ଇ-କମର୍ସ ଶିଳ୍ପ: ଖାଉଟି ଉପଲବ୍ଧିକୁ ବ୍ୟାପକ କରିବାର କଳା

ଇ-କମର୍ସ ଶିଳ୍ପ: ଖାଉଟି ଉପଲବ୍ଧିକୁ ବ୍ୟାପକ କରିବାର କଳା

Tuesday December 08, 2015,

3 min Read

ଅନଲାଇନ ଓ ଅଫଲାଇନ ଗ୍ରାହକଙ୍କ ଅନୁଭବ ମଧ୍ୟରେ ବ୍ୟାପକ ବ୍ୟବଧାନ ରହିଛି । ଦୋକନରେ କ୍ରେତା ସିଧାସଳଖ ଯାଇ ଅନୁଷ୍ଠାନର ପାରିଲାପଣିଆ ଓ କର୍ମଚାରୀଙ୍କ ବୃତ୍ତିନିଷ୍ଠତା ଠଉରେଇ ଦେଇପାରେ । ସେଠି ଜଣେ ନେଣଦେଣ ପ୍ରକ୍ରିୟା ଓ ଦ୍ରବ୍ୟ ଖରାପ ପଡ଼ିଲେ ଫେରାଇବାର ଉପାୟ ସହଜରେ ଜାଣି ଦେଇଥାଏ । ତେବେ ଇ-କମର୍ସ ବ୍ୟବସାୟୀ ପାଖରେ ଏସବୁ ନଥାଏ । ଭାଷା, ଡିଜାଇନ୍, ପ୍ରକ୍ରିୟା, ଆଲେଖ ଓ ମୋଟାମୋଟି ଅନୁଭବ ହିଁ ସଂପୃକ୍ତ ବ୍ୟବସାୟ ବାବଦରେ ଗ୍ରାହକ ମନରେ ଧାରଣା ଜନ୍ମାଇଥାଏ ।

image


ଥରେ ଜଣେ ଗ୍ରାହକ ସନ୍ତୁଷ୍ଟ ହେଲେ ତା’ର ଅନୁଭବ ଲୋକମୁଖରେ ପ୍ରଚାରି ହୋଇ ବିକ୍ରି ବଢ଼ାଇବାରେ ସହାୟକ ହୁଏ । ନକାରାତ୍ମକ ଅନୁଭବ କେବଳ ଗ୍ରାହକଙ୍କୁ ଇ-କମର୍ସ ସାଇଟରୁ ଦୂରେଇ ରଖେନା, ବରଂ ଲୋକମୁଖରେ ଗୋଟେ ଖରାପ ଧାରଣା ସୃଷ୍ଟି କରିଥାଏ । ଏହା ଉପରେ ଏକ ଭଲ ବ୍ୟବସାୟ ଯୋଜନାର ଉନ୍ନତି ନିର୍ଭର କରେ।

ବର୍ତ୍ତମାନର ଆର୍ଥନୀତିକ ପରିବେଶ ଓ ପ୍ରତିଯୋଗିତାମୂଳକ ଇ-କମର୍ସ ଜଗତରେ କମ ଦର ସାଙ୍ଗକୁ ନୂଆ ନୂଆ ଧରଣର ଦ୍ରବ୍ୟ ଆବଶ୍ୟକ । ଏମିତି ପରିବେଶ ସୃଷ୍ଟି କରିବା ଉଚିତ ଯେମିତି ଇ-କମର୍ସ ସାଇଟରୁ ଗ୍ରାହକ ବାରମ୍ବାର କିଣିବାକୁ ବାଧ୍ୟ ହେବେ । କମ୍ପାନିର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ଗ୍ରାହକ ଅନୁଭବ । ଗ୍ରାହକର ସକାରାତ୍ମକ ଅନୁଭବ ଓ ଆକର୍ଷଣ ବଢ଼ାଇବା ଲାଗି ଇ-କମର୍ସ ସଂସ୍ଥାମାନଙ୍କ ନିମନ୍ତେ ନିମ୍ନରେ କେତୋଟି ସୂତ୍ର ଦିଆଗଲା:

ସେଲ୍ଫ-ସର୍ଭିସ୍ ସହାୟତା

ଫୋନ୍ କିମ୍ବା ଇମେଲକୁ ଅପେକ୍ଷା କରିବା ବଦଳରେ ସେଙ୍ଗସେଙ୍ଗ ସେଲ୍ଫ-ସପୋର୍ଟ ସେବା ପାଇବାକୁ ସବୁ ଗ୍ରାହକ ଚାହିଥା’ନ୍ତି । ଏବର ଗ୍ରାହକ ବ୍ୟାପକ ସୂଚନା ଚାହୁଛନ୍ତି, ଦ୍ରବ୍ୟ ବାବଦରେ ସଠିକ ଓ ସମ୍ପୂର୍ଣ ବର୍ଣ୍ଣନା ଆଶା କରୁଛନ୍ତି, ଦ୍ରବ୍ୟର ବହୁସଂଖ୍ୟକ ଫଟୋଚିତ୍ର ଦେଖିବାକୁ ଇଛା କରୁଛନ୍ତି ଏବଂ ସର୍ବୋପରି ଦ୍ରବ୍ୟ କିଣିଥିବା ପୂର୍ବ ଗ୍ରାହକମାନଙ୍କର ଅସଲ ମତ ବି ଚାହୁଛନ୍ତି । ଏସବୁ ଆଗତୁରା ଦେଇଦେଲେ, ଗ୍ରାହକଙ୍କ ମଧ୍ୟରେ ଏହା ଅଧିକ ବିଶ୍ୱାସ ଜନ୍ମାଇଥାଏ ।

ବ୍ୟକ୍ତିଗତ ଇ-ମେଲ

ପ୍ରତି ଗ୍ରାହକଙ୍କୁ ବ୍ୟକ୍ତିଗତ ଇ-ମେଲ ପ୍ରେରଣ ବ୍ୟବସାୟ ପାଇଁ ସବୁଠୁ ଉପଯୋଗୀ । ଗ୍ରାହକଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଥାଏ । ଏପରି ଇମେଲ୍ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିବ, ସେମାନେ ଖୋଲିବେ, ପଢ଼ିବେ ଓ ଲିଙ୍କ ଉପରେ କ୍ଲିକ୍ କରିବେ । ଏହା ଭିନ୍ନ ଜଣେ ଗ୍ରାହକ କିଣି ସାରିବା ପରେ ତାଙ୍କୁ ‘ଧନ୍ୟବାଦ’ ମେଲ୍ ପଠାଇବା ମଧ୍ୟ ଅନୁରୂପ ଉପଯୋଗୀ ।

ଗ୍ରାହକ-ଅନୁକୂଳ ୱେବସାଇଟ ଓ ତ୍ୱରିତ ବ୍ୟବହାର

ପ୍ରଥମ ପୃଷ୍ଠା କେତେ ସମୟରେ ଲୋଡ୍ ହେଉଛି ତାହା ଉପରେ ଗ୍ରାହକଙ୍କ ଅନୁଭବ ନିର୍ଭର କରେ । ରେଡ୍ୱେର୍ ପକ୍ଷରୁ ନିକଟରେ ହୋଇଥିବା ଆକଳନ ଅନୁସାରେ ପ୍ରତମ ପୃଷ୍ଠା ଖୋଲିବାରେ ଯେତେ ସେକେଣ୍ଡ ବିଳମ୍ବ ହେବ ଗ୍ରହକଙ୍କ ସନ୍ତୁଷ୍ଟି ସେତେ ଥର ୭% ଖସିଆସିବ । ତେଣୁ ପେଜ୍ ଲୋଡ୍ କ୍ଷୀପ୍ର ହେବା ଦରକାର । ଦ୍ୱିତୀୟରେ, ୱେବ୍ସାଇଟ୍ ଟି ବେଶି ଜଟିଳ ନହୋଇ ଯେଭଳି ସହଜରେ ସବୁ କିଛି ପାଇହେବ ଏହାର ବ୍ୟବସ୍ଥା କରାଯିବା ଉଚିତ।

ମାଗଣା ଫେରସ୍ତ ଯୋଜନା

ଯଦି କିଣାଯାଇଥିବା ଦ୍ରବ୍ୟ ଗ୍ରାହକର ପସନ୍ଦ ନହୁଏ, ତେବେ? ଏ ମାପ ଦେହକୁ ଠକ ହେବ ତ? ଏ ଦ୍ରବ୍ୟର ମାନ ଭଲ ରହିବ ତ? ଏ ଜିନିଷଟି ବେଶୀ ଦିନ ଚାଲିବ ତ? ଏଭଳି ପ୍ରଶ୍ନ ଗ୍ରହା ମନରେ ଆସିବା ସ୍ଵାଭାବିକ । ବ୍ୟବସାୟରେ ଗ୍ରାହକ ମନରେ ବିଶ୍ୱାସ ଭରିବା ସବୁଠୁ ବଡ଼ କଥା । ସହଜ, ଶୀଘ୍ର ଓ ବିନା କୌଣସି ଅର୍ଥ ଦେୟରେ ଫେରସ୍ତ ଯୋଜନା ଗ୍ରାହକଙ୍କୁ ଅଧିକ ଖୁସି କରିବ।

ବିଶ୍ୱାସ

ଅନଲାଇନ ବ୍ୟବସାୟର ନେଣଦେଣ ପ୍ରକ୍ରିୟା, ଠିକ ସମୟରେ ଦ୍ରବ୍ୟ ପହଞ୍ଚିବା ଏବଂ ଦ୍ରବ୍ୟ ବିକ୍ରି ପରେ ସେବା ପାଇବା ଆଦି ନେଇ ଗ୍ରହକଙ୍କ ମନରେ ଦ୍ୱନ୍ଦ୍ୱ ଥାଏ । ଏଣୁ ଗ୍ରାହକଙ୍କ ବିଶ୍ୱାସଭାଜନ ହେବା ଲାଗି ସେମାନଙ୍କୁ ଏକ ସୁରକ୍ଷିତ ବ୍ୟବସାୟ ସାମ୍ରାଜ୍ୟର ଅନୁଭବ ଦେବା ଉଚିତ ।

ଉପସଂହାର

ବର୍ତ୍ତମାନ ସମୟରେ ଉଦ୍ୟୋଗୀମାନେ ଗ୍ରାହକ-ସର୍ବସ୍ଵ ହେବା ଉଚିତ; ଗ୍ରାହକଙ୍କ ପ୍ରତ୍ୟାଶା ଓ ଭାବନାକୁ ସମ୍ମାନ ଦେବା ଉଚିତ । ନିୟମିତ ସର୍ଭେ କରିବା, ଆଇଭିଆର୍ ମାଧ୍ୟମରେ ଗ୍ରାହକଙ୍କ ମତାମତ ନେବା କିମ୍ବା ଅନଲାଇନରେ ଗ୍ରାହକଙ୍କ ମନର କଥା ବୁଝିବା ଜରୁରୀ । ଏବେ ଅଧିକରୁ ଅଧିକ ଷ୍ଟାର୍ଟ-ଅପ୍ ଇ-କମର୍ସ ପ୍ରତି ଆଗ୍ରହ ଦେଖାଉଛନ୍ତି । ଏଣୁ ଉପରୋକ୍ତ ବିଷୟଗୁଡ଼ିକ ଏ ବ୍ୟବସାୟ ପାଇଁ ଅଧିକ ଜରୁରୀ ହୋଇପଡ଼ୁଛି ।

ମୂଳ ଲେଖା - ବାୱା ଗ୍ରୋଭର, Manager Partner, Hexagon Consulting

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା