ଆଗାମୀ ପିଢିଙ୍କୁ ଫିଲ୍ମ ତିଆରିର କଳା ଶିଖାଉଛନ୍ତି ମେଘନା

ଆଗାମୀ ପିଢିଙ୍କୁ ଫିଲ୍ମ ତିଆରିର କଳା ଶିଖାଉଛନ୍ତି ମେଘନା

Friday December 11, 2015,

5 min Read

ମେଘନା ଘାଇ ପୁରିଙ୍କ ବାପା ତଥା ବିଶିଷ୍ଟ ଫିଲ୍ମ ନିର୍ଦ୍ଧେଶକ ସୁଭାଷ ଘାଇ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସୋ ମ୍ୟାନ୍ ଭାବେ ପରିଚିତ । ଖଳନାୟକ, କର୍ଜ, ହିରୋ ଓ ରାମ ଲକ୍ଷ୍ମଣ ଭଳି ବହୁ ସଫଳ ଫିଲ୍ମ କରି ସେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଛନ୍ତି । ତାଙ୍କ ବାପା ଚଳଚ୍ଚିତ୍ର ଜଗତରେ ଏତେ ନାଁ କମାଇ ସଫଳ ହୋଇଥିଲେ ବି, ମେଘନାଙ୍କୁ ଅଭିନୟ କରିବାକୁ ଇଚ୍ଛା ନଥିଲା। ସେ ଜଣେ କମ୍ୟୁନିକେସନ୍, ଆର୍ଡଭାଟାଇଜିଂ ଓ ମାର୍କେଟିଂ ପ୍ରଫେସନାଲ୍ ଭାବେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ସୁବାସ ଘାଇଙ୍କ ପରଦେଶ୍, ତାଲ୍ ଓ ୟାଦେଁ ଭଳି ଚଳଚ୍ଚିତ୍ରର ମାର୍କେିଟିଂ କରିବାକୁ ମେଘନା ସହଯୋଗ କରିଥିଲେ ।

ମେଘନା ନିଜେ ଅଭିନୟ କରିନଥିଲେ ବି ସେ ଏହାକୁ ବହୁତ ପାଖରୁ ଦେଖିଥିଲେ । ବଲିଉଡ ତାଙ୍କ ରକ୍ତରେ ଥିଲା। ଏକ ଫିଲ୍ମ ସ୍କୁଲ କରି ଆଗାମୀ ପିଢିଙ୍କୁ ଫିଲ୍ମ ତିଆରି କଳା ଶିଖାଇବା ସୁବାସ ଘାଇଙ୍କର ଏକ ଡ୍ରିମ୍ ପ୍ରୋଜେକ୍ଟ ଥିଲା । ଏହାକୁ ବାସ୍ତବ ରୂପ ଦେବାକୁ ସେ ଏକ ଫିଲ୍ମ ସ୍କୁଲ ଖୋଲିବାକୁ ଚିନ୍ତା କଲେ ଓ ଏହାର ପରିଚାଳନା ଦାୟିତ୍ୱ ମେଘନାଙ୍କୁ ଦେବାକୁ ଭାବିଥିଲେ । ଏଥିପାଇଁ ୟୁକେରେ ଥିବା ମେଘନାଙ୍କୁ ଭାରତ ଫେରି ଆସି ଏହି ଦାୟିତ୍ୱ ଗ୍ରହଣ କରିବାକୁ ଡାକରା ଗଲା ।

image


ପ୍ରଗତିର ଉପାୟ

ମେଘନା କୁହନ୍ତି, ଯଦିଓ ସେ ଜଣେ କ୍ରିଏଟିଭ୍ ଲୋକ ନଥିଲେ । ତଥାପି ତାଙ୍କ ବାପା ତାଙ୍କୁ ସାହସ ଦେଲେ ଓ ଏକ ଗୁରୁ ଦାୟିତ୍ୱ ମୁଣ୍ଡାଇବାକୁ ସୁଯୋଗ ଦେଲେ । ଏହାକୁ ସେ ସେ ଗ୍ରହଣ କରି ନେଇଥିଲେ । ୨୦୦୦ମସିହାରେ ସେ ଏ ବିଷୟରେ ଜାଣିଲେ ଓ ଏହାର ବର୍ଷକ ପରେ ସେ ଭାରତ ଫେରି ଆସିଥିଲେ । ଏହା ପରେ ତାଙ୍କ ସ୍ୱପ୍ନର ଫିଲ୍ମ ସ୍କୁଲ ହ୍ୱିସଲିଂ ଉଡସ୍ ଇଟଂରନ୍ୟାସନାଲ(WWI) ଫିଲ୍ମ ସ୍କୁଲ ପାଇଁ ଶିଳାନ୍ୟାସ ହେଲା । ଏହାର ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ମେଘନା ତାଙ୍କ କୋର୍ ଟିମକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ । ଏହି ଫିଲ୍ମ ସ୍କୁଲ ଭଲ ଭାବେ ଗଢିବାକୁ ସେ ବହୁ ଗବେଷଣା କରିଛନ୍ତି, ବିଶ୍ୱର ଅନେକ କଲେଜ, ବିଶ୍ୱବିଦ୍ୟାଳୟ ଓ ଫିଲ୍ମ ସ୍କୁଲ ବୁଲିଛନ୍ତି । ତାଙ୍କ ଫିଲ୍ମ ସ୍କୁଲର ଆର୍କୀଟେକ୍ଚରଠୁ ଆରମ୍ଭ କରି ଆଡ୍ମିନଷ୍ଟ୍ରେସନ୍ ଯାଏ ସବୁ କିଛି ଭଲରେ କରିବାକୁ ସେ କଠିନ ପରିଶ୍ରମ କରିଛନ୍ତି ।

ଏହି ଫିଲ୍ମ ସ୍କୁଲ ନିର୍ମାଣ ହେବାକୁ କେବଳ ୩ ବର୍ଷ ଲାଗି ଯାଇଥିଲା । WWI ପାଇଁ ବହୁତ ବଡ କ୍ୟାମ୍ପସ୍ ତିଆରି ହୋଇଥିଲା । ଭବିଷ୍ୟତରେ ଅନ୍ୟ କୋର୍ସ ଆରମ୍ଭ କରିବାକୁ ଆଖି ଆଗରେ ରଖି ଏହାକୁ ଏମିତି ଭାବେ ଗଢାଯାଇଥିଲା ବୋଲି ମେଘନା କୁହନ୍ତି । ସେହିପରି ଏହି ଫିଲ୍ମ ସ୍କୁଲର ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଦେଶ ଓ ଦେଶ ବାହାରୁ ବହୁ ବିଶେଷଜ୍ଞଙ୍କ ମତାମତ ନିଆଯାଇଥିଲା । ବିଭିନ୍ନ କ୍ଷେତ୍ରର ଲୋକେ ଏହାର ପାଠ୍ୟକ୍ରମ ପ୍ରସ୍ତୁତ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଶେଖର କପୁର, ମନମୋହନ ସେଟ୍ଟି, ଆନନ୍ଦ ମହିନ୍ଦ୍ରା ଓ ଶ୍ୟାମ ବେନେଗଲଙ୍କ ଭଳି ବିଶିଷ୍ଟ ଲୋକେ ଏଥିରେ ମଧ୍ୟ ସାମିଲ ହୋଇଥିଲେ ।

image


WWIଇର ପାଠ୍ୟକ୍ରମ ଉଚ୍ଚକୋଟୀର ଥିଲା । ଏଥିପାଇଁ ସିବିଏସ୍ଇ ବୋର୍ଡ ବି ତା ମିଡିଆ ଷ୍ଟଡିଜ୍ ଛାତ୍ରଛାତ୍ରୀଙ୍କ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର କୋର୍ସ ମାଟେରିଆଲ୍ ପ୍ରସ୍ତୁତ କରିବାକୁ କହିଥିଲା । ଏହାସହ WWI ମଧ୍ୟ ସିବିଏସ୍ଇ ବୋର୍ଡର ଶିକ୍ଷକଙ୍କ ମାନଙ୍କ ପାଇଁ ବିଭିନ୍ନ ସମୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରୁଛି । WWIର ପାଠ୍ୟକ୍ରମରେ କ୍ରିଏଟିଭ୍ ଆର୍ଟସ୍, ଥିଏଟର ଓ ଡ୍ରାମାକୁ ମିଡିଆ ଷ୍ଟଡିଜରେ ସାମିଲ କରାଯାଇଛି । ତେବେ ମେଘନା ଏ ବିଷୟରେ କୁହନ୍ତି, ଏଠାରେ ପଢୁଥିବା ସବୁ ପିଲା ଫିଲ୍ମ ତିଆରି ନ କରିଲେ ବି ସେମାନଙ୍କୁ ଏ ବାବଦରେ ଧାରଣା ଦେବାକୁ ଆମେ ପ୍ରୟାସ କରୁଛି ।

ସଫଳତା ଓ ଆହ୍ୱାନ

ପ୍ରଥମେ ୭୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ WWIର ଯାତ୍ରା ଆରମ୍ଭ ହୋଇଥିଲା । ଏବେ ଏଥିରେ ୪୦୦ଜଣ ପିଲା ପାଠ ପଢୁଛନ୍ତି ଓ ପ୍ରାୟ ହଜାରେରୁ ଅଧିକ ପାସ୍ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ଧୀରେଧୀରେ WWIର ଲାଭ ବଢୁଛି । ୨୦୧୩ରେ ଏହା ପ୍ରାୟ ୧୯ଲକ୍ଷ ଟଙ୍କାର ଲାଭ ଉଠାଇଥିଲା । ସେହିପରି ଏହି ସ୍କୁଲ ବହୁ ବିରଳ କୃତିତ୍ୱର ଅଧିକାରୀ ବି ହୋଇଛି । ‘ଦ ହଲିଡେ ରିପୋର୍ଟର’ର ୨୦୧୩ ସଂସ୍କରଣର ରାଙ୍କ ଅନୁସାରେ WWI ବିଶ୍ୱର ଟପ୍-୧୦ ତାଲିକା ଭିତରେ ଆସୁଛି ।

ମେଘନା କୁହନ୍ତି, ଛାତ୍ରଛାତ୍ରୀମାନେ ଏବେ ବେଶ୍ ଭଲ ପ୍ରଦର୍ଶନ କରୁଛନ୍ତି । ସେମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧର୍ମା ପ୍ରଡକସନ୍ସ, ଡିସ୍ନେ, ୟଶରାଜ ଫିଲ୍ମସ୍ ଓ ଫିଲ୍ମସ୍ ଭଳି ସୁନାମଧନ୍ୟ ପ୍ରଡକସନ୍ ହାଉସରେ କାମ କରୁଛନ୍ତି। ତାଙ୍କ ସ୍କୁଲର ଜଣେ ଛାତ୍ର ମୋହିତ୍ ଛାବ୍ରା ତିଆରି କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ରବର ବ୍ୟାଣ୍ଡ ବଲ’ ସମ୍ମାନଜନକ କାନସ୍ କର୍ପୋରେଟ୍ ମିଡିଆ ଓ ଟିଭି ଆୱାର୍ଡ ପ୍ରଦାନ ଉତ୍ସବରେ ସିଲଭର ଡଲଫିନ୍ ପୁରସ୍କାର ପାଇଥିଲେ । ସେହିପରି ସେ ୨୦୧୩ରେ ଦେଓଭିଲେ ଗ୍ରୀନ୍ ଆୱାର୍ଡ ଓ ୨୦୧୨ରେ ଲଣ୍ଡନରେ ଫ୍ରାନ୍ସ ଓ ସିଟି ଷ୍ଟୋରିଜ୍ ପ୍ରୋଜେକ୍ଟ ବିଜୟୀ ହୋଇଛନ୍ତି ।

ସେହିପରି ପ୍ରକାଶ ଝାଙ୍କ ଫିଲ୍ମ ସତ୍ୟାଗ୍ରହ ପ୍ରସ୍ତୁତିରେ କିଛି WWI ପିଲା ଅବଦାନ ଦେଇଛନ୍ତି । ଏହାଛଡା ନିକଟରେ ହକଂ ଟୁରିଜିମକୁ ପ୍ରଚାରପ୍ରସାର ପାଇଁ WWI ଛାତ୍ରଛାତ୍ରୀମାନେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବାରୁ ହକଂ ଟୁରିଜିମ୍ ବୋର୍ଡ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛି ।

ମେଘନା କୁହନ୍ତି, ପ୍ରଥମେ ଭଲ ପ୍ରଶିକ୍ଷକ ଆଣି ପିଲାଙ୍କୁ ଦେବା ଏକ ବଡ ସମସ୍ୟା ଥିଲା । ପିଲାଙ୍କୁ ଭଲ ପ୍ରଶିକ୍ଷଣ ଦେବାକୁ ହେଲେ ଦକ୍ଷ ଓ ବୃତିଗତ ପ୍ରଶିକ୍ଷକ ଆବଶ୍ୟକ । ଜଣେ ପ୍ରଶିକ୍ଷକ ଯେତେ ଭଲ ହେଲେ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁନଥିଲେ ଏବେକାର ପିଲା ସନ୍ତୁଷ୍ଟ ହେଉନାହାନ୍ତି । ଆହୁରି ବି ମେଘନା କୁହନ୍ତି, ବେଷ୍ଟ ଟେକ୍ନୋଲୋଜି ଇନଫାଷ୍ଟ୍ରକଚର ପାଇବା ମଧ୍ୟ ଏବେ ପାଇଁ ଏକ ବଡ ସମସ୍ୟା । ତେବେ WWI ଏହି ସମସ୍ୟାକୁ ଏଡାଇବା ପାଇଁ ସୋନି ସହ ମିଶି କ୍ୟାମ୍ପସ୍ ଭିତରେ ଏକ ମିଡିଆ ସେଟଂର ତିଆରି କରିଛି ।

ଭବିଷ୍ୟତର ଯୋଜନା

WWIର ଭବିଷ୍ୟତର ଯୋଜନା ସମ୍ପର୍କରେ ମେଘନା କୁହନ୍ତି, ଫିଲ୍ମ ନିର୍ମାଣ ଛଡା WWIରେ ପିଲାମାନେ ମିଡିଆ, ଜର୍ଣ୍ଣାଲିଜିମ୍, ଫ୍ୟାଶନ୍ ଓ ଆନିମେଶନ୍ ଶିଖି ପାରିବେ । ତେବେ WWIକୁ ଅନ୍ୟ ସହରରେ ଓ ବାହାର ଦେଶରେ ଆରମ୍ଭ କରିବାକୁ ଯୋଜନା ଅଛି । ପୁନେରେ ଏହା ଆରମ୍ଭ କରିବାକୁ ଡି ୱାଇ ପାଟିଲ ସହ ମିଶିଛନ୍ତି । ସେହିପରି ୟୁକେରେ ଏକ କ୍ୟାମ୍ପସ୍ ଖୋଲିବାକୁ ସେମାନେ ବ୍ରାଡ୍ଫୋର୍ଡ କଲେଜ ସହ ପାର୍ଟନର ହୋଇଛନ୍ତି । ସେହିପରି ନାଇଜେରିଆରେ ସେମାନେ ଏକ ଆଫ୍ରିକାନ୍ ଫିଲ୍ମ ଆଣ୍ଡ ଟିଭି ଏକାଡେମୀ ଆରମ୍ଭ କରିବାକୁ ଟ୍ରେଣ୍ଡ ମିଡିଆ ସିଟି ସହ ଯୋଡି ହୋଇଛନ୍ତି । ମେଘନାଙ୍କ ମତରେ ନାଇଜେରିଆ ହେଉଛି ସବୁଠୁ ବଡ ଫିଲ୍ମ ନିର୍ମାଣ ଇଣ୍ଡଷ୍ଟ୍ରି । ମାତ୍ର ଏଠାରେ ଫିଲ୍ମ ଗୁଡିକ ଥିଏଟରରେ କେବେ ରିଲିଜ୍ ହୁଏନି, କେବଳ ଭିଡିଓ ମାଧ୍ୟମରେ ବଜାରକୁ ଆସେ । ଏଠାରେ ବହୁ ପ୍ରତିଭା ଥିଲେ ବି ଉପଯୁକ୍ତ ପ୍ରଶିକ୍ଷଣର ପ୍ରତିଷ୍ଠାନର ଅଭାବ ରହିଛି । ଏଥିପାଇଁ ଏଠାରେ ଏକ WWI ଥିଏଟର ଖୋଲିବାକୁ ଯୋଜନା କରିଛୁ ।

ମେଘନା ନିଜେ ସ୍ୱୀକାର କରି କୁହନ୍ତି, ବାପାଙ୍କ ପ୍ରତିଷ୍ଠା ଓ ନାଁ ବିନା ଏତେ ସଫଳ ହେବା ସମ୍ଭବ ହୋଇନଥାନ୍ତା। ବାପାଙ୍କର ଇଣ୍ଡଷ୍ଟ୍ରିରେ ଥିବା ସମ୍ମାନ ମୋତେ ଆଗକୁ ଯିବାକୁ ବହୁତ ସାହାଯ୍ୟ କରିଥିଲା । ତେବେ ନିଜର ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁ ମେଘନା WWIକୁ ଏକ ସ୍ତରରେ ପହଚାଂଇବାକୁ ସକ୍ଷମ ହୋଇଛନ୍ତି । ବିନା ଛୁଟିରେ କାମ କରିବା, କର୍ମଚାରୀଙ୍କ ସହ ଭଲ ବୁଝାମଣା ରଖିବା ଯୋଗୁ ଏସବୁ ହୋଇପାରିଛି ।

ମେଘନା କୁହନ୍ତି, ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରର ସୁଯୋଗ ଦେବାରେ ଭାରତ ସବୁଠୁ ଭଲ ସ୍ଥାନ । ଏଠି ମହିଳାମାନେ କାମ କରିବାକୁ ଅନେକ ସହଯୋଗ ମିଳିଥାଏ । ମାତ୍ର ବହୁ ମହିଳା ବ୍ୟସ୍ତତା ଆଳରେ କାମ କରିବାକୁ ଇଚ୍ଛା କରନ୍ତିନି । ସେମାନେ ନିଜ ଚାରିପାଖେ ଏକ କାଚର ଆବଦ୍ଧ ତିଆରି କରି ଦେଇଥାନ୍ତି । ଏସବୁକୁ ଭାଙ୍ଗି ବାହାରକୁ ବାହାରିବା ଦରକାର । କାର୍ଯ୍ୟକ୍ଷେତ୍ରକୁ ଯାଇ କାମ କଲେ ହିଁ ପ୍ରକୃତ ମହିଳା ସଶକ୍ତିକରଣ ସମ୍ଭବ । ଏହା ଖାଲି ମହିଳାଙ୍କୁ ସ୍ୱାବଲମ୍ବୀ କରେନି, ତା ପରିବାରର ଉନ୍ନତିରେ ମଧ୍ୟ ସାହାଯ୍ୟ କରିଥାଏ ।

ମୂଳ ଲେଖା - ପ୍ରୀତି ଚାମିକୁଟ୍ଟି

ଭାଷାନ୍ତର - ସ୍ମୃତିରଞ୍ଜନ ବିଶ୍ଵାଳ