ମେସିନକୁ ଭଲପାଉଥିବା ଶ୍ରୀକାନ୍ତ ସାହୁ

ମେସିନକୁ ଭଲପାଉଥିବା ଶ୍ରୀକାନ୍ତ ସାହୁ

Sunday February 28, 2016,

2 min Read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେବ୍ରୁଆରୀ 7 ତାରିଖ ନାଇସର ଗସ୍ତ କାଳରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ଆମ ରାଜ୍ଯ ପାଇଁ ସୁନାମ ଆଣିଥିବା କେତେଜଣ ବ୍ଯକ୍ତିଙ୍କୁ ସମ୍ମାନିତ କରିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ନବରଙ୍ଗପୁରର ଶ୍ରୀକାନ୍ତ ସାହୁ। 

image


ଶ୍ରୀକାନ୍ତ ନବରଙ୍ଗପୁର ଜିଲ୍ଲାର ଜଣେ ଚା' ଦୋକାନୀଙ୍କ ପୁଅ। ମୋଟର ଯାନ ମେକାନିକ ବର୍ଗରେ ସାରା ଦେଶରେ ଶୀର୍ଷରେ ରହି ସେ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି। କିଛି ମାସ ତଳେ ଉତ୍ତରପ୍ରଦେଶ ବାନପୁରଠାରେ ଆୟୋଜିତ 51 ତମ ସର୍ବଭାରତୀୟ ଦକ୍ଷତା ପ୍ରତିଯୋଗିତା(ଏଆଇଏସସି)ରେ 398 ମାର୍କ ରଖି ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। 2014-15 ବର୍ଷରେ ବ୍ରହ୍ମପୁର ସରକାରୀ ଆଇଟିଆଇର ଶେଷ୍ଠ ଛାତ୍ରଭାବେ ବିବେଚିତ ଶ୍ରୀକାନ୍ତ ନିଜ ଅନୁଷ୍ଠାନର ମାନବୃଦ୍ଧି କରିବା ସହ ନିଜ ଜିଲ୍ଲା ଓ ରାଜ୍ଯର ଗୌରବ ବଢାଇଛନ୍ତି। ଜାତୀୟ ସାମର୍ଥ ପ୍ରତିଯୋଗିତାରେ ପ୍ରଥମ ହେବାପରେ ତାଙ୍କୁ ମାରୁତି ସୁଜୁକୀ, ଅଶୋକ ଲିଲ୍ଯାଣ୍ଡ, ଟାଟା, ମହିନ୍ଦ୍ରା ଭଳି ପ୍ରତିଷ୍ଠିତ କମ୍ପାନିମାନେ ଆକର୍ଷଣୀୟ ଦରମାରେ ଚାକିରି ଅଫର ଦେଇଥିଲେ। 

ଶ୍ରୀକାନ୍ତଙ୍କ ବାପା ବଳରାମ ସାହୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡର ଝରିଗାଁ ବଜାରରେ ଏକ ଠେଲାଗାଡ଼ିରେ ଚା' ବିକନ୍ତି। ଶ୍ରୀକାନ୍ତ 2009ରେ ପଂଚାୟତ ହାଇସ୍କୁଲରୁ ମେଟ୍ରିକ ପାଶ କରି ଉମରକୋଟର ପେଣ୍ଡାଣୀ କଲେଜରୁ ଯୁକ୍ତ ଦୁଇ ପାଶ କଲାପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ସ୍ବପ୍ନ ଦେଖୁଥିଲେ। ତେବେ ପରିବାରର ଆର୍ଥିକ ସ୍ଥିତିକୁ ଦେଖି ସେ ବ୍ରହ୍ମପୁର ଆଇଟିଆଇରେ ନାଁ ଲେଖାଇଲେ। ଭଲ ନମ୍ବର ନଥିବାରୁ ଭଲ ଟ୍ରେଡ ମଧ୍ୟ ମିଳିନଥିଲା। ମୋଟର ଭେହିକିଲ କୋର୍ସରେ ନାଁ ଲେଖାବାପରେ ସେ ମେସିନର ପ୍ରେମରେ ପଡିଗଲେ। 2014ରେ ଆଇଟିଆଇ ପାଶ କରିବାପରେ ତାଙ୍କ ଶିକ୍ଷକଙ୍କ ପ୍ରେରଣାରେ ସେ ଏଆଇଏସସି ଲାଗି ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଆରମ୍ଭ କଲେ। ଏହାପରେ ସେ ବାଙ୍ଗାଲୋର ଯାଇ ହୋଣ୍ଡା ମୋଟର ସାଇକେଲ ଏଣ୍ଡ ସ୍କୁଟର କମ୍ପାନିରେ ମୋଟର ଭେହିକିଲ ସମ୍ପର୍କରେ ତାଲିମ ନେଲେ। 

ଜୀବନର ବିଭିନ୍ନ ଝଡ଼ଝଞ୍ଜା ମଧ୍ୟରେ ପାଠପଢିଥିବା ଶ୍ରୀକାନ୍ତ ନିଜର ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ଏହି ବିରଳ ସଫଳତା ହାସଲ କରିପାରିଛନ୍ତି। ଦେଶର ପ୍ରଦୂଷଣକୁ ନେଇ ଚିନ୍ତିତ ଥିବା ଶ୍ରୀକାନ୍ତ ଏକ ଇଲେକ୍ଟ୍ରୋନିକ ମୋଟର ଭେହିକିଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାକି ଶକ୍ତିଶାଳୀ ହେବା ସହ ପରିବେଶ ଅନୁକୂଳ ମଧ୍ୟ ହେବ। 

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ଓଡ଼ିଶାର ହସ୍ତଶିଳ୍ପରେ ଆଧୁନିକତାର ଛାପ, ନୋଏଡାରେ ପ୍ରଦର୍ଶିତ ହେବ 

ଓଡ଼ିଆ ଇଞ୍ଜିନିୟରିଂ ଛାତ୍ର ନିର୍ମାଣ କଲେ ୩୫୦ ସିସି କାର୍

ମୋବାଇଲ ଫୋନ ମାଧ୍ୟମରେ ଗାଁରେ ପହଞ୍ଚିବ ସ୍ଵାସ୍ଥ୍ୟସେବା