ବିଭୂ ମହାପାତ୍ର: ମିଶେଲ୍ ଓବାମାଙ୍କ ଡ୍ରେସ୍ ଡିଜାଇନ କରିଥିବା ଓଡ଼ିଆ

ବିଭୂ ମହାପାତ୍ର: ମିଶେଲ୍ ଓବାମାଙ୍କ ଡ୍ରେସ୍ ଡିଜାଇନ କରିଥିବା ଓଡ଼ିଆ

Tuesday April 26, 2016,

3 min Read

ଗତ ବର୍ଷ ଭାରତ ଗସ୍ତରେ ଆସିଥିଲେ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଓ ତାଙ୍କ ପତ୍ନୀ ମିଶେଲ ଓବାମା । ମିଶେଲ ଯେଉଁ ପୋଷାକ ପିନ୍ଧିଥିଲେ ତାହାକୁ ଦେଖି କେହି କେବେ ଭାବି ନ ଥିବେ ଯେ ସେହି ପୋଷାକଟି ଭାରତରେ ଡିଜାଇନ୍ କରାଯାଇଥିଲା । ଆଉ ତାହାକୁ ଜଣେ ଓଡ଼ିଆ ଡିଜାଇନ୍ କରିଥିଲେ । ମିଶେଲଙ୍କ ପୋଷାକ ଡିଜାଇନ୍ କରିଥିବା ଡିଜାଇନର୍ ଜଣକ ହେଉଛନ୍ତି ଓଡ଼ିଆ ପୁଅ ବିଭୂ ମହାପାତ୍ର ।

ମିଶେଲ ପିନ୍ଧିଥିଲେ ବିଭୂଙ୍କ ଶରତ ଗ୍ରୀଷ୍ମ କଲେକ୍ସନର ଏକ ଫୁଲ ବ୍ୟବହାର କରାଯାଇଥିବା ପୋଷାକ । ଏହି ପୋଷାକ ବିଭୂଙ୍କୁ ଘରେ ଘରେ ପରିଚିତ କରାଇ ଦେଇଛି । ରାଉରକେଲାର ଯୁବକ ବିଭୂ ହେଉଛନ୍ତି ଜଣେ ପୋଖତ ପୋଷାକ ଡିଜାଇନର୍ । ଏ କ୍ଷେତ୍ରରେ ତାଙ୍କର ବେଶ ସୁନାମ ରହିଛି । 

ଓବାମାଙ୍କ ପୋଷାକ ବରାଦ ପାଇବା ବିଷୟରେ ବିଭୂ କହନ୍ତି, 

ମୋତେ ଏକ ଫୋନ୍ କଲ୍ ଆସିଲା । ତାହା ଥିଲା ମିଶେଲଙ୍କ ଟିମ୍ ସଦସ୍ୟଙ୍କର । ସେମାନେ ମୋ କଲେକ୍ସନ ଦେଖିବାକୁ ଚାହୁଁଥିଲେ । ଫୋନ୍ ପାଇବା ପରେ ମୋର ପ୍ରଥମ କାମ ଥିଲା ମୁଁ କିଭଳି ମୋ ଛୋଟ ଷ୍ଟୁଡିଓଟିକୁ ସଫାସୁତୁରା କରିବି । ମୁଁ ସେହି କାମରେ ଲାଗିଗଲି ।
image


ଫେସନ୍ ଡିଜାଇନ୍ ପ୍ରତି ଆକର୍ଷିତ ହେବାର ଶ୍ରେୟ ସେ ନିଜର ମା’ଙ୍କୁ ଦିଅନ୍ତି । ତାଙ୍କ ମା’ ସିଲାଇ ମେସିନ୍ ରେ ବସି ପୋଷାକ ତିଆରି କରୁଥିବା ସେ ପିଲାବେଳୁ ଦେଖିଥିଲେ । ଏହା ପରେ ସେ ରବିବାର ସମ୍ବାଦପତ୍ରଗୁଡ଼ିକରେ ଆସୁଥିବା ସପ୍ଲିମେଣ୍ଟ କାଗଜରେ ରୋହିତ ବାଲ ଓ ତରୁଣ ତାହିଲିଆନିଙ୍କ ଭଳି ବ୍ୟକ୍ତିଙ୍କ ସାକ୍ଷାତକାର ପଢ଼ି ଅଧିକ ଉତ୍ସାହିତ ହୋଇଥିଲେ । ସେ ଫେସନ୍ ଜଗତରେ ପ୍ରବେଶ କରିବା ପାଇଁ ସେହିଦିନଠାରୁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ନ୍ୟୁୟୋର୍କ ଫେସନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପାଠ ପଢ଼ୁଥିବା ବେଳେ ତାଙ୍କ ପାଖରେ ଖର୍ଚ୍ଚ କରିବାକୁ ଅର୍ଥ ନ ଥିଲା । ଦିନକୁ ୨ ଡଲାର ମଧ୍ୟ ସେ ଖର୍ଚ୍ଚ କରିପାରୁ ନ ଥିଲେ । 

ନିଜର ସଂଘର୍ଷ କାହାଣୀ ବିଷୟରେ ସେ କହିଛନ୍ତି ଯେ, 

ପାଠପଢ଼ିବା ବେଳେ ମୋ ପାଖରେ ଅର୍ଥ ଘୋର ଅଭାବ ଥିଲା । ମୁଁ ମୋ ବାୟୋଡାଟାର ୧୫ଟି କପି ବାହାର କରି ସପ୍ତମ ଆଭେନ୍ୟୁ ଯେଉଁଠାରେ କି ବଡ଼ ବଡ଼ ଫେସନ୍ ହାଉସ୍ ଥାଏ, ସେଠାରେ ରହିଥିବା ପ୍ରତି ମହଲାରେ ଗୋଟିଏ ଲେଖାଏଁ ବାୟୋଡାଟା ଦେଇ ଫେରୁଥିଲି । ସେଥିରୁ ଦୁଇ ଜଣଙ୍କର କଲ୍ ଆସିଲା । ଜଣେ ଥିଲେ ପ୍ରସିଦ୍ଧ ଫେସନ ଡିଜାଇନର୍ ରୟ ହାଲଷ୍ଟନ୍ ଫ୍ରୋୱିକ୍ । ସେ ମୋତେ କାମ ଦେଲେ । ରାତି ଓ ସପ୍ତାହାନ୍ତରେ କାମ କରିବାର ଥିଲା । ମୋତେ ସେ ବହୁତ କମ ଦରମା ଦେଉଥିଲେ । କିଛି ପରିମାଣର ଦରମା ପାଇବା ପରେ ମୁଁ ଏକ ଡଲାରର ପିଜା ଖାଇବା ବଳଦରେ ଚାଇନୀଜ ଖାଦ୍ୟ ଖାଇବା ଆରମ୍ଭ କଲି ବୋଲି ହସି ହସି କହନ୍ତି ବିଭୂ ।
image


ଫେସନ୍ ଜଗତରେ ପ୍ରବେଶ କରିବା ପାଇଁ ସେ ୨୦ ବର୍ଷରୁ ପ୍ରୟାସ କରିଥିଲେ । ସେ ଦିଲ୍ଲୀରେ ରହୁଥିଲେ । ସେଠାରେ ଏକମାତ୍ର ଫେସନ୍ ଇନଷ୍ଟିଚ୍ୟୁଟ୍ ରହିଥିଲା । ସେଥିରେ ପ୍ରବେଶ ମିଳିବା ଏକ ପ୍ରକାର ଅସମ୍ଭବ ବୋଲି ବିଭୂ ଜାଣିଥିଲେ । ତେଣୁ ସେ ପ୍ରୟାସ ମଧ୍ୟ କରି ନ ଥିଲେ । ତାଙ୍କର ଜଣେ ଭାଇ ଆମେରିକାରେ ଥିଲେ । ତେଣୁ ସେ ଆମେରିକାର ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ପଢ଼ିବାକୁ ଆବେଦନ କଲେ । ତାଙ୍କୁ ବୃତି ମିଳିଗଲା ଓ ସେ ଆମେରିକା ଚାଲିଗଲେ । ସେଠାରେ ପାଠପଢ଼ିବା ବେଳେ ସେ ଜାଣିପାରିଲେ ଯେ ଏହିଠାରେ ରହି ଫେସନ୍ ଜଗତରେ ପ୍ରବେଶ କରିହେବ ।

image


ଆଜି ଜେନିଫର ଲୋପେଜ୍ ଙ୍କଠାରୁ ଆରମ୍ଭ କରି ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ମିଶେଲ ଓବାମାଙ୍କ ପର୍ଯ୍ୟନ୍ତ ସେଲିବ୍ରିଟି ତାଙ୍କ ପୋଷାକ ପରିଧାନ କରୁଛନ୍ତି। ଏ ବିଷୟରେ ବିଭୂ କହନ୍ତି,

ସେଲିବ୍ରିଟିମାନଙ୍କୁ ନିଜ କଲେକ୍ସନ ସହ ଯୋଡ଼ିବା ବହୁତ ଭଲ । କାରଣ ସେମାନଙ୍କ ଜରିଆରେ ନିଜର ଡିଜାଇନ୍ ଅନେକ ଲୋକଙ୍କ ପାଖରେ ପହଂଚିପାରେ । ରଣନୀତି ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବିଭୂ କହନ୍ତି ପାଂଚ ଦଶନ୍ଧି ପୂର୍ବେ ପାଶ୍ଚାତ୍ୟ ଦେଶର ଲୋକମାନେ ଭାରତୀୟମାନେ ଫେସନ୍ ଡିଜାଇନର୍ ହୋଇପାରିବେ ବୋଲି ଭାବୁ ନ ଥିଲେ । ଏବେ ସେମାନେ ଭାବିବା ଆରମ୍ଭ କଲେଣି । କାରଣ ବହୁତ ନୂତନ ଡିଜାଇନର୍ ସେମାନଙ୍କ ଡିଜାଇନ୍ ଜରିଆରେ ପାଶ୍ଚାତ୍ୟ ରାଷ୍ଟ୍ରରେ ହଲଚଲ ସୃଷ୍ଟି କରିପାରିଛନ୍ତି । ଆଗରୁ ସେମାନେ ଭାବୁଥିଲେ ଯେ ଭାରତୀୟ ଡିଜାଇନ୍ ନିଶ୍ଚିତ ଭାବେ ପାରମ୍ପରିକ ହୋଇଥିବ । କିଛି ନୂଆ ନ ଥିବ । କିନ୍ତୁ ଏବେ ସେମାନଙ୍କ ଚିନ୍ତାଧାରା ବଦଳିଲାଣି ।