ଓଡିଶାରେ SHG Movement : ନାରୀ ପାଇଁ ନାରୀ ବଢ଼ାଉଛି ସହାୟତାର ହାତ

ମହିଳାମାନଙ୍କ ସୁରକ୍ଷା ପାଇଁ ଅଧିକରୁ ଅଧିକ ମହିଳାମାନେ ଗ୍ରାମୀଣ ପ୍ରଶାସନିକ ସ୍ତରରେ ଯୋଗ ଦେବା ଉଚିତ୍ । ପଞ୍ଚାୟତିରାଜ ସେମାନଙ୍କୁ ମଧ୍ୟ ସେ ସୁଯୋଗ ଦେଇଛି । ଅପର ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀନଙ୍କୁ ମିଳିତ ଭାବେ ମହିଳାମାନଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ଉଚିତ୍ ।

ଓଡିଶାରେ SHG Movement : ନାରୀ ପାଇଁ ନାରୀ ବଢ଼ାଉଛି ସହାୟତାର ହାତ

Friday January 15, 2016,

4 min Read

ମହିଳାମାନଙ୍କ ସୁରକ୍ଷା ପାଇଁ ଅଧିକରୁ ଅଧିକ ମହିଳାମାନେ ଗ୍ରାମୀଣ ପ୍ରଶାସନିକ ସ୍ତରରେ ଯୋଗ ଦେବା ଉଚିତ୍ । ପଞ୍ଚାୟତିରାଜ ସେମାନଙ୍କୁ ମଧ୍ୟ ସେ ସୁଯୋଗ ଦେଇଛି । ଅପର ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳିତ ଭାବେ ମହିଳାମାନଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ଉଚିତ୍ ।

ପ୍ରଥମ ଦୁଇଟି ସନ୍ତାନ ଜନ୍ମ ହେବା ଆଗରୁ ଆଖି ବୁଜିଦେଲେ । ଦଇବର ବିଚାର ପାଇଁ ନୁହେଁ ବରଂ ସ୍ୱାମୀର ଅବହେଳା ପାଇଁ । ଜଗତସିଂହପୁର ପାଟଣା ଗାଁର ୨୪ ବର୍ଷୀୟ ଜ୍ୟୋତ୍ସା ଦାସ, ଦ୍ୱିତୀୟ ଥର ଗର୍ଭବତୀ ଥାଆନ୍ତି । ଏଭଳି ସ୍ଥିତିରେ ବି ଘରର ସବୁ କାମ କରୁଥିବାରୁ ଦିନେ ଗୋଡରେ ଯନ୍ତ୍ରଣା ଅନୁଭବ କଲେ । ସ୍ୱାମୀକୁ ଔଷଧ ପାଇଁ କହିଲେ । କାହାକୁ ପଚାରି ସ୍ୱାମୀ କ’ଣ ଆଣି ଖୁଆଇଲା, ୪ ଦିନ ମଧ୍ୟରେ ଜ୍ୟୋତ୍ସାର ଗର୍ଭପାତ ହୋଇଗଲେ ।

ନିଜକୁ ହତଭାଗୀ ମାନି କିଛି ଦିନ ମନସ୍ତାପରେ ରହି ଜ୍ୟୋତ୍ସା ଏତେ ବଡ କଷ୍ଟଟାକୁ ମନ ଭିତରେ ମାରିଦେଲା । କିଛି ଦିନ ମଧ୍ୟରେ ସେ ତୃତୀୟ ଥର ଗର୍ଭବତୀ ହେଲା । କିନ୍ତୁ ଏଥର ଯାହା ଘଟିଲା, ତା’ ଥିଲେ ପୂର୍ବାପେକ୍ଷା ଦାରୁଣ ଓ ଅବିଶ୍ୱସନୀୟ । ୭ ମାସର ଗର୍ଭବତୀ ସ୍ତ୍ରୀକୁ ସ୍ୱାମୀ, ଆନ୍ଧ୍ର ପ୍ରଦେଶର ଜନୈକ ବ୍ୟକ୍ତିଙ୍କୁ ମାତ୍ର କିଛି ଟଙ୍କା ଲୋଭରେ ବିକ୍ରିକରି ଦେଇଥିଲା । ଜ୍ୟୋତ୍ସା ଏତେ ସବୁ କଥା ଜାଣିବା ବେଳକୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାକୁ ନିଜ ସହ ନେଇ ଯାଇ ଥାଆନ୍ତି । ବଡ କଷ୍ଟରେ ଗର୍ଭବତୀ ଜ୍ୟୋତ୍ସା ସେହି ଲୋକ କବଳକୁ ନିଜକୁ ରକ୍ଷ କରି ଖସି ଆସିଲା । ବାଟ ଖୋଜି ଖୋଜି ଗାଁରେ ଆସି ପହଞ୍ଚିଲା । କିନ୍ତୁ ତା’ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ଜ୍ୟୋତ୍ସାକୁ ଆପଣାଇବାକୁ ସଫା ମନା କରି ଦେଲେ । ଜ୍ୟୋତ୍ସା ଉପରେ ଚଡକ ପଡିଲା ।

ଏହି ସମୟରେ ତା’କୁ ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଆସିଥିଲା ପାଟଣା ଗାଁର ଏକ ସ୍ୱୟଂ ସହାୟକ ଗୋଷ୍ଠୀ । ଗାଁର ମହିଳାମାନେ ମିଳିତ ଭାବେ ତାଙ୍କର ପଞ୍ଚାୟତ ୱାର୍ଡ ମେମ୍ବର ସଙ୍ଗୀତା ମଣ୍ଡଳଙ୍କୁ ଭେଟି ସବୁ ଜଣାଇଲେ ଓ ଜ୍ୟୋତ୍ସାର ମାମଲାକୁ ପଞ୍ଚାୟତ ହାତକୁ ନେଉ ବୋଲି ପ୍ରସ୍ତାବ ରଖିଲେ । ସଙ୍ଗୀତାର ପରାମର୍ଶ କ୍ରମେ ଗାଁ ପଞ୍ଚାୟତ, ଜ୍ୟୋତ୍ସାର ଶ୍ୱଶୁର ୫୬ ବର୍ଷୀୟ ଦ୍ୱିପନ୍ ଦାସଙ୍କୁ ଗ୍ରାମସଭାରେ ଉପସ୍ଥିତ ହେବାକୁ ସମନ୍ ଜାରି କଲା ।

image


ଗ୍ରାମସଭାରେ ସଙ୍ଗୀତାଙ୍କ ନେତୃତ୍ୱରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଦ୍ୱିପନ ଉପରେ ଚାପ ପକାଇଲେ ଏବଂ ଜ୍ୟୋତ୍ସାର ହକରେ ତାକୁ ଏକ ଏକର ଚାଷ ଜମି ଓ ପୁଅ ରହୁଥିବା ଘରର କିଛି ଅଂଶ ଦେବା ପାଇଁ ଦାବି କଲେ । ଗାଁ ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଦାବିକୁ ସ୍ୱୀକାର କରି ଦ୍ୱିପନକୁ ଏକ ଏକର ଚାଷ ଜମି ଓ ପୁଅ ରହୁଥିବା ଘରର କିଛି ଅଂଶ ଜ୍ୟୋତ୍ସାକୁ ଦେବା ପାଇଁ କହିଲା ।

କଥା ଏତିକିରେ ସରିଗଲା ନାହିଁ । ଜ୍ୟୋତ୍ସାର ସ୍ୱାମୀ ତାକୁ ଛାଡି ଚାଲିଯିବା ପରେ ଶ୍ୱଶୁର ଦ୍ୱିପନ୍ ତାକୁ ଚାଷ ଜମି ଓ ଘର ଦେବା ନାଁରେ ବୋହୂ ସହ ଅନୈତିକ ସମ୍ପର୍କ ରଖିବାକୁ ଚେଷ୍ଟା କଲା । ଜ୍ୟୋତ୍ସା ପାଇଁ ସେ ଘର ପାଖରେ ଥିବା ଏକ ଅନାବାଦୀ ଜାଗାରେ ଏକ କୋଠରୀ ବିଶିଷ୍ଟ ଘରଟିଏ ତିଆରି କଲା । କିନ୍ତୁ ସେଠିରେ ଜ୍ୟୋତ୍ସାର ଜୀବନ ପ୍ରତି ବିପଦ ଥିବା ଦେଖି ଗାଁ ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ବିରୋଧ କଲା । ପରେ ଦ୍ୱିପନ୍ ଓ ତା’ର ପରିବାର ରହୁଥିବା ଘରେ ହିଁ ଏକ କୋଠରୀ ଜ୍ୟୋତ୍ସାକୁ ମିଳିଲା ।

image


ଆଜି ନାରୀମାନେ ପଞ୍ଚାୟତିରାଜରେ ବହୁଳ ଅଂଶଗ୍ରହଣ କରି ପଞ୍ଚାୟତ ପ୍ରଶାସନିକ ସ୍ତରରେ ଜନ ପ୍ରତିନିଧି ସାଜି ପାରିଛନ୍ତି । ଏହା ଫଳରେ ମଫସଲ ଗାଁ ମାନଙ୍କରେ ହେଉଥିବା ଘରୋଇ ହିଂସା ଧୀରେ ଧୀରେ କମିବାରେ ଲାଗିଛି । ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଏଭଳି କ୍ଷେତ୍ରରେ ପୀଡିତାମାନଙ୍କ ସହ ଛିଡା ହେଉଛନ୍ତି । ଜ୍ୟୋତ୍ସା କ୍ଷେତ୍ରରେ ଏହା ହିଁ ହେଲା ।

କିନ୍ତୁ ଏବେବି ଅନେକେ ମହିଳାମାନଙ୍କୁ ଦାସୀ ଭାବେ ଦେଖିବାକୁ ପଛାଉ ନାହାନ୍ତି । ସାମାଜିକ ପ୍ରଥା ଓ ଚାଲିଚଳନ ମଧ୍ୟ ଏଥିପାଇଁ ଅନେକାଂଶରେ ଦାୟୀ । ସେହିଭଳି ଘରୋଇ ହିଂସା କ୍ଷେତ୍ରରେ ୨୦୦୫ରେ ପ୍ରଣୀତ ଆଇନରେ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲେ ହେଁ, ସେମାନଙ୍କ ପ୍ରତି ହିଂସାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇ ପାରି ନାହିଁ । କେତେକ ସ୍ଥଳେ ସେମାନଙ୍କ ମାମଲାକୁ ଘରର ଆଭ୍ୟନ୍ତରୀୟ ମାମଲା କରି ଚପାଇ ଦିଆଯାଉଛି ।

ସହିପରି ଆଉ ଏକ ଘଟଣା କ୍ରମରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ହାଟିଆପାଳ ଗାଁର ୩୫ ବର୍ଷୀୟ ସୁମିତ୍ରା ଗିରି, ସ୍ୱାମୀର ଅତ୍ୟାଚାର ବିରୋଧରେ ଗାଁରେ ଥିବା ମା’ ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀର ସାହାଯ୍ୟ ନେଇଥିଲେ । ସ୍ୱାମୀ ସବୁଦିନ ମଦ ନିଶାରେ ଆଶି ସୁମିତ୍ରାଙ୍କୁ ମାରିବା, ତାଙ୍କର ଲୁଗାପଟା ଚିରିଦେବା ଏମିତିକି ଜୀବନରୁ ମାରିଦେବା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏମିତିରେ ସୁମିତ୍ରା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସାହାଯ୍ୟ ନେଇଥିଲେ । ଗୋଷ୍ଠୀର ମହିଳାମାନେ ପ୍ରଥମେ ସୁମିତ୍ରାର ସ୍ୱାମୀକୁ ବୁଝାଇଥିଲେ । କିନ୍ତୁ ସେ ତା’ ଅଭ୍ୟାସ ଛାଡି ନଥିଲା । ଏଣୁ ଦିନେ ତାକୁ ପଞ୍ଚାୟତ ଆଗରେ ଗୋଷ୍ଠୀର ମହିଳାମାନେ ନିର୍ଧୁମ ପିଟିଥିଲେ । ପରେ ସେ ଗାଁ ଛାଡି ଚାଲି ଯାଇଥିଲା । କିଛି ଦିନ ପରେ ଗାଁ ଲୋକଙ୍କ ଆଗରେ ନିଜ ଭୁଲ୍ ସ୍ୱୀକାର କରି ସୁମିତ୍ରାକୁ ଆପଣାଇଥିଲେ ସେ । କିନ୍ତୁ ଏହା ବି ତା’ର ଏକ ଛଳ ଥିଲା । ସୁମିତ୍ରା ଦିନେ ପାଖ ପୋଖରୀରୁ ମାଛ ଧରୁଥିବାବେଳେ ସେ ତା’ ମୁଣ୍ଡକୁ ପଥର ପିଙ୍ଗିବାକୁ ଚେଷ୍ଟା କରିଥିଲା । ସୁମିତ୍ରା ଜୀବନ ବିକଳରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସାବିତ୍ରୀ ପâଧାନଙ୍କ ପାଖକୁ ଯାଇଥିଲା । ପରେ ସେମାନେ ସୁମିତ୍ରା କୁ ପଡୋଶୀ ଜଣେ ବିଧବା ମହିଳାଙ୍କ ଘରେ ଥଇଥାନ କରିଥିଲେ ଓ ତା’ ସ୍ୱାମୀକୁ ପୁଣି ମାଡ ମାରିଥିଲେ ।

image


ସବିତାଙ୍କ କହିବା ଅନୁଯାୟୀ, ସେମାନେ ପୁଲିସ୍ ପାଖକୁ ଯାଇ ନଥିଲେ । କାରଣ ପୁଲିସ୍ ସାମାନ୍ୟ ଟଙ୍କା ଓ ମଦ ଲୋଭରେ ସୁମିତ୍ରା ର ସ୍ୱାମୀକୁ ଛାଡି ଦେଇଥାଆନ୍ତା ବୋଲି ସେମାନେ ଡରୁଥିଲେ । ବେଳେବେଳେ ଇଟାର ଜବାବ ପଥରରେ ଦେବାକୁ ହୋଇଥାଏ ବୋଲି ସବିତା ମତ ଦେଇଥିଲେ । ତାଙ୍କ ହିସାବରେ ମହିଳାମାନଙ୍କ ସୁରକ୍ଷା ପାଇଁ ଅଧିକରୁ ଅଧିକ ମହିଳାମାନେ ଗ୍ରାମୀଣ ପ୍ରଶାସନିକ ସ୍ତରରେ ଯୋଗ ଦେବା ଉଚିତ୍ । ପଞ୍ଚାୟତିରାଜ ସେମାନଙ୍କୁ ମଧ୍ୟ ସେ ସୁଯୋଗ ଦେଇଛି । ଅପର ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀନଙ୍କୁ ମିଳିତ ଭାବେ ମହିଳାମାନଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ଉଚିତ୍ । ଯେପରିକି ଉଭୟେ ଜ୍ୟୋତ୍ସା ଓ ସୁମିତ୍ରାଙ୍କ କ୍ଷେତ୍ରରେ ଘଟିଲା । ମା’ ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀ ଅସ୍ତରଙ୍ଗ ବ୍ଲକର ଅନ୍ୟ କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତାରେ ଶେଷରେ ମଦ ଓ ଏହାର ସେବନ ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରି ସଫଳ ହୋଇଥିଲେ ।