ଆନିମଲ ଫାର୍ମ: ବିଶ୍ୱ ନାଟ୍ୟଦିବସରେ ମଞ୍ଚରେ ଗଣତନ୍ତ୍ରର କଳା କାହାଣୀ

0

ଗୋଟିଏ ଫାର୍ମରେ କିଛି ପଶୁ ଏକାଠି ରହୁଥିଲେ । ସେମାନଙ୍କର ମାଲିକ ଥିଲା ଜଣେ ମଣିଷ । ମଣିଷଜଣକ ପଶୁପକ୍ଷୀଙ୍କୁ ବାନ୍ଧି ରଖୁଥିବା ବେଳେ ପ୍ରବଳ କଷଣ ଆଉ ଖଟଣି ଦେଉଥିଲା । ପ୍ରତିବଦଳରେ ପଶୁପକ୍ଷୀମାନଙ୍କୁ ଭଲରେ ପେଟପୂରା ମୁଠେ ଖାଇବା ବି ମିଳୁନଥିଲା । ପ୍ରତିବାଦ କଲେ ମିଳୁଥିଲା ଗୋଇଠା ପାହାର ଆଉ ବନ୍ଧୁକର ଭୟ । ଦିନେ ମାଲିକ ମଣିଷର ଅଗୋଚରରେ ସର୍ଦାର ବୁଢ଼ା ପଶୁ ସମସ୍ତ ପଶୁପକ୍ଷୀଙ୍କୁ ଏକତ୍ର କରି ବିପ୍ଲବର ଡାକରା ଦେଲା । ଆରମ୍ଭ ହେଲା ମଣିଷ ବିରୋଧରେ ପଶୁବିଦ୍ରୋହ । ମଣିଷ ଗୁଳିରେ ଟଳିପଡ଼ିଲା ସର୍ଦାର ବୁଢ଼ା । ତଥାପି ପଶୁମାନେ ହଟିଲେନି । ଶେଷରେ ସେମାନେ ମଣିଷ ହାତରୁ ପାଇଲେ ମୁକ୍ତି, ଗଢ଼ିଲେ ନୂଆ ସମ୍ବିଧାନ, ନିଜ ଭିତରୁ ଜଣେ ଚାଲାଖ ଘୁଷୁରୀକୁ ନିଜର ନେତା ନିର୍ବାଚନ କଲେ । ତେବେ ମଣିଷ ଠାରୁ ଘୁଷୁରୀର ଅଦଉତି ବଳିଗଲା । ଆନିମଲ ଫାର୍ମ ସ୍ୱାଧୀନ ହେଲା ସତ, ହେଲେ ପଶୁପକ୍ଷୀମାନେ ସେମିତି ପରାଧୀନ ହୋଇ ରହିଗଲେ । ପୂର୍ବ ଭଳି ଅକ୍ଲାନ୍ତ ପରିଶ୍ରମ କରି ଫାର୍ମକୁ ଏକ ବିକାଶିତ ଫାର୍ମରେ ପରିଣତ କଲେ ପଶୁଗଣ । କିନ୍ତୁ ପ୍ରତିବଦଳରେ ସେମାନଙ୍କୁ ସେଇ କଷଣ ହିଁ ମିଳିଲା । ଏଣେ ନେତା ଘୁଷୁରୀ ବିଦେଶୀ ଶକ୍ତିମାନଙ୍କ ସହ ହାତ ମିଳାଇ ଡଲାର ଆଉ ମାୟାବୀ ବିକାଶର ମୋହରେ ଫାର୍ମର ବହୁ ଉନ୍ନୟନ ପ୍ରକଳ୍ପକୁ ଘରୋଇକରଣ କରି ନିଜେ ଆରାମ କଲା । ଏମିତି ଯୁଗପରେ ଯୁଗ ବିତିଚାଲିଛି । ଫାର୍ମରେ ବହୁ ପରିବର୍ତ୍ତନ ଆସିଛି । କେବଳ ଯାହା ବଦଳିନି ପଶୁମାନଙ୍କ ବେଦନା ଆଉ ବେଡ଼ି, ବଦଳିନି ନେତା ଘୁଷୁରୀର ଅତ୍ୟାଚାର ।

ଏ ହେଉଛି ପ୍ରସିଦ୍ଧ ନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ଡକ୍ଟର ସତ୍ୟବ୍ରତ ରାଉତଙ୍କ ଓଡ଼ିଆ ନାଟକ ‘ଆନିମଲ ଫାର୍ମ’ର କାହାଣୀ । ବିଶ୍ୱ ନାଟ୍ୟ ଦିବସ ଅବସରରେ ମାର୍ଚ୍ଚ ୨୭ ତାରିଖରେ ସଂଗୀତ ନାଟକ ଏକାଡେମି ଆୟୋଜନରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ଏହି ନାଟକ । ପ୍ରସିଦ୍ଧ ଇଂରାଜୀ ଔପନ୍ୟାସିକ ଜର୍ଜ ଓରୱେଲଙ୍କ ଚର୍ଚିତ ରାଜନୈତିକ ଉପନ୍ୟାସ ‘ଆନିମଲ ଫାର୍ମ’ ଛାୟାରେ ଶ୍ରୀ ରାଉତ ଏହି ନାଟକ ରଚନା କରିଛନ୍ତି । ଏହି ନାଟକରେ ‘ଆନିମଲ ଫାର୍ମ’ର ଭାରତୀୟକରଣ ଦେଖିବାକୁ ମିଳେ । ବିକାଶର ବାହାସ୍ଫୋଟ ମାରୁଥିବା ପେଟୁ ଓ ଦୁର୍ନୀତିଖୋର ମନ୍ତ୍ରୀ, ସାଧାରଣ ଲୋକଙ୍କ ଠାରୁ ଦୂରେଇ ବିଦେଶୀ ଶକ୍ତିଙ୍କ ସହ ବନ୍ଧୁ ବାନ୍ଧିବାରେ ମାତିଥିବା ରାଷ୍ଟ୍ରମୁଖ୍ୟ, ସାଧାରଣ ଲୋକଙ୍କ କଣ୍ଠରୋଧ କରୁଥିବା ସୁରକ୍ଷାକର୍ମୀ ଓ ଭୋକଉପାସରେ ବିକାଶ ପାଇଁ ଶ୍ରମଦାନ କରିଚାଲିଥିବା ସାଧାରଣ ଜନତାଙ୍କୁ ପଶୁଚରିତ୍ର ମାଧ୍ୟମରେ ଚିତ୍ରଣ କରିଛନ୍ତି ଡକ୍ଟର ରାଉତ । ମୁଁ ନିଜେ ଜଣେ ଦର୍ଶକ ଭାବେ ଏ ନାଟକଟିକୁ ଅଭ୍ୟାସ ଦିନରୁ ବାରମ୍ବାର ଦେଖିଛି ଓ ବିଶ୍ୱ ନାଟ୍ୟ ଦିବସରେ ଏହା ମଞ୍ଚସ୍ଥ ହେବା ବେଳେ ମଧ୍ୟ ଏହାକୁ ଉପଭୋଗ କରିଛି । ଏହାର ଅନ୍ତଃସ୍ରୋତ ଯେତେ ପ୍ରଖର ଓ ଭାବଗମ୍ଭୀର, ବାହ୍ୟିକ ଭାବାର୍ଥ ସେତିକି ମାତ୍ରାରେ ରୋଚକ ଓ ମନୋରଂଜକ । ନାଟକଟି ଦେଖିବା ବେଳେ ଜଣେ ଆମୋଦିତ ହେବ ନିଶ୍ଚୟ, ତା ସାଙ୍ଗକୁ ଆମ ରାଜନୈତିକ ବ୍ୟବସ୍ଥାର ତ୍ରୁଟିକୁ ମଧ୍ୟ ଅତି ନିକଟରୁ ଉପଲବ୍ଧି କରିପାରିବ ।

ANIMAL FARM staged at Rabindra Mandap, Bhubaneswar
ANIMAL FARM staged at Rabindra Mandap, Bhubaneswar

ନିଜର ଏହି ନାଟକ ବିଷୟରେ ଲେଖକ-ନିର୍ଦ୍ଦେଶକ ଡକ୍ଟର ରାଉତ କହନ୍ତି,

ପିଲାଟି ବେଳୁ ‘ଆନିମଲ ଫାର୍ମ’କୁ ଏକ କଳ୍ପକଥା ବା ପରୀକାହାଣୀ ଭାବେ ମୁଁ ଦେଖିଆସିଛି । ବାପା ମୋତେ ଏ କାହାଣୀ ଶୁଣାଉଥିଲେ, କେମିତି ପଶୁମାନେ ବିଦ୍ରୋହ କଲେ, ଆଉ ନିଜର ଏକ ସ୍ୱାଧୀନ ଫାର୍ମର ସ୍ୱପ୍ନ ଦେଖିଲେ । ଆମର ପଞ୍ଚତନ୍ତ୍ର ଓ ଜାତକ କଥା ଭଳି ଏ କାହାଣୀ ବି ମୋ ପାଇଁ ଭାଆରି ରୋଚକ ଥିଲା । ୧୯୯୦ରେ ଏନ୍‍ଏସ୍‍ଡିରେ ଥିଏଟର୍‍-ଇନ୍‍-ଏଜୁକେସନ୍‍ କମ୍ପାନିରେ ଜଣେ ଶିକ୍ଷକ-ଅଭିନେତା ଭାବେ ବ୍ୟାରି ଜନ୍‍ଙ୍କ ସହ କାମ କରିବାର ସୁଯୋଗ ମିଳିଲା । ଏଇଠି ମୁଁ ପୁଣି ଆନିମଲ ଫାର୍ମକୁ ଗୋଟେ ନାଟକ ଭାବେ ସାମନା କଲି । ଏ ନାଟକଟି ପିଲାଙ୍କ ପାଇଁ ଓ କୁନି କଳାକାରଙ୍କୁ ନେଇ ହେଉଥିବାରୁ ବାରି ଜନ୍‍ ଏହାକୁ ମନୋରଂଜନଧର୍ମୀ କୌତୁକିଆ କାହାଣୀ ଭାବେ ପ୍ରସ୍ତୁତ କରିଥିଲେ । ସେତେବେଳେ ମୋ ପିଲାବେଳର ସୁପ୍ତ ଉତ୍ସୁକତା ପୁଣି ସତେଜ ହୋଇ ଉଠିଲା । ସେବେଠୁ କାହାଣୀ ମୋ ମୁଣ୍ଡରେ ଚକ୍କର କାଟୁଥିଲା । ଭାରତରେ ଜଗତୀକରଣ, ଘରୋଇକରଣ, ବିଦେଶୀ ପୁଞ୍ଜିନିବେଶ, ନୂଆ ଅର୍ଥନୀତି ଆଦି ମୋତେ ଆନ୍ଦୋଳିତ କଲାବେଳେ ସେଇ ଆନିମଲ ଫାର୍ମର କାହାଣୀ ମୋ ସାମନାରେ ନୂଆ ରୂପରେ ଉଭା ହେଲା । ମୋତେ ଲାଗିଲା, ଏହା କେବଳମାତ୍ର ଏକ କଳ୍ପକଥା ନୁହେଁ, ବରଂ ଆମ ଗଣତନ୍ତ୍ରର ନିଚ୍ଛକ ପ୍ରତିଛବି ରହିଛି ଆନିମଲ ଫାର୍ମରେ । ଗାନ୍ଧି, ପଟେଲ, ଭଗତ, ସୁଭାଷ ଆଦିଙ୍କ ବଳିଦାନରେ ପ୍ରାପ୍ତ ଆମର ଗଣତନ୍ତ୍ର ସତରେ କ’ଣ ସେମାନଙ୍କ ସ୍ୱପ୍ନର ଗଣତନ୍ତ୍ରକୁ ବଜାୟ ରଖିପାରିଛି? ଏ ସ୍ୱପ୍ନ ମୋତେ ବାରମ୍ବାର ଆନ୍ଦୋଳିତ କଲା ଆଉ ଜନ୍ମ ନେଲା ନାଟକ ‘ଆନିମଲ ଫାର୍ମ’ ।

ସମସାମୟିକ ରାଜନୈତିକ ବ୍ୟବସ୍ଥା ପ୍ରତି ଏକ ଚରମ ବିଦ୍ରୁପ ଭାବେ ଉଭା ହୋଇଛି ସତ୍ୟବ୍ରତ ରାଉତଙ୍କ ନାଟକ ‘ଆନିମଲ ଫାର୍ମ’ । ସଂଗୀତ ନାଟକ ଏକାଡେମି ପ୍ରଯୋଜନାରେ ପ୍ରସ୍ତୁତ ଏହି ନାଟକ ପାଇଁ ଦୀର୍ଘ ୨୧ ଦିନ ଧରି ଅଭ୍ୟାସ ଚାଲିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବଛାବଛା ଯୁବ ତଥା ନାଟକ ଅଭିନୟରେ ପ୍ରାୟ ନୂଆ କଳାକାରଙ୍କୁ ନେଇ ଅକ୍ଲାନ୍ତ ଶ୍ରମ ସ୍ୱୀକାର କରି ଶ୍ରୀ ରାଉତ ଏଭଳି ଏକ ଜଟିଳ ନାଟକର ସରଳ ମଞ୍ଚାୟନରେ ସଫଳ ହୋଇ ପାରିଥିଲେ । ପୂର୍ବରୁ ନାଟକଟି ଦୁଇଥର ମଞ୍ଚସ୍ଥ ହୋଇଥିଲେ ହେଁ, ଓଡ଼ିଆ ଭାଷାରେ ଏହା ପ୍ରଥମ ।

ANIMAL FARM, Full Dress Rehearsal 
ANIMAL FARM, Full Dress Rehearsal 

ଶ୍ରୀ ରାଉତ ପୁଣି କହନ୍ତି,

୨୦୦୫ରେ ଦିଲ୍ଲୀର ଶ୍ରୀରାମ ସେଣ୍ଟରରେ ମୋତେ ଏକ ନାଟକ ନିର୍ଦ୍ଦେଶନା ପାଇଁ ଆହ୍ୱାନ କରାଗଲା । ସେତେବେଳେ ମୋ ମୁଣ୍ଡକୁ ଏଇ ଆନିମଲ ଫାର୍ମ କାହାଣୀ ଆସିଲା । ଜଗତୀକରଣର ସ୍ଥିତାବସ୍ଥାକୁ ନେଇ ଏ ନାଟକ ଛଡ଼ା ମୋତେ ଅନ୍ୟ କୌଣସିଟି ଏତେ ପ୍ରାସଙ୍ଗିକ ମନେ ହେଲାନି । ମୁଁ ଉପନ୍ୟାସଟି ବାରମ୍ବାର ପଢ଼ିଲି । କିଛି ନୂଆ ନୂଆ ତଥ୍ୟ ମୋର ଗୋଚରକୁ ଆସିଲା । ଓରୱେଲ ଯେତେବେଳେ ଉପନ୍ୟାସ ଲେଖିଲେ ତାକୁ କୌଣସି ଆମେରିକୀୟ ବା ୟୁରୋପୀୟ ପ୍ରକାଶକ ଛାପିବାକୁ ରାଜି ହେଲେନି । କାରଣ ଏଥିରେ ତତ୍‍କାଳୀନ ରୁଷ୍‍ ଶାସନ ପ୍ରତି ବିଦ୍ରୁପ ଭରି ରହିଥିଲା । ୧୯୪୫ ଏହା ‘ଆନିମଲ ଫାର୍ମ: ଏ ଫେୟାରି ଷ୍ଟୋରି’ ଭାବେ ପ୍ରକାଶ ପାଇଲା । କିନ୍ତୁ ସମସ୍ତେ ଜାଣିଥିଲେ ଏହା ଷ୍ଟାଲିନ୍‍ଙ୍କ ରୁଷ୍‍ ପ୍ରତି ଏକ ଶାଣିତ ବିଦ୍ରୁପ ଥିଲା । ଏହା ପରେ ମୋର ଜଣେ ମେଧାବୀ ଛାତ୍ର କୁଲଦୀପ କୁମାରଙ୍କ ସହଯୋଗରେ ମୁଁ ପ୍ରଥମେ ହିନ୍ଦୀ ଭାଷାରେ ଆନିମଲ ଫାର୍ମର ନାଟ୍ୟରୂପ ପ୍ରସ୍ତୁତ କଲି । ଦିଲ୍ଲୀ ପରେ ତାହା ଆହ୍ଲାବାଦରେ ବି ମଞ୍ଚସ୍ଥ ହେଲା । ଏବେ ନାଟକଟି ଓଡ଼ିଆରେ ରଚନା ଓ ମଞ୍ଚସ୍ଥ କଲାବେଳେ ମୁଁ ଜାତିପ୍ରଥା, ଦଳିତ ସମସ୍ୟା, ଦେଶଦ୍ରୋହ ପ୍ରସଙ୍ଗ ଆଦି ସାମସମୟିକ ପ୍ରସଙ୍ଗ ସବୁ ମୋ ନାଟକ ଭିତରକୁ ଚାଲିଆସିଛି । ମୁଁ ପ୍ରାଧ୍ୟାପକ ଥିବା ହାଇଦ୍ରାବଦ ବିଶ୍ୱବିଦ୍ୟାଳୟରେ ରୋହିତ ଭେମୁଲା ଆତ୍ମହତ୍ୟା ଘଟଣା, ଜବାହରଲାଲ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଏବଂ ହରିଅ‍ାଣାରେ ଜାଠ ଆନ୍ଦୋଳନ ମୋ କାହାଣୀକୁ ଅଧିକ ଶାଣିତ ଓ ପ୍ରମାଣସିଦ୍ଧ କରିଛି ।
Dr Satyabrata Rout
Dr Satyabrata Rout

ଭୁବନେଶ୍ୱରରେ ଏଭଳି ଧରଣର ପରୀକ୍ଷାଧର୍ମୀ ନାଟକ ପ୍ରଦର୍ଶନ ପ୍ରାୟତଃ ନୂଆ କହିଲେ ଚଳେ । ଘଣ୍ଟାଏ ୫୦ ମିନିଟ ଅବଧିର ଏହି ନାଟକଟିକୁ ବିଭିନ୍ନ ବର୍ଗର ଦର୍ଶକ ଓ ନାଟ୍ୟବିଦ୍ୱାନ ବେଶ୍‍ ପସନ୍ଦ କରିଥିଲେ । ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ପେନ୍‍ ଇନ୍‍ ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ନାଟକ ପୁସ୍ତକଟି ଉନ୍ମୋଚିତ ହୋଇଥିଲା ।

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ଶ୍ରୀ ରାଉତ ଦେଶ ଓ ଦେଶ ବାହାରେ ବହୁ ନାଟକ ଉତ୍ସବ ଓ କର୍ମଶାଳାରେ ଭାଗ ନେଇ ନିଜର ନାଟକ ପ୍ରଦର୍ଶନ କରିଛନ୍ତି । ସୁଯୋଗ ମିଳିଲେ ସେ ବାରମ୍ବାର ଓଡ଼ିଶା ଆସିବେ ଓ ଓଡ଼ିଆ ନାଟକ ପାଇଁ କାମ କରିବେେ ବୋଲି କହିଛନ୍ତି । ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ତାଙ୍କ ୱେବସାଇଟ ପରିଭ୍ରମଣ କରିପାରିବେ ।

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା subhransupanda@yahoo.co.in ରେ ଯୋଗାଯୋଗ କରାଯାଇ ପାରିବ।