ଭାରତର ପ୍ରଥମ କିନ୍ନର ସ୍କୁଲ ଖୋଲିବ କୋଚି ରେ

ଭାରତର ପ୍ରଥମ କିନ୍ନର ସ୍କୁଲ ଖୋଲିବ କୋଚି ରେ

Friday December 23, 2016,

2 min Read

ଭାରତର ପ୍ରଥମ ରାଜ୍ୟ ଭାବେ ଗତବର୍ଷ କିନ୍ନରଙ୍କ ପାଇଁ ଅଲଗା ନୀତି ଲାଗୁ କରିବାର ଖବରକୁ ନେଇ କେରଳ ଚର୍ଚ୍ଚାରେ ଥିଲା। କିନ୍ନର ସମ୍ପ୍ରଦାୟ ପ୍ରତି ସମାଜର ଘୃଣ୍ୟ ମନୋଭାବକୁ ଦୂର କରିବା ହେଉଛି ଏହି ନୀତିର ଆଭିମୁଖ୍ୟ। ଏହି ନୀତି କୁହେ – ଏକ କିନ୍ନର ନ୍ୟାୟପାଳିକାର ଗଠନ କରାଯାଇ କିନ୍ନର ସମ୍ପ୍ରଦାୟର ସଦସ୍ୟ ମାନଙ୍କୁ ଏକ ଲିଙ୍ଗ ପରିଚୟ ମାନପତ୍ର ସାର୍ଟିଫିକେଟ ଦିଆଯିବା ଉଚିତ। ଏହା ଫଳରେ ଏମାନେ ସାମାଜିକ ସୁରକ୍ଷା ପାଇବା ସଙ୍ଗେ ସଙ୍ଗେ ଅସମାନତାର ଶିକାର ହେବେ ନାହିଁ। “ କିନ୍ନର ବା ଟ୍ରାନ୍ସଜେଣ୍ଡରଙ୍କର ସମସ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ ସଦସ୍ୟଙ୍କ ପାଇଁ ଏହି ନୀତି ସମାନ ଭାବେ ଲାଗୁ ହେବ।

image


କେରଳ ବର୍ତ୍ତମାନ ପୁଣି ଖବରରେ ଆସିଛି। ଭାରତର ପ୍ରଥମ କିନ୍ନର ସ୍କୁଲ କୋଚି ଠାରେ ଖୋଲିବାର ଖବର ନେଇ ଏବେ ଏହି ରାଜ୍ୟ ଚର୍ଚ୍ଚାରେ। ସହଜ ଇଣ୍ଟରନ୍ୟାସନାଲ ସ୍କୁଲ ନାମରେ ଏହି ସ୍କୁଲ ୩୦ ଡିସେମ୍ବରରେ କିନ୍ନର ଅଧିକାରକୁ ନେଇ କାମ କରୁଥିବା ଲୋକପ୍ରିୟ କାର୍ଯ୍ୟକର୍ତ୍ତା କଳକୀ ସୁବ୍ରମଣିଅମଙ୍କ ଦ୍ଵାରା ଉଦଘାଟିତ ହେବ।

ନିକଟରେ ଆୟୋଜିତ ହେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କିନ୍ନର ଅଧିକାର କର୍ମୀ ବିଜୟରାଜ ମଲ୍ଲିକା, ମାୟା ମେନନ ଓ ଫଇଜଲ ସିକେ ଯୋଗ ଦେଇ କିଛି ଘୋଷଣା କରିଥିଲେ। ସର୍ବପ୍ରଥମେ ୧୦ଜଣ କିନ୍ନର ଛାତ୍ରଙ୍କୁ ନେଇ ଏହି ସ୍କୁଲଟି ଆରମ୍ଭ ହେବ। ଏମାନେ ଜାତୀୟ ଉନ୍ମୁକ୍ତ ବିଦ୍ୟାଳୟ ବ୍ୟବସ୍ଥା ଅନୁସାରେ ଏଠାରେ ଶିକ୍ଷା ଲାଭ କରିବେ।

Indian Expressର ଏକ ରିପୋର୍ଟ ଅନୁସାରେ ବିଜୟରାଜ ମଲ୍ଲିକା କହନ୍ତି, 

“କିଛି ଶିକ୍ଷକ ଏବଂ ସାମାଜିକ କର୍ମୀ ଏହି ପ୍ରୟାସରେ ଭାଗ ନେବା ପାଇଁ ଆଗେଇ ଆସିଛନ୍ତି। ଏପରି ଏକ ସ୍କୁଲର ଲକ୍ଷ୍ୟ ହେଉଛି କିନ୍ନର ସମ୍ପ୍ରଦାୟଙ୍କୁ ସୁରକ୍ଷା, ପରିତ୍ରାଣ ଏବଂ ସ୍ଥାୟିତ୍ଵ ଯୋଗାଇଦେବା। ବର୍ତ୍ତମାନ ଆମ ପାଖରେ ଅଳ୍ପ କିଛି ପ୍ରାୟୋଜକ ଅଛନ୍ତି। କିନ୍ତୁ ଆଗକୁ ଯାଇ ଆମେ ସରକାରଙ୍କ ଠାରୁ ଆର୍ଥିକ ସହାୟତା ଲୋଡ଼ିପାରୁ। “

ଏହି ସ୍କୁଲର ପାଠ୍ୟକ୍ରମରେ ମୁଖ୍ଯତଃ ବିଭିନ୍ନ ଦକ୍ଷତା ବୃଦ୍ଧି ବିଷୟ ରହିବ। ତା’ଛଡ଼ା ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ଏକାଡେମିକ ପରୀକ୍ଷା ମଧ୍ୟ ରହିବ। TransIndia ଫାଉଣ୍ଡେସନରେ କାମ କରୁଥିବା ଛ’ ଜଣ ଟ୍ରାନ୍ସଜେଣ୍ଡରଙ୍କ ନେତୃତ୍ଵରେ ଚାଲୁଥିବା ପ୍ରୋଜେକ୍ଟ ‘ସନାତନ’ର ମାଷ୍ଟରମାଇଣ୍ଡ ହେଉଛନ୍ତି ବିଜୟରାଜ। ଅନେକ କିନ୍ନର ମାନେ ନିଜର ସ୍କୁଲ ଶିକ୍ଷା ସଂପୂର୍ଣ୍ଣ ନ କରିପାରି ନାନା କାରଣରୁ ପାଠପଢା ଅଧାରୁ ଛାଡିଦେଇଥାନ୍ତି। ଏପରି ଡ୍ରପଆଉଟ କିନ୍ନରଙ୍କର ଦଶମ ଶ୍ରେଣୀ ଯାଏଁ ପାଠପଢା ସଂପୂର୍ଣ୍ଣ କରାଇବା ହେଉଛି ଏହି ପ୍ରୋଜେକ୍ଟର ଲକ୍ଷ୍ୟ।

Deccan Chronicleସହ କଥା ହେଇ ବିଜୟରାଜ କହିଛନ୍ତି, 

“ଯଦିଓ କୋଚି ମେଟ୍ରୋ ଭଳି ସଂସ୍ଥା କିନ୍ନର ମାନଙ୍କୁ ନିଯୁକ୍ତିର ସୁଯୋଗ ଦେବାକୁ ଆଗେଇ ଆସିଛି, କିନ୍ତୁ ପାରମ୍ପରିକ ଶିକ୍ଷା ଓ ଡିଗ୍ରୀର ଅଭାବ ହେଉଛି ସେ ନେଇ ଏକ ମୁଖ୍ୟ ଚ୍ୟାଲେଞ୍ଜ।“

ଏପର୍ଯ୍ୟନ୍ତ ୫୦ ଜଣ ଘର ମାଲିକ ତାଙ୍କୁ ଏହି ସ୍କୁଲ ଆରମ୍ଭ କରିବା ପାଇଁ ଘରଭଡ଼ା ଦେବାକୁ ମନା କରିଦେଇଥିଲେ। କିନ୍ତୁ ଶେଷରେ ଏକ ଖ୍ରୀଷ୍ଟିୟାନ ସଂସ୍ଥା ସାହାଯ୍ୟର ହାତ ବଢାଇ ତାଙ୍କୁ ଏହି ସ୍କୁଲ ଆରମ୍ଭ କରିବା ପାଇଁ ଜାଗା ଭଡ଼ାରେ ଦେଇଛି।