ଓଡ଼ିଶାରୁ ଦୁବାଇ – ଜାତୀୟ U-୧୮ ଗାର୍ଲ୍ସ ରଗବି ଦଳରେ ଚାରି ଓଡ଼ିଆ ଝିଅ

ଓଡ଼ିଶାରୁ ଦୁବାଇ – ଜାତୀୟ U-୧୮ ଗାର୍ଲ୍ସ ରଗବି ଦଳରେ ଚାରି ଓଡ଼ିଆ ଝିଅ

Thursday December 08, 2016,

3 min Read

ଭାରତରେ ଖେଳ କହିଲେ ପ୍ରଥମେ ଆସେ କ୍ରିକେଟର ନାମ। ଛୁଆଠାରୁ ବୁଢା ପର୍ଯ୍ୟନ୍ତ ସଭିଏଁ କ୍ରିକେଟ ପାଇଁ ପାଗଳ। ଏପରି ପରିସ୍ଥିତିରେ ଅନ୍ୟ କେଉଁ ଖେଳ ବିଶେଷ ଲୋକପ୍ରିୟତା ହାସଲ କରିପାରିବା କଷ୍ଟ। କିନ୍ତୁ ଧୀରେ ଧୀରେ ମୁଣ୍ଡ ଟେକୁଛି ରଗବି। ଏହି ଖେଳକୁ ଆମେ ବାସ୍ତବିକ ଜୀବନ ଅପେକ୍ଷା ଫିଲ୍ମ ମାନଙ୍କରେ ଅଧିକ ଦେଖିଛୁ। କିନ୍ତୁ ଫିଲ୍ମ ମାନଙ୍କରେ ଏହା ଖେଳ ନୁହେଁ ତାକୁ ବରଂ ଧସ୍ତାଧସ୍ତି ଆଉ ‘ମାଚୋ’ପଣିଆ ଦେଖାଇବାର ଏକ ଜରିଆ ଭାବେ ବ୍ୟବହାର କରାଯାଇଥାଏ। ରଗବିକୁ ବାସ୍ତବିକ ଜୀବନରେ ଲୋକପ୍ରିୟ କରାଇବାର ଗୋଟିଏ ଉପାୟ ହେଉଛି ବେଶିରୁ ବେଶି କିଶୋର ଖେଳାଳୀଙ୍କୁ ଏହା ପ୍ରତି ଆକର୍ଷିତ କରାଇବା।

ରଗବି ଇଣ୍ଡିଆ ଏହି ଉଦ୍ଦେଶ୍ୟ ନେଇ ରଗବି ପ୍ରତିଭା ମାନଙ୍କୁ ତୃଣମୂଳ ସ୍ତରରୁ ଖୋଜି ବାହାର କରିବାରେ ଲାଗିଛି। ଏପରି ପ୍ରତିଭା ମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦେବା ସହ ସେମାନଙ୍କର ପ୍ରାପ୍ୟ ଖ୍ଯାତି ଦେବାରେ ସହାୟକ ହେଉଛି। କିଛି ଦିନ ପୂର୍ବେ Societe Generale (ଭାରତୀୟ ରଗବି ଦଳର ପ୍ରାୟୋଜକ) ସହ ମିଶି ଏହା ଏକ କଡ଼ାକଡ଼ି ଚୟନ ପ୍ରକ୍ରିୟା ଶେଷ କରିଛି। ଏହି ଚୟନ ପ୍ରକ୍ରିୟା ଅନ୍ତର୍ଜାତୀୟ ସ୍ତରର U-୧୮ ମହିଳା ଦଳରେ ଖେଳିବା ପାଇଁ ପ୍ରତିଭା ମାନଙ୍କୁ ବାଛିବା ପାଇଁ ଥିଲା। ମୋଟ ୨୪ଟି ଝିଅଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା। ମୁମ୍ବାଇ ଠାରେ ହେଇଥିବା ଏକ ସିଲେକ୍ସନ କ୍ୟାମ୍ପରେ ପରେ ଏହି ସଂଖ୍ୟାକୁ ୧୨କୁ ଅଣାଯାଇଥିଲା। ଏଥିରେ ଅଛନ୍ତି ଚାରି ଓଡ଼ିଆ ଝିଅ। ଏମାନେ ଦୁବାଇରେ ହେବାକୁ ଯାଉଥିବା U-୧୮ ଏସିଆନ ଗାର୍ଲ୍ସ ରଗବି ଚାମ୍ପିଆନସିପରେ ଭାରତର ପ୍ରତିନିଧିତ୍ଵ କରିବେ। ମନୋନୀତ ହେଇଥିବା ଚାରିଜଣ ଯାକ ଓଡ଼ିଆ ଝିଅ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (KISS)ର ଛାତ୍ରୀ।

image


ମଞ୍ଜୁଲତା ପ୍ରଧାନ – କନ୍ଧମାଳ ଜିଲ୍ଲାର ଏକ ଭିତିରିଆ ଗାଁରେ ଜନ୍ମ ତାଙ୍କର। ନଅ ବର୍ଷ ହେବା ପରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (KISS)ରେ ରହି ପାଠ ପଢିବାକୁ ଲାଗିଲେ। ରଗବି ଖେଳ ସହ ପରିଚୟ ହେଲାବେଳେ ତାଙ୍କର ବୟସ ୧୧। ଠାରେ ଖେଳ ଆରମ୍ଭ କରିବା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ବାପା ଜଣେ ସାଧାରଣ ଚାଷୀ। ଆଜି ଗର୍ବରେ ତାଙ୍କର ଛାତି ଫୁଲି କୁଣ୍ଢେମୋଟ। ମଞ୍ଜୁଙ୍କ ଭାଇ ମଧ୍ୟ ରଗବି ଖେଳୁଥିଲେ। ଭାଇକୁ ଦେଖି ତାଙ୍କର ଏହି ଖେଳ ପ୍ରତି ଏକ ଆକର୍ଷଣ ଜନ୍ମ ନେଇଥିଲା। ସେ ୨୦୧୪ରେ ଲଣ୍ଡନ ଠାରେ ଅନୁଷ୍ଠିତ ହେଇଥିବା ଟୁରାଡ U-୧୩ ଅନ୍ତର୍ଜାତୀୟ ଗାର୍ଲ୍ସ ରଗବି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ଵ କରିଥିଲେ। ଏହା ଛଡା ଆହୁରି ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି। ଏହି ଅକ୍ଟୋବରରେ ଶ୍ରୀଲଙ୍କା ଠାରେ ହେଇଥିବା ରଗବି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେ ଭାରତୀୟ ଦଳର ଜଣେ ସଦସ୍ୟା ଥିଲେ। ବର୍ତ୍ତମାନ ସେ KISSରେ ଦ୍ଵାଦଶ ଶ୍ରେଣୀରେ ପଢୁଛନ୍ତି।

ରଜନୀ ସାବର ଓ ବାସନ୍ତୀ ପାଙ୍ଗୀ – ଗଜପତି ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା ରଜନୀ ୨୦୦୭ରେ KISSକୁ ଆସିଲେ। ୧୭ ବର୍ଷୀୟା ରଜନୀ ତାଙ୍କୁ ୧୦ ବର୍ଷ ବୟସ ହେଇଥିବା ସମୟରୁ ଖେଳ ଅଭ୍ଯାସ କରୁଥିଲେ। ଠିକ ସେହିପରି ବାସନ୍ତୀ ମଧ୍ୟ ଆସନ୍ତି ଏକ ଆଦିବାସୀ ବହୁଳ ଅଞ୍ଚଳରୁ। ୨୦୦୬ରେ ସେ KISSକୁ ଆସି ସେଠାରେ ପାଠପଢା ଆରମ୍ଭ କରିଥିଲେ। ଦୁହିଙ୍କ ବାପା ମା’ ଗାଁରେ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ରଜନୀ ଓ ବାସନ୍ତୀ ମଧ୍ୟ ଇଂଲଣ୍ଡରେ ୨୦୧୪ରେ KISSର U-୧୩ ଦଳରେ ଖେଳିଥିଲେ। ଛୋଟ ଗାଁରୁ ଆସିଥିବା ଏଇ ଦୁଇ ଝିଅଙ୍କ ବାପା ମା’ଙ୍କର ଖୁସି ଆଜି କହିଲେ ନସରେ।

ଲିଜା ସରଦାର – ମୟୂରଭଞ୍ଜର ପାତ୍ରପୁଟ ଗାଁରେ ଲିଜାଙ୍କ ଜନ୍ମ। ସେ ମଧ୍ୟ KISSର ଛାତ୍ରୀ ଅଟନ୍ତି। ଛୋଟ ଥିବା ବେଳେ ନିଜ ଭାଇକୁ ଖେଳିବାର ଦେଖି ସେ ମଧ୍ୟ ଏହି ଖେଳ ପ୍ରତି ଆଗ୍ରହୀ ହେଇଥିଲେ। ୧୨ ବର୍ଷ ବୟସ ବେଳକୁ ସେ ରଗବି ଖେଳରେ ଦକ୍ଷତା ହାସିଲ କରିସାରିଥିଲେ। ଇଂଲଣ୍ଡ ଯାଇ ଖେଳିବା ଓ ଜିତିବା ତାଙ୍କ ଜୀବନର ସବୁଠାରୁ ଅବିସ୍ମରଣୀୟ ମୂହୁର୍ତ୍ତ ବୋଲି ସେ କହନ୍ତି। ଆଗକୁ ଯାଇ ସେ ଜାତୀୟ ଦଳରେ ଖେଳି ଦେଶ ପାଇଁ ଗୌରବ ଅର୍ଜନ କରିବାର ଲକ୍ଷ୍ୟ ରଖିଛନ୍ତି।