କର୍ମଚାରୀଙ୍କ ପ୍ରତି କଂପାନିଙ୍କ ବଦାନ୍ୟତା: ତୁମେ କାମ କର, ଘରର ବୟସ୍କଙ୍କ ଦାୟିତ୍ୱ ଆମର

କର୍ମଚାରୀଙ୍କ ପ୍ରତି କଂପାନିଙ୍କ ବଦାନ୍ୟତା: ତୁମେ କାମ କର, ଘରର ବୟସ୍କଙ୍କ ଦାୟିତ୍ୱ ଆମର

Monday February 08, 2016,

2 min Read

ଆମ ଦେଶର ପରିବାରଗୁଡ଼ିକ ଏବେ ଲଘୁ ପରିବାରରେ ପରିଣତ ହୋଇଗଲାଣି । ଯେଉଁ ପରିବାର ପାଖରେ କିଛି ଅଧିକ ଲୋକ ଅଛନ୍ତି ସେମାନଙ୍କ ଘରେ ଥିବା ବୃଦ୍ଧବୃଦ୍ଧାଙ୍କ ଦାୟିତ୍ୱ ନେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଯେଉଁଠାରେ ଏକମାତ୍ର ପୁଅ ବଡ଼ କଂପାନିରେ ଚାକିରି କରୁଥିବା ବେଳେ କାମରୁ ଫୁରସତ୍ ପାଏ ନାହିଁ, ସେହି ଘରେ ଥିବା ବୃଦ୍ଧବୃଦ୍ଧାମାନେ ସବୁଠୁ ଅଧିକ ହଇରାଣ ହୁଅନ୍ତି । ବିଶେଷ କରି ଦେହ ଖରାପ ସମୟରେ ସେମାନେ ସେବା ପାଆନ୍ତି ନାହିଁ । ଚାକିରି କରୁଥିବା ପୁଅ କିମ୍ବା ଝିଅ ନିଜ ଦାୟିତ୍ୱର ବୋଝ ଯୋଗୁଁ ମଧ୍ୟ ମସୟ ବାହାର କରିପାରନ୍ତି ନାହିଁ । 

ଏଭଳି ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିବା ପାଇଁ ଦେଶର କିଛି ପ୍ରମୁଖ କର୍ପୋରେଟ୍ ସଂସ୍ଥା ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆଇବିଏମ୍ ଭଳି ବିଶ୍ୱସ୍ତରୀୟ ଆଇଟି କଂପାନି ଓ ଡେଲୋଏଟ ଭଳି ଆର୍ଥିକ ସଂସ୍ଥା । ଯୁବ କର୍ମଚାରୀଙ୍କ ପ୍ରତି ସେମାନଙ୍କ ଏବେକାର ମନ୍ତ୍ର ହେଉଛି, ତୁମେମାନେ ତୁମର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖ । କଂପାନି ତୁମ ଘରେ ଥିବା ବୟସ୍କଙ୍କ କଥା ବୁଝିବ । ସେମାନଙ୍କ ଚିନ୍ତା କର୍ମ ସ୍ଥଳକୁ ଆଣିବା ଆଉ ଦରକାର ନାହିଁ । ଏଭଳି ସୁବିଧା ଯୋଗାଇ ଦେଉଥିବା କଂପାନିଗୁଡ଼ିକ ଉପରେ ଯୁବ କର୍ମଚାରୀମାନେ ବେଶ ଖୁସି ଥିବା ଜଣାପଡ଼ିଛି ।

image


ଚଳିତ ବର୍ଷ ଜାନୁଆରିରେ ଆଇବିଏମ୍ ଆରମ୍ଭ କରିିଥିବା “ସିନିୟର କେୟାର ପ୍ରୋଗ୍ରାମ"। ବିଶେଷ କରି ଭିନ୍ନ ସହରରୁ ଆସି କଂପାନିରେ ଚାକିରି କରୁଥିବା କର୍ମଚାରୀଙ୍କ ଘରେ ଥିବା ବୟସ୍କଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଥିଲା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଯେଉଁ କର୍ମଚାରୀ ଅନଲାଇନରେ ସ୍ୱାସ୍ଥ୍ୟ ସଂପର୍କିତ ସହାୟତା ମାଗୁଥିଲେ ସେମାନଙ୍କ ଘରେ ଥିବା ବୟସ୍କମାନଙ୍କୁ କଂପାନି ତୁରନ୍ତ ସହାୟତା ଯୋଗାଇ ଦେଉଛି । ଫଳରେ ଭିନ୍ନ ସହରରେ ରହି କାମ କରୁଥିବା କର୍ମଚାରୀଙ୍କୁ ଘରର ବୟସ୍କ ଲୋକଙ୍କ ଚିନ୍ତା ଆଉ ବେଶି କରିବାକୁ ପଡୁନାହିଁ । ସେମାନେ ବାହାରେ ଚାକିରି କରୁଛନ୍ତି ବୋଲି ଘରର କିଛି ଦାୟିତ୍ୱ ବୁଝିପାରିଲେ ନାହିଁ ବୋଲି ମନରେ ଯେଉଁ ଦୋଷ ଭାବନା ସୃଷ୍ଟି ହେଉଥିଲା ତାହା ମଧ୍ୟ ଦୂର ହୋଇଯାଇଛି ।

image


ଆଇବିଏମ୍ ପକ୍ଷରୁ ବୟସ୍କମାନଙ୍କୁ ଘରୁ ହସ୍ପିଟାଲ୍ ନେବା କିମ୍ବା ହସପିଟାଲ୍ରୁ ଘରକୁ ଆଣିବା, ପରୀକ୍ଷାର ହାର୍ଡ କପି ଘରକୁ ପଠାଇବା, ଘରକୁ ନର୍ସ ପଠାଇ ସେବା କରାଇବା ଓ ୪-୧୨ ଘଂଟା ପର୍ଯ୍ୟନ୍ତ ଘରେ କ୍ରିଟିକାଲ୍ କେୟାର ସୁବିଧା ଯୋଗାଇ ଦେବା ଭଳି ସୁବିଧା ଯୋଗାଇ ଦିଆଯାଉଛି ।

ଗତବର୍ଷ ନଭେମ୍ବରରେ ଡେଲୋଏଟ ପକ୍ଷରୁ ଆରମ୍ଭ କରାଯାଇଥିଲା “ୱେଲ୍ ବିଙ୍ଗ ପ୍ରୋଗ୍ରାମ୍’ । ଏହି କାର୍ଯ୍ୟକ୍ରମର ସୁବିଧା ଟିକେ ଭିନ୍ନ ଧରଣର । ଡେଲୋଏଟ ପକ୍ଷରୁ ଏକ ହେଲ୍ପଲାଇନ୍ ଖୋଲାଯାଇଛି । ଘରେ ପ୍ରାୟତଃ ଏକାକୀ ଅନୁଭବ କରୁଥିବା ବୟସ୍କ ଲୋକଙ୍କୁ କାଉନ୍ସେଲିଂ ସୁବିଧା ଏହା ଜରିଆରେ ଯୋଗାଇ ଦିଆଯାଉଛି । ଜୀବନକୁ କିଭଳି ବଂଚିବାକୁ ହେବ, କେଉଁ ପରିସ୍ଥିତିରେ କଣ କରିବାକୁ ହେବ ଓ ସର୍ବୋପରି ଏକା ଥିବା ବେଳେ କିଭଳି ନିଜର ଯତ୍ନ ନେବ ତାହା ଏହି ହେଲ୍ପଲାଇନ୍ ଜରିଆରେ ବୟସ୍କ ଲୋକମାନଙ୍କୁ ବୁଝାଇ ଦିଆଯାଉଛି । ବିଶେଷକରି ବୟସ୍କ ପିତାମାତା ଓ ଶାଶୁ ଶ୍ୱଶୁରଙ୍କ ସୁବିଧା ପାଇଁ ଡେଲୋଏଟ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି ।

ଆମେରିକାନ୍ ଏକ୍ସପ୍ରେସ୍ ଭଳି କଂପାନି ପକ୍ଷରୁ ଘୋଷଣା କରାଯାଇଛି “ଦିଲ୍ ସେ କେୟାର ପ୍ରୋଗ୍ରାମ୍ । ସ୍ୱାସ୍ଥ୍ୟ ସଂପର୍କିତ ସୁବିଧା ସୁଯୋଗ ଏହି କାର୍ଯ୍ୟକ୍ରମ ଜରିଆରେ ଯୋଗାଇ ଦିଆଯାଉଛି । ବିଶେଷ କରି କର୍କଟ ଓ ଅନ୍ୟାନ୍ୟ ମାରାତ୍ମକ ରୋଗରେ ପୀଡ଼ିତ ଥିବା ବୟସ୍କ ଲୋକଙ୍କୁ ସବ୍ସିଡି ଦରରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।