାଜିକ ଉଦ୍ୟୋଗୀ ହେବେ ତ? ଏଇଠି ରହିଛି ସୂତ୍ର

Friday December 25, 2015,

3 min Read

ସାମାଜିକ ଉଦ୍ୟୋଗୀପଣ କ’ଣ? ଏ ପ୍ରଶ୍ନର ଉତ୍ତର ଦେବା କଷ୍ଟ ।

Picture courtesy: www.socialearth.org

Picture courtesy: www.socialearth.org


ଭିନ୍ନ ଭିନ୍ନ ସାମାଜିକ ଉଦ୍ୟୋଗୀଙ୍କ ପାଇଁ ଏହାର ଉତ୍ତର ମଧ୍ୟ ଭିନ୍ନ । ଆମେ ଏହାର ସଂଜ୍ଞା ଏମିତି କରିଛୁ: ମୁଖ୍ୟ ସ୍ରୋତର ଲାଭଜନକ କମ୍ପାନିର ବିଧିବ୍ୟବସ୍ଥାକୁ ଆପଣେଇ ସାମାଜିକ ଓ ପାରିପାର୍ଶ୍ଵିକ ପ୍ରଭାବର ଲକ୍ଷ୍ୟ ରଖି ପ୍ରତିଷ୍ଠିତ କମ୍ପାନି ହେଉଛି ସାମାଜିକ ଉଦ୍ୟୋଗ । ଅର୍ଥାତ ଗୋଟେ ଉଦ୍ୟୋଗୀର ମସ୍ତିଷ୍କ ଥିବ ଆଉ ଗରିବଙ୍କୁ ସହଯୋଗ କରିବା ଲାଗି ହୃଦୟ ଥିବା ଲୋକ ହେଉଛି ସାମାଜିକ ଉଦ୍ୟୋଗୀ । ତେବେ ଏଭଳି ଲୋକ କିଏ? ସବୁ ସାମାଜିକ ଉଦ୍ୟୋଗ ଲାଭ କରୁଛନ୍ତି କି? ବୋଧହୁଏ ଉତ୍ତର ହେବ ‘ନାଁ’ । ଅଣ-ଲାଭଜନକ ସଂସ୍ଥା ବି ସାମାଜିକ ଉଦ୍ୟୋଗର ଭୂମିକା ନିର୍ବାହ କରୁଛନ୍ତି । ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ଭାଷାରେ ଯାହାକୁ ସାମାଜିକ ବ୍ୟବସାୟ ବୋଲି କୁହାଯାଇପାରିବ ।

ଆମର ପରାମର୍ଶ ହେଲା, ସଂଜ୍ଞା ନିରୂପଣ ନେଇ ବ୍ୟସ୍ତ ହୁଅନ୍ତୁନି । ଆନୁଷ୍ଠାନିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ, ନହେଲେ ପୁରୁଣା ଅଣ-ଲାଭଦାୟକ ସଂସ୍ଥା ଓ ସାମାଜିକ ଉଦ୍ୟୋଗ ଭିତରେ ବିଭେଦ ରହିବନି । ଏହା ଏଭଳି ଏକ ସଂସ୍ଥା ଯାଆ ଅନ୍ୟ କାହାର ଅନୁଦାନ ଉପରେ ନିର୍ଭର କରିବନାହିଁ ।

ଆମେ ଆଶା କରୁଛୁ ଏବେ ଆପଣ ସାମାଜିକ ଉଦ୍ୟୋଗ ଉପରେ ବେଶ୍ ଜ୍ଞାନ ପାଇଯିବେଣି । ଆସନ୍ତୁ ଦେଖିବା ଭାରତୀୟ ସାମାଜିକ ଉଦ୍ୟୋଗପଣ ଦୃଶ୍ୟପଟରେ କ’ଣ ସବୁ ଚାଲିଛି ।

ଭାରତ: ସାମାଜିକ ଉଦ୍ୟୋଗର ଗବେଷଣାଗାର

ଭାରତରେ ବିବିଧ ସାମାଜିକ ଓ ପାରିପାର୍ଶ୍ଵିକ ସମସ୍ୟାକୁ ଦୃଷ୍ଟିରେ ରଖି ସାମାଜିକ ଉଦ୍ୟୋଗର ଆରମ୍ଭ ହୋଇଛି ଯେମିତିକି ସ୍ଵାସ୍ଥ୍ୟ, କୃଷି, ଶିକ୍ଷା, ଆର୍ଥିକ ସଂପୃକ୍ତି, ଜଳ ଓ ପରିମଳ ଆଦି ସମସ୍ୟା । ଏଭଳି ବହୁ ନୂଆ ବିଷୟକୁ ନେଇ ବିଶ୍ଵ ପାଇଁ ଭାରତ ଏବେ ପରୀକ୍ଷାଗାର । ଏଇଠୁ ଯାହା ଶିକ୍ଷା କରାଯିବ ତାହା ଅନ୍ୟ ବିକାଶଶୀଳ ରାଷ୍ଟ୍ରରେ ପ୍ରୟୋଗ କରାଯିବ । ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ସ୍ପଳ୍ପବ୍ୟୟୀ ଚିକିତ୍ସା ମଡେଲକୁ ଏବେ ମେକ୍ସିକୋ ଆପଣେଇଛି ।

ଇଣ୍ଟେଲକ୍ୟାପର ଗବେଷଣା ଅନୁସାରେ, ଭାରତରେ ଏବେ ଷ୍ଟାର୍ଟଅପର ବେଶ୍ ଚାହିଦା, ମାତ୍ର ଏହି ଚାହିଦା ମାତ୍ର ୫ ବର୍ଷ ହେଲା ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ କୁହ(ଷ୍ଟାନ୍ଫୋର୍ଡ କିମ୍ବା ଏମ୍ଆଇଟି), ଫାଉଣ୍ଡେସନ୍ କୁହ(ବିଲ୍ ଆଣ୍ଡ ମେଲିନ୍ଦା ଗେଟ୍ସ ଫାଉଣ୍ଡେସନ୍ ଅଥବା ରକ୍ଫେଲର ଅଥବା ସୁସାନ୍ ଆଣ୍ଡ ମିସେଲ୍ ଡେଲ୍), ବଡ଼ ସୋସିଆଲ ଭେଞ୍ଚର ଫଣ୍ଡ୍ କୁହ(ଓମିଦ୍ୟାର ନେଟୱର୍କ କିମ୍ବା ଆକ୍ୟୁମେନ ଫଣ୍ଡ) ଏ ସମସ୍ତେ ଏବେ ଭାରତରେ ନିଜର ଉପସ୍ଥିତି ଜାହିର କଲେଣି । ଭିଲଗ୍ରୋ, ଅନ୍ଲିମିଟେଡ୍, ଦେଶପାଣ୍ଡେ ଫାଉଣ୍ଡେସନ୍ ଏବଂ ଦଶରା ଆଦି ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ଇନକୁବେଟରର(ବଞ୍ଚେଇ ରଖିବା ଲାଗି ସବୁପ୍ରକାର ସାମର୍ଥ୍ୟ ଥିବା ଯନ୍ତ୍ର) ପାଲଟିଛି । ପ୍ରଚୁର ଫଣ୍ଡିଂ ମଧ୍ୟ ଆସୁଛି । ତେବେ ନୂଆ ଆରମ୍ଭ କରୁଥିବା ଉଦ୍ୟୋଗ ପାଇଁ ଫଣ୍ଡିଂ ଏକ ଆହ୍ୱାନ ।

ଭାରତରେ ସୁଯୋଗ

ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀ ପାଇପାରୁଥିବା ଦ୍ରବ୍ୟ ଓ ସେବାରୁ ବଞ୍ଚିତ ହେଉଥିବା ତଳ ସ୍ତରର ଲୋକଙ୍କ ଲାଗି ସାମାଜିକ ଉଦ୍ୟୋଗ । ସାମାଜିକ ଉଦ୍ୟୋଗ ମାଧ୍ୟମରେ ସମାନ ଦ୍ରବ୍ୟ ବା ସେବାର ମୂଲ୍ୟ କମ କରିଦିଆଯାଇ ପାରୁଛି, ଫଳରେ ତଳ ସ୍ତରର ଲୋକର ପକେଟକୁ ଏହା ସୁହାଉଛି । ଭାରତରେ ଅଧିକାଂଶ ଲୋକ ଦରିଦ୍ର ହୋଇଥିବାରୁ ଏଠାରେ ସାମାଜିକ ଉଦ୍ୟୋଗର ଚାହିଦା ଅଧିକ । ମାକ୍କିନ୍ସିର ଗବେଷଣା ଅନୁସାରେ ତଳ ସ୍ତରରେ ଥିବା ଏହି ଲୋକ ବା ବିଓପି(ବଟମ୍ ଅଫ୍ ପିରାମିଡ୍)ଙ୍କ ସଂଖ୍ୟା ୨୦୧୫ ସୁଦ୍ଧା ପ୍ରାୟ ୯୯.୭ କୋଟି । ଏମାନେ ହେଲେ ସେଇ ପରିବାରର ଯେଉମାନଙ୍କର ମାସିକ ଆୟ ୧୬,୬୬୭ରୁ କମ ।

ତେଣୁ ସୁଯୋଗ ବ୍ୟାପକ । ତେବେ ସାମାଜିକ ଉଦ୍ୟୋଗ ଆରମ୍ଭ କରି ତାକୁ ବଢ଼ାଇବା ଅଧିକ ଆହ୍ୱାନପୂର୍ଣ । ତେବେ ଏଠାରେ ଯଦି କିଛି ନୂଆ କଥାକୁ ଗ୍ରହଣୀୟତା ମିଳିଗଲା, ତେବେ ଅନ୍ୟ ବିକାଶଶୀଳ ରାଷ୍ଟ୍ରରେ ମଧ୍ୟ ତାହା ଅଚିରେ ସମ୍ଭବ ହେବ ।

ମୂଳ ଲେଖା - ନେଲସନ ବିନୋଦ ମୋଜେସ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା