ଭୁବନେଶ୍ୱର ସ୍ମାର୍ଟ ସିଟି ନିର୍ମାଣରେ ସିଙ୍ଗାପୁର ଦେବ ସହଯୋଗ, ପିପିପି ମୋଡ୍ ରେ କାମ କରିବାକୁ ଆଗ୍ରହୀ

ଭୁବନେଶ୍ୱର ସ୍ମାର୍ଟ ସିଟି ନିର୍ମାଣରେ ସିଙ୍ଗାପୁର ଦେବ ସହଯୋଗ, ପିପିପି ମୋଡ୍ ରେ କାମ କରିବାକୁ ଆଗ୍ରହୀ

Friday March 11, 2016,

2 min Read

ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇଁ ରାଜ୍ୟ ସରକାର ସମସ୍ତ ଚେଷ୍ଟା ଚଳାଇଥିବା ବେଳେ ଏଥିପାଇଁ ଅନେକ ସଂସ୍ଥା ଓ ବିଶେଷଜ୍ଞମାନଙ୍କର ଆବଶ୍ୟକତା ରହୁଛି | ଏହା ସଙ୍ଗେ ସଙ୍ଗେ ଦେଶ ବିଦେଶର ଅନେକ ସଂସ୍ଥା ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ଜରିଆରେ ସ୍ମାର୍ଟସିଟି ବିକାଶ ଦିଗରେ ମଧ୍ୟ କାମ କରିବାକୁ ଆଗ୍ରହୀ | ପ୍ରସ୍ତାବିତ ସ୍ମାର୍ଟ ସିଟି ତାଲିକାରେ ପ୍ରଥମ ସ୍ଥାନରେ ରହିବା ପରେ ଭୁବନେଶ୍ୱର ପ୍ରତି ସମସ୍ତଙ୍କ ନଜର ପଡିଛି| ଏଇ ନିକଟରେ ସିଙ୍ଗାପୁର ମଧ୍ୟ ଏହି ସହରର ଉନ୍ନତି ଓ ବିକାଶ ଦିଗରେ କାମ କରିବାକୁ ଆଗ୍ରହୀ ଥିବା ଜଣାପଡିଛି |

image


ମୁମ୍ବାଇରେ ଅବସ୍ଥାପିତ ସିଙ୍ଗାପୁର କନସଲ ଜେନେରାଲ୍ ଅଜିତ୍ ସିଂହ ଗତ ଦୁଇ ତାରିଖ ଦିନ ଭୁବନେଶ୍ୱର ଗସ୍ତରେ ଆସିଥିଲେ | ସେ ସଚ୍ଚିବାଳୟରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ସ୍ମାର୍ଟ ସିଟି ଭୁବନେଶ୍ୱରର ବିକାଶ ନେଇ ଆଲୋଚନା କରିଥିଲେ | ଭୁବନେଶ୍ୱରକୁ ଏକ ସ୍ମାର୍ଟ ସିଟି କରିବା ଦିଗରେ କେତେକ ଭିତ୍ତିଭୂମିର ବିକାଶ ଓ ବୈଷୟିକ ଜ୍ଞାନର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା | ଏ ଦିଗରେ ସିଙ୍ଗାପୁର ପିପିପି ମୋଡ୍ ରେ କାମ କରିବ ବୋଲି ଇଛାପ୍ରକାଶ କରିଛି |

image


ଆଲୋଚନା ପରେ ସିଙ୍ଗାପୁର କନସଲ ଜେନେରାଲ୍ ଅଜିତ ସିଂହ କହିଲେ,

ସିଙ୍ଗାପୁର ଢାଂଚାରେ ଭୁବନେଶ୍ୱରରେ ମଧ୍ୟ ସ୍ମାର୍ଟସିଟି ପାଇଁ ଗବେଷଣା, ଦକ୍ଷତା ବିକାଶ, ଜ୍ଞାନକୌଶଳ, ଦକ୍ଷ ପରିବହନ ପରିଚାଳନା ଓ ପରାମର୍ଶ ଭଳି କ୍ଷେତ୍ରରେ ଦୁଇ ଦେଶ କାମ କରିବେ | ସିଙ୍ଗାପୁରରେ ଅନେକ କମ୍ପାନୀ ଏ ଦିଗରେ ସାହାଯ୍ୟ କରିବାକୁ ପ୍ରସ୍ଥୁତ ଅଛନ୍ତି | ସେମାନଙ୍କ ସହ ସରକାର ବୁଝାମଣା କରିପାରିବେ |

ଭୁବନେଶ୍ୱରରେ ଜନସାଧାରଣଙ୍କୁ ମୌଳିକ ସେବା ଠାରୁ ଆରମ୍ଭ କରି ଉନ୍ନତ ସହରର ରୂପରେଖ, ପବ୍ଲିକ ହାଉସିଂ ପରି ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା ହୋଇଛି | ବୈଷୟିକ ପରାମର୍ଶଦାତା, ସମାଜ ବିଜ୍ଞାନୀ, ଅର୍ଥ ବିନିଯୋଗକାରୀ ଓ ଯୋଜନାପ୍ରସ୍ତୁତକାରୀଙ୍କୁ ନେଇ ଏକ ମିଳିତ ବୈଠକ ଡକାଯିବା ଲାଗି ନିଷ୍ପତି ନିଆଯାଇଛି | ଏହି ବୈଠକରେ କେଉଁ କେଉଁ କ୍ଷେତ୍ରରେ ସିଙ୍ଗାପୁର ଭୁବନେଶ୍ୱର ସ୍ମାର୍ଟ ସିଟି ବିକାଶ ଦିଗରେ ସହାୟତା କରିପାରିବ, ତାହା ଆଲୋଚନା ହେବ | ରୂପରେଖ ପ୍ରସ୍ତୁତ ପରେ ସେହି ଅନୁସାରେ କାର୍ଯ୍ୟ ଆଗକୁ ବଢିବ |

image


ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି,

ପିପିପି ବ୍ୟବସ୍ଥାରେ ସ୍ମାର୍ଟ ସିଟିର ବିକାଶ ପାଇଁ ସିଙ୍ଗାପୁରରେ ଥିବା ବିଶ୍ୱସ୍ତରୀୟ ଫାର୍ମଗୁଡିକୁ ସାମିଲ କରିବା ନେଇ ରାଜ୍ୟ ସରକାର ଇଛୁକ ଅଛନ୍ତି | ଏଥିପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ସିଙ୍ଗାପୁରର ସହରାଂଚଳ ପୁନର୍ବିକାଶ କର୍ତ୍ତୃପକ୍ଷ ମଧ୍ୟରେ ବୁଝାମଣାପତ୍ର ଉପରେ ଗୁରୁତ୍ତ୍ଵ ଦିଆଯାଉଛି ।

ଭୁବନେଶ୍ୱର ସ୍ମାର୍ଟ ସିଟି ବିକାଶ ପାଇଁ କାମ କରୁଥିବା କର୍ମଚାରୀ ଓ ବୈଷୟିକ ବିଶେଷଜ୍ଞମାନଙ୍କୁ ସିଙ୍ଗାପୁର ନିଆଯିବାକୁ ଯୋଜନା ରହିଛି । ସେଠାରେ ସେମାନେ ସ୍ମାର୍ଟ ସିଟିର ରୂପରେଖ ଦେଖିବେ ଓ ଏ ବିଷୟରେ ତାଲିମ ନେବେ । ସେଠାରୁ ଫେରି ତାହାକୁ ଭୁବନେଶ୍ୱରରେ କାମରେ ଲାଗାଇବେ । ଏଥିପାଇଁ ଆଉ ଏକ ଆଲୋଚନା ପରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି ଜଣାପଡିଛି ।