ପୁରୀରୁ ଚାଲିଲା ଓଡିଶାର ପ୍ରଥମ ସଂପୂର୍ଣ ବାୟୋ ଟଏଲେଟ୍ ଟ୍ରେନ୍

ପୁରୀରୁ ଚାଲିଲା ଓଡିଶାର ପ୍ରଥମ ସଂପୂର୍ଣ ବାୟୋ ଟଏଲେଟ୍ ଟ୍ରେନ୍

Saturday March 26, 2016,

2 min Read

ଟ୍ରେନରୁ ଖୋଲା ପାଇଖାନା ହଟାଇ ବାୟୋ ଟଏଲେଟ୍ ବ୍ୟବସ୍ଥା କରିବା ଲାଗି ରେଳ ବିଭାଗ ପ୍ରୟାସ ଜାରି ରଖିଛି | ଅନେକ ଟ୍ରେନ୍ ର କେତେକ ବଗିରେ ବାୟୋ-ଟଏଲେଟ୍ ବ୍ୟବସ୍ଥା କରାଯାଉଥିବା ବେଳେ ଅନ୍ୟ କେତେକ ଟ୍ରେନ୍ ରେ ସବୁ ବଗିରେ କେବଳ ବାୟୋ ଟଏଲେଟ୍ ଲଗାଯାଉଛି | ଫଳରେ ଏହି ଟ୍ରେନରୁ ମଇଳା ପଡି ଟ୍ରାକ୍ ଓ ଷ୍ଟେସନ୍ ଅଂଚଳ ଅପରିସ୍କାର ହେବ ନାହିଁ | ଏହି ଟ୍ରେନ୍ କୁ ଗ୍ରୀନ୍ ଟ୍ରେନ୍ ବୋଲି କୁହାଯାଉଛି | ରାଜ୍ୟରେ ପ୍ରଥମ ଏହି ପରି ଟ୍ରେନ୍ ପୁରୀରୁ ଚାଲିଲା | ପୁରୀ-ଓଖା ଏକ୍ସପ୍ରେସରେ ଏହି ବ୍ୟବସ୍ଥା କରାଯାଇଛି |

image


ସ୍ୱଚ୍ଛ ଭାରତ ଅଧିନରେ ଟ୍ରେନ୍ ଗୁଡିକରେ ଏଭଳି ବ୍ୟବସ୍ଥା କରାଯାଉଛି | ଗତ ୨୦ ତାରିଖ ଦିନ ପୁରୀ-ଓଖା ଟ୍ରେନ୍ ରେ ଏହି ବ୍ୟବସ୍ଥାକୁ ରେଳବାଇ ଅଧିକାରୀମାନେ ପତକା ହଲାଇ ଉଦଘାଟନ କରିଥିଲେ | ଏହି ଅବସରରେ ଖୋର୍ଦ୍ଧା ରୋଡ୍ ଡିଭିଜନାଲ୍ ରେଲୱେ ମ୍ୟାନେଜର(ଡିଆରଏମ୍) କହିଥିଲେ,

ଟ୍ରେନରେ ଖୋଲା ପାଇଖାନା ରହିବା ଯୋଗୁଁ ରେଳ ଧାରଣା ଓ ଷ୍ଟେସନ୍ ଅଂଚଳରେ ମଳମୂତ୍ର ପଡୁଛି | ଧୀର ଧୀରେ ଏହି ଖୋଲା ପାଇଖାନାକୁ ହଟାଇ ଦିଆଯାଉଛି | ପୁରୀ-ଓଖା ଏକ୍ସପ୍ରେସ୍ ରେ ମଧ୍ୟ ରେଳଯାତ୍ରୀମାନଙ୍କ ପାଇଁ ବାୟୋ ଟଏଲେଟ୍ ର ସୁବିଧା କରାଯାଇଛି | ଏହି ବ୍ୟବସ୍ଥା ଅନ୍ୟ କେତେକ ଟ୍ରେନ୍ ରେ ମଧ୍ୟ କରାଯିବାକୁ ସ୍ଥିର କରାଯାଇଛି |
image


ଟ୍ରେନରେ ଖୋଲା ପାଇଖାନାକୁ ହଟାଇବା ଲାଗି ଓଡିଶାର ଜଣେ ସାମାଜିକ କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ୨୦୧୩ରେ ନିବେଦନ କରିଥିଲେ | ଏହାର ଜାବବରେ ରେଳବାଇ କହିଥିଲା ୨୦୨୧-୨୨ ବେଳକୁ ସବୁ ଟ୍ରେନରୁ ଖୋଲା ପାଇଖାନା ହଟାଇ ବାୟୋ ଟଏଲେଟ୍ ଲାଗିବ | ପୁଣି ୨୦୧୬-୧୭ରେ ତିଆରି ହେଉଥିବା ସବୁ ବଗିରେ ବାୟୋ ଟଏଲେଟ୍ ହିଁ ଲାଗିବ | ଧୀରେ ଧୀରେ ଏହି ପ୍ରକ୍ରିୟା ଚାଲିଛି | ତେବେ ପୁରୀ-ଓଖା ଟ୍ରେନ୍ ରେ ସଂପୂର୍ଣ ବାୟୋ ଟଏଲେଟ୍ ବ୍ୟବସ୍ଥାକୁ ସେ ସ୍ୱାଗତ କରିଛନ୍ତି |

ରେଳବାଇର ସିନିୟର ଡିଭିଜନାଲ୍ ମ୍ୟାନେଜର ଏଚ.ଆର୍. ସାହୁ କହିଛନ୍ତି,

ପୁରୀ-ଓଖା ଟ୍ରେନ୍ ଦୁଇଟି ପ୍ରମୁଖ ତୀର୍ଥସ୍ଥଳକୁ ସଂଯୋଗ କରୁଥିବାରୁ ପ୍ରଥମେ ଏହି ସୁବିଧା ଉପଲବ୍ଧ କରାଯାଇଛି | ଏଥିରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି, ୩ଟି ତୃତୀୟ ଶ୍ରେଣୀ ଏସି, ୯ ସ୍ଲିପର କୋଚ୍, ୭ ଜେନେରାଲ୍ କୋଚ୍ ସହ ଗୋଟିଏ ପ୍ୟାଣ୍ଟ୍ରି କାର୍ ରହିଛି | ପୂର୍ବରୁ ଏହି ଟ୍ରେନ୍ ର ଟଏଲେଟ୍ ଆବର୍ଜନା ଟ୍ରାକ୍ ରେ ପଡି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିଲା | ଏବେ ସେଥିରୁ ମୁକ୍ତି ମିଳିବ |

ବାୟୋ ଟଏଲେଟ୍ ବ୍ୟବସ୍ଥା ଯୋଗୁଁ ମଇଳା ବାହାରେ ପଡିବ ନାହିଁ | ଆବର୍ଜନା ଏକ ବାୟୋ ଡାଇଜେଷ୍ଟର ଟାଙ୍କିରେ ସଂଗୃହୀତ ହେବ | ଟାଙ୍କିରେ ଥିବା ବ୍ୟାକ୍ଟେରିଆ କଠିନ ଆବର୍ଜନାକୁ କ୍ଲୋରିନ୍ ସଂକ୍ରମଣ ରହିତ ତରଳ ପଦାର୍ଥରେ ପରିଣତ କରିବ | ଏହାକୁ ଯେ କୌଣସି ଯାଗାରେ ଫିଙ୍ଗି ଦେଲେ ମଧ୍ୟ ଏହା କ୍ଷତିକାରକ ହେବ ନାହିଁ |

ତେବେ ବାୟୋ-ଟଏଲେଟ୍ ର ବ୍ୟବହାର ଶୈଳୀ ଜାଣିବା ପାଇଁ ଲୋକଙ୍କୁ ସଚେତନ କରାଇବାକୁ ପଡିବ | ପୁଣି ଏହାର ଠିକ୍ ରକ୍ଷଣାବେକ୍ଷଣ କରାନଗଲେ ଏହା ଚୋକ୍ ହୋଇ ଯିବାର ସମ୍ଭାବନା ରହିଛି | ଏଥିପ୍ରତି ମଧ୍ୟ ରେଳବାଇ କର୍ତ୍ତୁପକ୍ଷ ଧ୍ୟାନ ଦେବା ଜରୁରୀ |