ଦରଜୀଙ୍କୁ ଗ୍ରାହକଙ୍କ ଘର ଦୁଆରେ ପହଞ୍ଚାଇବାର ଅଭିନବ ପ୍ରୟାସ: ବାଙ୍ଗାଲୋରରେ ଚାରି ଓଡିଆ ଯୁବକଙ୍କ ଦ୍ଵାରା ପ୍ରତିଷ୍ଠିତ yourtailor.in

ଦରଜୀଙ୍କୁ ଗ୍ରାହକଙ୍କ ଘର ଦୁଆରେ ପହଞ୍ଚାଇବାର ଅଭିନବ ପ୍ରୟାସ: ବାଙ୍ଗାଲୋରରେ ଚାରି ଓଡିଆ ଯୁବକଙ୍କ ଦ୍ଵାରା ପ୍ରତିଷ୍ଠିତ yourtailor.in

Wednesday April 06, 2016,

3 min Read

image


ଛୋଟ ଦୋକାନ ଠାରୁ ଆରମ୍ଭ କରି ସପିଙ୍ଗ ମଲ ଯାଏ ସବୁଠାରେ ଆଜି ରେଡିମେଡ ପୋଷାକ ବହୁଳ ଭାବେ ଉପଲବ୍ଧ। ତା ସତ୍ତ୍ୱେ ବି ଦରଜୀ ତିଆରି ପୋଷାକ ପ୍ରତି ଲୋକମାନଙ୍କ ଆଗ୍ରହରେ ସେମିତି କିଛି ବିଶେଷ ଫରକ ପଡି ନାହିଁ। ବିଶେଷ କରି ମହିଳା ମାନଙ୍କ ମଧ୍ୟରେ ଆଜି ବି ତିଆରି ପୋଷାକ ପିନ୍ଧିବାର କ୍ରେଜ ରହିଛି। ରାମ୍ପରୁ ରେଡ କାର୍ପେଟ, ସବୁଠି ତିଆରି ପୋଷାକର ପ୍ରଭୁତ୍ଵ। ସଠିକ ମାପ ଓ ନିଜ ପସନ୍ଦ ଅନୁସାରେ ଡିଜାଇନ ପାଇଁ ହିଁ ମହିଳା ମାନେ ତିଆରି ପୋଷାକକୁ ରେଡିମେଡ ପୋଷାକ ଅପେକ୍ଷା ଅଧିକ ପସନ୍ଦ କରନ୍ତି। ମାତ୍ର ଡ୍ରେସ ତିଆରି ପାଇଁ ଦେଲା ବେଳେ ଦରଜି ବା ପାରମ୍ପରିକ ଟେଲର ଦୋକାନମାନଙ୍କର ଅଣପେଷାଦାର ମନୋଭାବ, ଅଧିକ ସିଲେଇ ମଜୁରୀ ଓ ସମୟ ସାପେକ୍ଷତା ଆଦି ସମସ୍ୟା ଗୁଡିକ ମହିଳା ମାନଙ୍କୁ ସମ ପରିମାଣରେ ବିରକ୍ତ ମଧ୍ୟ କରିଥାଏ। ଏହି ସବୁ ସମସ୍ୟାର ସମାଧାନ ପାଇଁ ଆରମ୍ଭ ହେଇଛି ଅଭିନବ ଷ୍ଟାର୍ଟଅପ yourtailor.in। ଚାରି ଜଣ ଓଡିଆ ଇଞ୍ଜିନିୟରଙ୍କ ଦ୍ଵାରା ବାଙ୍ଗାଲୋରରେ ଆରମ୍ଭ ହେଇଥିବା ଏହି କମ୍ପାନୀ ମହିଳା ମାନଙ୍କ ପାଇଁ ସେମାନଙ୍କ ସଠିକ ମାପ ଓ ପସନ୍ଦ ଅନୁସାରେ ଡ୍ରେସ ତିଆରି କରି ସେମାନଙ୍କ ଘରେ ପହଞ୍ଚାଇ ଦେଉଛି। ଗତ ଅକ୍ଟୋବରରେ ଆରମ୍ଭ ହେଇଥିବା ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଊର୍ଦ୍ଧ୍ଵ ସନ୍ତୁଷ୍ଟ ଗ୍ରାହକ ତିଆରି କରିପାରିଛି।

image


ବୁଲୁ ପଟ୍ଟନାୟକ, ସଞ୍ଜୟ, ମାନସ ଧଳ ଓ ଭେଙ୍କଟ ହେଉଛନ୍ତି yourtailor.inର ସଂସ୍ଥାପକ। ଏପରି ଏକ ଅଭିନବ ପରିକଳ୍ପନା ସେମାନେ କିପରି କାଲେ ତାହାର ଉତ୍ତର ଦେଇ ବୁଲୁ କୁହନ୍ତି, 

ଆମେ ସମସ୍ତେ ବିବାହିତ। ଆମର ପତ୍ନୀମାନେ ନିଜ ପୋଷାକ ସିଲେଇ ପାଇଁ ସାମ୍ନା କରୁଥିବା ଅସୁବିଧା ଗୁଡିକ ହିଁ ଆମକୁ ଏପରି କିଛି କରିବାକୁ ପ୍ରେରଣା ଦେଇଥିଲା। ଜଣେ ମହିଳାଙ୍କ ପାଇଁ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଦରଜି ପାଖକୁ ଯିବା ଏକ କଷ୍ଟସାଧ୍ୟ ବ୍ୟାପାର। କର୍ମଜୀବି ମହିଳା ମାନେ ଏ କ୍ଷେତ୍ରରେ ଅଧିକ ସମସ୍ୟାର ସମ୍ମୁଖୀନ ହେଇ ଥାଆନ୍ତି। ତା ଛଡା ପାରମ୍ପରିକ ଦରଜୀମାନେ ଅନେକ ସମୟରେ ଅଣପେଷାଦାର ମନୋଭାବ ଦେଖାଇ ଥାଆନ୍ତି। ଡ୍ରେସ ତିଆରି ପାଇଁ ସେମାନେ ଅଧିକ ସମୟ ନେବା ସହ ଅଧିକ ମଜୁରୀ ମଧ୍ୟ ଦାବି କରିଥାନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ହିଁ yourtailor.inର ଆରମ୍ଭ ହେଇଥିଲା। ଘରେ ବସି ନିଜ କମ୍ପ୍ୟୁଟରରୁ ପେଷାଦାର ଦରଜୀଙ୍କ ସହ ସାକ୍ଷାତ ପାଇଁ ସମୟ ଠିକ କରିବା ଠାରୁ ଆରମ୍ଭ କରି ନିଜ ଇଚ୍ଛାରେ ନିଜ ପୋଷାକର ଡିଜାଇନ କରିବା ସୁବିଧା- ଏ ସବୁ yourtailor.in ରେ ଉପଲବ୍ଧ।

yourtailor.in ରେ ଉପଲବ୍ଧ ସଫ୍ଟୱେରକୁ ଉପଯୋଗ କରି ମହିଳା ମାନେ ନିଜ ପସନ୍ଦର ଡିଜାଇନ ଅର୍ଡର କରିପାରନ୍ତି। ମାପ ନେବା ପାଇଁ ଦରଜୀ ସମ୍ପୃକ୍ତ ମହିଳାଙ୍କ ଘରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଥାଆନ୍ତି। ଅର୍ଡର କରିବାର ପାଞ୍ଚ ଦିନ ମଧ୍ୟରେ ମହିଳାଙ୍କ ପାଖେ ତିଆରି ଡ୍ରେସଟି ପହଞ୍ଚି ଯାଏ। ପାରମ୍ପରିକ ଟେଲର ଦୋକାନମାନଙ୍କ ତୁଳନାରେ ଏହି ୱେବସାଇଟ କମ ପଇସା ମଧ୍ୟ ନେଇଥାଏ। ତା ଛଡା ଗ୍ରାହକ ଚାହିଁଲେ ୱେବସାଇଟରେ ଉପଲବ୍ଧ ପେଷାଦାର ଡିଜାଇନରଙ୍କ ପାଖରେ ମଧ୍ୟ ନିଜ ପୋଷାକ ସିଲାଇ କରିପାରିବେ। ଗ୍ରାହକ ସନ୍ତୁଷ୍ଟି ଓ କମ ସମୟରେ ଡେଲିଭରୀ ହିଁ yourtailor.inକୁ ଅଳ୍ପ ଦିନ ମଧ୍ୟରେ ମହିଳା ମାନଙ୍କ ମଧ୍ୟରେ ଲୋକପ୍ରିୟ କରିପାରିଛି ବୋଲି ସଂସ୍ଥାପକ ମାନେ ମତ ଦିଅନ୍ତି। ବର୍ତ୍ତମାନ yourtailor.inରେ କେବଳ ମହିଳା ମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ଆଗାମୀ ଦିନରେ ଛୋଟ ପିଲାଙ୍କ ପାଇଁ ଏହି ସୁବିଧା ଯୋଗାଇ ଦେବାକୁ ସଂସ୍ଥାପକ ମାନେ ଲକ୍ଷ୍ୟ ରଖିଛନ୍ତି।

ଗ୍ରାହକଙ୍କ ଘର ଦୁଆରରେ ପେଷାଦାର ଦରଜୀ ପହଞ୍ଚାଇବା ଭଳି ଅଭିନବ ଯୋଜନା କୁ କାର୍ଯ୍ୟକାରୀ କରିବା ଏତେ ସହଜ ନଥିଲା ବୋଲି ସଂସ୍ଥାପକ ମାନେ ମତ ଦିଅନ୍ତି। ଏହି କାମ ପାଇଁ ସଠିକ ଟିମଟିଏ ଗଢିବାକୁ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା। ଉଭୟ ଅନଲାଇନ ଓ ଅଫଲାଇନ କାର୍ଯ୍ୟ ମଧ୍ୟରେ ସଠିକ ସମନ୍ଵୟ ରଖିବା ପାଇଁ ସେମାନେ କଠିନ ପରିଶ୍ରମ କରିଥିଲେ। ବର୍ତ୍ତମାନ ଉଭୟ ଭୁବନେଶ୍ଵର ଓ ବାଙ୍ଗାଲୋରରେ କମ୍ପାନୀ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ଅନ୍ୟାନ୍ୟ ସହର ମାନଙ୍କରେ ଏହି ସେବା ଉପଲବ୍ଧ କରାଇବାର ଲକ୍ଷ୍ୟ ରଖିଛନ୍ତି ସଂସ୍ଥାପକ ମାନେ। ନିଜ ୱେବସାଇଟରେ ଉପଲବ୍ଧ ଟେକ୍ନୋଲୋଜିକୁ ଆହୁରି ଉନ୍ନତ କରିବା ସହ ବ୍ୟବସାୟ ବଢାଇବା ପାଇଁ ଏମାନେ ୬୦ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ମଧ୍ୟ କରିଛନ୍ତି ବୋଲି ସଂସ୍ଥାପକ ମାନେ ମତ ଦିଅନ୍ତି।