କର୍ଷନଭାଇ ପଟେଲ: ୩ ଟଙ୍କାରେ ଡିଟରଜେନ୍ଟ ବିକ୍ରିରୁ ଆଜି ୨୫୦୦କୋଟି ଟଙ୍କାର ମାଲିକ

କର୍ଷନଭାଇ  ପଟେଲ: ୩ ଟଙ୍କାରେ ଡିଟରଜେନ୍ଟ ବିକ୍ରିରୁ ଆଜି ୨୫୦୦କୋଟି ଟଙ୍କାର ମାଲିକ

Wednesday December 16, 2015,

2 min Read

କର୍ଷନଭାଇ ପଟେଲ ଜଣେ ଭାରତୀୟ ଉଦ୍ୟୋଗୀ । ୧୯୪୫ରେ ଗୁଜରାଟର ମେହସାନା ଜିଲ୍ଲାର ରୁପୁରରେ ଏକ କୃଷକ ପରିବାରରେ ଜନ୍ମଲାଭ କରିଥିବା କର୍ଷନଭାଇ ଭାରତର ପ୍ରମୁଖ ଏଫଏମ୍ସିଜି କଂପାନି ନିର୍ମାର ପ୍ରତିଷ୍ଠାତା । ରସାୟନ ଶାସ୍ତ୍ରରେ ବିଏସ୍ସି ଡିଗ୍ରି ହାସଲ କରିବା ପରେ କର୍ଷନଭାଇ ଅହମ୍ମଦାବାଦରେ ନୁ୍ୟ କଟନ୍ ମିଲ୍ସରେ ପ୍ରଥମେ ଲାବ୍ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ସେ ଗୁଜରାଟ ସରକାରଙ୍କ ଭୂତତ୍ତ୍ଵ ଏବଂ ଖଣି ବିଭାଗରେ ଯୋଗଦେଇଥିଲେ । କିନ୍ତୁ ୧୯୬୯ରେ କର୍ଷନଭାଇ ତାଙ୍କ ଘର ଅଗଣାରେ ଡିଟରଜେଂଟ୍ ପ୍ରସ୍ତୁତ କରି ନିଜ ସାଇକେଲରେ ବିକ୍ରି ଆରମ୍ଭ କରିଥିଲେ । ଅଫିସରୁ ଫେରିବା ପରେ ସେ ଘରକୁ ଘର ବୁଲି ଏହାକୁ ବିକ୍ରି କରୁଥିଲେ । 

image


ଯେତେବେଳେ ବଜାରରେ ବିକ୍ରି ହେଉଥିବା ଡିଟରଜେଂଟର କିଲୋଗ୍ରାମ ପିଛା ସର୍ବନିମ୍ନ ମୂଲ୍ୟ ୧୩ ଟଙ୍କା ଥିଲା, ସେତେବେଳେ କର୍ଷନଭାଇ ତାଙ୍କ ଡିଟରଜେଂଟକୁ ୩ ଟଙ୍କାରେ ବିକ୍ରି କରୁଥିଲେ । କେବଳ ସେତିକି ନୁହେଁ ଉତ୍ପାଦ କାର୍ଯ୍ୟ ନ କରିଲେ ପଇସା ଫେରସ୍ତର ଗ୍ୟାରେଂଟି ମଧ୍ୟ ଦେଉଥିଲେ । 

ବଜାରରେ ଏହି ଡିଟରଜେଂଟ୍ ସଫଳ ହେବା ପରେ ସେ ତାଙ୍କ ଉତ୍ପାଦର ବ୍ରାଣ୍ଡିଂ କରି ଝିଅଙ୍କ ସ୍ମୃତିରେ ଏହାର ନାମ ନିର୍ମା ରଖିଲେ। ଏହାପରେ ସେ ସଫଳତା ହାସଲ କରିବା ସହିତ ନିର୍ମାକୁ ଏକ ସଫଳ ବ୍ରାଣ୍ଡରେ ପରିଣତ କରିପାରିଛନ୍ତି। କେବଳ ବ୍ୟବସାୟ ଜଗତରେ ନିଜକୁ ସୀମିତ ନ ରଖି ଶିକ୍ଷା କ୍ଷେତ୍ରର ବିକାଶ ଲାଗି ମନୋନିବେଶ କରିଛନ୍ତି । 

image


୧୯୯୫ରେ ଅହମ୍ମଦାବାଦରେ ନିର୍ମା ଇଂଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ନାମରେ ଏକ ଇଞ୍ଜିନିୟରିଂ କଲେଜ ଏବଂ ପରେ ଏକ ମ୍ୟାନେଜମେଣ୍ଟ କଲେଜ ଖୋଲିଛନ୍ତି । ଏଗୁଡ଼ିକୁ ସେ ନିର୍ମା ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଧୀନକୁ ୨୦୦୩ରେ ଆଣିଲେ, ଯାହା ନିର୍ମା ଏଜୁକେସନ ଆଣ୍ଡ ରିସର୍ଚ ଫାଉଣ୍ଡେସନ ଅଧୀନରେ ପରିଚାଳିତ ହେଉଛି । ସେହିଭଳି ଉଦ୍ୟୋଗୀ ସୃଷ୍ଟି କରିବା ସହିତ ସେମାନଙ୍କୁ ତାଲିମ ଦେବା ପାଇଁ ସେ ୨୦୦୪ରେ ଆରମ୍ଭ କରିଛନ୍ତି ନିର୍ମାଲାବ୍ସ୍ ଏଜୁକେସନ ପ୍ରୋଜେକ୍ଟ । 

ଫୋର୍ବସ ମାଗାଜିନ ୨୦୧୨ରେ ଭାରତର ଧନୀ ବ୍ୟକ୍ତିଙ୍କ ମଧ୍ୟରେ କର୍ଷନଭାଇଙ୍କୁ ୮୬ତମ ସ୍ଥାନରେ ରଖିଥିଲା। ୨୦୦୧ରେ ତାଙ୍କୁ ଫ୍ଲୋରିଡା ଆଟଲାଟିିଂକ ୟୁନିଭର୍ସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କରାଯାଇଛି। ୨୦୧୦ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି । ୨୦୧୩ରେ ସେ ୪୦ କୋଟି ଟଙ୍କା ଦେଇ ୬ ସିଟ୍ ବିଶିଷ୍ଟ ଚପର୍ କ୍ରୟ କରିଛନ୍ତି । ଗୌତମ ଆଦାନି ଏବଂ ପଙ୍କଜ ପଟେଲଙ୍କ ପରେ ଅହମ୍ମଦାବାଦର ତୃତୀୟ ଶିଳ୍ପପତିଭାବେ କର୍ଷନଭାଇ ଚପର କ୍ରୟ କରିବାକୁ ସକ୍ଷମ ହୋଇ ହାତଗଣତି ସଫଳ ଉଦ୍ୟୋଗୀଙ୍କ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ।