WTO ବୈଠକ : ନିରାଶ ହୋଇ ଫେରିଲା ଭାରତ

WTO ବୈଠକ : ନିରାଶ ହୋଇ ଫେରିଲା ଭାରତ

Tuesday December 22, 2015,

2 min Read

ପାଞ୍ଚ ଦିନ ଧରି ଲିଥିବା ବିଶ୍ୱ ବାଣିଜ୍ୟ ସଂଗଠନ (WTO)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଭାରତ ୧୪ ବର୍ଷ ପୁରୁଣା ଦୋହା ପର୍ଯ୍ୟାୟ ଆଲୋଚନାରେ ଯେଉଁ ଭଳି ଫଳ ମିଳିବ ବୋଲି ଆଶା କରୁଥିଲା ତାହା ପାଇଲା ନାହିଁ । ସେଥିପାଇଁ ଭାରତକୁ ନିରାଶ ହେବାକୁ ପଡ଼ିଛି।

image


ମୋଟ ଉପରେ WTO ବୈଠକ ସନ୍ତୋଷଜନକ ଭାବେ ଶେଷ ହୋଇଛି । ଆମଦାନି ବୃଦ୍ଧି ହେଲେ ନିଜ ଦେଶର ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବୈଠକରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି । ତେବେ ଧନୀ ଓ ବିକଶିତ ରାଷ୍ଟ୍ରଗୁଡ଼ିକର ସବସିଡିକୁ ନେଇ କୌଣସି ନିଷ୍ପତି ହୋଇପାରିନାହିଁ ।

ଟିକସକୁ ନେଇ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଦାବି ଆଗରେ ମୁଣ୍ଡ ନୂଆଁଇବାକୁ ବିକଶିତ ରାଷ୍ଟ୍ରଗୁଡ଼ିକ ମନା କରିଦେଇଛନ୍ତି ।

ଭାରତର ବାଣିଜ୍ୟ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବୈଠକରେ ଭାରତ ଏହା ସ୍ଥିତିକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିଥିଲା । ମାତ୍ର ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ରକ୍ଷା କରିବା ପାଇଁ ୧୪ ବର୍ଷ ପୂର୍ବେ ଦୋହାଠାରେ ହୋଇଥିବା ଆଲୋଚନାର କୌଣସି ଫଳାଫଳ ନ ବାହାରିବାରୁ ନିରାଶ ହେବାକୁ ପଡ଼ିଛି ବୋଲି ସୀତାରମଣ କହିଛନ୍ତି ।

ଦୋହା ଆଲୋଚନା ବିଷୟରେ ସେ କହିଛନ୍ତି ଯେ, ବିକଶିତ ରାଷ୍ଟ୍ରଗୁଡ଼ିକ ଦୋହା ଆଲୋଚନାକୁ ଆଉ ଏତେ ଗୁରୁତ୍ୱ ଦେଉ ନାହାନ୍ତି । ସେମାନେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ।

ସୋସିଆଲ୍ ମିଡିଆରେ କିନ୍ତୁ ବିଭିନ୍ନ ବର୍ଗ ସୀତାରମଣଙ୍କୁ ସମାଲୋଚନା କରିଥିଲେ । ସେମାନେ କହିଥିଲେ ଯେ ଯଦି ଭାରତର ଏବେ ସମସ୍ୟା ରହିଛି ତେବେ ଏହା ଚିଠା ପ୍ରସ୍ତାବରେ କାହିଁକି ସହମତି ପ୍ରକାଶ କରୁଛି ।

ଆମେରିକାର ବାଣିଜ୍ୟ ପ୍ରତିିନିଧି ମାଇକେଲ୍ ଫ୍ରୋମ୍ୟାନ୍ କହିଛନ୍ତି ଯେ, ଦୋହା ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଗୁରୁତ୍ୱର ସହ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ମତ ଭିନ୍ନ ଭିନ୍ନ ରହିଥିଲା । ତେଣୁ ଏହା କୁହାଯାଇପାରିବ ଯେ ନାଇରୋବିଠାରେ ଏକ ନୂତନ ପ୍ୟାକେଜ୍ ଉପରେ ଆଲୋଚନା ହେବାର ପଥ ପରିଷ୍ପାର ହୋଇଛି । ଆସନ୍ତା ବର୍ଷ WTO ଆଲୋଚନା ଆରମ୍ଭ ହେଲେ ସଦସ୍ୟମାନେ ନୂତନ ଚିନ୍ତାଧାରାକୁ ନେଇ ଆଲୋଚନା ଆଗକୁ ବଢ଼ାଇବେ ବୋଲି ସେ ଆଶା ରଖିଛନ୍ତି ।

ବାଲିଠାରେ ହୋଇଥିବା ଆଲୋଚନା ଓ ୨୦୧୪ ନଭେମ୍ବରରେ ହୋଇଥିବା ସାଧାରଣ ପରିଷଦ ବୈଠକର ନିର୍ଯ୍ୟାସ ଅନୁସାରେ ନାଇରୋବିଠାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସହମତି ପ୍ରକାଶ ପାଇଛି । କପା ଉପରେ ବିକଶିତ ରାଷ୍ଟ୍ର ତୁରନ୍ତ ସବସିଡି ପ୍ରତ୍ୟାହାର କରିବେ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ୨୦୧୭ ଜାନୁଆରି ପରଠାରୁ ସବସିଡି ବନ୍ଦ କରିବାକୁ ପଡ଼ିବ ବୋଲି ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି । କିନ୍ତୁ ଭାରତ ପକ୍ଷରୁ ଧାର୍ଯ୍ୟ ତାରିଖ ଗ୍ରହଣଯୋଗ୍ୟ ନୁହେଁ ବୋଲି କୁହାଯାଇଛି ।

ଦୋହା ଆଲୋଚନାକୁ ନିଶ୍ଚିତ କରିବା ପାଇଁ ଭାରତ, ଚୀନ୍, ଜି୩୩ ରାଷ୍ଟ୍ର ସମୂହ ଓ ଆଫ୍ରିକା ସଂଘ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସେ ନେଇ କୌଣସି ନିଷ୍ପତି ହୋଇ ନଥିଲା ।

WTO ଗଠନ ହେବାର ୨୦ ବର୍ଷ ପୂରଣ ହୋଇଛି । ବିଶ୍ୱ ବାଣିଜ୍ୟ ପାଇଁ ନୀତି ନିୟମ ଧାର୍ଯ୍ୟ କରିବାରେ ବିଶ୍ୱ ବାଣିଜ୍ୟ ସଂଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବୈଠକ ଶେଷରେ କୁହାଯାଇଥିଲା । ଯେହେତୁ WTOର ଅଧିକାଂଶ ସଦସ୍ୟ ବିକାଶଶୀଳ ରାଷ୍ଟ୍ର, ତେଣୁ ସେମାନଙ୍କ ସ୍ୱାର୍ଥ ରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ଶ୍ରୀମତି ସୀତାରମଣ ବୈଠକ ଶେଷ ହେବା ପରେ କହିଛନ୍ତି ଯେ WTO ଯେଉଁ ପ୍ରସ୍ତାବଗୁଡ଼ିକ ଦେଇଥିଲା ତାହା ଉପରେ ଭାରତ ସ୍ପଷ୍ଟ ମତ ରଖିଛି । କୌଣସି କ୍ଷେତ୍ରରେ ଭାରତ ପଛଘୁଂଚା ଦେଇ ନାହିଁ ।