ପଞ୍ଚାୟତ ପୁନର୍ଗଠନ ଏକ ବିପଜ୍ଜନକ ପରିକଳ୍ପନା

By Bimal Prasad

ପଞ୍ଚାୟତ ପୁନର୍ଗଠନ ଏକ ବିପଜ୍ଜନକ ପରିକଳ୍ପନା

Friday January 15, 2016,

4 min Read

ଓଡ଼ିଶାର ଶାସକ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଓଡ଼ିଶାରେ ଗ୍ରାମପଞ୍ଚାୟତ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି କରିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ୧ ଜୁଲାଇ ୨୦୧୫ରେ ଇଂଲିଶରେ ଏକ ବିଜ୍ଞପ୍ତି ଜାରି କରି ସାରିଛନ୍ତି । ହେଲେ ଗେଜେଟ୍‍ ବିଜ୍ଞପ୍ତି ଜାରି କରି ନାହାନ୍ତି। ଏହାର ଅର୍ଥ ହେଲା, ନିଷ୍ପତ୍ତିକୁ ସାର୍ବଜନୀନ କରାଯାଇନାହିଁ । ୧ ଜୁଲାଇର ବିଜ୍ଞପ୍ତି ଅନୁସାରେ ପୁନର୍ଗଠନ ପ୍ରକ୍ରିୟା ଗୋଟାପଣେ ‘‘ଓଡ଼ିଶା ଗ୍ରାମପଞ୍ଚାୟତ ଅଧିନିୟମ, ୧୯୬୪’’ ପ୍ରକାରେ ହେବ ।

image


ତେବେ ଏଠାରେ କେତେକ ମୌଳିକ ପ୍ରଶ୍ନ ଆମ୍ଭେ ଉଠାଉଛୁ । (୧) ଯେଉଁ ରାଜସ୍ୱ ଗ୍ରାମର ଜନସଂଖ୍ୟା ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ହେଲାଣି, ସେଗୁଡ଼ିକୁ ଭାଙ୍ଗିକରି ଅଧିକ ଗ୍ରାମପଞ୍ଚାୟତ ଗଢ଼ି ସରକାର କ'ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି? (୨) ସେଭଳି ହେଲେ ଗାଆଁର ସାମାଜିକ ବ୍ୟବସ୍ଥା ଓ ଲୋକଙ୍କ ସାଂଗଠନିକ ଏକତା ପ୍ରତିହତ ହେବ ନାହିଁ କି? (୩) ବଡ଼ ଗାଆଁ ତଥା ଜନବହୁଳ ଗ୍ରାମପୁଞ୍ଜକୁ ନେଇ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) ଗଢ଼ିବାକୁ ସରକାର ଭୁଲି ଗଲେ କି? (୪) ଦଳୀୟ ନିର୍ବାଚନୀ ଇସ୍ତାହାରରେ ଥିବା ପ୍ରତିଶ୍ରୁତି କ'ଣ ସାମାଜିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବ? (୫) ନିକଟରେ ବ୍ଲକ୍‍ ଗ୍ରାଣ୍ଟ୍‍ ବିଦ୍ୟାଳୟର ଶିକ୍ଷକମାନଙ୍କ ଧର୍ମଘଟ ଯୋଗୁ ଦେଢ଼ ମାସ ପାଠପଢ଼ା ବରବାଦ ହେଲା । ତେବେ ଶାସକଦଳର ମନେ ଅଛି ତ, ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଉପ୍ରା ସ୍କୁଲ୍‍, ହାଇସ୍କୁଲ୍‍ ସୁନିଶ୍ଚିତ କରିବାକୁ ପଡ଼ିବ? (୬) ରାଜସ୍ୱଗ୍ରାମ ତଥା ଗ୍ରାମପଞ୍ଚାୟତ ପାଇଁ ସରକାର କରିଥିବା ବିଭିନ୍ନ ନିୟମ ଓ ଆଇନ ଆଧାରରେ ଅଲଗା ହାଟ, ଶ୍ମଶାନ, ଘାଟ, ତୁଠ, ଗୋଚର, ଖେଳପଡ଼ିଆ ସୁନିଶ୍ଚିତ କରିବାକୁ ପଡ଼ିବ - ଏହା କ'ଣ ଶାସକଦଳକୁ ମନେ ପକାଇବାକୁ ପଡ଼ିବ?

ଉପରୋକ୍ତ ପ୍ରଶ୍ନଗୁଡ଼ିକ ସହ ଆଉ କିଛି ବାସ୍ତବ ପ୍ରସଙ୍ଗ ଏଠାରେ ଚର୍ଚ୍ଚା କରୁଛୁ । ବିକଶିତ ରାଜ୍ୟ କେରଳରେ ଗ୍ରାମପଞ୍ଚାୟତର ଜନସଂଖ୍ୟା ପ୍ରାୟ ୨୦ ହଜାର । ଏତେ ଲୋକଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ସେଠାରେ ଗ୍ରାମପଞ୍ଚାୟତର ମୁଖିଆମାନେ ବେଶ୍‍ ପ୍ରଭାବଶାଳୀ ଓ ତତ୍ପର ହୋଇଥାଆନ୍ତି । କିନ୍ତୁ ଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶାର ସାମାଜିକ ଓ ପ୍ରାଶାସନିକ ରୂପରେଖ ବିଗିଡ଼ି ଯାଇଛି । ସରପଞ୍ଚ, ସମିତି ସଦସ୍ୟ, ୱାର୍ଡ଼ମେମ୍ବରମାନେ ସ୍ଥାନୀୟ ବିଧାୟକଙ୍କର ଗୋଡ଼ାଣିଆ ହୋଇଛନ୍ତି ବା ହେବାକୁ ବାଧ୍ୟ ହୋଇଛନ୍ତି । ଅର୍ଥାତ୍‍ କେରଳ ଭଳି ଓଡ଼ିଶାରେ ସରପଞ୍ଚମାନଙ୍କ ବ୍ୟକ୍ତିତ୍ୱରେ କିଛି ପରାକାଷ୍ଠା ନାହିଁ। ଓଡ଼ିଶାରେ କେବଳ ବିଧାନସଭାରେ କ୍ଷମତାକୁ ଜାବୁଡ଼ି ଧରିବା ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଛିନଭିନ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ଏବେ ବି ଶହଶହ ପଞ୍ଚାୟତ ପ୍ରତିନିଧି ପଦ ବିଭିନ୍ନ କାରଣରୁ ଖାଲି ପଡ଼ିଥିବା ବେଳେ ତହିଁର ଉପନିର୍ବାଚନ ହେଉ ନାହିଁ । ଓଡ଼ିଶାରେ ବୋଧହୁଏ ଏମିତି କେହି ସରପଞ୍ଚ ମିଳିବେ ନାହିଁ, ଯାହାଙ୍କର ଗୋଟିଏ ପେଟ୍ରୋଲ୍‍/ଡିଜେଲ୍‍ ଚାଳିତ ଯାନ ନଥିବ । ଏହା ସହ କେମିତି ଚାଲିଛି ପଞ୍ଚାୟତ ଜରିଆରେ ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ତାହା କାହାରିକୁ ଅଜଣା ନାହିଁ ।

ଗ୍ରାମସଭା, ପଲ୍ଲୀସଭା କୁଆଡ଼େ ଚୂଲୀକୁ ଗଲାଣି! କାରଣ ଗତ ୧୫ ବର୍ଷ ମଧ୍ୟରେ ମନ୍ତ୍ରୀ, ବିଧାୟକମାନଙ୍କ ପତିଆରା ବଢ଼ିଛି । ଭୁବନେଶ୍ୱର ବାସଭବନ କାର୍ଯ୍ୟାଳୟରୁ ଫୋନ୍‍ କରି ବିଡ଼ିଓ, ବ୍ଲକ୍‍ ବଡ଼ବାବୁ, ସରପଞ୍ଚ, ଗ୍ରା.ପ. ନିର୍ବାହୀ ଅଧିକାରୀ, ରାଜସ୍ୱ ନିରୀକ୍ଷକଙ୍କୁ କହିଦେଲେ କାମ ହୋଇଯାଉଛି । ତେଣୁ ୮୦ ଦଶକ ଭଳି ଏବେ ବି ଗୁହାରି କରିବାକୁ ଗାଆଁରୁ ପ୍ରତିଦିନ ହଜାର ହଜାର ଲୋକ ଆସି ରୁଣ୍ଡ ହେଉଛନ୍ତି ଏମ୍‍.ଏଲ୍‍.ଏ. କଲୋନୀରେ । ସମ୍ଭବତଃ ଏହି ଧାରାକୁ ବଢ଼ାଇବାକୁ ଚାହୁଁଛନ୍ତି ସରକାର । ଅନ୍ୟ ପକ୍ଷରେ କେନ୍ଦ୍ର ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ଏବଂ ନୀତି ଆୟୋଗର ଢାଞ୍ଚା ଅନୁସାରେ ଅଧିକରୁ ଅଧିକ ଅନୁଦାନ ସିଧା କେନ୍ଦ୍ରୀଭୂତ ହେବ ଗ୍ରାମପଞ୍ଚାୟତରେ । ଏହି ହିସାବରେ ପ୍ରତି ଗ୍ରାମପଞ୍ଚାୟତ ପିଛା ବାର୍ଷିକ ୨୦ ଲକ୍ଷ ଟଙ୍କା ହିସାବରେ ଗୋଟିଏ ଅବଧିରେ କୋଟିଏ ଟଙ୍କାର ଅନୁଦାନ ମିଳିବ । ସମ୍ଭବତଃ ଏହା ଉପରେ ଆଖି ପଡ଼ିଛି ଶାସକଗୋଷ୍ଠୀଙ୍କର । ଆଉ ଏକ କଥା ହେଲା ଅର୍ଥ ଆୟୋଗଙ୍କ ସୁପାରିଶ ଅନୁସାରେ ଗ୍ରାମପଞ୍ଚାୟତମାନଙ୍କୁ ପରଫର୍ମାନ୍ସର ଗ୍ରାଣ୍ଟ୍‍ (ଉଲ୍ଲେଖନୀୟ କାର୍ଯ୍ୟକୁଶଳତା ପାଇଁ ମଂଜୁରୀ) ମିଳିବ । କିନ୍ତୁ ଓଡ଼ିଶାର ଗତିବିଧିକୁ ଦେଖିଲେ, କୌଣସି ବି ଗ୍ରାମପଞ୍ଚାୟତ ଏଥି ପାଇଁ ଯୋଗ୍ୟ ହୋଇପାରିବେ ନାହିଁ । ବରଂ, ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେବ ।

ଲୋକସହଭାଗିତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡ଼ିଶାରେ ଲକ୍ଷ୍ୟ କରାଯାଉଛି, ଆମଲାତାନ୍ତ୍ରିକ ନିୟନ୍ତ୍ରଣ ବଢ଼ି ବଢ଼ି ଯାଉଛି । ପୁଣି ଅନ୍ୟ ବାଗରେ ଦେଖିଲେ, ଛୋଟ ଜିଲ୍ଲାଗୁଡ଼ିକରେ ମଧ୍ୟ ଜିଲ୍ଲାପାଳ ବା ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବର୍ଷେ ରହିବା ଭିତରେ ବି ସବୁ ଗ୍ରାମପଞ୍ଚାୟତକୁ ଥରେ ଥରେ ବି ଗସ୍ତ କରି ପାରୁ ନାହାନ୍ତି । ଏଣେ ପ୍ରତି ବର୍ଷ ସରକାରୀ ନିର୍ଦେଶନାମା ବାହାରୁଛି ଯେ ପ୍ରଶାସକମାନେ ପ୍ରତି ମାସରେ ନିଶ୍ଚୟ ଏତିକି ଦିନ ଗାଆଁରେ ରାତ୍ରୀଯାପନ କରିବେ । ଯାହାକି ଏକ ବିରୋଧାତ୍ମକ ବିଚାର ଏବଂ ଜନତାଙ୍କୁ ଭଣ୍ଡିବାର ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇପାରେ । ଯଦି ସରକାର ନିଜ ନିଷ୍ପତ୍ତିରୁ ନଓହରିବେ ଏବଂ ସତକୁ ସତ ଗ୍ରାମପଞ୍ଚାୟତ ସଂଖ୍ୟା ବଢ଼ାଇବେ, ତେବେ ଭବିଷ୍ୟତରେ ଯେଉଁ ସଂକଟ ସୃଷ୍ଟି ହେବ, ସେଥିପାଇଁ ରାଜ୍ୟକୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ । ବିଶେଷତଃ ବିଧାନସଭା ଅଧିବେଶନ ବେଳେ ରାଜଧାନୀର "ଧର୍ମଘଟ ମାର୍ଗ'ରେ ଆଉ ସ୍ଥାନ ଅଣ୍ଟିବ ତ? ବରଂ ସରକାର, ଓଡ଼ିଶାରେ ବ୍ଲକ୍‍ ଭିତ୍ତିକ ପଞ୍ଚାୟତ ସମିତି ବଦଳରେ "ତହସିଲ ପଞ୍ଚାୟତ' ଗଠନ କରିବାକୁ ବ୍ୟବସ୍ଥା କରନ୍ତୁ । ଫଳରେ ଜମି-ବାଡ଼ି-ଡିହକୁ ନେଇ ରାଜ୍ୟବ୍ୟାପୀ ଉପୁଜିଥିବା ସଂକଟର ସମାଧାନ ହେବା ସହ ଆଦିବାସୀବହୁଳ ଅଞ୍ଚଳରେ ଜମିମାଲିକାନା ସୁନିଶ୍ଚିତ କରାଯାଇପାରିବ ।

ଦେଶରେ ସ୍ମାର୍ଟ ସିଟି ଓ ବୁଲେଟ୍‍ ଟ୍ରେନ୍‍ ପାଇଁ ଯୋଜନା ହୋଇସାରିଥିବା ବେଳେ ଓଡ଼ିଶା ସରକାର ବୋଧହୁଏ ଜାଣିପାରୁ ନାହାନ୍ତି ଯେ ଗାଆଁଗୁଡ଼ିକ ମଧ୍ୟ ସ୍ମାର୍ଟ ବା ସମ୍ପନ୍ନ ହେବା ଦରକାର । ଆଉ ଦେଶ ଗଠନ ପାଇଁ ଗାଆଁଗୁଡ଼ିକ ଯଦି ସବୁ ଦୃଷ୍ଟିରୁ ସମ୍ପନ୍ନ ହେବା ଦରକାର, ସେଥିପାଇଁ ଗାଆଁଗୁଡ଼ିକୁ ଯୋଡ଼ିବା ବଦଳରେ ସରକାର ଭାଙ୍ଗିବାକୁ କାହିଁକି ବିକଳ ହେଉଛନ୍ତି? ଅବଶ୍ୟ ଏହି ବିବୃତି ପ୍ରକାଶ ପାଇବା ପର୍ଯ୍ୟନ୍ତ ରାଜ୍ୟର କୌଣସି ଅଞ୍ଚଳରେ ବା ପତ୍ରପତ୍ରିକାରେ ପଞ୍ଚାୟତ ପୁନର୍ଗଠନ ବିରୋଧୀ ସ୍ୱର ଉଠିନାହିଁ । ଏହାର ଅର୍ଥ ନୁହେଁ ଯେ ଏକ ଭୁଲ୍‍ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଏହି ସରକାର ଜିଦ୍‍ କରିବ !

(Disclaimer: ଲେଖକଙ୍କର ମତାମତ ତାଙ୍କର ବ୍ୟକ୍ତିଗତ)