Pink Lemonade; ଯେଉଁଠି ତିନି ଚତୁର୍ଥାଂଶ କର୍ମଚାରୀ ମହିଳା

Pink Lemonade; ଯେଉଁଠି ତିନି ଚତୁର୍ଥାଂଶ କର୍ମଚାରୀ ମହିଳା

Saturday November 14, 2015,

4 min Read

ଆମ ଦେଶରେ ସାଧାରଣତଃ କର୍ମକ୍ଷେତ୍ରରେ ମହିଳା ମାନଙ୍କ ସଂଖ୍ୟା ନଗଣ୍ୟ। ଅଫିସ ମାନଙ୍କରେ ସାଧାରଣତଃ ମହିଳାଙ୍କ ସଂଖ୍ୟା କମ। କିନ୍ତୁ ଆମେ ଆଜି ଏମିତି ଏକ କମ୍ପାନୀ ବିଷୟରେ ଆଲୋଚନା କରିବା ଯେଉଁଠି ୭୫% କର୍ମଚାରୀ ମହିଳା। ଏହି କମ୍ପାନୀର ନାମ ହେଲା Pink Lemonade ଓ କହିବା ବାହୁଲ୍ୟ ଯେ ଏହାର ମାଲିକାଣୀ ମଧ୍ୟ ଜଣେ ମହିଳା। ସେ ହେଲେ ଟିନା ଗର୍ଗ।ଟିନା ଗର୍ବର ସହ କହନ୍ତି ଯେ ତାଙ୍କ କମ୍ପାନୀରେ ୨୫ଜଣ ମହିଳା କର୍ମଚାରୀ ଥିବାବେଳେ ପୁରୁଷ କର୍ମଚାରୀଙ୍କ ସଂଖ୍ୟା ୮। ଏଥିପାଇଁ ସେ ବହୁତ ଆନନ୍ଦିତ ବୋଲି କହନ୍ତି।

image


Pink Lemonade ଏକ କଣ୍ଟେଣ୍ଟ, କମ୍ୟୁନିକେଶନ ଓ ଡିଜାଇନ ଏଜେନ୍ସି। ଏହା କର୍ପୋରେଟ ପରିଚୟ ତିଆରି କରିବା ଠାରୁ ଆରମ୍ଭ କରି ମାର୍କେଟିଂଗ ସାମଗ୍ରୀ ଓ ୱେବ ସେବା ମଧ୍ୟ ପ୍ରଦାନ କରିଥାଏ।

ଏକ ସେନା ପରିବାରରେ ଜନ୍ମ ହେଇଥିବା ଟିନା ଲଣ୍ଡନ ରେ ରଚନାତ୍ମକ ଲେଖା ଓ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଛନ୍ତି।

ନିମ୍ନରେ ତାଙ୍କ ସହ ଏକ ଅନ୍ତରଙ୍ଗ ଆଳାପର କିୟଦଂଶ।

ପ୍ରଶ୍ନ-Pink Lemonadeର ସୃଷ୍ଟି କେମିତି ହେଲା?

Ernst & Youngରେ କାମ କରିବା ସମୟରେ ମୁଁ ସୃଜନାତ୍ମକ ଲେଖା ଓ ଡିଜାଇନ୍ ପ୍ରତି ମୋର ଥିବା ଆଗ୍ରହକୁ ଆବିଷ୍କାର କଲି। ତା'ପରେ ମୁଁ ଆଉ ଏକ କମ୍ପାନୀ ରେ ଚାକିରୀ କରିବା ସମୟରେ ସେଠାରେ ସୃଜନାତ୍ମକ ଲେଖା ବିଭାଗର ମୁଖ୍ୟ ଭାବରେ କାମ କଲି। ମୁଁ ଜୀବନରେ ଆଜି ଯାଏ ମୋତେ ଯାହା ଭଲ ଲାଗିଛି ତାହା କରିଛି। ମୁଁ ମୋର ପସନ୍ଦର କାମ ହୃଦୟଙ୍ଗମ କରିବାର ଅନୁଭୂତିରୁ ହିଁ Pink Lemonadeର ସୃଷ୍ଟି। ଭଲ ଚାକିରୀ ଛାଡିଥିବାରୁ ମୁଁ କେବେ ଜୀବନରେ ଅନୁଶୋଚନା କରିନାହିଁ। ବରଂ ଯାହା କରିଛି ଖୁଶିର ସହ କରିଛି।

Pink Lemonade - ଏପରି ନାମକରଣ ପଛରେ କାରଣ କଣ?

ମୁଁ ମୋ କମ୍ପାନୀକୁ ଏକ ଅଲଗା ଧରଣର ନାମ ଦେବାକୁ ଚାହୁଁଥିଲି। ଯାହାକି ନୂଆଁ ଲାଗୁଥିବ ଓ ନାମରେ ଏକପ୍ରକାରର ସତେଜପଣ ଥିବ। ସେଥି ପାଇଁ ମୁଁ ଏହାର ନାମ ଟିକେ ଅଲଗା କଲି। ଆଜି ମୋ କମ୍ପାନୀ ବହୁତ ଭଲ କାମ କରୁଛି ଓ ମୁଁ ଏଥିରେ ଏହି ନାମ ର ମଧ୍ୟ ଯୋଗଦାନ ରହିଛି ବୋଲି ଭାବେ।

ଆପଣଙ୍କ କର୍ମଚାରୀଙ୍କ ଓଲଟା ଅନୁପାତକୁ ଆପଣ କିପରି ଭାବେ ଦେଖନ୍ତି?

ମୋ କମ୍ପାନୀ ଏକ ମହିଳାସାଥି କମ୍ପାନୀ। କିନ୍ତୁ ମୁଁ ଆରମ୍ଭରୁ ଏ ବିଷୟରେ କେବେ ଗୁରୁତ୍ତ୍ଵ ଦେଇନଥିଲି। କିନ୍ତୁ ସମୟକ୍ରମେ ମୋ ନିକଟରେ ମହିଳା କର୍ମଚାରୀ ମାନଙ୍କ ସଂଖ୍ୟା ବଢିବାରେ ଲାଗିଲା। ସେମାନେ ସମସ୍ତେ ନିଜର କାର୍ଯ୍ୟ ଦକ୍ଷତା ଓ ପରିଶ୍ରମ ବଳରେ ଏଠାରେ ନିଯୁକ୍ତ ହୋଇଛନ୍ତି। ମୁଁ କେବେବି ମୋର କର୍ମଚାରୀ ମାନଙ୍କୁ ଳିଙ୍ଗଗତ ଭେଦଭାବ କରିନି। ମୁଁ ଏଠାରେ ମହିଳା ମାନଙ୍କୁ କାମ କରିବାର ଯଥେଷ୍ଟ ସୁଯୋଗ ଦେଇଥାଏ। ଏବଂ ମୋର ଅନେକ ମହିଳା କର୍ମଚାରୀ ବିବାହିତ ଓ ସେମାନଙ୍କର ଛୋଟ ଛୋଟ ପିଲା ଅଛନ୍ତି। ସେମାନେ ପିଲା ଜନ୍ମର ୧-୨ ବର୍ଷ ପରେ ବି ଆସି ଏଠାରେ କାମ କରୁଛନ୍ତି।

image


ଏତେଜଣ ମହିଳା କର୍ମଚାରୀଙ୍କୁ ନେଇ କାମ କରିବାରେ କେବେ ଅସୁବିଧା ହେଇନି? ଅଧିକ ମହିଳା କର୍ମଚାରୀ ରହିଲେ ତାହାର କି ସୁପ୍ରଭାବ କମ୍ପାନୀ ଉପରେ ପଡେ?

ଆମର ଏଠି ସବୁ ମହିଳା ମାନେ ସହୃଦୟତାର ସହ କାମ କରନ୍ତି। ମହିଳା ମନେ ସାଧାରଣତଃ ଦରଦୀ,ଓ ସେମାନେ କାମକୁ ଏକ ଦଳଗତ କାର୍ଯ୍ୟବୋଲି ଭାବନ୍ତି। ସେମାନେ ଏହି ଦଳଗତ ଭାବନାର ସହ ଏଠି କାମ କରୁଛନ୍ତି। ପରସ୍ପର କଥାବାର୍ତ୍ତା ବେଳେ ମଧ୍ୟ ସେମାନେ କାମ କରନ୍ତି, ଯାହାକି ଆଶ୍ଚର୍ଯ୍ୟଜନକ। ସେମାନେ ସର୍ବଦା ପରସ୍ପରକୁ ସାହାଯ୍ୟ କରନ୍ତି। ଯଦି ଜଣେ କେହି କାମରେ ପଛରେ ପଡିଛି ଅନ୍ୟ ମହିଳାମାନେ ସମସ୍ତେ ମିଳିମିଶି କାମକୁ ସମ୍ପାଦନ କରନ୍ତି ଯାହାକି ଖୁବ ପ୍ରେରଣାଦାୟୀ।

ଆପଣଙ୍କ ସଫଳତାର ଶ୍ରେୟ ଆପଣ କାହାକୁ ଦେବେ?

ମୁଁ ୩ଟି କଥା ଉପରେ ସବୁବେଳେ ଧ୍ୟାନ ଦିଏ ତାହା ହେଲା TLC,ଅର୍ଥାତ୍ ବିଶ୍ଵାସ,ଶିଖିବା ଓ ମଉଜ ମନେଇବା।

ମୋ କମ୍ପାନୀର ସମସ୍ତ କାର୍ଯ୍ୟକଳାପ ବିଷୟରେ ମୋର ସମସ୍ତ କର୍ମଚାରୀ ଅବଗତ ଅଟନ୍ତି। ଆମର ଗ୍ରାହକ କିଏ, ଆମ ଗ୍ରାହକ କ'ଣ ଚାହୁଁଛନ୍ତି। ସେ ସବୁ ବିଷୟରେ ସେମାନେ ଅବଗତ। କମ୍ପାନୀର ସବୁ ଭଲ ମନ୍ଦ ବିଷୟରେ ମୁଁ ମୋ କର୍ମଚାରୀ ମାନଙ୍କ ମତାମତ ଲୋଡିଥାଏ। ଏହା ଏକ ବିଶ୍ଵାଶର ପରିବେଶ ସୃଷ୍ଟି କରିଛି। ମୋର ସମସ୍ତ କର୍ମଚାରୀ ମାନେ ମୋତେ ବିଶ୍ଵାସ କରନ୍ତି ଓ ମୁଁ ବି ସେମାନଙ୍କୁ ପୁର୍ଣ୍ଣ ମାତ୍ରାରେ ବିଶ୍ଵାସ କରେ।

ମୋର ସମସ୍ତ କର୍ମଚାରୀ ଜାଣିବାରେ ଆଗ୍ରହୀ। ସେମାନେ ପ୍ରତିଦିନ କିଛି ନୂଆ ଶିଖନ୍ତି। କାରଣ ଶିଖିବାଟା ଏକ କ୍ରମାଗତ ପ୍ରକ୍ରିୟା। ଏଠାରେ ସେମାନେ ନିଜର ଜ୍ଞାନର ପରିସୀମା ବୃଦ୍ଧି କରିବା ସହ କମ୍ପାନୀର ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ କରୁଛନ୍ତି। ସମସ୍ତେ ଭିନ୍ନ ଭିନ୍ନ ପ୍ରୋଜେକ୍ଟରେ କାମ କରନ୍ତି ଯାହା ଦ୍ଵାରା ସେମାନେ ଅଭିଜ୍ଞ ହୋଇଥାନ୍ତି। ମୋ କମ୍ପାନୀର ଆର୍ଥିକ ଲାଭକୁ ମଧ୍ୟ ମୁଁ ସେମାନଙ୍କ ସହ ବାଣ୍ଟିଥାଏ। ଫଳରେ କମ୍ପାନୀର ଅଭିବୃଦ୍ଧି ସେମାନଙ୍କ ଅଭିବୃଦ୍ଧି ସହ ସିଧାସଳଖ ଜଡିତ ଥାଏ।

ଆମର ଏଠାରେ କୌଣସି ନିର୍ଦ୍ଧିଷ୍ଟ ପୋଷାକ ନାହିଁ। ସମସ୍ତେ ନିଜ ଇଚ୍ଛା ମୁତାବକ ପୋଷାକ ପରିଧାନ କରନ୍ତି। ସମସ୍ତେ ଏକ ଆନନ୍ଦର ପରିବେଶରେ କାମ କରନ୍ତି। କାମ ମଧ୍ୟରେ ମଜା,ହସଖୁସି କ୍ରମାଗତ ଭାବେ ଚାଲୁଥାଏ। ତେଣୁ କେହି ଚାପର ବଶବର୍ତ୍ତୀ ହୋଇ କାମ କରନ୍ତି ନାହିଁ। ପ୍ରତ୍ୟେକ କର୍ମଚାରୀ ବର୍ଷରେ ଥରେ ରୋଟେସନ୍ ଭିତ୍ତିରେ ଲମ୍ବା ଛୁଟି କାଟିବାକୁ ଯାଆନ୍ତି।

ଆପଣଙ୍କ ଗ୍ରାହକମାନେ ଏହି ମହିଳାଗୃପକୁ କିପରି ଗ୍ରହଣ କରିଥାଆନ୍ତି?

ବହୁତ ମଜାଦାର। ଆମେ ଯେବେ ବଡ ବଡ ଉତ୍ପାଦନକାରୀ ସଂସ୍ଥା ମାନଙ୍କ ସହ କାମ କରୁ, ସେତେବେଳେ ସେମାନେ ଆମକୁ ଉତ୍ପାଦମାନଙ୍କ ବିଷୟରେ ଯେପରି ଭାବେ ବୁଝାନ୍ତି ତାହା ବହୁତ ହାସ୍ୟରୋଳ ସୃଷ୍ଟି କରେ। କିନ୍ତୁ ସେମାନେ ଆମ ସହ ଏଥିପାଇଁ କାମକରନ୍ତି ଯେ ସେମାନଙ୍କୁ ଫଳାଫଳ ଦରକାର। ଆମର ସବୁ ମହିଳାମନେ ମିଶି ଆବଶ୍ୟକ ପଡିଲେ ସାରାରାତି ସୁଟିଂ କରିପାରିବେ। କାମକୁ ଆମେ ମାନେ ପ୍ରାଧାନ୍ୟ ଦେଉ। ତେଣୁ ଆମର ସବୁ ଗ୍ରାହକ ଆମକୁ ଆମ କାମ ଦେଖି ଚୟନ କରିଥାନ୍ତି, ମହିଳା ଟିମ୍ ବୋଲି ନୁହେଁ।

image


ପୁରୁଷ କର୍ମଚାରୀମାନେ ଏହାକୁ କିପରି ଗ୍ରହଣ କରନ୍ତି?

ଆମର ପୁରୁଷ କର୍ମଚାରୀମାନେ ବହୁତ ଉଦାର ଓ ସେମାନେ ମହିଳା ମାନଙ୍କୁ ଖୁବ୍ ସମ୍ମାନ କରନ୍ତି। ସେମାନେ ସର୍ବଦା ମହିଳା ମାନଙ୍କ ହିତ ଓ ସୁରକ୍ଷାର କଥା କହିଥାନ୍ତି। ଏହାକୁ ସବୁ ମହିଳା ମାନେ ବହୁତ ଆଦର କରନ୍ତି। ଏଥର ସ୍ଵାଧୀନତା ଦିବସ ପାଳନ ବେଳେ ପୁରୁଷ କର୍ମଚାରୀମାନେ ଏକ ପ୍ଲାକାର୍ଡ଼ରେ ସ୍ଲୋଗାନ୍ ଲେଖିଥିଲେ ଯେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା,ଅତ୍ୟାଚାର,ବଲାତ୍କାର ଯୌତୁକ ହିଂସା ଆଦି ବନ୍ଦ କର। ଏହା ସେମାନଙ୍କର ନାରୀମାନଙ୍କ ପ୍ରତି ଥିବା ସମ୍ମାନ ଦର୍ଶାଇଥାଏ।

ଶେଷ କଥା

ନିଜକୁ ଉପସ୍ଥାପନ କରିବା କ୍ଷେତ୍ରରେ ପୁରୁଷ ମାନଙ୍କ ଠାରୁ ମହିଳା ମାନେ ଟିକେ ପଛୁଆ। କାରଣ ସେମାନେ ଟିକେ ଲାଜକୁଳି ସ୍ଵଭାବର। କିନ୍ତୁ ଦଳରେ କାମ କରିବା ସମୟରେ ସେମାନେ ନିଜର ପ୍ରକୃତ ଦକ୍ଷତାଦେଖାନ୍ତି। ଏଠାରେ କାମ କରିବାକୁ ଆସୁଥିବା ମହିଳା ମାନେ ପ୍ରଥମ ଦିନରୁ ହିଁ ବହୁତ ସହଜ ମନେ କରନ୍ତି। ଅନ୍ୟ ମହିଳା ମାନଙ୍କ ଉପସ୍ଥିତି ତାଙ୍କର ମନୋବଳକୁ ବଢାଇବାରେ ସାହାଯ୍ୟ କରେ।

.

    Share on
    close