ଭୁବନେଶ୍ୱର ଷ୍ଟେସନ୍ ପାଲଟିଲା କାନଭାସ

ଭୁବନେଶ୍ୱର ଷ୍ଟେସନ୍ ପାଲଟିଲା କାନଭାସ

Thursday February 25, 2016,

2 min Read

image


ଯାତ୍ରୀମାନେ ସେଇ କାନ୍ଥ ଧାରରେ କେବେ ମଇଳା ଫିଙ୍ଗି ଦେଉଥିଲେ ତ ପୁଣି କେବେ ପକାଇ ଦେଉଥିଲେ ପାନ ପିକ । ଭିଡ଼ ନଥିବା ବେଳେ କେହିକେହି ସେ କାନ୍ଥରେ ପରିଶ୍ରା କରିବାକୁ ବି ପଛାଉ ନଥିଲେ । ଭୁବନେଶ୍ୱର ରେଳ ଷ୍ଟେସନର ଏହି ଅଭିଶପ୍ତ କାନ୍ଥଟି ଏବେ ପାଲଟିଛି ଚିତ୍ରଶାଳା। ବୁଧବାର (୨୪ ଫେବ୍ରୁଆରି ୨୦୧୬)ଦିନ ୩୦ ଜଣ ଯୁବ ଓଡ଼ିଆ ଚିତ୍ରଶିଳ୍ପୀ ଏହି କାନ୍ଥକୁ କାନଭାସ ଭାବେ ବ୍ୟବହାର କରି ଆଙ୍କିଛନ୍ତି ରାଶିରାଶି ଚିତ୍ର।

ସ୍ୱଚ୍ଛ ରେଳ ଷ୍ଟେସନ୍ ପାଇଁ ଯାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏଭଳି ଅଭିନବ ଚିତ୍ରଶାଳା ଆୟୋଜିତ ହୋଇଛି ବୋଲି କହିଛନ୍ତି ଆୟୋଜକ ଅନୁଷ୍ଠାନ ବକୁଳ ଫାଉଣ୍ଡେସନର ସଂପାଦକ ସୁଜିତ ମହାପାତ୍ର ।

ବକୁଳ ଫାଉଣ୍ଡେସନ୍, ପୂର୍ବତଟ ରେଳପଥ ଓ ଲାୟନ୍ସ କ୍ଲବ୍ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ପ୍ରାୟ ୧୦୦୦ ବର୍ଗ ଫୁଟରୁ ଅଧିକ ଦୀର୍ଘ କାନ୍ଥକୁ ଚିତ୍ରିତ କରାଯାଇଛି । ଚିତ୍ରଶିଳ୍ପୀ ସତ୍ୟଭାମା ମାଝୀଙ୍କ ନେତୃତ୍ୱରେ ବିକେ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ମୁକ୍ତବୃତ୍ତିଧାରୀ ଚିତ୍ରଶିଳ୍ପୀଙ୍କୁ ନେଇ ଏହି ଚିତ୍ରଶାଳା ଆୟୋଜିତ ହୋଇଥିଲା ।

ଚିତ୍ରଶାଳାର ବିଷୟବସ୍ତୁ ରହିଥିଲା Gateway To Odisha । କାନ୍ଥର ୧୩ଟି ଯାକ ପ୍ୟାନେଲକୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଲାଗି ସମର୍ପିତ କରାଯାଇଥିଲା । ଚିତ୍ରଗୁଡ଼ିକରେ ଆମର ପରମ୍ପରା ଓ କଳା ପ୍ରତିବିମ୍ବିତ ହେବା ସାଙ୍ଗକୁ ଆମର ସମ୍ବଳ ଓ ସମସ୍ୟା ମଧ୍ୟ ରହିଛି । ଉଦାହରଣ ସ୍ୱରୂପ, ସମ୍ବଲପୁରୀ ବସ୍ତ୍ରକଳା ମାଧ୍ୟମରେ ସେହି ଜିଲ୍ଲାକୁ ପ୍ରତିନିଧିତ୍ୱ କରାଯାଇଥିଲା । ସେ ଚିତ୍ର ସାଙ୍ଗକୁ ଘଣ୍ଟେଶ୍ୱରୀଙ୍କ ଘଣ୍ଟି ମଧ୍ୟ ଚିତ୍ରିତ ହୋଇଛି । ଗହୀରମଥା, ବାରବାଟୀ ଦୁର୍ଗ ଆଦିକୁ ପ୍ରତିନିଧିତ୍ୱ କରି ମଧ୍ୟ ଚିତ୍ର ଅଙ୍କିତ ହୋଇଛି ।

image


ଶିଳ୍ପୀ ନିରୁପମା ପିପିଲି ଚାନ୍ଦୁଆ ଉପରେ ଚିତ୍ର ଅଙ୍କନ କରିଥିବା ବେଳେ ସଂଜୁଲତା ପାରମ୍ପରିକ ଗଞ୍ଜପା ପତା ଚିତ୍ରିତ କରିଥିଲେ । ଦର୍ଶକଙ୍କ ଲାଗି ସବୁଠି ମନୋରମ ହୋଇଛି ଏକ ଉଜ୍ଜ୍ୱଳ ବିଦ୍ୟୁତ ବଲବର ଚିତ୍ର । ଦେଓଗଡ଼ ଜିଲ୍ଲାରେ ପ୍ରଥମ ବିଦ୍ୟୁତିକରଣ ହୋଇଥିବା ବେଳେ ଏହି ବଲବଟି ସେହି ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛି । ନୀଳମାଧବଙ୍କ ସନ୍ଦାନରେ ବିଦ୍ୟାପତି ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଅଞ୍ଚଳରେ ବୁଣିଥିବା ଶୋରିଷକୁ ଉପସ୍ଥାପିତ କରିବା ପାଇଁ ଅଙ୍କିତ ହୋଇଛି ଶୋରିଷ ଗଛମାନଙ୍କର ସମାବେଶ ।

ପରେ ଅଧିକ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବା ଭଳି ଚିତ୍ରଅଙ୍କନ ସାଙ୍ଗକୁ ଛାତ ଓ ଶିଡ଼ି ଚିତ୍ରିତ କରିବାର ଯୋଜନା ରହିଛି ବୋଲି ବକୁଳ ପକ୍ଷରୁ ସୂଚନା ରହିଛି । ପୂର୍ବତଟ ରେଳପଥ ଖୋର୍ଧା ରୋଡ୍ ଡିଭିଜନ WWO ଅଧ୍ୟକ୍ଷ ଅର୍ଚନା ସିଂହ ଚିତ୍ରଶିଳ୍ପୀଙ୍କ ଏଭଳି କାର୍ଯ୍ୟର ପ୍ରଶଂସା କରିବା ସହ ଆଗକୁ ଏଭଳି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ।

୨୦୧୫ ଅକ୍ଟୋବର ମାସରୁ ପୂର୍ବତଟ ରେଳପଥ ଓ ବକୁଳ ଫାଉଣ୍ଡେସନ୍ ମିଳିତ ଭାବେ ଏଭଳି ଅଭିନବ କାନ୍ଥ ଚିତ୍ରଶାଳା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ କଟକ ରୋଡ୍ ପଟେ ଭୁବନେଶ୍ୱର ରେଳ ଷ୍ଟେସନର ବାହ୍ୟ ଚିତ୍ରାଙ୍କନ କରାଯାଇଥିବା ବେଳେ ଏବେ ଭିତରେ ଏଭଳି ଚିତ୍ରଶାଳା ଯାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ରେଳ ଷ୍ଟେସନକୁ ସ୍ୱଚ୍ଛ ରଖିବାରେ ଏ ଉଦ୍ୟମ ଯାତ୍ରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧିରେ ସହାୟକ ହେବ ବୋଲି ବକୁଳ ସଂପାଦକ ଶ୍ରୀ ମହାପାତ୍ର ଆଶା କରିଛନ୍ତି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।