ଆୟକର ଆଇନରେ ହେବ ସଂଶୋଧନ: ନିଜେ ଜଣାଇଲେ 50%, ଧରା ପଡ଼ିଲେ 85%

ଆୟକର ଆଇନରେ ହେବ ସଂଶୋଧନ: ନିଜେ ଜଣାଇଲେ 50%, ଧରା ପଡ଼ିଲେ 85%

Tuesday November 29, 2016,

2 min Read

ସଂସଦରେ ଗତକାଲି ଆୟକର ସଂଶୋଧନ ବିଲ୍ ଆଗତ ହେଇଛି। ସଂଶୋଧିତ ବିଲରେ ଅଘୋଷିତ ଆୟ ଉପରେ ୩୦% ଟିକସ ଓ ୧୦% ଜୋରିମାନା ଲାଗୁ ପ୍ରସ୍ତାବ ଦିଆଯାଇଛି। ଏବଂ ତା’ଉପରେ ୩୩% ସେସ ମଧ୍ୟ ଲାଗୁ ହେବ। ତେଣୁ ମୋଟ ଟିକସ ପରିମାଣ ୫୦% ଛୁଇଁବ। ସେହିଭଳି କଳାଧନ ରଖିଥିବା ଲୋକେ ଆୟକର ବିଭାଗ ହାତରେ ଧାରା ପଡ଼ିଲେ ଏଥିରେ ୭୫% ଟିକସ ଓ ୧୦% ଜୋରିମାନା ସହ ମୋଟ ୮୫% ଟିକସ ଦେବାର ବ୍ୟବସ୍ଥା କରାଯାଇଛି।

image


ବିମୁଦ୍ରାକରଣର ପ୍ରାୟ ୩ ସପ୍ତାହ ପରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଏହି ପ୍ରସ୍ତାବ ଆଗତ କରିଥିଲେ। ବିମୁଦ୍ରାକରଣ କାର୍ଯ୍ୟକାରୀ କରିବା ପରେ ଲୋକେ ଟିକସ ଫାଙ୍କିବାକୁ ରୋକିବା ପାଇଁ ଏହି ଆଇନର ପ୍ରସ୍ତାବ ଦିଆଯାଇଛି। ଯେଉଁମାନେ ନିଜର ଅଘୋଷିତ ଆୟରୁ ଅର୍ଜିତ ଅର୍ଥକୁ ବିମୁଦ୍ରାକରଣରେ ପୁରୁଣା ଟଙ୍କା ଆକାରରେ ଜମା କରିଛନ୍ତି ସେମାନେ ୩୦% ଟିକସ, ୧୦% ଜୋରିମାନା ସହ ୩୩% ସରଚାର୍ଜ ଆକାରରେ ଦେବେ। ଏହି ଅର୍ଥ କେଉଁ ସୂତ୍ରରୁ ମିଳିଛି ତାହା ମଧ୍ୟ ଦର୍ଶାଇବାକୁ ପଡ଼ିବ। ଅଘୋଷିତ ଆୟର ୨୫% ରାଶି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଜମା କରାଯିବ ବୋଲି ପ୍ରସ୍ତାବ ରହିଛି। ଏହି ଜମା ଅର୍ଥ ଉପରେ ଜମାକାରୀଙ୍କୁ କୌଣସି ସୁଧ ମିଳିବ ନାହିଁ। ଏହି ଯୋଜନାରୁ ମିଳିଥିବା ଅର୍ଥକୁ ସରକାର ଜଳସେଚନ, ଗୃହ, ଶୌଚାଳୟ ନିର୍ମାଣ, ପ୍ରାଥମିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ କରିବେ।

ଏସବୁ ବ୍ଯତୀତ କଳାଧାନ ଜମାକାରୀଙ୍କ ନିକଟରୁ ଆୟକର ବିଭାଗ ଅଘୋଷିତ ଅର୍ଥ ଜବତ କଲେ ୭୫% ଟିକସ ସହ ୧୦% ଟିକସ ଜୋରିମାନା ଦେବାକୁ ପଡ଼ିବ। ଏ ସମ୍ପର୍କରେ ରାଜସ୍ୱ ସଚିବ ହସମୁଖ ଆଧିଆ କହିଛନ୍ତି,

ଚଳିତମାସ ୧୦ରୁ ଡିସେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ଆକାଉଣ୍ଟରେ ଧାର୍ଯ୍ୟ ସୀମା ୨.୫ ଲକ୍ଷ ଟଙ୍କା ରୁ ଅଧିକ କରାଯାଉଥିବା ଜମା ରାଶି ଉପରେ ଆମେ ରିପୋର୍ଟ ସଂଗ୍ରହ କରୁଛୁ। ଜମାକାରୀଙ୍କ ଦ୍ଵାରା ଦାଖଲ ହୋଇଥିବା ଆୟକର ରିଟର୍ନ ସହ ବିଭାଗ ଏହାକୁ ମେଳ କରିବ।

ଏହି ପ୍ରସ୍ତାବିତ ଆଇନ ଅନୁସାରେ ପରିବାରର ସମସ୍ତ ସଦସ୍ୟଙ୍କ ସମସ୍ତ ବ୍ଯାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇପାରେ। ଆଇନର ହାତରୁ ବଞ୍ଚିବା ପାଇଁ ଯେଉଁମାନେ ପରିବାରର ବିଭିନ୍ନ ସଦସ୍ୟ ମାନଙ୍କ ବ୍ଯାଙ୍କ ଖାତାରେ ୨.୫ଲକ୍ଷ କିମ୍ବା ତା’ଠାରୁ ଅଧିକ ଅର୍ଥ ଜମା କରିଥିବେ, ସେମାନେ ଏ ନିୟମ କାର୍ଯ୍ୟକାରୀ ହେବା ପରେ ସେଥିରୁ ଖସିଯାଇପାରିବେ ନାହିଁ।