“ସ୍ୱାସ୍ଥ୍ୟ ଏକ ବାଲାନ୍ସ ଅଫ ପେମେଣ୍ଟ ସମସ୍ୟା ନୁହେଁ”- ନନ୍ଦୁ ମାଧବ, ପ୍ରତିଷ୍ଠାତା mDhil

“ସ୍ୱାସ୍ଥ୍ୟ ଏକ ବାଲାନ୍ସ ଅଫ ପେମେଣ୍ଟ ସମସ୍ୟା ନୁହେଁ”- ନନ୍ଦୁ ମାଧବ, ପ୍ରତିଷ୍ଠାତା mDhil

Thursday October 29, 2015,

4 min Read

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଏମବିଏ ଡିଗ୍ରୀ,ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ପରି ଏକ ଲୋଭନୀୟ ପେଷା, ସିଲିକନ ଭ୍ୟାଲିର ଆମୋଦପୂର୍ଣ ଜୀବନ, କର୍ପୋରେଟ ହସ୍ତୀ ମାନଙ୍କ ସହ ସୁସମ୍ପର୍କ- ବୋଧ ହୁଏ ଏହା ବହୁ ମ୍ୟାନେଜମେଣ୍ଟ ଛାତ୍ରଙ୍କ ପାଇଁ ଜୀବନର ଲକ୍ଷ୍ୟ। ମାତ୍ର ଏପରି କଣ ହେଲା ଯେ ଏ ସବୁ ଆକର୍ଷଣ ଛାଡି ନନ୍ଦୁ ମାଧବ ଆରମ୍ଭ କଲେ ଭାରତର ଗ୍ରାମାଞ୍ଚଳ ଓ ଛୋଟ ସହରରେ ସୂଚନା ଓ ସଂବାଦ ଠାରୁ ବହୁଦୂରରେ ରହୁଥିବା ଲୋକଙ୍କ ପାଇଁ ମୋବାଇଲ ଭିତ୍ତିକ ସ୍ୱାସ୍ଥ୍ୟ ସୂଚନା ସଂସ୍ଥା mDhil?ସେ ସଫଳ ହେଲେ ନା ନାହିଁ? ସଫଳ ହେବା ପାଇଁ କେଉଁ କେଉଁ ପ୍ରତିବନ୍ଧକର ସାମ୍ନା କରିଥିଲେ ନନ୍ଦୁ?ଆସନ୍ତୁ ଭେଟିବା mDhilର ପ୍ରତିଷ୍ଠତା ନନ୍ଦୁ ମାଧବଙ୍କୁ ଆଉ ଜାଣିବା ତାଙ୍କର ସଂଘର୍ଷପୂର୍ଣ ଯାତ୍ରା ବିଷୟରେ।

image


ଗୋଲ୍ଡମ୍ୟାନ ସ୍ୟାକ ବନାମ ନିଜ ଉଦ୍ୟୋଗ

ଛାତ୍ର ଜୀବନରେ ନନ୍ଦୁ ଦୁଇ ବର୍ଷ ପାଇଁ ଲାଟିନ ଆମେରିକାରେ ଶାନ୍ତି ସେନାର ସ୍ଵେଚ୍ଛାସେବୀ ଭାବେ କାମ କରିଥିଲେ। ସମାଜର ଏକ ବୃହତ୍ତର ଅଂଶ ଜରୁରୀ ସ୍ୱାସ୍ଥ୍ୟ ସୂଚନା ପାଇବାରୁ ବଞ୍ଚିତ ଅଛନ୍ତି ବୋଲି ନନ୍ଦୁ ଏହି ସମୟରେ ଉପଲବ୍ଧି କରିପାରିଥିଲେ। ତା ସହ ନନ୍ଦୁ ସୂଚନା ସମ୍ପର୍କିତ ଏକ ସାମାଜିକ ଦ୍ଵନ୍ଦକୁ ମଧ୍ୟ ଭଲ ଭାବେ ବୁଝି ପାରିଥିଲେ। ଦ୍ଵନ୍ଦଟି ହେଲା ସୂଚନାର ବିଷମ ପ୍ରବାହ। ଯେଉଁମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୂଚନା ଅତ୍ୟନ୍ତ ଜରୁରୀ, ସେମାନେ ସୂଚନାର ପ୍ରବାହ ଠାରୁ ବହୁତ ଦୂରରେ। ତା ସହ HIV AIDS, ଗର୍ଭାବସ୍ଥା ଭଳି ଗୁରୁତ୍ଵପୂର୍ଣ ସ୍ୱାସ୍ଥ୍ୟ ବିଷୟ ଉପରେ ଏମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୂଚନା ମିଳେ ନାହିଁ, କାରଣ ଆଜି ମଧ୍ୟ ପୃଥିବୀର ଅନେକ ଦେଶରେ ଲୋକେ ଏସବୁ ବିଷୟ ଉପରେ ଖୋଲାଖୋଲି ଭାବେ କଥା ହୋଇ ପାରନ୍ତି ନାହିଁ। ଏହି ଉପଲବ୍ଧି ହିଁ ଥିଲା ନନ୍ଦୁଙ୍କ ସମାଜିକ ଉଦ୍ୟୋଗ ଆରମ୍ଭ କରିବା ପଛର ପ୍ରମୁଖ କାରଣ।

ଏକଥା ସତ ଯେ ଉପରୋକ୍ତ ଉପଲବ୍ଧି ପରେ ଗୋଲ୍ଡମ୍ୟାନ ସ୍ୟାକର ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ପେଷା ନନ୍ଦୁଙ୍କୁ ସେତେ ବେଶୀ ଆନନ୍ଦ ଦେଇପାରୁନଥିଲା। ମାତ୍ର ସିଲିକନ ଭ୍ୟାଲିରେ ରହଣି ତାଙ୍କ ପାଇଁ ସୁଯୋଗର ଅନ୍ୟ ଦ୍ଵାର ଖୋଲିଥିଲା। ଏହି ସମୟରେ ସେ ବିଭିନ୍ନ ଉଦ୍ୟୋଗର ପ୍ରତିଷ୍ଠାତାମାନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ଓ ନିଜ ଭିତରେ ଲୁଚିରହିଥିବା ଉଦ୍ୟୋଗୀଟିକୁ ମଧ୍ୟ ଆବିଷ୍କାର କରି ପାରିଥିଲେ। ଏହା ଉପରେ ନନ୍ଦୁ କୁହନ୍ତି ଯେ “ ଜଣେ ସ୍ଵେଚ୍ଛାସେବୀ ଭାବେ ମୋ କାମ ମୋତେ ବହୁତ ଶାନ୍ତି ଦେଇଥିଲା। କୋଟି କୋଟି ଟଙ୍କା ରୋଜଗାର କରିବା ପାଇଁ ଯୋଜନା କରିବା ଏତେ କଷ୍ଟସାଧ୍ୟ ନୁହେଁ। ଆଉ ଆପଣ ଯଦି ଏଥି ପାଇଁ କାମ ନକରନ୍ତି ତାହାଲେ ବେଶୀ କିଛି ଅସୁବିଧା ହେବନି, କାରଣ ଏଥିପାଇଁ ଯୋଜନା କରିବାକୁ ଆହୁରି ଅନେକ ଲୋକ ମିଳିଯିବେ। ମାତ୍ର ଡାକ୍ତରୀ ସେବାଠାରୁ ବହୁ ଦୂରରେ ଥିବା ଲୋକଙ୍କ ପାଖରେ ଜରୁରୀ ସ୍ୱାସ୍ଥ୍ୟ ସୂଚନା ପହଞ୍ଚାଇବା ନିଶ୍ଚିତ ଭାବେ କଠିନ ଓ ଅଧିକ ଫଳପ୍ରଦ କାମ”। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ ଶିକ୍ଷା ସାରିବା ପରେ ନନ୍ଦୁ ଅଫିସ ଟାଇଗରରେ ନିଜର କର୍ମ ଜୀବନ ଆରମ୍ଭ କରିଥିଲେ। ଅଫିସ ଟାଇଗରର ଅଧିଗ୍ରହଣ ପରେ ନନ୍ଦୁ ନିଜର ଉଦ୍ୟୋଗ ଆରମ୍ଭ କରିବା ବିଷୟରେ ଚିନ୍ତା କରିଥିଲେ।

mDhilର ଆରମ୍ଭ

ନନ୍ଦୁଙ୍କ ଜନ୍ମ ଯୁକ୍ତରାଷ୍ଟ୍ର ଆମେରିକାରେ ଏବଂ ସେହିଠାରେ ହିଁ ସେ ବଢିଥିଲେ। ୨୦୦୮ ମସିହାରେ ନନ୍ଦୁ ଭାରତ ଆସିଲେ ଓ ୨୦୦୯ ମସିହାରେ mDhil ସଂସ୍ଥା ଆରମ୍ଭ କଲେ। କେତେକଙ୍କ ମତରେ ସ୍ୱାସ୍ଥ୍ୟ କେବଳ ସମାଜର ତଳ ସ୍ତରରେ ରହୁଥିବା ଲୋକଙ୍କ ପାଇଁ ଏକ ସମସ୍ୟା। ମାତ୍ର ନନ୍ଦୁ ନିଜ ଅନୁଭୂତିରୁ ଜାଣିଥିଲେ ଯେ ଏହା ଏକ ବିଶ୍ଵସ୍ତରୀୟ ସମସ୍ୟା ଓ ଭାରତୀୟ ସମାଜର ପ୍ରତିବର୍ଗର ଲୋକ ଏହି ସମସ୍ୟା ଦ୍ଵାରା ଆକ୍ରାନ୍ତ। ମାତ୍ର ଭାରତୀୟ ମାନେ ଏହି ସମସ୍ୟା ଯେ କେତେ ମାରାତ୍ମକ ହୋଇପାରେ ତାହା ସଠିକ ଭାବେ ଆକଳନ କରିପାରି ନାହାନ୍ତି। ଏହା ସମ୍ପର୍କରେ ଅଧିକ ବୁଝାଇ ନନ୍ଦୁ କୁହନ୍ତି ଯେ “ଭାରତରେ ସ୍ୱାସ୍ଥ୍ୟ କେବଳ ଏକ ସରକାରୀ ବାଲାନ୍ସ ଅଫ ପେମେଣ୍ଟ ସମସ୍ୟା ନୁହେଁ। ମଧୁମେହ ଓ ଧୂମପାନ ପରି ସମସ୍ୟା ଭାରତୀୟ ସମାଜର ସବୁ ବର୍ଗରେ ତା’ର ଜଡ ବିସ୍ତାର କରିଛି। ଏବଂ ଏହି ସମସ୍ୟା କବଳରେ ଅଧିକ ଆୟବର୍ଗର ଲୋକମାନେ ମଧ୍ୟ ଆକ୍ରାନ୍ତ। ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ସବୁ ସମୟରେ ସବୁ ବୟସର ଲୋକଙ୍କ ସହ କାମ କରିବାକୁ ହେବ”।

image


mDhil ପ୍ରଥମେ ଏକ ଏସଏମଏସ ଭିତ୍ତିକ ସେବା ପ୍ରଦାନକାରୀ ସଂସ୍ଥା ଭାବେ ନିଜ କାମ ଆରମ୍ଭ କରିଥିଲା। ଛୋଟ ସହରମାନଙ୍କରେ ରହୁଥିବା ୧୭ ରୁ ୨୫ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏହା ନିଜର ସେବା ପ୍ରଦାନ କରିବା ଆରମ୍ଭ କରିଥଲା। ଏହି ବୟସ ଶ୍ରେଣୀକୁ ବାଛିବା ପଛରେ ଦୁଇଟି କାରଣ ଥିଲା। ପ୍ରଥମଟି ହେଲା ଏହି ବଯସର ବ୍ୟକ୍ତିମାନେ ମୋବାଇଲ ଓ ଇଣ୍ଟେରନେଟ ପ୍ରଯୁକ୍ତି ଜ୍ଞାନକୁ ସହଜରେ ଆପଣାଇ ପାରନ୍ତି। ଆଉ ଦ୍ଵିତୀୟଟି ହେଲା, ଯୌନ ଶିକ୍ଷା ଓ ମହିଳାଙ୍କ ସ୍ୱାସ୍ଥ୍ୟ ଏହି ବୟସ ଶ୍ରେଣୀ ପାଇଁ ଏକ ପ୍ରମୁଖ ସମସ୍ୟା। ତା ଛଡା ଏପରି କିଛି ଗୁରୁତର ସମସ୍ୟା ରହିଛି ଯାହା ଉପରେ ଏ ପିଢୀର ଲୋକମାନେ ଖୋଲାଖୋଲି ଭାବେ କଥା ହୁଅନ୍ତି ନାହିଁ।

ପ୍ରତିବନ୍ଧକ ଓ ଆଗକୁ ବଢିବାର ରାସ୍ତା

ଏସଏମଏସ ମାଧ୍ୟମରେ ସ୍ୱାସ୍ଥ୍ୟ ସୂଚନା ଆଜି ମଧ୍ୟ mDhilର ଏକ ପ୍ରମୁଖ କାର୍ଯ୍ୟ। ଏହା ସହିତ ଗତ ଦୁଇ ବର୍ଷ ମଧ୍ୟରେ mDhil ନିଜ କାମକୁ ଅଧିକ ବିସ୍ତୀର୍ଣ କରିଛି। ଏହା ବର୍ତ୍ତମାନ ସ୍ୱାସ୍ଥ୍ୟ ସମ୍ବନ୍ଧିତ ମୋବାଇଲ ଓ ଡେସ୍କଟପ ଆପ୍ଲିକେସନ ଏବଂ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରୁଛି। ଶତକଡା ୬୦ ଭାଗ ଲୋକ ମୋବାଇଲ ମାଧ୍ୟମରେ mDhil ସ୍ୱାସ୍ଥ୍ୟ ସୂଚନା ପାଇପାରୁଥିବା ବେଳେ, ୪୦ ଭାଗ ଲୋକ କମ୍ପ୍ୟୁଟର ମାଧ୍ୟମରେ ଏହାକୁ ପାଇପାରୁଛନ୍ତି। mDhil ସେବାର ସବୁଠାରୁ ବଡ ହିତାଧିକାରୀ ହେଉଛି ଭାରତ। ମୋଟ mDhil ସେବା ବ୍ୟବହାରକାରୀଙ୍କ ମଧ୍ୟରୁ ୮୫ ପ୍ରତିଶତ ହେଉଛନ୍ତି ଭାରତୀୟ। ବାକି ୧୫ ପ୍ରତିଶତ ହେଉଛନ୍ତି ପାକିସ୍ତାନ, ସାଉଦୀ ଆରବ, ଫିଲିପାଇନ୍ସ ଓ ଇଣ୍ଡୋନେସିଆର ଅଧିବାସୀ।

ଏସଏମଏସ ଭିତ୍ତିକ ସେବାର ସଫଳତା ଦିଗରେ ଗୋଟିଏ ବଡ ପ୍ରତିବନ୍ଧକ ହେଲା ଭାଷା। ଏହି ଭାଷାକୁ ଏଡାଇବା ପାଇଁ mDhil ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଏସଏମଏସ ଗୁଡିକୁ ତିଆରି କରୁଛି। ଭିଡ଼ିଓ ଓ ଇଣ୍ଟେରନେଟ ମାଧ୍ୟମରେ ଅଧିକ ଗୁଣାତ୍ମକ ସନ୍ଦେଶ ତିଆରି କରାଯାଇ ଭାଷା ପ୍ରତିବନ୍ଧକ ଏଡାଇବାକୁ ଚେଷ୍ଟା କରାଯାଉଛି।

ନିଜ ସଂସ୍ଥାର ସେବାଗୁଡିକ ଉପରେ ନନ୍ଦୁ କୁହନ୍ତି ଯେ “ ଆୟ ଅପେକ୍ଷା ବ୍ୟବହାରକାରୀ ପାଇଁ ଏକ ଭଲ ଅନୁଭବକୁ ମୁଁ ଅଧିକ ଗୁରୁତ୍ଵ ଦିଏ। ଏହା ମୋ ପାଇଁ ଇଣ୍ଟେରନେଟରେ ଜିନିଷ କିଣାବିକାର ମାଧ୍ୟମ ନୁହେଁ। mDhil ସେବାଗୁଡିକ ପାଖକୁ ଗୁରୁତ୍ତ୍ଵପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ପାଇଁ ଲୋକେ ଆସନ୍ତି। ଆଉ ସମସ୍ୟା ମଧ୍ୟରୁ କିଛି ଗୋପନୀୟ ମଧ୍ୟ ହୋଇଥାଏ, ଯେପରିକି ମହିଳାଙ୍କ ଋତୁସ୍ରାବ। ଏହା ଉପରେ ଲୋକେ ଖୋଲାଖୋଲି ଆଲୋଚନା କରିପାରନ୍ତି ନାହିଁ ଓ ଆବଶ୍ୟକ ସୂଚନା ନିଜ ମାତୃଭାଷାରେ ପାଇବାକୁ ଚାହାନ୍ତି।"

ବିଭିନ୍ନ ଔଷଧ କମ୍ପାନୀ ସହ ସହବନ୍ଧନରୁ mDhil ନିଜର ଆୟ କରିଥାଏ। ଏହା ଛଡା ଏୟାରଟେଲ ପରି ମୋବାଇଲ ସେବା ପ୍ରଦାନକାରୀଙ୍କ ଠାରୁ ଏସଏମଏସ ପାଇଁ ମଧ୍ୟ mDhil ଅର୍ଥ ନେଇଥାଏ। ଫେସବୁକ, Youtube ଓ Twitter ପରି ସୋସିଆଲ ନେଟୱର୍କିଂ ସାଇଟ ମାଧ୍ୟମରେ ବ୍ୟବହାରକାରୀମାନେ mDhil ସେବା ପାଖରେ ପହଞ୍ଚିଥାଆନ୍ତି।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ସ୍ୱାସ୍ଥ୍ୟ ସେବା ଓ ଡାକ୍ତରମାନଙ୍କ ଠାରୁ ଦୂରରେ ଥିବା ଲକ୍ଷାଧିକ ଭାରତୀୟଙ୍କ ପାଖରେ ଭିଡ଼ିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସୂଚନା ପହଞ୍ଚାଇ ଦେବା ପାଇଁ mDhil ଲକ୍ଷ୍ୟ ରଖିଛି।

ନିଜ ମୋବାଇଲ ରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ପାଇବାକୁ ଚାହୁଁଛନ୍ତି କି? mDhil ଦେଖନ୍ତୁ।