ବିଶ୍ୱର ସବୁଠୁ ପ୍ରସିଦ୍ଧ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ

ବିଶ୍ୱର ସବୁଠୁ ପ୍ରସିଦ୍ଧ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ

Thursday January 07, 2016,

3 min Read

image


ଓଡ଼ିଶାରେ ଜନ୍ମିତ ଭାରତ ବିଦେଶ ସେବା(IFS) ଅଧିକାରୀ ଅମରେନ୍ଦ୍ର ଖଟୁଆ ବିଶ୍ୱର ସବୁଠୁ ପ୍ରସିଦ୍ଧ ରାଷ୍ଟ୍ରଦୂତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆର୍ଜେଣ୍ଟିନାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଜର ସେବା ସମାପ୍ତ କରିବାର କିଛି ଘଣ୍ଟା ପରେ ତାଙ୍କୁ ଏହି ବିରଳ ଗୌରବ ମିଳିଛି ।

ଏବିସି ୱାର୍ଲଡ ପକ୍ଷରୁ ଶ୍ରୀ ଖଟୁଆଙ୍କୁ ବିଶ୍ୱର Most Prominent ରାଷ୍ଟ୍ରଦୂତ ଭାବେ ଅଭିହିତ କରାଯାଇଛି । ୨୦୧୨ ମସିହାରୁ ଆର୍ଜେଣ୍ଟିନା ରାଷ୍ଟ୍ରଦୂତ ରହି ଆସିଥିବା ଶ୍ରୀ ଖଟୁଆ ୨୦୧୫ ଡିସେମ୍ବର ଶେଷ ସପ୍ତାହରେ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ସମାପନ କରି ଭାରତ ଲେଉଟି ଆସିଛନ୍ତି । ତେବେ ଆର୍ଜେଣ୍ଟିନା ସହ ଭାରତର ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କ ବଢ଼ାଇବାରେ ତାଙ୍କର ଅବଦାନ ଅନସ୍ଵୀକାର୍ଯ୍ୟ । ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଲାଗି ସେଠାକାର ଉଦ୍ୟୋଗପତି, ରାଜ୍ୟପାଳ ଓ ସହରର ମେୟରମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସେ ସମର୍ଥ ହୋଇଥିଲେ ।

image


ଏବିସି ୱାର୍ଲଡକୁ ଶ୍ରୀ ଖଟୁଆ ନିଜ ପ୍ରତିକ୍ରିୟାରେ କହିଛନ୍ତି-

ଭାରତକୁ ଆର୍ଜେଣ୍ଟିନାବାସୀଙ୍କ ଭ୍ରମଣ ବଢ଼ିବା ସହିତ ସେମାନେ ଆମ ଦେଶ ବିଷୟରେ ବହୁ କଥା ଜାଣୁଛନ୍ତି । ଉଭୟ ଦେଶ ମଧ୍ୟରେ ଆମଦାନୀ ଓ ରପ୍ତାନୀ ବୃଦ୍ଧି ପାଇବା ସହ ଆର୍ଥନୀତିକ ସମ୍ବନ୍ଧରେ ବ୍ୟାପକ ଉନ୍ନତି ହୋଇଛି । ସୂଚନା ପ୍ରଯୁକ୍ତି, କୃଷି ରସାୟନ, ମୋଟର ସାଇକେଲ ଓ ଟ୍ରାକ୍ଟର ଆସେମ୍ବ୍ଲି ଏବଂ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବଢ଼ିଛି । ଭାରତରୁ ଆର୍ଜେଣ୍ଟିନାକୁ ରପ୍ତାନୀ ପରିମାଣ ୨୦୧୨-୧୩ରେ ୫.୯ ମିଲିୟନ ଡଲାର ଥିବା ବେଳେ ୨୦୧୩-୧୪ରେ ୧୬୪ ପ୍ରତିଶତ ବୃଦ୍ଧି ପାଇଛି ।

୧୯୮୧ ବ୍ୟାଚ୍ ଆଇଏଫ୍ଏସ୍ ଅଧିକାରୀ ଶ୍ରୀ ଖଟୁଆ ପୂର୍ବରୁ ସଫଳତାର ସହ ମାଦ୍ରିଦ୍, ମସ୍କୋ, ମେକ୍ସିକୋ ସିଟି, କରାଚୀ ଓ ନ୍ୟୁୟର୍କରେ କାର୍ଯ୍ୟ କରି ସାରିଛନ୍ତି । ଆଇଭରି କୋଷ୍ଟ, ସିଏରା ଲିଅନ୍, ଲାଇବେରିଆ, ଗିନିଆ, ଆର୍ଜେଣ୍ଟିନା, ଉରୁଗୁଏ ଓ ପାରାଗୁଏରେ ଭାରତର ରାଷ୍ଟ୍ରଦୂତ ଭାବେ ସେ କାର୍ଯ୍ୟ କରିଛନ୍ତି । ସୁଦାନ ଓ ଦକ୍ଷିଣ ସୁଦାନକୁ ଭାରତ ସରକାରଙ୍କ ସ୍ଵତନ୍ତ୍ର ଦୂତ ଭାବେ ଯାଇ କାର୍ଯ୍ୟ କରିଛନ୍ତି । ନୂଆଦିଲ୍ଲୀରେ ବାଣିଜ୍ୟ ମନ୍ତ୍ରାଳୟ, ଶିଳ୍ପ ମନ୍ତ୍ରାଳୟ ଏବଂ ଯୋଜନା ଆୟୋଗରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ବିଶ୍ୱ ବାଣିଜ୍ୟ ସଂଗଠନ(WTO)କୁ ଯାଇଥିବା ଭାରତୀୟ ବାଣିଜ୍ୟ ବୁଝାମଣା ଦଳର ନେତୃତ୍ୱ ନେବା ସହ ଅନେକ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ବାଣିଜ୍ୟ ବୁଝାମଣାରେ ସଫଳତା ହାସଲ କରିଛନ୍ତି ଶ୍ରୀ ଖଟୁଆ । ଭାରତର ଜଣେ ପ୍ରମୁଖ ବାଣିଜ୍ୟ କୁଟନୀତିଜ୍ଞ ଭାବରେ ସେ ବେଶ୍ ଜଣାଶୁଣା ।

image


ତାଙ୍କର ସଫଳତା ନେଇ ଶ୍ରୀ ଖଟୁଆ ୟୋରଷ୍ଟୋରିକୁ କହିଛନ୍ତି,

ଭାରତ ବା ଭାରତ ବାହାରେ, ମୁଁ ଯେଉଁଠି ବି କାର୍ଯ୍ୟ କଲାବେଳେ, ସର୍ବଦା ଦେଶର ସ୍ବାର୍ଥକୁ ପ୍ରାଥମିକତା ଦେଇଆସିଛି । ଜୀବନର ଅଧିକାଂଶ ସମୟ ଓଡ଼ିଶା ଠାରୁ ଦୂରରେ ଥିଲେ ବି ସବୁବେଳେ ନିଜକୁ ଜଣେ ଓଡ଼ିଆ ଭାବେ ଗର୍ବିତ ମନେକରିଛି । ଯେବେ ସୁଯୋଗ ପାଏ, ମୁଁ ଓଡ଼ିଶା ଯାଏ ଓ ମୋ ଗାଁରେ କିଛି ଦିନ ବିତାଏ । ସରକାରୀ ସେବା ମୋର ପ୍ରାଥମିକ କର୍ତ୍ତବ୍ୟ ଓ ଧର୍ମ ହୋଇଥିବା ବେଳେ ଓଡ଼ିଆରେ କବିତା ଲେଖିବା ମୋର ସବୁଠୁ ବଡ଼ ରୁଚି ।

୧୯୫୭ ଜୁନ ୪ ତାରିଖରେ ବର୍ତ୍ତମାନର ଯାଜପୁର ଜିଲ୍ଲା ବଡ଼ଚଣା-ଚଣ୍ଡିଖୋଲ ମଝାମଝି ଅରଖପୁର ଗାଁରେ ଜନ୍ମିତ ଅମରେନ୍ଦ୍ରଙ୍କ ବାପା ମଦନ ମୋହନ ଖଟୁଆ ଓଡ଼ିଶା ସରକାରଙ୍କ ଅଧୀନରେ ଜଣେ ବରିଷ୍ଠ ପଦାଧିକାରୀ ଥିଲେ । ଅଜା ଜମିଦାର କୂଳମଣି ସ୍ଵାଇଁଙ୍କ ତତ୍ତ୍ୱାବଧାନରେ ଶୈଶବ କାଟିଥିବା ଅମରେନ୍ଦ୍ର ପିଲାଟି ବେଳୁ ଗାଁ ପରିବେଶର ପ୍ରେମରେ ପଡ଼ିଥିଲେ । ସେଇ ପ୍ରେମ ଓ ଭାବବିହ୍ୱଳତା ତାଙ୍କ ଭିତରେ କବିପଣ ଭରିଦେଇଛି ବୋଲି ସେ କହନ୍ତି । ମାତ୍ର ୧୦ ବର୍ଷ ବୟସରୁ କବିତା ଲେଖା ଆରମ୍ଭ କରିଥିବା ଅମରେନ୍ଦ୍ର ଉଭୟ ଓଡ଼ିଆ ଓ ଇଂରାଜୀରେ କବିତା ଲେଖନ୍ତି । ତାଙ୍କର ଏକାଧିକ କବିତା ସଙ୍କଳନ ପ୍ରକାଶ ପାଇ ସାରିଥିବା ବେଳେ ବିଭିନ୍ନ ଭାରତୀୟ ଭାଷା ସମେତ ସ୍ପାନିଶ୍ ଓ ରୁଷୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି ।

୨୦୧୫ ଡିସେମ୍ବର ଶେଷ ସପ୍ତାହରେ ଭାରତ ଫେରିଥିବା ଶ୍ରୀ ଖଟୁଆ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧିନରେ ସଚିବ ଏବଂ ବିଦେଶ ସେବା ପ୍ରତିଷ୍ଠାନର ଡିନ୍ ଭାବେ କାର୍ଯ୍ୟ କରୁଛନ୍ତି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।