ଜେଜେଙ୍କ ମୃତ୍ୟୁପରେ ୫ ବର୍ଷର ନାତୁଣିର ନିଶା ବିରୋଧୀ ଅଭିଯାନ, ଘର ଘର ବୁଲି କରୁଛନ୍ତି ସଚେତନ

ଜେଜେଙ୍କ ମୃତ୍ୟୁପରେ ୫ ବର୍ଷର ନାତୁଣିର ନିଶା ବିରୋଧୀ ଅଭିଯାନ, ଘର ଘର ବୁଲି କରୁଛନ୍ତି ସଚେତନ

Tuesday February 02, 2016,

4 min Read

ଯଦି ସମାଜକୁ ନୂତନ ଦିଗ ଦେଖାଇବାର ମନୋବୃତି ଅଛି, ତେବେ ସେହି କ୍ଷେତ୍ରରେ ବୟସ ଏକ ପ୍ରତିବନ୍ଧକ ନୁହେଁ | ଏହା ପ୍ରମାଣିତ କରିଛନ୍ତି ଇନ୍ଦୋରରେ ରହୁଥିବା ୧୧ ବର୍ଷୀୟ ଦିଶା ତିୱାରୀ | ଦିଶା ନିଶା ବିରୋଧରେ ସ୍ୱର ଉଠାଇଥିଲେ, ଯେତେବେଳେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା | ବର୍ତମାନ ସୁଦ୍ଧା ସେ ତିନି ହଜାର ଲୋକଙ୍କୁ ସିଗାରେଟ୍ ପିଇବା ଠାରୁ ମୁକ୍ତ କରିପାରିଛନ୍ତି | ସ୍କୁଲ ଓ ଘରେ ପାଠ ପଢା ବ୍ୟତୀତ ଆଉ ଯେଉଁ ସମୟ ମିଳେ ଦିଶା ସେହି ସମୟ ନିଜ ଅଭିଯାନ ସଫଳ କରିବାକୁ ଲଗାଇଥାନ୍ତି |

image


ଛଅ ବର୍ଷ ତଳର ପୁରୁଣା ଘଟଣା | ଇନ୍ଦୋରର ଏକ ଖୋଲା ରେଷ୍ଟୁରାଣ୍ଟରେ ବସି କିଛି ଯୁବକ ସିଗାରେଟ୍ ଟାଣୁଥିଲେ | ହଠାତ୍ ଏକ ପାଂଚ ବର୍ଷର ପିଲାଟିଏ ସେମାନଙ୍କ ପାଖକୁ ଆସି ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥିଲା | ଅଙ୍କଲ, ଆପଣ ସିଗାରେଟ୍ କାହିଁକି ଟାଣୁଛନ୍ତି . . . ସିଗାରେଟ୍ ଟାଣିଲେ କଣ ଉପକାର ମିଳେ . . . ଆପଣଙ୍କୁ ଜଣାଅଛି କି ଆପଣଙ୍କର ଏହି ଖରାପ ଅଭ୍ୟାସ ଆପଣଙ୍କ ସହ ଆପଣଙ୍କ ଆଖପାଖରେ ଥିବା ଲୋକମାନଙ୍କର ମଧ୍ୟ କ୍ଷତି କରୁଛି . . . ଆପଣଙ୍କୁ ଜଣାଅଛି କି ନାହିଁ, ଏହି ଖରାପ ଅଭ୍ୟାସ ଫଳରେ ଆପଣ ଅକାଳରେ ପ୍ରାଣ ହରାଇବେ . . . ଏମିତି ପ୍ରଶ୍ନ ବାଣରେ ସିଗାରେଟ୍ ଟାଣୁଥିବା ଲୋକମାନେ ଚକିତ ହୋଇଯାଇଥିଲେ | ସେମାନଙ୍କ ମୁହଁରୁ ଜଳନ୍ତା ସିଗାରେଟ୍ ଛଡାଇ ଆଣିଥିଲା ଏହି ଝିଅଟି | ଆଉ ଏହି ଝିଅଟି ଥିଲା ଦିଶା | ସେ ସେତେବେଳେ ନିଜ ବାପା ମାଙ୍କ ସହ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲା | ସିଗାରେଟ୍ ପିଉଥିବା ଲୋକମାନେ ଦିଶାଙ୍କ ବାପା ମାଙ୍କ ପାଖକୁ ଆସିଲେ ଏବଂ କହିଲେ – ଆଜ୍ଞା, ଆମକୁ ଅନେକ ଲୋକ ସିଗାରେଟ୍ ଛାଡିବାକୁ କହିଛନ୍ତି, କିନ୍ତୁ ତାର ପ୍ରଭାବ ଆମ ଉପରେ ପଡିନାହିଁ, କିନ୍ତୁ ଆପଣଙ୍କ ଝିଅର କଥା ଆମ ଭିତରେ ଗଭୀର ପ୍ରଭାବ ପକାଇଛି | ଆମେ ଆଜି ଠାରୁ ସିଗାରେଟ୍ କିମ୍ବା ଅନ୍ୟ କିଛ ନିଶା ଦ୍ରବ୍ୟ ଛୁଇଁବୁ ନାହିଁ |

ଦିଶାଙ୍କ ବାପା ଅଶ୍ୱିନୀ ତିୱାରୀ ଯେତେବେଳେ ଏ ବାବଦରେ ଝିଅକୁ ପଚାରିଲେ, ସେ କହିଲେ,

ମୁଁ କୌଣସି ଲୋକଙ୍କୁ ସିଗାରେଟ୍ ଟାଣିବା ଦେଖିଲେ ମୋତେ ଲାଗେ ମୋ ଜେଜେଙ୍କ ଭଳି ସେ ବି ଶୀଘ୍ର ମରିଯିବେ | ତେଣୁ ମୁଁ ତାକୁ ଏଥିରୁ ରୋକିବାକୁ ଚାହେଁ |
image


ଅଶ୍ୱିନୀ ନିଜ ଝିଅକୁ ପରାମର୍ଶ ଦେଲେ ଏହାକୁ ଏକ ମିଶନ ଭାବେ ନେଇ ସେ କାର୍ଯ୍ୟ କରିପାରିବ | ଆଉ ପରିବାର ପକ୍ଷରୁ ସବୁ ପ୍ରକାର ସହାୟତା ମିଳିବ | ଏହା ପରେ ଦିଶା ଅଭିଯାନ ଆରମ୍ଭ କରିଥିଲେ | ପ୍ରଥମେ ନିଜର ସୋସାଇଟିରେ ସିଗାରେଟ୍ ଟାଣୁଥିବା ଲୋକଙ୍କୁ ଖୋଜିଲେ | ସେ ସେମାନଙ୍କ ଘରକୁ ଗଲେ | ସିଗାରେଟ୍ ଟାଣିବାର ହାନି ସମ୍ପର୍କରେ ବୁଝାଇଲେ ଓ ତାଙ୍କୁ ସିଗାରେଟ୍ ଛାଡିବାର ଶପଥ କରାଇଲେ | ତାଙ୍କ ଘର ଫୋନ୍ କିମ୍ବା ମୋବାଇଲ୍ ନମ୍ବର ଆଣି ଫେରନ୍ତି | କିଛି ଦିନ ପରେ ଫୋନ୍ କରି ସେ କରିଥିବା ଶପଥ ବିଷୟରେ ମନେ ପକାନ୍ତି |

image


ଦିଶାଙ୍କ ଏହି ଅଭିଯାନ ସୋସାଇଟିରୁ ନିଜ କଲୋନୀକୁ ବ୍ୟାପିଲା | ପରେ ଅନ୍ୟ କୋଲନୀରେ ସେ ଅଭିଯାନ ଚଳାଇଲେ | ବର୍ତମାନ ଅନ୍ୟ ଅଂଚଳକୁ ଏହା ବ୍ୟାପିଲାଣି | ଦିଶାଙ୍କ ସହ ଅନେକ ଲୋକ ସାମିଲ ମଧ୍ୟ ହେଲେଣି | ଦିଶାର ଫୋଟ ଓ ନିବେଦନ ଥିବା ପୋଷ୍ଟର ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ମରାଗଲା | ୨୦୧୨ରେ ୱାର୍ଲଡ୍ ନୋ ଟୋବାକୋ ଡେ ଅବସରରେ ସେ ବିଭିନ୍ନ ପାନ ଦୋକାନକୁ ଯାଇ ଘଣ୍ଟାଏ ପାଇଁ କୌଣସି ତମ୍ବାଖୁ ଉତ୍ପାଦ ବିକ୍ରି କରିବାକୁ ନିବେଦନ କରିଥିଲେ | ଏହାର ପ୍ରଭାବ ମଧ୍ୟ ପଡିଥିଲା | ଏବେ ପ୍ରତିବର୍ଷ ଏହି ଦିନ ଘଣ୍ଟାଏ ପାଇଁ ତମ୍ବାକୁ ଉତ୍ପାଦ ବିକ୍ରି ବନ୍ଦ ରହୁଛି | ଦିଶାଙ୍କ ଏହି କାମ ପାଇଁ ତାଙ୍କୁ ସବୁ ଆଡୁ ପ୍ରଶଂସା ମିଳିଛି |

ଦିଶାଙ୍କ ପ୍ରୟାସ ଫଳରେ ହଜାର ହଜାର ଲୋକ ଧୂମପାନ ଛାଡିଛନ୍ତି | କଲୋନୀରେ ଯେଉଁମାନେ ଧୂମପାନ ଛାଡିନାହାନ୍ତି, ଦିଶାକୁ ଦେଖିବା ମାତ୍ରେ ହାତରେ ଥିବା ସିଗାରେଟ୍ ଫୋପାଡି ଦେଇଥାନ୍ତି | ବର୍ତ୍ତମାନ ଦିଶା ପଂଚମ କ୍ଲାସ୍ ରେ ପଢୁଛନ୍ତି | ଭଲ ପାଠ ପଢିବା ସହ ସ୍କୁଲ୍ ର ସବୁ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି | ଆଉ ସମୟ ବାହାର କରି ନିଶା ବିରୋଧୀ ଅଭିଯାନ ଚଳାଇଛନ୍ତି |

image


ଦିଶା ନିଜ ଜେଜେଙ୍କୁ ଖୁବ୍ ଭଲ ପାଉଥିଲା | ତାଙ୍କ ସଙ୍ଗେ ଖେଳୁଥିଲା, ବଗିଚାରେ ବୁଲୁଥିଲା ଓ ତାଙ୍କ ଠାରୁ ଗପ ଶୁଣୁଥିଲା | କିନ୍ତୁ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା | ସେତେବେଳକୁ ଦିଶାକୁ ମାତ୍ର ତିନି ବର୍ଷ ହୋଇଥିଲା | ତାଙ୍କୁ ପାଂଚବର୍ଷ ହେଲା ବେଳକୁ ବାପାଙ୍କ ଠାରୁ ଜାଣିଲେ ଯେ ଜେଜେଙ୍କ ମୃତ୍ୟୁ ଅଧିକ ସିଗାରେଟ୍ ଟାଣିବା ଯୋଗୁଁ ହୋଇଛି | ସେହି ଦିନ ଠାରୁ ସେ ଧୂମପାନ ବିରୋଧରେ ଅଭିଯାନ ଆରମ୍ଭ କରିଦେଇଥିଲେ | ଆଉ ଏହି ଆଭିଯାନ କେତେବେଳେ ବଡ ରୂପ ନେଇଗଲା, ଜଣା ପଡିଲା ନାହିଁ |

image


ଦିଶା ନିକଟରେ ତମାଖୁ ବିରୋଧରେ ଗୋଟିଏ ବହି ଲେଖିଛନ୍ତି | ଯାହାର ନାମ ‘ନଇ ଦିଶା- ବଦଲତେ ରାସ୍ତେ’(ନୂଆ ଦିଶା-ପରିବର୍ତ୍ତିତ ପଥ) | ଏହି ବହିରେ ଦିଶା ନିଜ ଜେଜେଙ୍କ ସହ ବିତାଇଥିବା ସ୍ମରଣୀୟ ମୂହୁର୍ତ୍ତ, ସିଗାରେଟ୍ କାରଣରୁ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଓ ପରେ ମୃତ୍ୟୁ କଥା ସ୍ଥାନ ପାଇଛି | ନିଶା ଯୋଗୁ ବର୍ବାଦ ହୋଇଥିବା ଲୋକ ଓ ନିଶା ଛାଡିବା ପରେ ନୂଆ ଜୀବନ ପାଇଥିବା ଲୋକଙ୍କ ବିଷୟରେ ମଧ୍ୟ ବିଭିନ୍ନ କଥା ଏଥିରେ ରହିଛି | ଖୁବ ଶୀଘ୍ର ଏହି ବହି ସ୍କୁଲ ପିଲାଙ୍କୁ ବଣ୍ଟାଯିବ | ଦିଶାଙ୍କ ବାପା ଜଣେ ବ୍ୟବସାୟୀ | କିନ୍ତୁ ଝିଅର ଏହି କାମରେ ସେ ସମୟ ବାହାର କରି ସାମିଲ ହେଉଛନ୍ତି |

ମୂଳ ଲେଖା - ସଚିନ ଶର୍ମା

ଭାଷାନ୍ତର - ଅଖଣ୍ଡ