ଇ-ହୋଲି : ସୋସିଆଲ୍ ମିଡିଆରେ ରଙ୍ଗର ବର୍ଷା, ସାରା ଦୁନିଆକୁ ଅଭିନନ୍ଦନ

0

ରଙ୍ଗର ପର୍ବ ହୋଲିକୁ ଯେମିତି ହେଲେ ମନେଇବାକୁ ପଡିବ | ସାଙ୍ଗ, ସାଥୀମାନଙ୍କ ସହ ମଉଜ ମଜଲିସ୍ କରିବାକୁ ପଡିବ | ଅନେକଙ୍କର ଇଛା ଥାଏ ହୋଲିରେ | କିନ୍ତୁ ଆଉ କେତେକଙ୍କୁ ରସାୟନିକ ରଙ୍ଗ ଲାଗି ଆଲର୍ଜି ହେବାର ଭୟ ଥାଏ | ପୁଣି କାଳେ ରଙ୍ଗ ଆଖିରେ ପଡିଯିବ, ସେଥିପାଇଁ ଅନେକ ରଙ୍ଗ ଖେଳିବାକୁ ଡରନ୍ତି | ପୁଣି ଜଳ ସଂରକ୍ଷଣ ପାଇଁ ବାର୍ତ୍ତା ଦେଉଥିବା ସଚେତନ ବ୍ୟକ୍ତିମାନେ ପାଣି ଯେପରି ନଷ୍ଟ ନ ହେବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି | ଆଉ କେତେକ ନିଜ ସମ୍ପର୍କୀୟମାନଙ୍କ ଠାରୁ ଦୂରରେ ରହି ହୋଲି ଖେଳିପାରିଲେ ନାହିଁ ବୋଲି ମନ ଦୁଖ କରନ୍ତି | କିନ୍ତୁ ହୋଲିରେ ଏସବୁ ସମସ୍ୟାର ସମାଧାନ ନେଇ ଆସିଛି ଇ-ହୋଲି | ଇଲେକଟ୍ରୋନିକ୍ ଉପାୟରେ ହୋଲି ଖେଳିବାକୁ ଅନେକ ଲୋକ ପସନ୍ଦ କରୁଛନ୍ତି | ଆଉ ଇଣ୍ଟରନେଟ୍ ଯୁଗରେ ତ ଏହା ଅଧିକ ଗ୍ରହଣୀୟ ହୋଇପାରିଛି |

ରଙ୍ଗରେ ବିଭିନ୍ନ ପ୍ରକାର ରସାୟନିକ ମିଶୁଥିବାରୁ ଏହା ଶରୀର ଉପରେ କୁପ୍ରଭାବ ପକାଉଛି | ତେଣୁ ରଙ୍ଗ ଠାରୁ ଦୂରେଇ ରହି ହୋଲି ଖେଳିବା ପାଇଁ ପସନ୍ଦ କରନ୍ତି ଭୁବନେଶ୍ୱରର ଜଣେ ଗୃହିଣୀ ଅଶ୍ମିନୀ ମିଶ୍ର | ସେ ଗତ ପାଂଚ ବର୍ଷ ହେଲାଣି ଇ-ହୋଲିରେ ମମସ୍ତଙ୍କୁ ରଙ୍ଗାୟିତ କରୁଛନ୍ତି | ସେ କହନ୍ତି –

ରଙ୍ଗ ଖେଳିବା ଯୋଗୁ ମୋ ହାତରେ ରିବି ରିବି ହୋଇ କିଛି ଉଠିଯାଏ | ମୁଁ ଜାଣିପାରିଥିଲି ଏହା ଆଲର୍ଜି ବୋଲି | ସେହି ଦିନ ଠାରୁ ମୁଁ ମୋବାଇଲରେ ମେସେଜ୍ ପଠାଇ ହୋଲିର ଶୁଭକାମନା ଜଣାଇଲି | ଏବେ ତ ଆହୁରି ସହଜ ହୋଇଯାଇଛି | ବିଭିନ୍ନ ରଙ୍ଗର ଫୋଟକୁ ହ୍ୱାଟସପ୍ ରେ ପଠାଇ ଦେଉଛି | ଏ ବର୍ଷ ମଧ୍ୟ ମୁଁ ୱାଟସାପ ରେ ଅନେକ ସାଙ୍ଗକୁ ହୋଲି ଅଭିନନ୍ଦନ ଜଣାଇଛି |

ପ୍ରକୃତରେ ଇଣ୍ଟରନେଟ୍ ଯୁଗରେ ଏହା ମାଧ୍ୟମରେ ହୋଲି ଖେଳିବା ସହଜ ହୋଇଯାଇଛି | ପୁଣି ଏବେ ଅଧିକାଂଶ ଯୁବପିଢୀଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି | ଯେଉଁଥିରେ ଇଣ୍ଟରନେଟ୍ ଉପଲବଧ ଥିବାରୁ ସେମାନେ ହୋଲି ଅଭିନନ୍ଦନ କ୍ଷଣକରେ ପାଇଯାଉଛନ୍ତି | ଇ-ମେଲ୍ ରେ ମଧ୍ୟ ସେମାନେ ବିଭିନ୍ନ ପ୍ରକାର ହୋଲି କାର୍ଡ, ଫଟୋ, ମହାପୁରୁଷଙ୍କ ବାଣୀ ଆଦି ପଠାଇପାରୁଛନ୍ତି | ପ୍ରକୃତରେ ରଙ୍ଗ ଖେଳ ପରି ଇଣ୍ଟରନେଟ୍ ହୋଲି ମଧ୍ୟ ମଜାଦାର ହୋଇପାରିଛି | ଫେସବୁକ୍ ପେଜରେ ତ ଦୋଳପୂର୍ଣମୀ ଓ ହୋଲି ଦୁଇ ଦିନ କେବଳ ଏସମ୍ପର୍କିତ ପୋଷ୍ଚିଂ ଆପଣଙ୍କ ନଜରକୁ ଆସିବ |

ପୁରୀ ଜିଲ୍ଲା ପିପିଲିରେ ରହୁଥିବା ପ୍ରକାଶ କୁମାର ପ୍ରଧାନ କହନ୍ତି,

ମୁଁ ଇଣ୍ଟରନେଟରେ ହିଁ ସାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଏ | ହୋଲି ପାଇଁ ମୁଁ ନିଜେ ବିଭିନ୍ନ ପ୍ରକାର କାର୍ଡ ଡିଜାଇନ୍ କରିଛି | ସେଗୁଡିକ ଏବେ ମୋର ପର୍ସନାଲ୍ ଫେସବୁକ୍ ଓ ଏକ ଗ୍ରୁପ୍ ପେଜ୍ ରେ ପକାଇଛି | ଏଥିରେ ମୋତେ ବହୁତ ଲାଇକ୍ ମିଳିଛି | ହୋଲିରେ ସାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଇବାର ଏହା ଗୋଟିଏ ଭଲ ଉପାୟ |

ଆପଣ ଯେତେ ଦୂରରେ ଥିଲେ ବି ଅସୁବିଧା ନାହିଁ | ପରିବାର ଲୋକଙ୍କୁ ହୋଲି ଦିନ ଯେଉଁ ସମୟରେ ଚାହିଁବେ, ସେହି ସମୟରେ ହିଁ ସେମାନଙ୍କ ରଙ୍ଗ ଖେଳିପାରିବେ ଇଣ୍ଟରନେଟର | ଫେସବୁକ୍, ହ୍ୱଟସପରେ ଆପଣ ସେମାନଙ୍କୁ ବିଭିନ୍ନ ମେସଜେ ପଠାଇ ପାରିବେ | ସେମାନଙ୍କ ବ୍ୟକ୍ତିଗତ ଇ-ମେଲକୁ ମଧ୍ୟ ଆପଣ ରଙ୍ଗୀନ୍ କାର୍ଡ ଓ ମେସେଜ୍ ପଠାଇପାରିବେ | ଆଇ ହୋଲିର ମଜା ଉଠାଇପାରିବେ | ଏଥର ହୋଲିରେ ଏମିତି ମଜା ଉଠାଇଛନ୍ତି ଆମେରିକାରେ ରହୁଥିବା ଗାୟତ୍ରୀ ସ୍ୱାଇଁ | ସେ କହନ୍ତି,

ହୋଲିରେ ସକାଳ ୯ଟା ବେଳକୁ ଭୁବନେଶ୍ୱରରେ ରହୁଥିବା ମୋ ଭାଇଙ୍କୁ ପାଖକୁ ମୁଁ ରଙ୍ଗୀନ କାର୍ଡ ପଠାଇଥିଲି | ସେ ତୁରନ୍ତ ଏହାର ପ୍ରତି ଅଭିନନ୍ଦନ ପଠାଇଥିଲେ | ଭୁବନେଶ୍ୱରରେ ରହୁଥିବା ସାଙ୍ଗସାଥୀମାନଙ୍କୁ ମଧ୍ୟ ହ୍ୱାଟସପ୍ ଗ୍ରୁପ୍ ରେ ମୁଁ ହୋଲି ଅଭିନନ୍ଦନ ଜଣାଇଛି | ସେମାନେ ମଧ୍ୟ ବିଭିନ୍ନ ପ୍ରକାର ହୋଲି କାର୍ଡ ସେୟାର କରିଛନ୍ତି |

ଇ-ହୋଲି ଖେଳିବା ସମାଜ ପାଇଁ ଏକ ପ୍ରକାର ଉପକାର | ଏହା ଦ୍ୱାରା ଅନେକ ପ୍ରକାର ସମସ୍ୟାକୁ ଦୂରେଇ ହୁଏ | ରଙ୍ଗଖେଳକୁ ନେଇ ଗଣ୍ଡଗୋଳର ଆଶଙ୍କା ନଥାଏ | ସ୍ୱାସ୍ଥ୍ୟପ୍ରତି ବିପଦ ନଥାଏ | କିମ୍ବା ଜଳ ନଷ୍ଟ କିମ୍ବା ଜଳ ପ୍ରଦୂଷଣ ହେବାର ସମ୍ଭାବନା ହିଁ ନଥାଏ | ତେଣୁ ଏପରି ହୋଲିକୁ ଆଜି ଯୁବପିଢୀ ଆପଣେଇ ନେଇଛନ୍ତି | ଏ ସମ୍ପର୍କରେ ଡକ୍ଟର ତପନ ଦାଶ କୁହନ୍ତି,

ପ୍ରକୃତରେ ସ୍ୱାସ୍ଥ୍ୟଗତ ସମସ୍ୟା ବା ବିଭିନ୍ନ ରଙ୍ଗକୁ ନେଇ ଆଲର୍ଜି ଥିବା ବ୍ୟକ୍ତି ପାଇଁ ଇ-ହୋଲି ଏକ ଭଲ ମାଧ୍ୟମ | ମୁଁ ମଧ୍ୟ ରଙ୍ଗ ଖେଳ ପାଇଁ ଏହି ମାଧ୍ୟମକୁ ଆପଣେଇଛି | ପୁଣି ଏହା ଦ୍ୱାରା ହୋଲିର ପ୍ରକୃତ ବାର୍ତ୍ତା ଆମେ ଅନେକ ଲୋକଙ୍କ ପାଖରେ ପହଁଚାଇପାରିବ |

ପ୍ରକୃତରେ ଆଜି ଇ-ହୋଲିରେ ସାରା ଦୁନିଆ ରଙ୍ଗାୟିତ | ହୋଲି ପରେ ଦେହରେ ଲାଗିଥିବା ରଙ୍ଗ ଦିନେ ଦୁଇଦିନ ପରେ ଛାଡି ଯାଇଥାଏ | କିନ୍ତୁ ସୋସିଆଲ୍ ମିଡିଆରେ ହୋଲି ପାଇଁ ଛଡା ଯାଇଥିବା ରଙ୍ଗୀନ କାର୍ଡ ଓ ଅଭିନନ୍ଦନ ବାର୍ତ୍ତା ଅନେକ ଦିନ ଯାଏ ଫିକା ପଡିବ ନାହିଁ |

Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories

Stories by Akhand