ମହିଳା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପ୍ଲବର ହତିଆର: ଅଢେଇ ଟଙ୍କାରେ ସାନିଟାରୀ ପ୍ୟାଡ ଓ ବ୍ୟବହୃତ ପ୍ୟାଡକୁ ଜଳାଇବା ପାଇଁ ଟେରାକୋଟା ଚୂଲା

ମହିଳା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପ୍ଲବର ହତିଆର: ଅଢେଇ ଟଙ୍କାରେ ସାନିଟାରୀ ପ୍ୟାଡ ଓ ବ୍ୟବହୃତ ପ୍ୟାଡକୁ ଜଳାଇବା ପାଇଁ ଟେରାକୋଟା ଚୂଲା

Saturday December 03, 2016,

3 min Read

୫୪ ବର୍ଷୀୟ ଶ୍ଯାମ ସୁନ୍ଦର ବେଡ଼େକର ଗୁଜୁରାଟର ବରୋଦାରେ ରହନ୍ତି। ପେସାରେ ଜଣେ ରାସାୟନିକ ଦ୍ରବ୍ୟ ଓ କପଡ଼ା ଡାଇ ବ୍ୟବସାୟୀ ହେଲେ ହେଁ ବର୍ତ୍ତମାନ ତାଙ୍କୁ ଲୋକେ ଜଣେ ଅଭିନବ ଉଦ୍ଭାବକ ଭାବେ ଜାଣୁଛନ୍ତି। ତାଙ୍କର ଉଦ୍ଭାବନ ଯୋଗେ ସେ ଗ୍ରାମୀଣ ଭାରତରେ ରହୁଥିବା ମହିଳାଙ୍କର ସ୍ଵଚ୍ଛତା କ୍ଷେତ୍ରରେ ଏକ ବିପ୍ଲବ ଆଣିପାରିଛନ୍ତି। ମାତ୍ର ଅଢେଇ ଟଙ୍କାରେ ସାନିଟାରୀ ପ୍ୟାଡ, ତାକୁ ତିଆରି କରିବା ମେଶିନ ଠାରୁ ଆରମ୍ଭ କରି ବ୍ୟବହୃତ ପ୍ୟାଡ ଗୁଡ଼ିକୁ ନଷ୍ଟ କରିବା ପାଇଁ ଦେଶୀ ଉପାୟ (ମାଟି ତିଆରି ଟେରାକୋଟା ଚୂଲା), ତାଙ୍କର ସମାଧାନ ଗୁଡ଼ିକ ବେଶ ସହଜ, ସରଳ ଓ ଖାଣ୍ଟି ଦେଶୀ।

Image : <a href=

Image :

Down To Eartha12bc34de56fgmedium"/>

୨୦୧୦ରେ ଶ୍ୟାମ ସୁନ୍ଦର ଓ ତାଙ୍କର ଧର୍ମପତ୍ନୀ ସ୍ଵାତୀ ବେଡ଼େକର ବତ୍ସାଳୟ ନାମରେ ଏକ ଏନଜିଓ ଆରମ୍ଭ କରିଥିଲେ ଯାହାର ଆଭିମୁଖ୍ୟ ଥିଲା ଗ୍ରାମୀଣ ମହିଳାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତା ନେଇ ସଚେତନତା ଆଣିବା ଓ ସାନିଟାରୀ ପ୍ୟାଡ ବ୍ୟବହାର କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବା।

ସ୍ଵାତୀ ନିଜେ ଜଣେ ଶିକ୍ଷୟତ୍ରୀ ଥିଲେ ଏବଂ ନିଜ କାର୍ଯ୍ୟକାଳ ମଧ୍ୟରେ ଦେଖିଥିଲେ ଯେ ଅଧିକାଂଶ ଝିଅ ମାନେ ଋତୁମତୀ ହେବା ପରେ ସ୍କୁଲ ଆସିବା ବନ୍ଦ କରିଦେଉଥିଲେ। ବୋଧହୁଏ ଭୟରେ ଯେ ମାସର ସେସମୟରେ ସ୍କୁଲରେ ଥିଲେ କଣ କରିବେ, କିପରି ସମ୍ଭାଳିବେ।

ମହିଳାଙ୍କ ସ୍ଵଚ୍ଛତା ସହ ଶିକ୍ଷାର ଏକ ସିଧାସଳଖ ସମ୍ପର୍କ ରହିଛି। ଗ୍ରାମୀଣ ଅଞ୍ଚଳରେ ଥିବା ଝିଅ ମାନଙ୍କର ଶିକ୍ଷାରେ ଆସୁଥିବା ବାଧାକୁ ରୋକିବା ପାଇଁ ଶ୍ଯାମ ସୁନ୍ଦର ‘ସଖୀ’ ନାମରେ ଏକ ଶସ୍ତା ସାନିଟାରୀ ପ୍ୟାଡ ତିଆରି କରି ଯୋଗାଇବାକୁ ଲାଗିଲେ। ଦାମ ହେଲା ଗୋଟାକୁ ମାତ୍ର ଅଢେଇ ଟଙ୍କା। କେବଳ ସ୍କୁଲ ଯାଉଥିବା ଝିଅ ମାନଙ୍କ ଛଡା ଏକ ବୃହତ୍ତର ମହିଳା ଗୋଷ୍ଠୀଙ୍କୁ ଆକର୍ଷିତ କରିବା ପାଇଁ ସେ ମେଶିନ ମଧ୍ୟ ଡିଜାଇନ କଲେ ଯାହା ସାନିଟାରୀ ପ୍ୟାଡ ତିଆରି କରିପାରିବ। ଆଜିର ତାରିଖରେ ବରୋଦାରେ ଏପରି ୨୦ଟି ପ୍ଳାଣ୍ଟ କାମ କରୁଛି। ପ୍ରତ୍ଯେକ ୟୁନିଟରେ ୮-୧୦ ଜଣ ମହିଳା କାମ କରୁଛନ୍ତି। ତେଣୁ ସ୍ଵଚ୍ଛତା ସହ ସେ ମହିଳାଙ୍କୁ ସ୍ବାବଲମ୍ବୀ ହେବାରେ ମଧ୍ୟ ସାହାଯ୍ୟ କରୁଛନ୍ତି।

କିନ୍ତୁ ପ୍ୟାଡ ତିଆରି ମେଶିନ ଓ ପ୍ୟାଡ ଯୋଗାଇବା ପରେ ମଧ୍ୟ କିଛି ଚ୍ୟାଲେଞ୍ଜ ଥିଲା। 

“ଆମେ ପ୍ୟାଡ ତିଆରି କରିବା ୟୁନିଟ ସ୍ଥାପନା କରିବା ପରେ ଯଦିଓ ସେ ଅଞ୍ଚଳର ମହିଳା ମାନେ ପ୍ୟାଡ ବ୍ୟବହାର କରିବା ଆରମ୍ଭ କଲେ, କିନ୍ତୁ ତାଙ୍କ ସମ୍ମୁଖରେ ସମସ୍ଯା ଥିଲା ବ୍ୟବହାର କରିବା ପରେ ସେଗୁଡ଼ିକୁ ଫୋପାଡ଼ିବେ କଉଠି। ବର୍ଜ୍ୟବସ୍ତୁ ସଂଗ୍ରହ କରି ତାକୁ ନିୟନ୍ତ୍ରଣ କରିବାର ଏକ ବ୍ୟବସ୍ଥା ଗ୍ରାମୀଣ ଭାରତରେ ଏବେ ବି ଏକ ସ୍ଵପ୍ନ, “ 

                          - ଶ୍ୟାମ ସୁନ୍ଦର Down To Earthକୁ କୁହନ୍ତି। 

ବିଦ୍ୟୁତ ପରିଚାଳିତ ଦହନ ଯନ୍ତ୍ର ବା ଇନସିନରେଟରର ଦାମ ପ୍ରାୟ ୧୮,୦୦୦ ରୁ ୨୦,୦୦୦ ଟଙ୍କା, ଯାହା ଆଦୌ ଶସ୍ତା ନୁହେଁ।

ଏହି ସମସ୍ଯାକୁ ଦେଖି ଶ୍ଯାମ ସୁନ୍ଦର ତାହାର ଏକ ସୁବିଧା ଓ ଦେଶୀ ଉପାୟ ବାହାର କଲେ। ଏକ ଟେରାକୋଟା ଦହନ ଯନ୍ତ୍ର ବା ଚୂଲା। ଏହାର ଦାମ ବିଦ୍ୟୁତ ଚାଳିତ ଦହନ ଯନ୍ତ୍ରର ଦଶ ଭାଗରୁ ଭାଗେ। ଏହାର ନାମ ଦିଆଯାଇଛି ଅଶୁଦ୍ଧିନାଶକ। ଗତ ଚାରି ବର୍ଷ ମଧ୍ୟରେ ୧୮୦୦ଟି ଟେରାକୋଟା ଦହନ ଯନ୍ତ୍ର ବିକ୍ରି ହେଇଛି। ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଯୋଜନାରେ ୫୦୦ରୁ ଊର୍ଦ୍ଧ୍ଵ ଟେରାକୋଟା ଦହନ ଯନ୍ତ୍ର ସରକାରୀ ସ୍କୁଲ ମାନଙ୍କରେ ସ୍ଥାପନା କରାଯାଇଛି। (ସୂତ୍ର - The Weekend Leader)

Image : <a href=

Image :

Down To Eartha12bc34de56fgmedium"/>

ଗ୍ରାମୀଣ ଭାରତରେ ସ୍ବଚ୍ଛତା ଏବଂ ପରିଚ୍ଛନ୍ନତା ଏବେ ମଧ୍ୟ ଏକ ଗୁରୁତର ସମସ୍ଯା। ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁସାରେ ୟୁରୋପରେ ୯୬% ମହିଳା ସାନିଟାରୀ ପ୍ୟାଡ ବ୍ୟବହାର କରୁଥିବା ବେଳେ ଆମ ଦେଶରେ ମାତ୍ର ୬% ମହିଳା ପ୍ୟାଡ ବ୍ୟବହାର କରନ୍ତି। ଶସ୍ତା ସାନିଟାରୀ ପ୍ୟାଡ ମିଳୁନଥିବା ସହ ଋତୁସ୍ରାବ ସମ୍ପର୍କରେ ସଠିକ ତଥ୍ୟ ଓ ଶିକ୍ଷା ମିଳୁନଥିବା ଯୋଗୁଁ ଆମ ଦେଶର କିଶୋରୀ, ଯୁବତୀ ଓ ମହିଳା ମାନେ ନାନା ସ୍ୱାସ୍ଥ୍ୟ ସମସ୍ଯା, ସଂକ୍ରମଣ, ବନ୍ଧ୍ୟାଦୋଷ ସହ କେବେ କେବେ ମୃତ୍ୟୁର ଶିକାର ମଧ୍ୟ ହୋଇଥାନ୍ତି।