ମୁମ୍ବାଇର ଯୁବସମାଜଙ୍କର ଚାଷୀ ଆତ୍ମହତ୍ୟା ବିରୋଧରେ ସଂଘର୍ଷ ଓ କିପରି ୧୭ଟି ନଦୀକୁ ଦେଲେ ଜୀବନ୍ୟାସ

ମୁମ୍ବାଇର ଯୁବସମାଜଙ୍କର ଚାଷୀ ଆତ୍ମହତ୍ୟା ବିରୋଧରେ ସଂଘର୍ଷ ଓ କିପରି ୧୭ଟି ନଦୀକୁ ଦେଲେ ଜୀବନ୍ୟାସ

Wednesday July 27, 2016,

3 min Read

ଜଳ ଜାଗୃତି ଅଭିଯାନ(JJA), ଆର୍ଟ ଅଫ ଲିଭିଙ୍ଗ ଫାଉଣ୍ଡେସନର ପୃଷ୍ଠପୋଷକତାରେ ୨୦୧୩ ରେ ପ୍ରତିଷ୍ଠା ହୋଇଥିଲା। ସେବେଠାରୁ ସ୍ଵେଚ୍ଛାସେବୀ ଓ ଚାଷୀଭାଇ ମାନେ ଏକଜୁଟ ହୋଇ ରାଜ୍ୟରେ ଥିବା ଜଳ ସଙ୍କଟର ମୁକାବିଲା କରୁଛନ୍ତି ଓ ବିଶେଷ କରି ଲାଟୁର ଓ ମରାଠାୱାଡା ଭଳି ପ୍ରଭାବିତ ଅଞ୍ଚଳକୁ ତାଙ୍କର ଧ୍ୟାନର କେନ୍ଦ୍ରବିନ୍ଦୁ କରିଛନ୍ତି। ଅଦ୍ୟାବଧି JJA ମାତ୍ର ତିନି ବର୍ଷ ମଧ୍ୟରେ ତିନୋଟି ରାଜ୍ୟରେ ୧୭ଟି ନଦୀକୁ ଜୀବନ୍ୟାସ ଦେଇପାରିଛନ୍ତି।

image


୨୦୧୬ର ପ୍ରାରମ୍ଭରେ ମହାରାଷ୍ଟ୍ର ସରକାର ସରକାରୀ ଭାବେ ମରୁଡି ଘୋଷଣା କରିଥିଲେ, ସେତେବେଳେ ପ୍ରାୟ ୨୮,୦୦୦ରୁ ଅଧିକ ଗାଁ ମରୁଡିଗ୍ରସ୍ତ ହେଇସାରିଥାଏ। ୨୦୧୫ରେ ୨୦୦୦ ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିଲେ, ଯେଉଁଥିରୁ ସର୍ବାଧିକ ସଂଖ୍ୟା ମହାରାଷ୍ଟ୍ରର ଚାଷୀଙ୍କର ଥିଲା। ଏହି ସଂଖ୍ୟା ପୁଣି ବଢିବାକୁ ଲାଗିଲା ଯେବେ ଲାଟୁର ଆଜି ପର୍ଯ୍ୟନ୍ତ ହେଇଥିବା ସବୁଠାରୁ ଖରାପ ମରୁଡି ଦେଇ ଗତି କଲା। ପରିସ୍ଥିତି ଏପରି ଭାବେ ଭୟାବହ ହେବାକୁ ଲାଗିଲା ଯେ ସରକାର ଯେକୌଣସି ଜଳର ଉତ୍ସ ଆଖପାଖରେ ବେଶି ଲୋକ ଜମା ହେବା ମଧ୍ୟ ନିଷେଧ କଲେ। ଏପରି ଏକ ଅଭୂତପୂର୍ବ ପଦକ୍ଷେପ ନେବା ପଛରେ କାରଣ ଥିଲା ସେତେବେଳେ ପ୍ରାୟ ନିୟମିତ ପାଲଟିଯାଇଥିବା ଦଙ୍ଗାକୁ ଅଟକାଇବା। ପାଣି ଟ୍ୟାଙ୍କରର ଧୀରେ ଧୀରେ ମାତ୍ର ସପ୍ତାହକୁ ଥରେ ଆସିବାକୁ ଲାଗିଥିଲା ଓ ତା’ ସହ ଲୋକଙ୍କର ରାଗ ବଢିବାକୁ ଲାଗିଥିଲା।

ମରାଠାୱାଡା ଓ ଲାଟୁର ମୂଳରୁ ଡାଲି ଜାତୀୟ ଶସ୍ୟରେ ଧନୀ ଥିଲେ। କିନ୍ତୁ ସମୟକ୍ରମେ ଚାଷୀ ମାନେ ନିଜର ଚାଷ ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ବେଶି ଲାଭକାରୀ ଫସଲ କରିବାରେ ଧ୍ୟାନ ଦେଲେ, ଯେମିତିକି ଆଖୁ। ଆଖୁ ଭଳି ଫସଲକୁ ବାର୍ଷିକ ପ୍ରାୟ ୨୨୦୦ ମିଲିମିଟର ବର୍ଷା ଦରକାର ହୋଇଥାଏ। କିନ୍ତୁ ମହାରାଷ୍ଟ୍ର ବାର୍ଷିକ ହାରାହାରି ମାତ୍ର ୬୦୦-୭୦୦ ମିଲିମିଟର ବର୍ଷା ପାଇଥାଏ। ତେଣୁ କ୍ରମେ ଜଳସେଚନର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଚାଷୀ ମାନେ ସମସ୍ତ ଉପଲବ୍ଧ ଜଳସମ୍ବଳକୁ କିପରି ଭାବେ ବ୍ୟବହାର କରିପାରିବେ ସେଥିରେ ଲାଗିଲେ, ଯେପରିକି ଭୂତଳ ଜଳ ଏବଂ ବୋରୱେଲ ଇତ୍ୟାଦି। ଧୀରେ ଧୀରେ ଏହି ସବୁ ଉତ୍ସ ମଧ୍ୟ ଶୁଖିବାକୁ ଲାଗିଲା ଏବଂ ଚାଷୀ ମାନେ କେବଳ ପ୍ରକୃତିଦତ୍ତ ବର୍ଷାକୁ ହିନ ଅପେକ୍ଷା କରି ରହିଲେ। ଏହି କାରଣ ଯୋଗୁଁ ଧୀରେ ଧୀରେ ଦେଶରେ ଡାଲିର ଅଭାବ ଦେଖାଦେଲା ଓ ଚାଷୀଙ୍କ ଆତ୍ମହତ୍ୟା ବଢିବାକୁ ଲାଗିଲା।

ସମାଧାନ କଣ?

ଏପରି ସମସ୍ୟା ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରିବାକୁ ଲାଗିବା ସମୟରେ ମୁମ୍ବାଇର କିଛି ଯୁବଗୋଷ୍ଠୀ ଏହାର ସମାଧାନ କିପରି ଭାବେ ବାହାରିବ ସେଦିଗରେ ଚିନ୍ତା କରିବାକୁ ଲାଗିଲେ। ସେମାନେ ସେଠାକାର ସମସ୍ୟାକୁ ଭଲଭାବେ ବୁଝିବାପାଇଁ JJAର ଉଦ୍ୟମରେ ଲାଟୁର ଗଲେ । ସେମାନେ ଚାଷୀଙ୍କ ସହ ମିଶି ଶୁଖିଯାଇଥିବା ଜଳର ଉତ୍ସକୁ କିପରି ପୁନର୍ଜୀବିତ କରିହେବ ସେଦିଗରେ କାର୍ଯ୍ୟ କରିବାକୁ ବିଚାର କଲେ। ଯଦିଓ ଯୋଜନାଟି ସଙ୍ଗେ ସଙ୍ଗେ ସଫଳତା ପାଇଲାନାହିଁ କିନ୍ତୁ ନିରନ୍ତର ପ୍ରଚେଷ୍ଟା ଧୀରେ ଧୀରେ ରଙ୍ଗ ଆଣିବାକୁ ଲାଗିଲା। ଆଜି ଏହି ଯୋଜନା ଏକ ବିରାଟ ଆକାରରେ କାମ କରୁଛି ଏବଂ ଅନ୍ୟ ଗାଁ ମାନଙ୍କ ପାଇଁ ତାଙ୍କର ଶୁଖିଯାଇଥିବା ଜଳର ଉତ୍ସକୁ ପୁନର୍ଜୀବିତ କରିବା ପାଇଁ ଏକ ମଡେଲ ମଧ୍ୟ ପାଲଟିଯାଇଛି।

କିପରି ସମ୍ଭବ ହେଲା?

ଏକ ଚତୁଃସ୍ତରୀୟ ପଦକ୍ଷେପ – Restore. Recycle. Reuse. Reduce- କୁ ଅନୁସରଣ କରି ଏହି ସଫଳତା ପାଇବା ସମ୍ଭବପର ହୋଇଥିଲା। ସ୍ଵେଚ୍ଛାକର୍ମୀ ମାନେ ସେହି ପୁରାତନ କୃଷି ପ୍ରକ୍ରିୟାକୁ ଆପଣେଇବାର ପ୍ରସ୍ତାବ ଦେଇଥିଲେ – ସରଳ କିନ୍ତୁ ଫଳପ୍ରସୂ ପ୍ରକ୍ରିୟା ଯାହା ଫଳରେ ଚାଷୀମାନେ କମ ଜଳ ବ୍ୟବହାର କରି ଫସଲ ଅମଳ କରିପାରିଲେ। ଗ୍ରାମବାସୀଙ୍କୁ ତା’ପରେ ଜଳ ସଞ୍ଚୟ କିପରି କରିବେ ତାହା ସମ୍ପର୍କରେ ପ୍ରଶିକ୍ଷଣ ଦିଆଗଲା। ଏହି ଯୋଜନାର ଲକ୍ଷ ଥିଲା ଜଳାଶୟ ଗୁଡିକର ପୁନରୁଦ୍ଧାର, ବେଶିରୁ ବେଶି ବୃକ୍ଷରୋପଣ, ଧୀରେ ଧୀରେ ଜୈବିକ କୃଷି ପ୍ରତି ଆଗ୍ରହ ସୃଷ୍ଟି ଓ ଜଳ ଅମଳର ବ୍ୟବହାର ଶିଖାଇବା।

ଗତ ମାସ JJAର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ନିଜେ ପ୍ରଭାବିତ ଜିଲ୍ଲା ଗୁଡିକ ପରିଦର୍ଶନ କରିଥିଲେ ଓ ସେଠାକାର ଯୁବସମାଜ ପାଇଁ ଏକ ଖୁବ ଶକ୍ତିଶାଳୀ ସନ୍ଦେଶ ଦେଇଯାଇଥିଲେ। ସେ କହିଥିଲେ,

ଛୁଟି ରେ କୁଆଡେ ବୁଲିବାକୁ ନଯାଇ ବରଂ ଚାଷୀଙ୍କ ସଙ୍ଗେ ସମୟ ଅତିବାହିତ କର। ଦେଶରେ ଆଉ ଗୋଟିଏ ମଧ୍ୟ ଚାଷୀ ଆତ୍ମହତ୍ୟା କରିବା ଉଚିତ ନୁହେଁ। ଆମ ଦେଶ ଏହାଠାରୁ ଅନେକ ଭୟଙ୍କର ପରିସ୍ଥିତି ଦେଇ ଯାଇସାରିଛି। କିନ୍ତୁ କେବେ ମଧ୍ୟ ଏହି ଆକାରରେ ଚାଷୀ ମାନେ ଏପରି ଏକ ପଦକ୍ଷେପ ନେଇନଥିଲେ। ହୁଏତ ସେମାନେ ଇଶ୍ଵରଙ୍କ ଉପରେ ତାଙ୍କର ଆସ୍ଥା ହରାଇ ବସିଛନ୍ତି ଅଥବା ସମାଜ ଠାରୁ ଭଲପାଇବା ପାଉନାହାନ୍ତି। ପ୍ରେମ ଓ ନିଜପଣିଆ ରହିଥିଲେ ସବୁ ସମସ୍ୟାର ସମାଧାନ ନିଶ୍ଚେ ବାହାରିବ।

ଆମର ନିତିଦିନିଆ ସହରୀ ଜୀବନରେ ଆମେ ଏକ ଚାଷୀର ସଂଘର୍ଷ ଏକଦମ ଭୁଲିଯାଉ। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସନ୍ଦେଶ ଅନେକଙ୍କ ମନକୁ ଛୁଇଁଥିଲା। ଅନେକ ସ୍ଵେଚ୍ଛାସେବୀ ମାନେ ରାଜ୍ୟରେ ଥିବା ଚାଷୀଙ୍କୁ ସାହାଯ୍ୟ କରିବା ସହ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିବାର ପଣ ନେଇଥିଲେ।

ଭାରତୀୟ ଦର୍ଶନ ସଙ୍ଗଚ୍ଛଧ୍ଵମର ଏହା ଏକ ଆଦର୍ଶ ଉଦାହରଣ ଯେଉଁଥିରେ ବସୁଧୈବ କୁଟୁମ୍ବକମର ଦର୍ଶନ ରହିଛି। ଏହି ସ୍ଵେଚ୍ଛାସେବୀ ମାନଙ୍କର ଆପଣାପଣ ଓ ସହାନୁଭୁତି ତାଙ୍କୁ ଏପରି ଏକ ମହତ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲା। ପ୍ରତ୍ୟେକ ଲୋକ ଚାହିଁଲେ ପରିବର୍ତ୍ତନ ନିଶ୍ଚେ ଆଣିପାରିବ। ଆଜି ଆରମ୍ଭ କରନ୍ତୁ ନା! ଗୋଟେ ଗଛ ଲଗାନ୍ତୁ। ଚାଲନ୍ତୁ ନା ଗୋଟେ ମଣିଷକୁ ଗୋଟିଏ ଗଛର ଅନୁପାତ ଆଣିବା ପାଇଁ ଅଭିଯାନ ଆଜିଠାରୁ ଆରମ୍ଭ କରିବା।